Unknown

କାବ୍ୟପୁରୁଷ

ଚତୁର୍ଦଶପାଦୀ ଚୟନିକା

ଗିରିଜା କୁମାର ବଳୀୟାରସିଂହ

 

ଉତ୍ସର୍ଗ

୨୮ ମାର୍ଚ୍‌ ୨୦୧୪ ... ଶୁକ୍ରବାର ସକାଳଟା ଥିଲା ଭାରତୀୟ ବାୟୁସେନା ପାଇଁ ଶୋକର ସକାଳ । ବାୟୁସେନାର ବିଶାଳ ବିମାନ ସୁପର୍‌ ହର୍କ୍ୟୁଲେସ୍‌ ସି ୧୩୦ ଜେ ସେଦିନ ଉଡ଼ାଣର ଅଳ୍ପକ୍ଷଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିଥିଲା, ଗ୍ୱାଲିୟର୍‌ଠାରୁ ୭୨ କି.ମି. ଦୂରବର୍ତୀ ଗୋଟିଏ ରାଜସ୍ଥାନୀ ଗାଆଁ ନିକଟରେ । ଏହି ଆକସ୍ମିକ ବିମାନ ଦୁର୍ଘଟଣାରେ ସହିଦ୍‌ ହୋଇଯାଇଥିବା ୫ଜଣଯାକ ବାୟୁସେନାଧିକାରୀଂକ ମଧ୍ୟରେ ଥିଲେ ମାତ୍ର ୩୨ ବର୍ଷ ବୟସ୍କ ସଦାସସ୍ମିତ ସ୍କ୍ୱାଡ୍ରନ୍‌ ଲିଡର୍‌ କୌଶିକ ମିଶ୍ର - ଯାହାଂକର ବାଲ୍ୟକୈଶୋର ବିତିଥିଲା ଓଡ଼ିଶାର ବେଲପାହାଡ଼ରେ ।

 

ଏହି ବୀରଓଡ଼ିଆ ସହିଦ୍‌ କୌଶିକ ମିଶ୍ର ଓ ତାଂକ ସମଭାଗୀ ସାଥୀ-ସେନାଧିକାରୀମାନଂକ ସାଗ୍ନିକ ସ୍ମୃତିରେ ସମର୍ପିତ ଏ କ୍ରୁଶବିଦ୍ଧ ‘କାବ୍ୟପୁରୁଷ’...

 

ସୂଚୀ ଓ ସୂଚନା

ବୋଉ

ତଅପୋଈ

କାକରବର୍ଷା

ମେଘ

ଧଳାତାରିଖର ତରା

ରୂପରଂଗ

ୱେଟିଂରୁମ୍‌

ପ୍ଲାଟ୍‌ଫର୍ମ୍‌

ଟ୍ରେନ୍‌

ଷ୍ଟେସନ୍‌

ଦିଲୀପ୍‌ ତିର୍କୀ

କୁଟୁଂବ

ବଂଶଧର

ଚଂଦ୍ରଶୁଦ୍ଧି

ପଥଯାତ୍ରା

ପଥିକ ପକ୍ଷୀ

ପକ୍ଷୀଗାନ

ଧୂଳିସଂଜ

ଖଂଡଗିରି

ଖଂଡମଂଡଳ

କ୍ଷେତ୍ରମାହାତ୍ମ୍ୟ

ପଥରର ଫୁଲ ଫୁଟେ

ସେ ଦୁଇଟି ଆଖି

ଛାୟାକଳ୍ପ

କେଂଦୁବିଲ୍ୱ

ପଦ୍ମପୁରାଣ

ପଦ୍ମତୋଳା

ଇହଲୀଳା

ଇସ୍ତାହାର      

ଅମହାଭାରତ

ଗୋହିରାଟିକିରି

ପୂର୍ବପୁରୁଷ

ଗାଂଧି

ଗୋପବଂଧୁ

ଓ ଗୋପବଂଧୁ

ସଚ୍ଚି ରାଉତରା

ଗୁରୁପ୍ରସାଦ

ଦୀପକ ମିଶ୍ର

ଅକ୍ଷୟ ମହାଂତି

ରାଧାକୃଷ୍ଣ ଭଂଜ

ଭିକାରୀ ବଳ

ଶୁଭକାଂତ ବେହେରା

ସୁସ୍ମିତା ବଂଦ୍ୟୋପାଧ୍ୟାୟ

କୌଶିକ ମିଶ୍ର

ଏ ପି ଜେ ଅବଦୁଲ୍‌ କଲାମ୍‌

ଚଂଦ୍ରଭାନୁ ପଟ୍ଟନାୟକ

ଅଟଳ ବିହାରୀ ବାଜପେୟୀ

ସାଲ୍‌ତମାମ୍‌

ସାଲ୍‌ତମାମି

୨୦୧୦

ଓ ୨୦୧୦

୨୦୧୧

୨୦୧୨

ଓ ୨୦୧୨

୨୦୧୩

ଦିହଜାର ବାରବର୍ଷ ତଳେ

ଦିହଜାର ବାରବର୍ଷ ପରେ

ଉତ୍ତରାଖଂଡ : ୧୬/୦୬

ଉତ୍ତରାଖଂଡ : ୧୭/୦୬

୨୦୧୪

ପେଶାୱର୍‌ : ୧୬/୧୨

ଜୁଆଂଡା : ୨୮/୧୨

୨୦୧୫

ଓ ୨୦୧୫

କାଠମାଂଡୁ : ୨୫/୦୪

ଢାକା : ୦୧/୦୭

ମଥୁରା : ୨୨/୦୬      

ଅସ୍ତସୂର୍ଯ

ଗୋଟିଏ ନିୟତି

ନିଃଶବ୍ଦ ଶୋକ

ଦ୍ୱୀପାଂତର

ଚିତାର ଚିତୋର୍‌

ପଟଭୂମି

ଚିତ୍ରଭୂମି

ଯୁଦ୍ଧଭୂମି

ଯଜ୍ଞଭୂମି

ତୀର୍ଥଭୂମି

ମାତୃଭୂମି

ଭିଟାମାଟି      

ପୃଷ୍ଠବଂଧ

 

ବୋଉ

ପଦକରେ ପତିଆରା। ପଣତରେ ପତାକାର ପଣ

ଏକ ସୀମାଂତହଜା ସ୍ୱଦେଶ ମୋ ପ୍ରାର୍ଥନା ପାଖରେ

ଆକ୍ଷିର ତାରା ମୁଁ ତାର ଉଆଁସରେ ଉଏଁ ଅକାରଣ

ଆ' ଜହ୍ନମାମୁ ପୁଣି ଶୁଣିଚି ତା କୋଳରେ କାଖରେ !

 

ଚାଲ ଭାଇ, ମାଲଭାଇ ! ଅନଉଥା ଏକ ଅପରକୁ

ଏ ବାଟର ବାଂକରେ ହିଁ ବଉଳାର ବାଘଗାଆଁ ଗସ୍ତ

କୁଟୁଥାଉ ଖଇବର୍ଷା କଉଡ଼ିର କୁଆପଥରକୁ

ଚୁଲିନିଆଁ ଚାଲିଯିବ ଚଉରାରୁ ଚଂଦନବନସ୍ତ !

 

ହଜିଯାଏ ହାଂଡିଶାଳୁ ହସଖୁସି ହିସାବନିକାଶ

ଆକ୍ଷିର ପାଣିରେ ଆହା ଅକାତ ମୁଁ ଆତ୍ମା ଧୋଉଧୋଉ

ସ୍ୱର୍ଗକୁ ଦୁଆର ଦିଶେ। ଦୁଇଝର୍କା : ସମୁଦ୍ରଆକାଶ

ବହିତ୍ର ନା ବିମାନରେ ବୈକୁଂଠକୁ ବାହୁଡୁଚି ବୋଉ ?

 

ବିବିଧ ମୋ ବିଚ୍ଛେଦର ବ୍ୟଥାସବୁ ବିଦାୟବହୁଳ

ବହୁବହୁ ବିଦାୟରେ ବାସି ନୁହେଁ ବୋଉର ବଉଳ !

 

ତଅପୋଈ

 

କଜଳ ନୁହେଁ ତୋ ସଂଜ। ସିଂଦୂର ବି ସକାଳ ତୋ ନୁହେଁ

ଦିପଟକ ପାଣିକାଚ - ଦିହାତର ଦୁଇପହର କି ?

କି ଅଂଧାର ଅଧରାତି ଦିଆକ୍ଷିର ଦିନଲିପି ହୁଏ

ସୁଖର ସ୍ୱପ୍ନରେ ସଜା ଦୁଃଖର ସେ ଦୁଇସହର କି ??

 

ଉଁ'ଚି ସୁନାର ଜହ୍ନ। ତରା ତୋଳେ ରୁପାଆକ୍ଷିପୁଅ

ଜାତକର ଜୁଇ ଜାଳେ ସାତଭାଇ ଚଂପାର କଳିକା

ମିଠାମୁହଁ ମୁହାଣରେ ଲୁହତକ ଲୁଣାନଈସୁଅ

କୋହତକ କୋଉଗୋଟେ ଭାରୀଥଂଡା ଭିତରକନିକା !

 

ନଈକୁ କଢ଼େଇନିଏ କୂଳ କ'ଣ କଳାପାଣି କତି ?

ବାହୁନୁଚି ବାଲିଦ୍ୱୀପ। ଗୋଡ଼ିଗୁଡ଼ା ଗଡ଼ଗଡ଼ିଆରେ

ବୋର୍ଣିଓର ବୋଇତକୁ ବଂଦଉନି ବଂଦରର ବତି

ପୋଡ଼ାବଉଳକୁ ପୋତେ ପତ୍ରଝଡ଼ା ପାର୍କ୍‌ପଡ଼ିଆରେ !

 

ଉଁ'ଚି ସୀସାର ସୂର୍ଯ...ଖରାର କି ଖୁରମାର୍କା ଖୋଇ !

ତୁ ଓଳାଉ ଓଡ଼ିଶାର ଓସ୍ତପତ୍ର ଓଳଗିଟେ ହୋଇ !

 

କାକରବର୍ଷା

 

ପଥର ବି ପୋଥିଖଂଡେ ପୂର୍ବାପର ପାଠୋଦ୍ଧାର ପରେ

ଅଳଂଧୂମ ଅକ୍ଷରରେ ଅଳଂକୃତ ଆଜ୍ଞାନାମାବଳୀ

ଏ ଅନୁଶାସନ ଅବା ଅନୁସ୍ୱାର ବିସର୍ଗ ବୃତ୍ତରେ

ପିଢ଼ି ପରେ ପିଢ଼ି ପୁଣି ପବନକୁ ପଢ଼ାଏ ପହଳି !

 

ଅପୂର୍ବ ଏ ଅପଂତରା ଏଯାବତ୍‌ ଉଷୁମ୍‌ ଅଛି ତ

ବରାବର ବରୁଥିବି ବୁକୁରେ ତା ବରଂ ବନବାସ

ଏଠି ଗାଆଁ ଗଡ଼ଜାତ ଗିରିଗର୍ଭଗୃହରେ ଗଚ୍ଛିତ

କୀର୍ତିର କାର୍ତିକ କିଂବା ମୂର୍ତିଂକର ମାର୍ଗଶିରମାସ !

 

ଚୂଡାଂତ ଚକ୍ରକୁ ଚୁମେ ଚିରାଳର ଚିରା ଚିତ୍ରକଳା

ତୁନି ହ' ତଅପୋଈ ! ତୀରବର୍ତୀ ତରଂଗ ନା ତରୀ ?

ଚିତ୍ରାର୍ପିତ ଚିଲିକାକୁ ଚିତ୍କାରୁଚି ଚାରୁ ଚିତ୍ରୋପିଳା

କାତକୁ କାତର କରେ କାଳିଜାଈ କାଂଦଣାଲହରୀ !

 

ଉଆସଟା ଉଇହୁଂକା। ଉଆଁସରେ ଅନେଶୋତରାଣୀ

କୋହଲା କାକରବର୍ଷା କୋହକୁ ତ କୋହଳ କଲାଣି !

 

ମେଘ

 

ଏ ମେଘ ମହେଂଦ୍ରଗିରି ମୁହାଁଉଚି ମହେଂଜୋଦାରୋରୁ

କଟକର କଟାକ୍ଷରେ କାମନାର କମନୀୟ କୋପ

ଗରଜିଲା ମେଘ ଯଦି ଗଡ଼ଜାତ ବନସ୍ତର ଗୋରୁ

ଗୁମରରେ ଗୁମ୍‌ସୁମ୍‌ ଗାଆଁଗୁଡ଼ା ଗୋଟେ ଗୋଟେ ଗୋପ !

 

ଆଉଜିପଡୁଚି ଆଜି ଅପରାହ୍ନ ଆଇଭିଲତାରେ

ବନ-ବକୁଳର ବୁକୁ ଛୁଁ’ ଅଛି ଛୁରୀଅନା ଛାଇ

ସଂଜମାନେ ସତୀ ସିନା ଚଉରାର ଚଂଦନଚିତାରେ

ମଧୁମତୀ ମାଳତୀର ମଗଧରେ ମାଳ ମିଳୁନାଇଁ !

 

ମଉଳି ମଉଳି ମରେ ମାଳମାଳ ମଲ୍ଲୀର ମାଳବ

ଭଂଗାଡେଣାହଳକରେ ଗଂଗାଚିଲ ବୁଲେ ବୁଦ୍ଧଗୟା

ଭଦ୍ରଖରୁ ଭ୍ରଥଖଂଡ - ଭଦ୍ରାମାନେ ଭୋଗଂତି ଭାଦ୍ରବ

ଦଂଡକାରଣ୍ୟର ଦିନ ଦଂଡୁଥାଏ ଦୁର୍ଦିନର ଦୟା !

 

ଏ ମେଘ ଅଦିନମେଘ। ଖଇରିଆ ଖରା ହୁଏ ଖପା

ହଂସବତୀ ହ୍ରଦ ହୁଏ ହଳଦିଆ ହାଡ଼ର ହରପ୍ପା !

 

ଧଳାତାରିଖର ତରା

 

ହେ ତରା ତମକୁ ଦିନେ ଧରା ଦେବି ଧଳାତାରିଖରେ

କାଦୁଆ ମୋ କଟକରେ କାଂଦୁଥିବ କଦଂବ କଦବା

ଅହ୍ୟସୁଲକ୍ଷଣୀମାନେ ଆଶା କରେଁ : ଭଲ ଥିବେ ଘରେ

ଅଗନାଗ୍ନି ଅରଣ୍ୟରୁ ଆସୁଥିବେ ଅଯୋନିସଂଭବା !

 

ହେ ତରା ତମର ଗାଆଁ ସତେଇଶ ସଉତୁଣୀ ସାହି

ଅପସରା ଅପଂତରା : ଅସହଣୀ ଅସତୀ ବସତି

ନଖ ବି ଉଷୁମ୍‌ ହେଲେ ଉଆଁସର ଉଁ' ଚୁଁ' ନାଇଁ

ଚଉରାଶି ଚର୍ମଚର୍ଯା - ଚଉଷଠି ଯୋଗିନୀଂକ ପ୍ରତି !

 

ହେ ତରା ତରକୁଅଛି ଆଖି ଆଗେ ଅଧୁନା ଅଂଧାର

ଜରିପୋଷାକରେ ଜଳେ ଜନ୍ମଦିନ ଜରାଜର୍ଜରିତ

ଚଂଦ୍ରର ଏ ଚରିତ୍ରଟା କଳଂକରେ କେଡ଼େ ଚମତ୍କାର

ନବରସ୍ଥ ନବନାରୀ - ଏବଂ ଦଶକୁମାରୀ ଚରିତ !

 

ହେ ତରା ତମେ ମୋ ଅଂଧପୁଟୁଳିକୁ ଫିଟାଇବ ଆସ

ଚିରିଦିଏ ଚିତ୍ତବୃତ୍ତି ଚାହୁଁଚାହୁଁ ଚାରୁ ଚାଂଦ୍ରମାସ !

 

ରୂପରଂଗ

 

ଏ ଅସ୍ତସୂର୍ଯକୁ ଏଠି ଓସ୍ତପତ୍ର ଆଢୁଆଳ କରେ

ମନେଅଛି ମନେ ନାଇଁ ମେଘର ସେ ମସ୍ତ ମେହେରାବି

କେବେକେବେ କଂଦାଇଚି କଣାଚାଳ କୁଡ଼ିଆ କାଂଥରେ

ଚିତଉପାଣିର ଚିତା ଚିତ୍ରୁଥିବା ଚିହ୍ନା ଚେହେରା ବି !

 

ଗୋଲାପଜଳରେ ଗୋଳା ଗୁଂଡଦୁଧ ରଂଗର ଗୋଧୂଳି

ପବନକୁ ଫେଣ ଫିଂଗେ । ପଟୁଆରୀ ପକ୍ଷୀ ଫେରେ ରାବି

ଛଳଛଳ ଛବିର ବା ଜଳରଂଗ ଯିବ କିଏ ଭୁଲି -

ଛପର ଉପରଆଡୁ ଛାଇର ଏ ଛେରାପହଁରା ବି ?

 

ଚଟାଣରୁ ଚଂଦ୍ରଶାଳା - ଚମକୁଚି ଚୂନରଂଗୀ ଚୂଳି

ପଥରର ଫସଲରୁ ଫୁଲ ପଡ଼େ ପସରା ପସରା

ରୂପର ରସାଳ ଋତୁ ରଚୁରଚୁ ଋଜୁ ରଂଗତୂଳୀ

ସାତଶହ ସତୀ ସହ ଆଠଶହ ଅସତୀ ଅପ୍ସରା !

 

ନଅଶହ ନଅରକୁ ନାଗର ତୁ ନ ଯାରେ ନ ଯାରେ

ହୁଡ଼ିଲେ ହାତର ପାଂଚ୍‌ - ହଜାଇବୁ ହୁଏତ ହଜାରେ !

 

ୱେଟିଂରୁମ୍‌

 

ୱେଟିଂରୁମ୍‌ ତ ଏକ ଓଏସିସ୍‌ । ୱେ' - ୱେ'। ଓଃ

ରାତି ଠିକ୍‌ ବାରଟାରେ ରେଳଯାତ୍ରା, ନିଦ କହ କାଇଁ?

ମନେପଡ଼େ ମୀନା ମିତ୍ର - ମିନର୍ଭାର ମିଡ଼୍‌ନାଇଟ୍‌ ସୋ'

ଅବଶ୍ୟ ଏ ଉପାଂତକୁ ଊର୍ବଶୀର ଆସିବାର ନାଇଁ !

 

ଏବେ ଏବେ ଏଇମାତ୍ର ଏଗାରଟା ଏକାବନ ହେଲା

ୱେଟିଂରୁମ୍‌ର ରାତି। ହାଇ ହୁଏ ହାୱାର ହାଇକୁ

ମନେରହିବନି କିଏ ମିନିଟିଏ ମନ ମୂର୍ଛିଦେଲା

ଚାଲିଯାଉଥିବାବେଳେ ଚାହୁଁଥିଲା ଚେନାଏ ଛାଇକୁ !

 

ହେ ଚଗଲୀ ଚଂପାବତୀ! ଚାଲଯିବା ଚଟିଘରଆଡ଼େ

ଅଜଣା ଏ ଜଂକ୍‌ସନ୍‌ - ଆଉ ତିନି ରଂଗର ଆଲୁଅ

ୱେଟିଂରୁମ୍‌ର ଝର୍କା ଆରପଟେ ଟ୍ରେନ୍‌ ଧୂଆଁ ଛାଡ଼େ

ଓଢ଼ଣାରେ ଉଂଡୁଚି ମୁଁ ଓଡ଼ିଶାର ଓଦାମାଟିମୁହଁ !

 

ୱେଟିଂରୁମ୍‌ର ପର୍ଦା ପବନକୁ ଓଗାଳୁଚି ବାଟ

ନିଦ ନ ଆସୁଚି ଯଦି - କୁନିକୁନି ସ୍ୱପ୍ନକୁ ବି କାଟ !

 

ପ୍ଲାଟ୍‌ଫର୍ମ୍‌

 

ଦୀର୍ଘ ଏକ ରେଳପୋଲ ଦ୍ୱିଖଂଡିତ ଇଂଦ୍ରଧନୁ ଅବା

ସୂର୍ଯ ବୁଡୁଥିଲେ ବୁଡୁ, ଚଂଦ୍ର ଉଏଁ ସହର ସେପଟେ

ଏପଟେ ବି ଏକ୍ସପ୍ରେସ୍‌ - ଇସ୍ପାତୀୟ ଏକ ଉଚ୍ଚୈଃଶ୍ରବା

ପଥରର ପୃଥିବୀରେ ପ୍ଲାଟ୍‌ଫର୍ମ୍‌ ପାହାଚ ପାଲଟେ!

 

କୁଶୀନାରା ଯିବାପାଇଁ କିଏ ଆସେ କପିଳବାସ୍ତୁରୁ ?

ଚକୁଆଟେ ଚଂଚୁରେ ତା ଚକୋଈର ଚିବୁକ ଚୁଂବିନି

ଦୁଃଖୀ ପ୍ଲାଟିପସ୍‌ ପରି ପ୍ଲାଟ୍‌ଫର୍ମ୍‌ ଦିଶୁଥାଏ ଦୂରୁ

ଲଂବୁଥାଏ ଲାଲ୍‌ଟ୍ରେନ୍‌ - ଲୁ' ଆଉ ଲୁହରୁ ଲୁଂବିନୀ !

 

ଟ୍ରୟକୁ ଯିବାକୁ ହେଲେ କଟାହୁଏ ଟିକେଟ୍‌ କେଉଁଠି ?

କଟକର କଟାକ୍ଷରେ କେତେ କଥା, କେତେ କଳରୋଳ

ଚା'ଗରମ୍‌ - ଚା'ଗରମ୍‌ - ଚିଲାରେ ମୁଁ ଚାଲେ ପଡ଼ିଉଠି

ଭୋର୍‌ଭଂଗା ଭିତରେ ବି ଭାଂଗିପଡ଼େ ଭିଡ଼ର ଭୂଗୋଳ !

 

ପଡ଼ିରହେ ପ୍ଲାଟ୍‌ଫର୍ମ୍‌ ! କେତେବେଳେ ଟ୍ରୟକୁ ସେ ଟ୍ରେନ୍‌ ?

ହାୱାଡ଼ାରେ ହଜିଥିବ ହେମାଂଗିନୀ ହୁଏତ ହେଲେନ୍‌ !

 

ଟ୍ରେନ୍‌

 

ଏ ଟ୍ରେନ୍‌ କୁଆଡ଼େ ଯିବ? ଅଂଗ ବଂଗ କଳିଂଗ କୋଶଳ

ନା ପ୍ରଥମ କଦଂବର କ୍ରୋଧହୀନ ପ୍ରାଚୀନ କଟକ?

ଏ ଟ୍ରେନ୍‌ର ହୁଇସିଲ୍‌ ଗାଂଧାରଠୁ ହୁଏତ କୋମଳ

ପକେଟ୍‌ରୁ ପର୍ସ୍‌ ହଜେ, ପାଦରୁ ବି ପାଂଡୋଇପଟକ!

 

ମୁଁ ଆସିନି ଅଶୋକର ମୌନାହତ ମୌର୍ଯସାମ୍ରାଜ୍ୟରୁ

କରୁଣ କଳିଂଗପୁତ୍ର କାଶୀ କିଂବା କଲିକତାବାଟେ

ଶକାବ୍ଦର ସକାଳ ଓ ଶତାବ୍ଦୀର ସଂଧ୍ୟା ସରୁସରୁ

ଏ ରାତ୍ରିର ରେଳପଥ ହୁଡ଼ିଛି ମୁଁ - ସେ ହଳଦୀଘାଟେ !

 

ମନାସିନି ମଲ୍ଲୀଟେ ମୁଁ ମାଳମାଳ ମାଲୁଣୀଂକ ମେଳେ

କି ରେଳ ଉପରେ କେବେ କରିନି ମୁଁ ଚିଲିକାଦର୍ଶନ

ବଗିସବୁ ବେଗିବେଗି ବାଂକଟାଏ ବୁଲୁଥିବାବେଳେ

ମୁଁ ଦେଖେ ଚରିତ୍ରହୀନ ଚକ୍ରଂକର ଧାତବ ଧର୍ଷଣ !

 

ଏ ଟ୍ରେନ୍‌ରେ ପଦ୍ମାବତୀ ପଳାଏ କି ପାଦ କାଢ଼ି ଘରୁ?

ଏ ଟ୍ରେନ୍‌ କୁଆଡ଼େ ଯାଏ? ମାୟାନଗ୍ର? ମାଳଂଚ ନା ମରୁ??

 

ଷ୍ଟେସନ୍‌

 

ସେ କେଉଁ ଷ୍ଟେସନ୍‌, ଟ୍ରେନ୍‌ ଅଟକେନି ଯେଉଁଠାରେ ଜମା?

ତିନିଥର ତାପସୀ ନା ଚାରିଥର ଚାହେଁ ଚାରୁକେଶୀ?

ପ୍ରତିଥର ପ୍ରତେହୁଏ ପତାକାର ସବୁଜ ତର୍ଜମା

ହଳଦୀ ହାତ ବି ହଲେ ନଖସାରା ନାଲିରଂଗ ନେସି !

 

ଅଦୂରରେ ଆମ୍ରପଲ୍ଲୀ । ସୁଦୂରରେ ସିଗ୍‌ନାଲ୍‌ ପଡ଼େ

ଚର୍ବିହୀନ ଚଂଦ୍ରୋଦୟ ପ୍ରିୟଂକାର ପେଟ ପରି ପୂରା

କୁଲିର କୁର୍ଣିସ୍‌ କାଇଁ କୋଇଲାର କଳାଧୂଆଁକଡ଼େ?

ମୁହାଁଉଚି ମାଲ୍‌ଗାଡ଼ି ମତ୍ସ୍ୟଦେଶୁ ମଦ୍ର ନା ମଥୁରା ?

 

ପାକିଜାର ପାସେଂଜର୍‌ ପହଂଚିନି ପୂର୍ବପାକିସ୍ତାନେ

ବିଳଂବିତ ବେଳ ବିତେ ପଂଚାଳର ପ୍ଲାଟ୍‌ଫର୍ମ୍‌ ପରେ

ଅହଲ୍ୟା ଦ୍ରୌପଦୀ ତାରା କୁଂତୀ ଏବଂ ମଂଦୋଦରୀମାନେ

ଫାଂକାଫାଂକା ଫ୍ଲାଟ୍‌କୁ ବା ଫେରୁଥିବେ ଫ୍ଲାଇଓଭର୍‌ରେ !

 

ସେ ଯେଉଁ ଷ୍ଟେସନ୍‌, ଟ୍ରେନ୍‌ ଅଟକେନି ଯେଉଁଠାରେ ଜମା

ସେଠାରେ ସେଦିନ ରେଳ ଦୁର୍ଘଟଣା ସତକୁସତ ମା !

 

ଦିଲୀପ୍‌ ତିର୍କୀ

 

ଜଂଗଲ୍‌ଜମିରେ ଜାରି - ଜଗିବାର ଜଂଗ୍‌ ଜିଦ୍‌ଖୋର୍‌

ମୁଂଡାଉଚି ମୁଂଡାମାଟି ମାଳମାଳ ମେହନତୀ ମାଓ

ଭିନ୍‌ସେଂଟ୍‌ ଭିଲେଜ୍‌ରେ ରେସିନାର ରାତିରଂଗା ଭୋର୍‌

ଓଠରେ ଓଠରେ ଓଃ - ଓଡ଼ିଶାର ଓଁ ନା ଓରାଁଓ ?

 

ଏଠି ଏକ ଏକଲବ୍ୟ ଅଜୁର୍ନକୁ ଓଡ଼ିଶା ଆଣେ କି ?

ଏସିଆର ଇସ୍ତାହାର ଉତାରିଚି ଆଦିବାସୀ ଗାଆଁ

କାଲିର କପ୍ତାନ୍‌ ଆସେ - ଆଜି ବୁଢ଼ାଆଂଗୁଠିକୁ ଟେକି

ଅଲିଂପିକ୍‌ ପଡ଼ିଆକୁ ଚାରିଥର ପାରିହୁଏ, ଚାହାଁ !

 

ନଭ ଚୁଂବେ ଆଜି ସେଇ ନଭେଂବର୍‌ ଚବିଶ୍‌ର ଚାରା

ଉହାଡ଼ରୁ ଉହୁଂକୁଚି ଊଣେଇଶସତସ୍ତରୀ ସାଲ୍‌...

ଦିଲୀପ୍‌ ତିର୍କୀର ଦିନ ଦଉଡ଼ିଚି ଦିପହରସାରା

ଦି'ହାତରେ ହକିଷ୍ଟିକ୍‌ - ଦି'ପାଦରେ ଚାଂପିଅନ୍‌ ଚାଲ୍‌ !

 

ଘାସରେ ଛାଇର ଘର। ମେଜିଆରେ ମୀରାପାଦଚିହ୍ନ

ହିପ୍‌ହିପ୍‌ ହୁର୍‌ରେ ମୁଁ ହକାରୁଚି ହକିର ହରିଣ !

 

କୁଟୁଂବ

 

ପଶାପାଲି ପଡ଼ିଲାଣି। ପ୍ରୀତ ହୁଅ, ପ୍ରିୟବଂଧୁଗଣ,

ଇଂଦ୍ରପ୍ରସ୍ଥ ଇଲାକା ମୁଁ ଏଇଲାଗେ ଅର୍ପିଦେଇପାରେ

ଆଜୀବନ ଆତ୍ମଗ୍ଳାନି : ଆଯୌବନ ଆତ୍ମସମର୍ପଣ

ଭ୍ରୂଣ ମୋ ଭାରତବର୍ଷ ଭୁଆଁ ବୁଲେ ଭୂଗୋଳଖାତାରେ !

 

ଆମ ରଣ : ଆମରଣ। ଆମ ରବ : ଆବଂଗ ଆରବ

ରଂଗିନ୍‌ସକାଳସବୁ ସଂଜ ହୁଏ ସଂଗିନ୍‌ମୁନରେ

ଆକୁମାରୀ ହିମାଚଳ ଆମେ ପାଳୁ ଆରଣ୍ୟକ ପର୍ବ

କୁଟୁଂବର କୂଟନୀତି କୁଳକୁ ହିଁ କବଳିତ କରେ !

 

ହେ ମୋର ମଂତ୍ରଣାରତ ମିତ୍ରପକ୍ଷ, ହେ ମାନ୍ୟ ମାଧବ,

ତାଲୁକାର ତାଲିକା ନା ମୁଲକର ମାଲିକାନା ମାଗ ?

ଏ କୌରବ କାଂତାରରେ - ମୁଁ କୌଣସି କ୍ଳାଂତ କୁଶୀଲବ

ନା ଚକ୍ରବ୍ୟୂହରେ ଚ୍ୟୁତ ଚଂଦ୍ରବଂଶୀ ଚିରାଳ ଚିରାଗ ?

 

ମୃତକର ମୁହୂର୍ତ ବି ମନେରଖ ମାୟାସଂଧ୍ୟାବେଶ

ଅସ୍ତ୍ରରେ କି ଅସ୍ତ ହୁଏ ଅଦ୍ୱିତୀୟ ଉପମହାଦେଶ ?

 

ବଂଶଧର

 

ବରାବର ବୁଲୁଚି ମୁଁ ବଂଶଧର ବେଲାଳସେନର

ରଦ୍ଦ କର ରାଜକ୍ଷମା । ରକ୍ତରେ ମୋ ରାଜଭକ୍ତି ନାଇଁ

କିଂକରପଣରେ ଯେହୁ କୃତକର୍ମା, କିନ୍ନର ସେ ନର

ମୁଁ ପାଳିବି ପଥଶ୍ରାଦ୍ଧ ପିଂଡହୀନ ପିତୃପକ୍ଷ ପାଇଁ !

 

ନା ମୁଁ ନେବି ନୈରାମଣି ନିବାସରେ ନୀଳାଭ ନିର୍ବାଣ

ନା ମୁଁ ନେବି ନୋଳିଆଣୀ ନାବରେ ମୋ ନବକଳେବର ?

ମୋ ଆଦିପୁରୁଷ ଅସ୍ଥି ଅବିଳଂବେ ଆଗକୁ ମୋ ଆଣ

କଟାଳୁଚି କଟାମୁଂଡ କବରସ୍ଥ କବଂଧ କେବର !

 

ଭ୍ରମୁଚି ମୁଁ ଭ୍ରଥଖଂଡୀ - ଭୂଚିତ୍ରରୁ ଭୂର୍ଜବନପଥେ

ଏକହସ୍ତେ ଆଗ୍ନେୟାସ୍ତ୍ର, ଅଣୁବୋମା ଅପରହସ୍ତରେ

ଦେବା ଆଗୁ ଦଂଡାଦେଶ - ମାଗ ମୋର ମତାମତ ମତେ :

ଭାରତରେ ବଂଚିବି ନା ମରିବି ମୁଁ ମହାଭାରତରେ ?

 

ହେ ଏକାଂଗ ଚକ୍ରବର୍ତୀ ! ଏକପକ୍ଷେ ହତ ହୁଏ ହସ୍ତୀ

ଅଥଚ ଅପରପକ୍ଷେ ଅମେଧିତ ଅଶ୍ୱର ଅସ୍ୱସ୍ତି !

 

ଚଂଦ୍ରଶୁଦ୍ଧି

 

ମଗଧରେ ମଧ୍ୟରାତ୍ର। ମୁହୂର୍ତର ମୌନ ମଧ୍ୟାଂତର

ହେ ସମ୍ରାଟ୍‌ ଶୋଇପଡ଼ - ସୁବାସିତ ସୁପାତି ସଜ୍ଜିତ

ହୁଏତ ଏ ହସ୍ତାସ୍ତରେ ହୁକୁମତ୍‌ ହେବ ହସ୍ତାଂତର,

ସର୍ବଶେଷବାର ଶୁଭେ : ‘ଶୁଭରାତ୍ରି’ - ଶୁଭ୍ରଶିଖାୟିତ !

 

ଶୋଇପଡ଼ ଶେଷନଂଦ, ସୁନିଦ୍ରା ହିଁ ଶେଷସମାଚାର

ଏ ନିଦ ଭାଂଗିବନାଇଁ ... ସ୍ୱପ୍ନାତୀତ ସ୍ୱଗତ-ସଂଳାପ

ଗୁପ୍ତ ହୁଏ ଚଂଦ୍ରଛାୟା। ବେଳ ବୋଧେ ବଂଶ ବୁଡ଼ିବାର

ସର୍ବଶେଷବାର ଶୁଭେ ରାତ୍ରିଚର ପକ୍ଷୀର ପ୍ରଳାପ !

 

ଦୂରବର୍ତୀ ଦ୍ୱାରପାଳ। କରାଘାତ କଂସାକବାଟରେ

ଅଶ୍ୱରେ ଆସୁଚି କିଏ ? ପଦାତିର ପଦଧ୍ୱନି ପୁଣି

ଏହିପରି ଆସେ କ'ଣ୍‌ ଇତିହାସ ଅମଡ଼ାବାଟରେ ?

ହୁସିଆର୍‌ ହତିଆରୀ, ଖବର୍ଦାର୍‌ ଖାନ୍‌ଦାନ୍‌ ଖୁଣୀ !

 

ଚକ୍ରରେ ତ ଚଂଦ୍ରଶୁଦ୍ଧି। ଚହଲୁଚି ଚଂଦନପୋଖରୀ

ନେତ୍ର ନା ନକ୍ଷତ୍ର ଜଳେ ନରକର ନାଗମଣି ପରି ?

 

ପଥଯାତ୍ରା

 

ଶାମୁକାର ଶବ ସହ ସମବେତ ସହସ୍ର ଶଂଖିନୀ

ଫେରିଯାଏ ପୂର୍ବମେଘ ପାରିହୋଇ ପଶ୍ଚିମପର୍ବତ

ଉତ୍ତରବର୍ତିନୀ ଊର୍ଧ୍ବେ ଦଳଦଳ ଦକ୍ଷିଣୀ ପକ୍ଷିଣୀ

ଶିଶିରରେ ସୂର୍ଯସ୍ନାନ ... ଜୁଆରରେ ଜହ୍ନ ତ ଜବତ !

 

ଖରାର ଖଜଣାଖାନା ଖୋଜା ଖାଲି ଖ୍ରୀଷ୍ଟପୂର୍ବାପର

ଦ୍ୱିଖଂଡିତ ଦେଶରେ ମୋ ଦିଗ ନୁହେଁ, ଦାଗ ଯାଏ ଦିଶି

ଯୋଗୀବରବେଶରେ ତୁ - ଯାଆ ପଛେ ଯାଆ ଯାଯାବର,

ଏ ବେଣୀସଂହାରବେଳେ ବେତ୍ରବନେ ନ ବଜା ବଇଁଶୀ !

 

ବିଜନ ବେଳାରେ ବୋଧେ ବକଟେ ତୋ ଭଂଗା ବାଲିଘର

କୋଲପ କି କଂଚି କାଇଁ - କବାଟ କି କିଳିଣି କବଜା ?

ଚହଲାପାଣିର ଚରା ଚାରିପଟ ଚୋରାବାଲିଚର...

ବାଟର ଏ ବଟମୂଳେ ନାଗେଶ୍ୱରୀ ନ ବଜା ନ ବଜା !

 

ପାଂଚପଡ଼ା ପାଟକଂକୁ - ନ ପଢ଼ା ତୁ ପଦ୍ମତୋଳା ପୁଣି

ସାପୁଆକେଳାର ଘରେ ଶୋଇଥିବ ସୁନାର ନାଗୁଣୀ

 

ଧୂମାଳ ଏ ଧଉଳିରୁ ଧ୍ୱସ୍ତଧ୍ୱଜ, ଧନୁଶର ଧରି

ମୁହାଁଉନି ମଗଧ ମୁଁ । ଦୟାନଈ, ଦେଏନା ତୁ ରାଣ

ଜାତକର ଜାଲ କାଟି ଫେରୁଚି ମୁଁ ପକ୍ଷୀଟିଏ ପରି

ପଥିକ ପକ୍ଷୀର ପାଦେ ପଦାବଳୀ, ପରରେ ପୁରାଣ !

 

ହସ୍ତିନାର ହଂସରାଳୀ ଇତଃପୂର୍ବେ ଇଂଦ୍ରପ୍ରସ୍ଥ ଭ୍ରମେ

ବାରୁଣାବଂତର ବକ ବୁଲିଯାଏ ବିଂଧ୍ୟ ନା ବିଦର୍ଭ ?

ଏରକାରୁ ଏରା ଆସେ ଅବଂତୀକୁ ଅବଲୀଳାକ୍ରମେ

ଗେଂଡାଳିଆ ଗସ୍ତରେ ମୋ ଗୋସିମାଆ ଗାଆଁର କି ଗର୍ବ !

 

ଉତ୍କଳର ଉତ୍କଳାପ ଉଜ୍ଜୟିନୀ ଉଡ଼ିଉଡ଼ିଯାଏ

କୋଶଳରେ କୁଶଳ ମୋ କଳିଂଗର କୁଳୀନ କୁଳିଂଗ

କି ପାଗଳ ପକ୍ଷୀଦଳ - ଯେତେବେଳେ ଜହ୍ନ ବୁଡ଼ିଯାଏ

ସବୁ ଶୀତସକାଳର ସେମାନେ କି ସ୍ଫୁରିତ ସ୍ଫୁଲିଂଗ ?

 

ରାତିରାତି ରକ୍ତନଦୀ । ଦିନମାନ ଦୟାନଦୀ ଦୁହେଁ

ପରଦେଶୀ ପକ୍ଷୀପାଦ ପାଉଁଶରୁ ନିଆଁପୁଳେ ପୁଏଁ !

 

ପଥିକ ପକ୍ଷୀ

 

ଧୂମାଳ ଏ ଧଉଳିରୁ ଧ୍ୱସ୍ତଧ୍ୱଜ, ଧନୁଶର ଧରି

ମୁହାଁଉନି ମଗଧ ମୁଁ । ଦୟାନଈ, ଦେଏନା ତୁ ରାଣ

ଜାତକର ଜାଲ କାଟି ଫେରୁଚି ମୁଁ ପକ୍ଷୀଟିଏ ପରି

ପଥିକ ପକ୍ଷୀର ପାଦେ ପଦାବଳୀ, ପରରେ ପୁରାଣ !

 

ହସ୍ତିନାର ହଂସରାଳୀ ଇତଃପୂର୍ବେ ଇଂଦ୍ରପ୍ରସ୍ଥ ଭ୍ରମେ

ବାରୁଣାବଂତର ବକ ବୁଲିଯାଏ ବିଂଧ୍ୟ ନା ବିଦର୍ଭ ?

ଏରକାରୁ ଏରା ଆସେ ଅବଂତୀକୁ ଅବଲୀଳାକ୍ରମେ

ଗେଂଡାଳିଆ ଗସ୍ତରେ ମୋ ଗୋସିମାଆ ଗାଆଁର କି ଗର୍ବ !

 

ଉତ୍କଳର ଉତ୍କଳାପ ଉଜ୍ଜୟିନୀ ଉଡ଼ିଉଡ଼ିଯାଏ

କୋଶଳରେ କୁଶଳ ମୋ କଳିଂଗର କୁଳୀନ କୁଳିଂଗ

କି ପାଗଳ ପକ୍ଷୀଦଳ - ଯେତେବେଳେ ଜହ୍ନ ବୁଡ଼ିଯାଏ

ସବୁ ଶୀତସକାଳର ସେମାନେ କି ସ୍ଫୁରିତ ସ୍ଫୁଲିଂଗ ?

 

ରାତିରାତି ରକ୍ତନଦୀ । ଦିନମାନ ଦୟାନଦୀ ଦୁହେଁ

ପରଦେଶୀ ପକ୍ଷୀପାଦ ପାଉଁଶରୁ ନିଆଁପୁଳେ ପୁଏଁ !

 

ପକ୍ଷୀଗାନ

 

ଆଜିଯାଏଁ ଅନାଇନି ଅଧବୁଜା ଆଖିର ଅଂଶୁପା

ମଗର ମୁହଁରୁ ମିଳେ ମୁଦିଟେ ନା ନୋଳିଆଣୀ ନୋଥ ?

ହୁଲିଡଂଗା ହାଲତରେ ହେମଂତର ହାୱା ତୁ ହସୁ ପା,

ପାଣିରେ ଫ୍ଲେମିଂଗୋ ପକ୍ଷୀ ପାଲଟୁଚି ପାଲଟଣା ପୋତ !

 

ଚଢେଇ ଚିଠିକୁ ଚିରେ ଚିଲାଚିଲା ଚକ୍ଷୁର ଚିଲିକା

ଡାହୁକର ଡାକଘରୁ ଡକାହକା ଡଂଗା ଡୁବୁଡୁବୁ

ସବୁ ଲହରୀ ତ ମିଶି ଲାଗେ ଟୋପେ ଲୁହର ଲିପିକା

ଅକାତକାତ ଏ ଆଖିପାଣିରେ କି ଆତ୍ମା ଉବୁଟୁବୁ !

 

ପୃଥିବୀର ପ୍ରତିହ୍ରଦ ଦୁଃଖ ଅବା ଦୁଇଟି ଆଖିର

ସେ ଆଖିରେ ତମେ ହେଲେ ସଂଜର ଏ ସମୁଦ୍ର ସର୍ଜଂତ

ଆମର ସଂପର୍କ ନୁହେଁ ସାଂସାରିକ ଦୁଇଟି ସାକ୍ଷୀର

ହାଜିରା କି ହାତଧରା - ପକ୍ଷୀର ସେ ପରିଧି ପର୍ଯଂତ !

 

ପଥକୁ ପ୍ରାର୍ଥନାଟିଏ : ପଶ୍ଚିମାଶୀ ପକ୍ଷୀର ପୂରବୀ

ମାନୁନାଇଁ ମୂର୍ଖମନ ମୂକମୌନ ମୁନିକୁ ମୁରବି !

 

ଧୂଳିସଂଜ

 

ଦୁଃଖର ଏ ଦୁଇକୂଳେ ଦଶକର ଦଶଅବତାର

ଶୋକର ଶତକସବୁ ଶ୍ୱେତାଂବରୀ ଶୀତର ଶୂନ୍ୟତା

ଜାଳିଦିଏ ଜାତିଗୋତ୍ର ଜର୍ଜରିତ ଜୟଜୟକାର

ବଣେଇରୁ ବରୁଣେଇ - ବାଟଯାକ ବାଟୁଳିର ବ୍ୟଥା !

 

ଶବ୍ଦର ଶିଉଳିସବୁ ଶାସନର ଶୀର୍ଣ ଶିଳାଲେଖ

ଏଠି ଏଇ ଓଡ଼ିଶାର ଅଂଗାରରେ ଅଂକା ମୋ ଅକାଳ

ଦିନଆଲୁଅଠୁ ଦୂରେ - ଦୀପତଳ ଅଂଧାରକୁ ଦେଖ

ମାହୁଂତର ମଶାଣିରେ ସଇସର ସହିଦ୍‌ ସକାଳ !

 

ଖୋଜୁଚି ମୁଁ ଖୋଜଚିହ୍ନ ଖରାର ଏ ଖୁରାଘାତ ଖାଇ

ମସିହା ମସିହା ମୃତ୍ୟୁ ମାସମାସ ମୃଗୟାରେ ମାତି

ଧଉଳିରେ ଧୂଳିସଂଜ। ଧୂଆଁ ଉଠେ, ନିଆଁ ବି ନ ଥାଇ

ରାଉତର ରାହା ରୁଂଧେ ରଇତର ରଇଜଳା ରାତି !

 

ପାଇକର ପାଉଁଶ ତ ପୋଷପୋଷ ପୋଡ଼ା ପତିଆରା

ଶତାବ୍ଦୀର ଶରବର୍ଷା ସହିଚି ମୁଁ ସହସ୍ରାବ୍ଦସାରା !

 

ଖଂଡଗିରି

 

ଭଂଗାନିଦ ଭୋଗୁଥାଏ ଭୋ ଭୋ ଭୂଗୋଳର ଭୋର୍‌

ବସ୍ତାନିରେ ବଂଧା ବୋଧେ ଇତିହାସବହିର ଚରିତ୍ର

ତାପଂଗର ତାପ ତଳେ ଚିହ୍ନିଚି ମୁଁ ଚିତାର ଚିତୋର୍‌

ମୁଖାଗ୍ନି ମାଗୁଚି ମତେ ମାତ୍ରାଧିକ ମ୍ଳାନ ମାନଚିତ୍ର !

 

ସାମଂତର ସୀମାଂତରେ ସମଧିକ ସମରତରଂଗ

ଦୟାନଦୀ ଧାରରେ ମୋ ଦୁଃଖସବୁ ଦୂବହଂସଦଳ

ସାବର୍ଣୀ ସ୍ମୃତିର ସାକ୍ଷ୍ୟ ସ୍ୱାକ୍ଷରିତ ସ୍ୱାଧିକାରଭଂଗ

କଳିଂଗର କରବାଳ ... କୋଷମୁକ୍ତ କ୍ରୋଧର କୋଶଳ !

 

ଏପ୍ରିଲ୍‌ ଏକ୍‌ରେ ଏଠି ଓଡ଼ିଶାର ଏକରାର୍‌ନାମା

ମଇଦାନ ମୁହାଁମୁହିଁ ମୁର୍ଦାବାଦ - ମେ ଡେ ମେଳି

କଳ ନା କଳଂକ କଳେ କାରଖାନା କଳା କାର୍‌ନାମା

କାଂଥରେ କି କାମସୂତ୍ର! କେଦାରରେ କଳହଂସ କେଳି !

 

ଖରାବେଳ : ଖାରବେଳ। ଖଂଡଗିରି ଖଂଡିଆଖାବରା

ପୋଇଲି ପାହାଡ଼ ପୋଷେ ପଥରର ପାଟହାତୀ ପରା !

 

ଖଂଡମଂଡଳ

 

ଏଠାରେ ଅଠରଦିନ ହଟ୍ଟଗୋଳ। ବାରଦିନ ବ୍ରତ

ଆରଦିନ ଅର୍ଥହୀନ। ଅତଃପର ଅମାର ଅରମା

ଭାଗଭାଗ ଭାରତରୁ ଭ୍ରମରେ ମୁଁ ଭ୍ରମୁଅଛି ଭ୍ରଥ

ଖର୍ପର ନା ଖନିତ୍ରରେ ଖଂଡଖଂଡ ଖଂଡମଂଡଳ ମା ?

 

ପ୍ରଜାର ଏ ପ୍ରଗଣାକୁ ପଟୁଆର ପଠାଏ ପାଟକ

ଫୁକାରୁଚି ଫଟାଭୂଇଁ ଫୁଲ-ଫଳ-ଫସଲର ଫାଶୀ

ମୁଁ ସାକ୍ଷୀଗୋପାଳ ମାତ୍ର ! ଅସରଂତି - ମୋ ଅଧବାଟକ

ପଲାସର ପଲ୍ଲିଗ୍ରାମ ପଲକରେ ପଲାସୀ ପଲାସୀ !

 

ସଂଜବତି ସମଝିନି ସକାଳର ସିପାହିବିଦ୍ରୋହ

ବାଡୁଅ ବେଶରେ ବୋଧେ ବାରିପଟେ ବିଧବାଟେ ବୋକୀ

ସଜସିଂଦୂରକୁ ସେଠି ବଜ୍ରକାଚ କଜଳର କୋହ

ଚାଳିଆର ଚାରିକତି ଚାଖିଆର ଚମତ୍କାର ଚୋଖି !

 

ଝାନ୍‌ସୀରାଣୀର ଝାମୁ ... ଝାଉଁଗଛ, ଝାଉଁଳନା ଝୁରି

ଭୋର୍‌ ଏ ଭାରତ ଯଦି, ପାହାଂତି ମୋ ଓଡ଼ିଶାର ପୁରୀ !

 

କ୍ଷେତ୍ରମାହାତ୍ମ୍ୟ

 

ଶଂଖନାଭିମଂଡଳରେ ବେନିନେତ୍ର ପଖାଳିବା ପାଇଁ

ବାଲିରେ ବଳିତା ବୋଳି ପଥରରେ ମଥା ପିଟେ ପୁରୀ

ବଡ଼ବଡୁଆର ବଥା ବଡ଼ଦାଂଡ ବୁଝିପାରିନାଇଁ

ଚାହାଳିରେ ଚର୍ଚା ଚାଲେ ଚୈତନ୍ୟରୁ ଚଂଦନ ହଜୁରୀ !

 

ଦିଶୁଚି ଧବଳ ଦଧିନଉତିରୁ ଚକ୍ରଟିଏ ନୀଳ

ମଂଦିରକୁ ମହୋଦଧି ମୁହୁର୍ମୁହୁ ମୁଂଡିଆ ମାରୁଚି

ପାଖୁଡ଼ା ଫାଂକରେ ପୁଣି ଫୁଲସଂଜ ଫଗୁରେ ଫେନିଳ

ଏ ଘଡ଼ିରେ ଘମାଘୋଟ ଘରନିଶା ଘୋଡ଼ାକୁ ଘାରୁଚି !

 

ଗାଲମାଧବର ଗାଆଁ-ଗୋହିରିରେ ଗୁଡ଼କଂକଗୁଡ଼େ

ମୁଁ ସର୍ପଜଣାଣ ଶୁଣେ ସାମୁଦ୍ରିକ ସାଂଧ୍ୟସ୍ନାନ ସାରି

ଏ ଗହନ ଗହଳିରେ ଗରୁଡ଼ ତ ଗତିପଥ ହୁଡ଼େ

ବିସ୍ଥାପିତ ବିଶ୍ୱାବସୁ ବାହୁଡ଼େ ବି ବସ୍ତିବାଟ ବାରି !

 

ନହର ନଗ୍ରରେ ଏଠି ନେତ ନୁହେଁ, ନତ ହୁଏ ନେତ୍ର

ସୁଖୀ ସୁନାବେଶ ସତ୍ତ୍ୱେ ଶିରାଳ ମୋ ଶ୍ରୀହୀନ ଶ୍ରୀକ୍ଷେତ୍ର !

 

ପଥରର ଫୁଲ ଫୁଟେ

 

ଏ ସଂଜ ତ ଅସଂଯତ ଅଧାଅଂକା ଅଂଧାର ଆଗରେ

ହଜାରେ ମୋ ହାଜିରାରେ - ତମେ ହେଲେ ହାଉଲେ ହଜଂତ

ମୁଁ ମାନଚିତ୍ରରେ ନାହିଁ, ତମେ ନାହଁ ମାନସରୋବରେ

ପଥରର ଫୁଲ ଫୁଟେ ଅଜଂତାରୁ ଏଲୋରା ପର୍ଯଂତ !

 

କାଂଚୀରେ କାଂଚୀ ତୁ କାଂଦୁ କେବେ କେଉଁ କାବେରୀ କିନାରେ ?

କୁଳୁକୁଳୁ କୁଳକନ୍ୟା, କିରିକିରି କାବୁଲ୍‌ କିଶୋରୀ

ଭାନୁମତୀ ଭାରତରେ ଭୂଗୋଳ ମୁଁ ଭୁଲିଯାଇପାରେ

ମିଠିମିଠି ମିସିସିପି ମିଶିମିଶି ମିଶ୍ରିର ମିଶୋରୀ !

 

ମଦନାମୃତରେ ମଧ୍ୟ ମଦିର ଏ ମଂଦିରର ମୁହଁ

ଜଡ଼ଉକୁ ଜଡ଼ଉଚି ଜଡ଼ସଡ଼ ଜହ୍ନର ଜଂଜାଳ

ଏ କୁଆଁତରାଠୁ କେବେ କାମନା ମୁଁ କରିଚି କି କୁହ

ଏକ ଆରବୀୟ ରାତ୍ରି - ଅବା ଏକ ତୁର୍କୀୟ ତତ୍କାଳ ?

 

କେଂଦୁଲିର କୁଟୀରେ କି କୁମାୟୁଁର କୁମାରୀ ଅରଣ୍ୟେ

ଜାଣେ ମୁଁ ଜନାବେଅଲି, ଜୁଟିପାରେ ଜାନେମନ୍‌ ଜଣେ !

 

ସେ ଦୁଇଟି ଆଖି

 

ଦୀପତଳ ଅଂଧାରରେ ଦେଖିପାର : ସେ ଦୁଇଟି ଆଖି

ନିଦାଘ ନିଶିରେ ନାଇଁ ନିହାଣର ନିଦଭର୍ତି ନିଆଁ

ଭଂଗାବେଢ଼ା ଭିତରୁ ବି ବାଲି ବର୍ଷି ବାହୁଡ଼େ ବୈଶାଖୀ

ସରିଥିବା ସଳିତାର ସୂତାରେ ବା ସଂଜସବୁ ସିଆଁ !

 

ଦିନସବୁ ଦୂରବର୍ତୀ ଅଂଟିଭର୍ତି ବଉଳଫୁଲର

ସେ ଦୁଇଟି ଆଖିସାରା ପଥରର ପରଳ ତ ମାଡ଼େ

‘କିଏ ଅଛ ରକ୍ଷା କର’ - କୁହରେ କା’ କାଚଭଂଗା ସ୍ୱର

ଉଦାସିନୀ ଉପନଦୀ, ଅପେକ୍ଷାର ଅପଂତରାଆଡ଼େ !

 

ସେ ଶଂଖମର୍ମର ସ୍ମୃତି : ସମୟର ସାପକାତିଟିଏ

ସେ ଦୁଇଟି ଆଖିରେ ବି ସାତଶହ ସାଲ୍‌ର ଶିଉଳି

ଚାହୁଚି ସେ ଆଜି କିଂତୁ - ଚୋରା କେଉଁ ଚାହାଣିରୁ ଖିଏ

ଲାଜୁକୀ ପତାର ପାରେ ଲୋଡୁନାଇଁ ଶିଳାର ଶିମୁଳି !

 

ସେ ଦୁଇଟି ଆଖି ଆଗେ ଏତେ ମେଘଅଂଧାର ଏ ଦିନ

ଏ ଭଲପାଇବା ଭଳି ଭସାମେଘ ଭବିଷ୍ୟତହୀନ !

 

ଛାୟାକଳ୍ପ

 

ଦରଭଂଗା ଦରଜାକୁ ଦେଖୁନାଇଁ ଦୁଃଖୀ ଦ୍ୱାରପାଳ

ହଲୁନାଇଁ ହାତୀଶୁଂଢ । ଘୁଣାକ୍ଷରେ ଘୋଡ଼ା ତ ଘୁଂଚୁନି

ମିଥୁନମୁଦ୍ରାରେ ମଧ୍ୟ ମତୁଆଳ ମୂର୍ତି ମାଳମାଳ

ଚୂଡ଼ାଗ୍ରର ଚୂର୍ଣରେଣୁ ଚୁଂବୁନାଇଁ ଚୁଂବକର ଚୁନି !

 

କୁହୁଡ଼ିରେ କାକରରେ କେତେ କାୟାକଳ୍ପର କଂକାଳ

ଅନେକ ଅଦିନମେଘ ଇଡ଼ିଗଲା ଅସରା ଅସରା

ଶାମୁକାର ସଂଜ ସହ ସରିଗଲା ଶଂଖର ସକାଳ

ଆଜିଯାଏଁ ଅପେକ୍ଷାରେ ଅଜଂତାର ଅଜସ୍ର ଅପ୍ସରା !

 

ପାଗୋଡ଼ାରୁ ପିରାମିଡ଼୍‌ ପଥରର ପଣିକିଆ ପଢ଼େ

ଗିର୍ଜାର ଗୋଧୂଳିଗସ୍ତ ମଂଦିରରୁ ମସ୍‌ଜିଦ୍‌ଗଳି

କିଷାଣର କିଂବଦଂତୀ କୁଶାଣର କୀର୍ତି କଡ଼େକଡ଼େ

ଏ ଛାୟାସଂଜର ଛାପ ମତେ ଲାଗେ ମାୟାସଂଜ ଭଳି !

 

ହେ ଚିହ୍ନିତ ଚିତ୍ରକଳ୍ପ ! ଚିରାଚିରା - ହେ ଚିତ୍ରଚିରାଳ !

ଯେଉଁଠି ଚକ୍ରଟେ ନୀଳ - ସେଇଠି ବି ଲାଲ୍‌ ଚକ୍ରବାଳ !!

 

କେଂଦୁବିଲ୍ୱ

 

ପୁଷ୍ପବତୀ ପଦ୍ମାବତୀ। ପୁଣ୍ୟବତୀ ପୁତ୍ରବତୀ ପୁରୀ

ପହଡ଼ ତ ପଡୁଥାଏ ପୋଡ଼ାପୋଡ଼ା ପହରରୁ ପୁଣି

ଏ ଭୂଇଁର ଭୁଆସୁଣୀ - ଭଗତେ ହୋ, ଭଉଁରୀ ଭଉଁରୀ

ଶାମୁକାର ସ୍ୱପ୍ନ କ'ଣ ସତ ହୁଏ ଶଂଖନାଦ ଶୁଣି ?

 

ବାଲିଘର ବାହାରେ ମୁଁ ବୋଲୁଚି ଏ ବସଂତବାହାର

ହେ ମଧୁମାଧବମାସ, ମତେ ମେଘମଲ୍ଲାର ମାଗୁନ ?

ମୟୂରୀ ନା ମାହାରୀ ସେ - କାହା କନ୍ୟା ? କୁମାରୀ କାହାର ?

ଫେରୁନାଇଁ ଫୁଲପିତା, ଫାଳଫାଳ ଫାଲ୍‌ତୁ ଏ ଫାଲ୍‌ଗୁନ !

 

ପ୍ରିୟନଦୀ ପ୍ରାଚୀନଦୀ। ପାଦେପାଦେ ପଥରର ପାହି

ଗୀତଗୋବିଂଦର ଗାଆଁ ଗୁଳାରେ କି ଗୋପର ଗୋଚର

ଏକଇ ଆକାଂକ୍ଷା ଅଛି, ଇଚ୍ଛାମୟୀ, ଆଉକିଛି ନାଇଁ

ଊରୁବିଲ୍ୱ ନ ହେଲେ ବି କେଂଦ୍ରକୁ ମୋ କେଂଦୁବିଲ୍ୱ କର !

 

ଗଜରାଜ ଗଂଜଣାରେ ଗୋଟିଏ ମୋ ଗୋଧୂଳିର ଗଂଜ

ସଖାଳ-ସାଉଁଳା ସେଠି ସମୟର ସୁଦର୍ଶନ ସଂଜ !

 

ପଦ୍ମପୁରାଣ

 

ଅନଂତବଟରୁ ଅନା ମାର୍କଂଡେୟ-ଅବଟଆଡ଼କୁ

କ୍ଷୀରକ୍ଷୀର ଧୀରପାଣି ପଥରକୁ - କି ପ୍ରକାର କାଟେ ?

ଲହୁରେ ଲୁହାଣ ଲୁ'। ଲୁହ ଲଂଘେ ଲୁହାର ବାଡ଼କୁ

ପିଂଡର ଏ ପିତୁଳାରେ ପଂଚାଂଗର ପେଶୀମାନ ଫାଟେ !

 

ସାଧବାଣୀ ସାହିଠାରୁ ସିଂହଳୀୟ ସମୁଦ୍ର ସୁଦୂର

ପାଟପୋକ ପଟୁଆର ପାରିହୁଏ ପିପିଲିର ପିଠି

ଚିହ୍ନାଏ ଚଂଦ୍ରର ଚିତା ଚିଲିକାର ଚିତ୍ରହଂସପୁର

ଦୁଃଖ ଦିଏ ଦୟାନଦୀ, ଅଶ୍ରୁ ଆଣେ ଅଂଶୁପା ଏଇଠି !

 

ହିଂସାର ହିସାବୀ ହୁରି - ହୁସିଆର୍‌ ହସର ହୁଲିଆ

ସନଂଦର ସନସବୁ ସାମରିକ ଶାଂତିରେ ଶାଣିତ

ମାଲିକର ମୁଲକରେ ମଲ୍ଲମାନେ ମୂଲିଆ ମୂଲିଆ

ଅଠରନଳାକୁ ଆଉ ଅଂଟୁନାଇଁ ଆଂଠୁଏ ପାଣି ତ !

 

ପଂକରେ ମୁଁ ପହଁରୁଚି। ପଦ୍ମ ପୁଣି ପୁରାଣ ପୂର୍ବରୁ

ଘାସରୁ ଘେନୁଚି ଘୋଷା - ଦୋହାମାନ ଦୁହୁଁଚି ଦୂବରୁ !

 

ପଦ୍ମତୋଳା

 

ଅନେକ ଆସ୍ତିକ ଆଶା ଅଭାବିତ ଆଭାର ଆଭାସ

ଏ ଅଭୟ ଅରଣ୍ୟରେ। ଆଶା ଅବା ଆମ୍ରପଲ୍ଲୀଛାୟା

ଚଂଦନବନକୁ ଚିରେ ଚିତାଗ୍ନିର ଚାରୁ ଚାଂଦ୍ରମାସ

ତନୁରେ ତୋ ତିଳଚିହ୍ନ - ମନରେ ମୋ ମନସାର ମାୟା !

 

ମାଈସଂଜ ମୁକୁଳୁଚି ମଣିନାଗପାହାଡ଼ଖୋଲରୁ...

ତୋ ଆଖିର ଅପଂତରା ଅପଲକ ଅଂଧାର ଆଉଟେ

କୈଳାସରୁ କପିଳାସ ... କେତେ କୂଟ ? କପଟ ତୁ କରୁ

ଜୁଇରେ ଜଂଗଲ ଜଳେ, ଜିଭରେ ତୋ ଜହର କି ଜୁଟେ?

 

ତୁ କି ସେ କଅଁଳକହୀ କୁଳବୋହୂ କଂସର କକ୍ଷରେ

ନା କାଳିଂଦୀ କୂଳରେ ତୁ କୁଂଡଳିନୀ କାଳଚକ୍ରଯାନୀ ?

ଆ' ଲୋ ମୋ ଆରଜନ୍ମ ! ବାରପତ୍ରମଉଳା ପକ୍ଷରେ

ଏ ପଦ୍ମକେଶରପୁର ପେଡ଼ିରେ ତୁ ପଦ୍ମାବତୀରାଣୀ !

 

ନାଚୁଥାଆ, ନାଗୁଣୀ ଲୋ ! ନାଚିବି ମୁଁ ନଟରାଜ ଶିବ

"ହଁ' ତୋ ପଦିଏ "ଫଁ' - ଦି’ପଦରେ ବିପଦ ବଢ଼ିବ !

 

ଇହଲୀଳା

 

ମୋ ଇତିହାସର ଏଠି ଇହଲୀଳା ଇଚ୍ଛାମୃତ୍ୟୁ ଅବା

ତିଥର ଏ ତିଥିସବୁ ତାଳପତ୍ର ପୋଥିର ପାଉଁଶ

ଜାଦୁଘର ଯାଉଚି ମୁଁ। ମଂଚସ୍ଥ ମୋ ମୃତ ମହାସଭା

ପର୍ବତ ପର୍ବତ ପର୍ବ ପୋଡ଼ିଜାଳି ପାଳୁଚି ମୁଁ ପୁଷ !

 

ପାଂଚପଡ଼ା ପାଟଣାର ପାଉନି ମୁଁ ପଟା କି ପାଉତି

ରକ୍ତନଦୀକୂଳେକୂଳେ ରୋଦଇ କେ ରଜୋବତୀ ନାରୀ

ଆହୁରି କି ଅବଶିଷ୍ଟ ଅଶ୍ୱମେଧଯଜ୍ଞର ଆହୁତି ?

ରାସ୍ତାର ରୋବାବ୍‌ ରୋକେ ରାଜତ୍ୱର ରାଗ ଦରବାରୀ !

 

ଚଷମାଟା ଚିହ୍ନଉଚି ଚଷୁକୁଟା ଚଷାର ଚକଡ଼ା

ଦାରୁର ଏ ଦେବଗଡ଼େ ଦରମଲା ଦୂବ ନା ମୁଁ ଘାସ ?

ଖାଂଡବରୁ ଖାଇବର୍‌ - ଖାଁ ଖାଁ ଖରାର ଖସଡ଼ା

ହାୟ ମୋ ଅଜ୍ଞାତବାସ ! ହାୟ ହଂସମିଥୁନର ମାସ !

 

ପୁରାଣର ପଂଜରା ମୁଁ ପୂଜୁଚି ଏ ପ୍ରାଚୀନ ପ୍ରାଂତରେ

ଦଧୀଚିର ଅସ୍ଥି ଆଜି ଅସ୍ତ୍ର ହାୟ ଅସୁର ହାତରେ !

 

ଇସ୍ତାହାର

 

ଚିରିଦିଅ ଚୋଳଗଂଗ, ଚୋରାଚୋରା ଚଇତିର ଚିଠି

ନଂଦିକାର ନାଆଁଗାଆଁ - ଗୋଡ଼ିବାଣଫୁଲର ଠିକଣା

ପାଣିରେ ମିଶାଏ ପଂକ ମହାନଦୀ ପଠାର ଏ ପିଠି

ଟିପୁଚ କି ଟିକାୟତ,ଟିକିଟିକି ଟାପୁର ଟିପଣା ?

 

କଂଟେଇ କୁଢ଼େଇହୁଏ କୋଶଳର କୋଳିବଣ କୋରି

ଏ କଳିକା ଉତ୍କଳିକା। କୁଶକୁ ହିଁ କଳ୍ପବଟ କରେ

କାଶତଂଡୀ କଢ଼ିଟିଏ : କେଶବତୀ କେଶରୀ କିଶୋରୀ

ଧବଳଟଗର ଫୁଟେ କଳିଂଗର କେଉଁ କଟକରେ?

 

ଅଂଗବଂଗ ଅବଧିରେ ଗଂଗ ଗଢ଼େ ଗଡ଼ ଓ ଗଂବୁଜ

ଦେଉଳର ଦିନସବୁ ଦାନା ବାଂଧେ ଦଧିନଉତିରେ

ବାଲିରେ ବୁଲାଏ ବାଂକ କାଠଯୋଡ଼ୀ କୁଦର ଏ କୁଜ

ପୋଉଁଚ କି ପଶାୟତ, ପାଣିଖରା ପୁଣ୍ୟତୋୟାତୀରେ ?

 

ଆଜିର ତାରିଖ ଖୋଜେ ଚିଠି ନୁହେଁ, ଚିଠାର ଖସଡ଼ା

ଇତିହାସ ଆଉ କଣ୍‌ - ଇତଃପୂର୍ବ ଇସ୍ତାହାର ଛଡ଼ା ?

 

ଅମହାଭାରତ

 

ଅଗସ୍ତିଫୁଲରେ ଏଠି ଅପରାହ୍‌ଣ ଆଚ୍ଛନ୍ନ। ଅଥଚ

ସୂର୍ଯାସ୍ତରେ ସରେନାଇଁ ସୂର୍ଯବଂଶୀ ସାମ୍ରାଜ୍ୟର ସୀମା

ଅୟମାରଂଭରେ ଅବା ଅଂତ ହୁଏ ଅଇରି ଅତର୍ଛ

ବାହାମନୀ ବାହିନୀ ବା ମାଳବୀୟ ମଲ୍ଲର ମହିମା !

 

ହେ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟୀ ନମଃ

କୁର୍ଣିସ୍‌ ମୁଁ କରୁଅଛି - ହେ କର୍ଣାଟ କଳବର୍ଗେଶ୍ୱର

ନତାଲାର ନତିରେ ହିଁ ନବେଡିଗ୍ରୀ ନଇଁବା ନିୟମ

ଏ ମୁଂଡ ଉପରେ ବରଂ ବହିଯାଉ ବାତ୍ୟା ବରାବର !

 

ଆଂକିଛି କଜଳଗାର ଆଂଧ୍ର ଏଠି କୃଷ୍ଣାରୁ କାବେରୀ

ଅଥଚ କି ଆର୍ତନାଦ - ତୁହାତୁହା ତୂର୍ଯନାଦ ତଳେ

ସେ ଉଚ୍ଛନ୍ନ ଉପାଂତରୁ ଆପଣଂକ ଅସ୍ଥି ଆସେ ଫେରି

କାଳିଆର କ୍ୟାଲେଂଡର୍‌ କାଶିଆର କପିଳାବ୍ଦ କଳେ !

 

ମାଆ ସାରଳାକୁ ମୁଇଁ ମହାଭାଗ, ମାଗୁଅଛି ସତ

ଆପଣଂକ ଇଲାକାଠୁ ଅଲଗା ମୋ ଅମହାଭାରତ !

 

ଗୋହିରାଟିକିରି

 

ଗହମରଂଗରେ ଗୋଳା ଗୋଧୂଳିର ଗୋହିରାଟିକିରି

ଅଂଗେ ନିଭାଇନି ଆଉ ଅନାଗତ ଅସ୍ତରାଗଟିଏ

ଜଂଗଲର ଜଳାଂଜଳି, ଜମିବାଡ଼ି ବଗିଚା ବିକିରି

ଏ ରଂଗବାଜିରେ ଆଜି ସଂଘବଦ୍ଧ ଶିଖୀମନାଇଏ !

 

କଉଡ଼ିର କଳଂତର। ଖଇଖୋଜା ଖର୍ଚର ଖୁଚୁରା

ମୂକ ମୁଁ ମୁକୁଂଦଦେବ ମୁରଲୀର ମୂର୍ଧନାପାତରେ

ବାଟ ଛାଡ଼ ପାଟରାଣୀ ! ଘାଟସାରା ପଚରାଉଚୁରା

ଫୁଲଗୁଡ଼ା ଫଟୋଟେ ମୁଁ ଫଟାଫୁଟା ପଥରକାଂଥରେ !

 

ତମ ସୁଖ : ତମସୁକ। ତର କାଇଁ ତରା ଗଣିବାକୁ ?

ଗୋଟିଗୋଟି ଗୋଳଯୁଦ୍ଧ ଗୋଟେଇଚି ଗୋହିରାଟିକିରି

ମଂଗୁଚ କି ମଣିମାକୁ ମହମର ମୂର୍ତି ମଣିବାକୁ ?

ଚମକୁଚି ଚମୂପତି ଚରହସ୍ତୁ ଚିଟଉଟେ ଚିରି !

 

ଛାଉଣୀଟା ଛାର୍‌ଖାର୍‌। ଛାଇସଂଜ ଛାଟିହୁଏ ଛାଏଁ

ଶରଧାବାଲିରୁ ଆମ ଚଲାବାଟ ଚୋରାବାଲିଯାଏଁ।

 

ପୂର୍ବପୁରୁଷ

 

ଆପଣ ବି ଆସିଥିବେ ଉତ୍ତର କି ଦକ୍ଷିଣ ଦିଗରୁ

ଅମୂଳକ ଅସ୍ୱସ୍ତିରେ ଆମର ଏ ଅଶ୍ୱତ୍‌ଥମୂଳକୁ

ଆପଣ ବି ଆସିଥିବେ ବଂଶୀବଟ-ବନସ୍ତ ଭିତରୁ

ପଶ୍ଚିମପର୍ବତମାଳା ପାରିହୋଇ ପୂର୍ବୋପକୂଳକୁ !

 

ଉତ୍କଳରୁ ଉଡ୍ରଖଂଡ - କୋଶଳରୁ କଳିଂଗ କଂଗୋଦ

ଅତୀତ ଅଂକିତ ଅବା ଆପଣଂକ ଅସ୍ତ୍ରଶସ୍ତ୍ରାଦିରେ

ଦେଶବ୍ୟାପୀ ଦର୍ଜ ହୁଏ ଜର୍ଜରିତ ଜାତୀୟତାବୋଧ

ଗୋଧୂଳି ଗୋଟାଇଯାଏ ଗଂଗାଚିଲ ଗୋଦାବରୀତୀରେ !

 

ତୀର୍ଥବର ତିବ୍‌ବତରୁ ଚୀନ୍‌ ପୁଣି ପାରସ୍ୟକୁ ଯାତ୍ରା

ଘୋଡ଼ାରେ ସକାଳ ଘୁମେ। ସଂଜ ଆସେ ହାତୀର ପିଠିରେ

ଆପଣ ବି ଯାଇଥିବେ ଶ୍ୟାମପଥେ ଯାଭାରୁ ସୁମାତ୍ରା

ଅଳତାରଂଗର ଆଶା ଆଂକିଦେଇ ଗାଆଁ ଗୋଇଠିରେ !

 

ହଜାଇଛି ହୀରାମୁଦି ଆପଣଂକ ଅପୂର୍ବ ଅଂଗୁଳି

ବତାସ ବିଦାରିଯାଏ ଆଜି ଆମ ବଂଧୁକର ଗୁଳି !

 

ଗାଂଧି

(୨ ଅକ୍‌ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮)

 

। ୧।

ସେ ଏକ ଶୀର୍ଷକ ଯାହା ସକାଳର ସାନି ସତ୍ୟପାଠ

ଖଳାବାଡ଼ି ଖବରକୁ ଖୋଳିତାଡ଼ି ଖୋଲାଫର୍ଦ କରେ

ବକିଂଗ୍‌ହାମ୍‌ର ବର୍ଷା... ବିଲାତର ବିଜୁଳି ବିଭ୍ରାଟ

ଉପେକ୍ଷିତ ଉପାଖ୍ୟାନ - ଗୋଲ୍‌ ଗୋଟେ ଟେବୁଲ୍‌ ଉପରେ !

 

ସେ ଏକ ମହିମ୍ନ ମଂତ୍ର ମର୍ମରିତ ମୌନବ୍ରତବେଳେ

ପ୍ରାର୍ଥନାରେ ପ୍ରାଣପ୍ରାପ୍ତ ପ୍ରତ୍ୟୟର ପ୍ରତିମା ପ୍ରତ୍ୟହ

ନିଶା ଗଜୁର୍ ନୀଡ଼ରେ କି ନିଦ ଭାଂଗୁ ନୀଳଚାଷୀମେଳେ

ସମୟର ସମନ୍ୱୟ - ସବୁ ସର୍ତ, ସବୁ ସତ୍ୟାଗ୍ରହ !

 

ଫୁଂଗୁଳା ସେ ଫକିରର ଫୁକାରରେ ଫିକର ମୋ ଫିକା

ମାନେନା ହଜୁରଂକର ହୁକୁମ୍‌ କି ମୁଂଡକାଟ୍‌ ମୋଟେ

ଦାଂଡୀର ଏ ଦ୍ରାଘିମାରୁ ଦର୍ଶନୀୟ ଦକ୍ଷିଣଆଫ୍ରିକା

ଏଇ ଆସେ ଏସିଆକୁ ଆଜାଦିର ଆଶା ଆଉଗୋଟେ !

 

 

ସଂଧ୍ୟାର ସମାଧିଯୋଗ ସମାହିତ ସାବରମତୀରେ...

ମୁଁ ଜଳାଏ ଜନ୍ମଦିନ - ମଶାଲ୍‌ ନା ମହମବତିରେ ?

(୨ ଅକ୍‌ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮)

 

। ୨।

 

ସେ ଏକ ଶୀର୍ଷକ ଯାହା ସକାଳର ସାନି ସତ୍ୟପାଠ

ଖଳାବାଡ଼ି ଖବରକୁ ଖୋଳିତାଡ଼ି ଖୋଲାଫର୍ଦ କରେ

ବକିଂଗ୍‌ହାମ୍‌ର ବର୍ଷା... ବିଲାତର ବିଜୁଳି ବିଭ୍ରାଟ

ଉପେକ୍ଷିତ ଉପାଖ୍ୟାନ - ଗୋଲ୍‌ ଗୋଟେ ଟେବୁଲ୍‌ ଉପରେ !

 

ସେ ଏକ ମହିମ୍ନ ମଂତ୍ର ମର୍ମରିତ ମୌନବ୍ରତବେଳେ

ପ୍ରାର୍ଥନାରେ ପ୍ରାଣପ୍ରାପ୍ତ ପ୍ରତ୍ୟୟର ପ୍ରତିମା ପ୍ରତ୍ୟହ

ନିଶା ଗଜୁର୍ ନୀଡ଼ରେ କି ନିଦ ଭାଂଗୁ ନୀଳଚାଷୀମେଳେ

ସମୟର ସମନ୍ୱୟ - ସବୁ ସର୍ତ, ସବୁ ସତ୍ୟାଗ୍ରହ !

 

ଫୁଂଗୁଳା ସେ ଫକିରର ଫୁକାରରେ ଫିକର ମୋ ଫିକା

ମାନେନା ହଜୁରଂକର ହୁକୁମ୍‌ କି ମୁଂଡକାଟ୍‌ ମୋଟେ

ଦାଂଡୀର ଏ ଦ୍ରାଘିମାରୁ ଦର୍ଶନୀୟ ଦକ୍ଷିଣଆଫ୍ରିକା

ଏଇ ଆସେ ଏସିଆକୁ ଆଜାଦିର ଆଶା ଆଉଗୋଟେ !

 

ସଂଧ୍ୟାର ସମାଧିଯୋଗ ସମାହିତ ସାବରମତୀରେ...

ମୁଁ ଜଳାଏ ଜନ୍ମଦିନ - ମଶାଲ୍‌ ନା ମହମବତିରେ ?

 

ସେ ଏକ ଅକ୍ଷତ ମୁହଁ । ଅନାଅନି ଆଡ଼ଆକ୍ଷିରେ ବି

ଦୁଇପାଦ ଧୋଇଦିଅ - ତଦୁତ୍ତାରେ ତିନିଗୁଳି ମାର

ଆସ ହେ ଦୋସରଦଳ, ଏଥରକ - ଆସ ଦେଶସେବୀ

ଫୁଲସଂଜ ପାଖରେ ତା' ପୂରାଦେହ ପୋତିଦେଇପାର !

 

କି ଇତର ଇତିହାସ ଇଡ଼ିଯାଏ ଇଆଡ଼େସିଆଡ଼େ

ଚଉଦିଗ ଚରିଯାଏ ଚଉରାଶି ଚର୍ମଣ୍ୱତୀନଦୀ

ଦ୍ୱିଖଂଡିତ ଦୁଃଖଟିଏ ଦୁକୁଦୁକୁ ଦୂର ତାରବାଡ଼େ

ଚିହ୍ନଉଚି ଚିଆଁଦାଗ ଚିରିଥିବା ଚିତ୍ର ନା ଚୌହଦି ?

 

ଅସ୍ଫୁଟ ଓଁକାରଧ୍ୱନି । ଅତୀତଟା ଅ' ଆ' ଘୋଷେ

ଆଜି ନାଇଁ ଅନଶନ, ଆଜି ନାଇଁ ଶୋକ ପାଇଁ ସଭା

ପୂର୍ବଜର ପଂଜରାରୁ ପୋଛିନିଅ ପୂଯରକ୍ତ ପୋଷେ

ମୁଦ୍ରାଂକିତ ମୁଂଡ ମାଗେ ଅବଶିଷ୍ଟ ଅବୟବ ଅବା !

 

ଛାୟାସୂର୍ଯ ଛୁଇଁଲାଣି ଚଂଦ୍ରଚୂଡ଼ ପାହାଡ଼ର ଚୂଳି

ଦିଓଟି ମୁହୂର୍ତ ମାତ୍ର ତିନିଗୋଟି ଗୁଳିର ଗୋଧୂଳି !

 

। ୩।

 

କଫୁର୍‌ୟରେ କପୁର୍‌ତାଲା। ଗିରଫ୍‌ରେ ଗଫୁର୍‌ର ଗାଁ

ଅବ୍ଦର ଏ ଅବଧିରେ ଅପଠିତ - ସେ ଆତ୍ମଚରିତ

କହିବନି କସ୍ତୂର୍‌ବା, କାଂଥକୁ ବି କଇଦୀର ନାଁ

ନିଜକୁ କଂଦାଇବନି କେଉଁ କାରା-କପୋତୀ କରି ତ!

 

ହେ ଅଶ୍ରୁ ଆଂଦୋଳିଉଠ ଆଖି ସହ ଅସହଯୋଗରେ

ଅସହ୍ୟ ଏ ଅୟସଠୁ ଊଣା ଦୁଇ ଆଂଠୁର ଦରଜ

ଆଜାନୁଲଂବିତ ବେନି ବାହୁଚ୍ଛାୟା ଆବାହନ କରେ

ପ୍ରସ୍ତପ୍ରସ୍ତ ପ୍ରଭାତର ଫେରିକୁ ହିଁ ପ୍ରତି ପଦବ୍ରଜ।

 

ଅମାନ୍ୟ ତା ଆଇନ୍‌ର ଅର୍ଥରେ ମୁଁ ଉତ୍ତାନ/ଉତ୍ତାଳ

କଳାପତାକାର କେତେ କାରନାମା କାଥିଆବାଡ଼ରେ

ପୋରବଂଦରର ପୋତ ତୀରେ ତୋଳେ ତ୍ରିରଂଗାର ତାଳ

କି ଭାଷାର ଭସାମେଘ ବର୍ଷିଗଲା ଭାରତଛାଡ଼ରେ !

 

ହେ କିଏ କାହାକୁ ଖୋଜ କଇଁଛର ଖୋଳପାରେ ଖାଲି?

ବେରିଂଗ୍‌ ଚିଠିର ବିଡ଼ା ଖୋଲାହେବ ଆଜି ନୁହେଁ, କାଲି।

 

 

। ୪।

 

ଆଂଠୁରୁ ତା ବଳାଗଂଠି ଖଂଡିଖଦିଲୁଗାରେ ନଲୁଚୁ

ପଂଜରାହାଡ଼ର ଫଟା ପଟୁଆର ପଟାଂତରହୀନ

ହାୟ ଆମେ ହାଫ୍‌ସାର୍ଟ୍‌ ଫୁଲ୍‌ପ୍ୟାଂଟ୍‌ ହାୱାରେ ହଲୁଚୁ

ତଂତର ତଦଂତ ତାର ତାକୁଡ଼ିର ତରତର ଦିନ।

 

ଥାଡ଼୍‌ର୍କ୍ଲାସ୍‌ ଥାଟର ସେ ନାଲିକୁର୍ତା ରେଲ୍‌ୱେ କୁଲିର

ଡରକୁଳା ଡୋଳା ମତେ ନୂଆଖାଲି ଡାକିନେଇପାରେ

ମୁଁ କି ତାର ଚଳମାନ୍‌ ଗଣତଂତ୍ର ଚତୁର୍ଥ ଗୁଳିର

ନା ଗର୍‌ହାଜିର୍‌ ନାଆଁ ଗାରପକା ହାଜିରାଖାତାରେ?

 

କ୍ରାଂତିର ଏ କାର୍ତିକରେ - ନୁହେଁ ତାର ଶ୍ରେୟଃରେ ମୁଁ ସିଦ୍ଧ

ଶୁଣ ଶୁଣ ଶୂନ୍ୟବାଣୀ - ହେ ଅସତ୍ୟ ସୌଦାଗରଶ୍ରେଣୀ,

କୁର୍ସିକୁ ମୁଁ କିଷାନ୍‌ର କଡ଼ାକ୍ରାଂତି କୁତ୍ସିତ କୁସୀଦ

ହେ ରାମ ଏ ରାଜ୍ୟସାରା ରାଷ୍ଟ୍ର ହୁଏ : ଋଣୀ ରକ୍ତବେଣୀ!

 

ଏକଶପଚାଶ ଦୀପ ଜଳାଉଚି ଅକ୍‌ଟୋବର ୨...

ଜାଳ୍‌ନା ରେ ଜାନୁଆରି, - ତୋ ତିରିଶ୍‌ ତସ୍‌ବିର୍‌ ତୁଇ!

 

 

। ୫।

 

ଡହକ ଖରାର ଖଂଡେ ଛାଇନିଦ ଡାକଟିକଟରେ

ତମେ ତାକୁ ତଲାସୁଚ - କେଉଁ ନବଗ୍ରହରୁ ନେବୁଲା?

ସେ କି ମୋ କୁନାଳଦୃଷ୍ଟି ଚଷମାର କାଚ ନିକଟରେ

ଅଥବା ମୋ ଅହିଂସାର ଅଂଧାରୁଆ ଆଶାବାଡ଼ିବୁଲା?

 

ହେ ଦାନାର ଦେଣାଦାର୍‌, କନାରେ କି ପତାକା ପାଉଣା?

ଫିତାକଟା ଫେସନ୍‌ରେ ସୂତାକଟା ସମୟ ସମାପ୍ତ

ଆବାସରେ ଅବସର। ଅମଳଟା - ଏବେ ଉଲ୍‌ବୁଣା

ଯଦିଚ ବୁଲେଟ୍‌ପ୍ରୁଫ୍‌ ଜ୍ୟାକେଟ୍‌ ମୋ ବଜେଟ୍‌ରେ ବ୍ୟାପ୍ତ।

 

ଚରଖା ଚିହ୍ନର ଚିତା : ଅଧରାତି ଅଶୋକଚକ୍ରରେ

ପଦକରେ ପଶୁରାଜ ପଦବଦ୍ଧ ପତାଗୁଡ଼ା ବୁଜି

ଏସୀୟ ସେ ଏକଚକ୍ର ଆକାଶକୁ ଅଷ୍ଟବକ୍ର କରେ

ବିଜନବେଳାରେ ବିଜେ ବେକଯାଏ ବାଲିର ବାପୁଜୀ!

 

ଏ ଶତପଂଚାଶବର୍ଷ ଆଣେ ଏକ ଅଣାଶୀର ଆୟୁ

ଜାତିସ୍ମର ଜାତକର ଜହ୍ନରେ ତ ଜର୍ଜର ଜରାୟୁ!

 

ଗୋପବଂଧୁ

(୯ ଅକ୍‌ଟୋବର ୧୮୭୭ - ୧୭ ଜୁନ୍‌ ୧୯୨୮)

ଗୋପ ତ ଗୁପତ ଗାଆଁ ଗୁମୁରୁନି ଗୋମାହାତ୍ମ୍ୟ, ଗୋ ମା'

ବଂଧୁଟିଏ ବାଟ ଭାଂଗି ବାରଦ୍ୱାରୁ ବାହୁଡ଼ିଯାଇଚି

ଆଜି ବର୍ଷା : ଗୁଳିବର୍ଷା। କାଲି ରକ୍ତବସଂତ ନା ବୋମା?

ରକ୍ତର ସେ ରାତିଭୋର୍‌ ପାଂଚପଡ଼ା ପାଖରେ ପାହିଚି !

ଆଶ୍ରିତ ଆଶାର ଆଁ' ଅବପାତ ଆଚ୍ଛନ୍ନ ଅଂଧାରେ

ସହିଦ୍‌ର ଶବଯାତ୍ରା ... ଶତାବ୍ଦୀର ଶରଣାର୍ଥୀଦଳ

ତମେ ଆଉ ଦେଖିନାହଁ ତ୍ରିରଂଗାର ତ୍ରିକାଳସଂଧ୍ୟାରେ

ଆମ ଏ ଗାୟତ୍ରୀହୀନ ଗାର୍ହସ୍ଥ୍ୟର ଗୂଢ଼ ଗ୍ରାମାଂଚଳ !

ଆମର ଏ ଆତ୍ମକଥା : ତମ କାରା-କବିତାର କ୍ଳେଶ

ମୌନୀ ମୌସୁମିର ମାଟି ମନେହୁଏ ମଥୁରା ମଥୁରା

ଶହେଟି ସହର ପାଇଁ ହଜାରେଟି ହଂସପଲ୍ଲୀ ଶେଷ

ସ୍ୱରାଜର ସ୍ୱରଶବ୍ଦ ଅରାଜକ ଅକ୍ଷର ଅଧୁରା !

ସୁଆଂଡୋର ସଖାଳକୁ ସୁମରୁଚି ସୁନା ଶଂଖଚିଲ

ପାନବରଜର ପାଖେ - ତମେ ଆମ ପ୍ରିୟ ପାଟବିଲ !

 

ଓ ଗୋପବଂଧୁ

 

ଛୁରିଅନା ଛାଇ ଛୁଇଁ ବାହୁନୁଚି ବହୁତ ବକୁଳ

ସୁକୁମାରୀ ସଂଜସବୁ ସୁକୁସୁକୁ ସୁଆଂଡୋରେ ସରେ

ତମକୁ ତଲାସୁଥାଏ ତଂଡୁଳାଶୀ ତୀର୍ଥକାକକୁଳ

ଭୋର୍‌ଟିଏ ଭାଂଗୁଭାଂଗୁ ଭାର୍ଗବୀର ଭୂଚିତ୍ର ଭିତରେ !

 

ଗଡ଼ଜାତି ଗୋଧୂଳିର ଗଜଗସ୍ତ ଗର୍ଭବତୀ ଗ୍ରାମେ

ଆଂଠୁଏ ପାଣିରେ ଏଠି ଅଲାଜୁକ ଆତ୍ମହତ୍ୟା ଆଳ

ଅପହଂଚ ଅପଂତରା । ଅଧବାଟେ ଅପଦସ୍ତ ଆମେ

ଶାସନୀର ଶଂଖନାଦ ଶୁଭୁନି କି ? ହେ ସାକ୍ଷୀଗୋପାଳ !

 

ଆଡ଼ମୁହୀଁ ଓଡ଼ଭୂଇଁ ଅନାଇଛି ଅନେକକ୍ଷଣରୁ

ସେ ଦିଗର ଦ୍ରାଘିମାରେ ଦଳଦଳ ଦ୍ରୁତ ଦେଶାଂତରୀ

ଏ ଦିଗରେ ଦୃଶ୍ୟ ହୁଅ - ଦାମୀ ଆମ ଦୂରବୀକ୍ଷଣରୁ

ଜଳବଂଦୀ ଜମି ତମେ, ଜର୍ଜରିତ ଜଳଛବି ପରି !

 

ହୁଏତ ହୁଏନା ହାତେ ଏକପାଦ ମାଟି ଆଉ ମାପି

ତାରାହଜା ତାରିଖରେ ତମ ତିଳ-ତର୍ପଣ ତଥାପି !

 

ସଚ୍ଚି ରାଉତରା

(୧୩ ମଇ ୧୯୧୬ - ୨୧ ଅଗଷ୍ଟ ୨୦୦୪)

 

ସଂଦିଗ୍ଧ ସଂଧ୍ୟାର ସ୍ୱର ସକାଳର ସଜଳ ସ୍ୱଗତ

ଠିକ୍‌ ଅଛି ଶୁଣିନାହଁ । ସେପାଇଁ କି ଥିଲା କେବେ କ୍ଷୋଭ ?

ଗଣିନାହଁ ଗଲାବେଳେ ସଂଗ୍ରାମର ଶୁଭ୍ର ସବୁ କ୍ଷତ

ଲେଉଟି ବି ଚାହିଁନାହଁ । ଥିଲା କେବେ ଲୁହ ପାଇଁ ଲୋଭ ?

 

ବର୍ଷବର୍ଷ ବନବାସେ ବିସ୍ତାରିତ ବିମର୍ଷ ବିଶ୍ରାମ

ଅଜ୍ଞାତବାସର ଅବ୍ଦ ଏଇମାତ୍ର ଆଜିଠୁ ଆରବ୍ଧ

ଆଜି କଣ ମନେପଡ଼େ ମେଲ୍‌ବୋର୍ଣ୍‌ ? ଦଶାର୍ଣର ଗ୍ରାମ ?

ମରାଳରେଖାର ରଂଗ ? ପ୍ରାତ୍ୟହିକ ପ୍ରାଣୀନ ପ୍ରାରବ୍ଧ ?

 

ଆଧୁନିକ ଆର୍ଯପୁତ୍ର, ଯାଇଚ କି ଯୁଜେଷ୍ଠିଂକ ରଥେ

ଶୂନ୍ୟତାର ଶୁକ୍ଳପକ୍ଷେ ଭୂମିଠାରୁ ଦି'ଆଂଗୁଳ ଛାଡ଼ି ?

ଆମ ଏ ଦ୍ରାବିଡ଼ ଦୃଷ୍ଟି ପୂର୍ଣିମାର ପଲ୍ଲବିତ ପଥେ

ତମକୁ ତଲାସେ ଆଜି । ତମେ ନାହଁ । ଅଛି ସୁନାଧାଡ଼ି !

 

ବର୍ଷାର ବିଷାଦ ବୋଧେ ବିଂଦୁବିଂଦୁ ବିଷଣ୍ଣ ବିସର୍ଗ...

ପାଉଁଶ ହେବନି ମୋଟେ ପାଂଡୁଲିପି : ସୁରଭିତ ସର୍ଗ !

 

ଆମର ଏ ତାରବାଡ଼ ଆରପଟେ ଗାରଟାଏ ଟାଣି

ମାଗିଥିଲ ମେହନତୀ ମଣିଷର ମିଠା ମଫସଲ...

ତମେ ତାର ଖରିବଣେ ଖାନ୍‌ଦାନ୍‌ ଖରାଲେଉଟାଣି

ତମର କି ଯାଏଆସେ - କିଏ କେତେ ପାଇଥିଲା ଭଲ !

 

ଖୋଜେ ତମ ହାତଛୁଆଁ - ଆମ ବେତଚଉକିର ବାଡ଼ା

ଆମ ଏ କଲମ ଖୋଜେ ତମରି ସେ ସୁନାର ଅଂଗୁଳି...

ତୁଚ୍ଛ ଲାଗେ ତମ ବିନା ଲଂବାଲଂବା ଚଉଡ଼ା ଏ ଆଡ଼ା

ତମର କବିତାସବୁ ଆଜି ଆମ କମାଣର ଗୁଳି !

 

ଧୂସର ଏ ଧୂମାବର୍ତେ, କେଉଁଠି ହେ ଲୋହିତ କପୋତ,

ଆଗାମୀକାଲିର ଆଗେ ଆହୁରି ବି ଆଶାଟିଏ ଆଂକ ?

ଆମର ଏ ଧୂଳି ସଂଗେ ତୂଳୀ ତମ ଏତେ ଓତପ୍ରୋତ

ତମିସ୍ର ଏ ତୀର୍ଥଯାତ୍ରା ମାଗେ ତମ ନୂତନ ଦିନାଂକ !

 

ସୁରୁ ହୁଏ ଶେଷଯାତ୍ରା । ଦୂରୁ ଦିଶେ ଗୁରୁଜଂଗ ଗାଆଁ...

ଆମ ଏ ଡାହାଣମୋଡ଼େ ବାଟ କାଟି ବାହୁଡ଼ିଚ ବାଆଁ !

 

ଆଜି ତମ ଅଭିଯାନ । କାଲି ଆମ ଶୋକସଭା ସୁରୁ

ଭିଡ଼ ହେବ ଭବନରେ, ଟକ୍‌ ପୁଣି ଟାଉନ୍‌ହଲ୍‌ରେ

ରଂଗଣି ଋତୁର ରକ୍ତେ ରୁମାଲ୍‌ଟା ବତୁରୁ ବତୁରୁ

ଏସିଡ଼୍‌ର ବୋତଲ୍‌ଟା ବାଜିବ କି ହଠାତ୍‌ ବଲ୍‌ରେ !

 

ପାଟପେଡ଼ି ପୁଟୁଳିରେ ପୋଡ଼ାଦିନ ପଡ଼ିରହିଥାଉ

ଓଠରେ ଓଲଟାଯାଉ ଆଜି ବରଂ ଛପାବହି ତମ

ଚର୍ଚା ପୁଣି ଚାଲୁଥାଉ ମାର୍କାମରା ମାର୍କ୍‌ସ୍‌ବାଦ ଆଉ

ପ୍ରଗତିବାଦର ପାଠେ ଆମେସବୁ କେଡ଼େ ପାରଂଗମ !

 

ବହୁ ବାଦ ବିବାଦର ବିସ୍ଫୋରିତ ବିଚିତ୍ର ବାଦିତ୍ର

ବିତର୍କିତ ବୌଦ୍ଧିକତା, ବିଶେଷାଂକ, ବାର୍ତା ବିଜ୍ଞାପନ -

ଏସବୁଠୁ ବହୁଦୂରେ ତମେ ଆଜି ଚିରୁଥିବ ଚିତ୍ର

ବସଂତରେ କରୁଥିବ ହସଂତର ଭ୍ରମସଂଶୋଧନ !

 

କ୍ରାଂତିର ସେ କ୍ରୋଡ଼ପତ୍ରେ କାଟୁଥିବ କ୍ରୋଟନ୍‌ର କ୍ରୋଧ...

ତମ ଏ ବର୍ଷାର ଲୁହେ ଭିଜୁଥିବ ଆମ ବର୍ଣବୋଧ !

 

ମିଶନ୍‌ରୋଡ଼୍‌ର ମେଘ ମୟୂରଠୁ ମାଗିଚି ମେଲାଣି

ସତୀଚଉରାକୁ ଚାହିଁ ଶୋଇବ ତା ଶେଷନିଦ ସିଏ

କହ ଆଜି କାଠଯୋଡ଼ୀ, ଶେଯ ତାର ସଜ କି ହେଲାଣି ?

ଫୁଲପାଖୁଡ଼ାରେ ହେଉ - ସେଇ ଶେଯ ମହୁଶେଯଟିଏ !

 

ଗୋଲାମର ଗୋଲାପକୁ କିଏ ନେବ ? ବିବି ନା ସାହେବ ?

ମୋଗଲବଂଦିର ମୋଡ଼େ ତାସ୍‌ଘର ଗାଆଁ ଗଡ଼ଜାତ...

ଆଜିକାର କଥାସବୁ କାଲିକାର କିଂବଦଂତୀ ହେବ

ତା ଗୀତ ଗାୟତ୍ରୀ ଏଠି - ତା କବିତା ରକ୍ତଶିଖାସ୍ନାତ !

 

ଏ ବର୍ଷର ବର୍ଷାଋତୁ ବାହାରିବ ବରୁଣେଇ ବୁଲି

ବାରୁଣାବଂତରେ କେଉଁ ବୟସର ବରକୋଳିବଣ ?

ବାଟ ଆମେ ଚାଲୁଥିଲୁ ଏଯାବତ ବାରଣ ତା ଭୁଲି

ଅଥଚ ଆକ୍ଷିରେ ଆଜି ଅମାନିଆ ଆଷାଢ଼ଶ୍ରାବଣ !

 

ଖଂଡାପାତିଆର ଖରା ଖେଦିବୁଲେ ଖଂଡିତ ଖୋରଧା...

କେଉଁଠି ବାଲିର ବିଲେ ବର୍ଷା ବୁଣେ ଶୀତଳ ଶରଧା ?

 

ଏ ନୁହେଁ ଉଜ୍ଜ୍ୱଳମେଘ ଉଦାସୀନ ଉତ୍ତରକକ୍ଷରୁ

ଚିତ୍ରାଂଗଦା, ଚିତ୍ରୋପିଳା, ଚିତ୍ରକଳ୍ପ ଚିହ୍ନାଇଚି ଯିଏ

ଏ ନୁହେଁ ମଂଗଳମେଘ ପାଣି ଛିଂଚି ପାହାଡ଼ ଉପରୁ

ଲଂଗଳରେ ଲେଖାଇଛି ମାଟି ପାଇଁ ମାନପତ୍ରଟିଏ !

 

ଏ ନୁହେଁ ମୋହିନୀମେଘ ତମ ପାଇଁ ଦକ୍ଷିଣାବର୍ତରୁ

ଆଣିଚି ତା ଆଶାତୀତ ଆଷାଢ଼ରେ ଇଂଦ୍ରନୀଳ ରାତି...

ଏ ନୁହେଁ ତ୍ରିକୋଣମେଘ, ତଳେ ଯା'ର ତେଜପତ୍ର ତରୁ

ସୁବାସିତ ସ୍ନେହ ସହ ସଜାଇଚି ସୁନେଲି ସୁପାତି !

 

ଏ ନୁହେଁ ଗ୍ରାମୀଣ ମେଘ ନୀଳନୀଳ ସବୁଜସବୁଜ

ଧାନର ସେ ମାନଚିତ୍ରେ ଦେଖାଉଚି ଦିଗଂତର ଦେଶ...

ଏ ନୁହେଁ ଉତ୍ତରମେଘ ପାରି ହୋଇ ବଂକା ଓଟକୁଜ

ଉଜ୍ଜୟିନୀ ଉପାଂତରୁ ଶୁଣାଉଚି ସିପ୍ରାର ସଂଦେଶ !

 

ଏ ମେଘ କଜଳମେଘ । ଏ ମେଘରେ ଆଚ୍ଛନ୍ନ ଆକାଶ

ତମକୁ ନେଇଚି ଡାକି - ନ ସରୁଣୁ ଶ୍ରାବଣର ମାସ !

 

ଫିରିକିଫୁଲର ଫର୍ଦେ ଫିକାଫିକା ଫେରିଚାହିଁବାର

ହସ୍ତାକ୍ଷର ନୁହଁ ତମେ, ହଳଦିଆ ପଡି଼ଯିବ ଯାହା

ଠିକ୍‌ ଠିକ୍‌ ଠିକଣାରେ ଫିକ୍‌ଫିକ୍‌ ଫେରିପାଇବାର

ଭୁଲ୍‌ ହସ ନୁହଁ ତମେ, ଅଟକିବ କାହା ଓଠେ ଆହା !

 

ଅଳକା ସାନ୍ୟାଲ୍‌ ଆସେ ଆମର ଏ ଆହ୍ନିକ ଆଭାସେ

ନାଳଂଦାରୁ ନୂଆଖାଲି, ନଦିୟାରୁ ନିର୍ଜନ ନରାଜ

ପ୍ରତିମା ନାୟକ ତୋଳେ ପ୍ରଶ୍ନବାଚୀ ପ୍ରେମର ପ୍ରବାସେ

କେଉଁଠି ତା ଫରଫର ପତାକାର ସ୍ୱପ୍ନାଭ ସ୍ୱରାଜ ?

 

 

ମାଟିପାଣି ପବନରେ ମିଶିଯିବ ନାରଂଗୀ ଏ ନିଆଁ

ଆମ ଏ ଆକାଶ ଆଉ - ନୁହେଁ ତମ ନୀଳ ଚଉତରା...

ସୋରିଷଫୁଲର ପଥ ଡାକେ ସିନା ଫେରିଆ, ଫେରିଆ

ଆଉ କେଉଁ ଆକାଶରେ କୁଆଁତରା, ସଚ୍ଚି ରାଉତରା !

ଏ ସଂଜସକାଳ ସହ - ସେ ସମୟ - ସବୁ ସମତୁଲ...

ତମ ମେଘ-ମଂଗଳରେ ମଥା ପିଟେ ମଶାଣିର ଫୁଲ !

ବର୍ଷମାନ ବର୍ତମାନ ବୁଲିଯିବେ ବୟସ ବାହାରେ

ଆସନ୍ନ ଅତୀତ ହେବେ ମାସମାନ ଆସମାନ ଆଗେ

ଆଜିଠାରୁ ଆଂଜୁଳାରେ ତିଳାର୍ପଣ ତମରି ନାଆଁରେ

ତିଥିବାର ନକ୍ଷତ୍ରର ଇତିବୃତ୍ତେ - ଆମ ଏ ଭୂଭାଗେ !

ପୁଷ୍ପବତୀ ପଲ୍ଲିଶ୍ରୀର ପରିଚିତ ପଲ୍ଲବକ ପରେ

ତମେ କ’ଣ୍‌ ଥିଲ କେଉଁ କ୍ରାଂତଦର୍ଶୀ, ପାଂଥ ପୌରୁଷେୟ ?

ପ୍ରଥମ ଆଷାଢ଼ ପାଶେ ଯେଉଁ ପ୍ରେମ ପ୍ରେୟଃ ଥିଲା ଥରେ

ତମେ କ'ଣ୍‌ ଜାଣିଥିଲ - ତା'ଇ ତମ ଶ୍ରାବଣର ଶ୍ରେୟଃ ?

ତମର ସେ ବୈଶାଖରେ ଏତେ ବର୍ଷା, ଏତେ ବ୍ୟଥା ଥିଲା ?

କହିଥାଂତ କାହାକୁ ବା ? କପୋତୀ ତ କେବଠୁ ଗଲାଣି...

କହୁଚି କିଏ ସେ : ଆସ - ମରିନି ମୁଁ ନାଉରିଆ ପିଲା

ନାଆରେ ମୋ ନେଇଯିବି ପାରିକରି ମହାନଦୀପାଣି !

 

ଭୋଦୁଅର ଭରାନଈ ଭାଂଗୁଥିବ, ଭାଂଗୁଥିବ ଢେଉ...

ଏଥର ଅଶିଣ ଏଠି - ମାସ ନୁହେଁ, ଋତୁ ବରଂ ହେଉ !

 

ବାରଟା ବାଜିବା ଆଗୁ ଅଗଷ୍ଟ୍‌ର ଅସ୍ପଷ୍ଟ ଆଲୋକେ

ଶବ୍ଦାତୀତ ହେଲ ତମେ ସୀମାଂତରୁ ସାମୟିକତାର...

ଗୁଡ଼୍‌ମର୍ଣିଂ । ଗୁଡ଼୍‌ବାଏ । ବାଏବାଏ । ହାଏହାଏ । ଓକେ

କି ଅର୍ଥ ବା ଏଇସବୁ ଉଚ୍ଚାରିତ ଅମାୟିକତାର ?

 

କାଲି ତମେ ଚାଲିଗଲ । ନାଇଁ ଏଠି ଯିବା ପାଇଁ ବାଧା

ଏକୋଇଶ ତାରିଖ ବି ଚାଲିଗଲା । ନିଆଁ ଗଲା ନିଭି...

ତମ ପଛେ ପଡ଼ିରହେ ପୁଷ୍ପମାଲ୍ୟ, ରାଷ୍ଟ୍ରୀୟ ମର୍ଯାଦା

ପୂର୍ବାହ୍‌ଣର ପୃଷ୍ଠବଂଧ, ପୃଷ୍ଠାପୃଷ୍ଠା ପୃଥକ୍‌ ପୃଥିବୀ !

 

କାଲି ତମେ ଚାଲିଗଲ ଥୋଇଦେଇ ତାଳପତ୍ର ଛତା

ଗୋଲାପଜଳରେ ଧୋଇ ଘଷରା ଏ ଘାସର ଗାଲିଚା

ଲା-ଇଁ । ନୀଳପଦ୍ମ । ଲାଭେଂଡର୍‌ । ଲାଜକୁଳୀ ଲତା

କେଇ କପ୍‌ କବିତାର ବିନାଚିନି ନିଆରା ନାଲି ଚା !

 

ଟ୍ରାଜିକ୍‌ ଟ୍ରାଫିକ୍‌ଜାମ୍‌ ? ଟିଣଜହ୍ନ କେତେ ତାତିଥିଲା ?

କାଲି ତମେ ଚାଲିଗଲ । କାଲିରାତି : ବର୍ଷାରାତି ଥିଲା !

 

ଏ ବର୍ଷା ପଡ଼ିବ ଶୋଇ ଶରତର ଶରଶଯ୍ୟା ପରେ

ତମେ କ’ଣ୍‌ ଫେରୁଥିବ ପଟୁଆରେ ପାଲଟାଏ ଟାଣି ?

ଲୋଡ଼ିବ କୁଣିଆ ହୋଇ ଲୋଚାକୋଚା କଣାଚାଳଘରେ

କେଉଁ ମାଟିକଳସରୁ କେଇମୁଂଦା କାଚକେଂଦୁ ପାଣି ?

 

ତମେ କ’ଣ୍‌ ଫେରୁଥିବ ଗଡ଼ଜାତ ଅଂଧାରିମୁଲକୁ

ଗବକ୍ଷୀରଫୋଟକାର ଫୁଲସଂଜେ ଗାଆଁପିଲା ମେଳେ

ମଶାଲ୍‌ର ମଶାଣିରେ ମାଜୁଥିବ ଝାଉଁଳା ଝୁଲକୁ

ଖରାର ଖସଡ଼ାଖଂଡେ ଖୋଜୁଥିବ କ୍ଷୟାତିଥିବେଳେ ?

 

ତମେ କ’ଣ୍‌ ଫେରୁଥିବ ପଦାତିକ କଳିଂଗଯୁଦ୍ଧର

ଧାରୁଆ ସେ ଖଂଡା ଧୋଇ କାରୁବାକୀ ଲୁହର ଝିଲରେ

ନିର୍ଜନ ଚଷାର କ୍ଷେତେ ଶୁଣୁଥିବ ଚଢ଼େଇର ସ୍ୱର

ବୁଣୁଥିବ ବର୍ଣମାଳା ବାଟିବାଟି ବାଜ୍ୟାପ୍ତ ବିଲରେ !

 

ତମେ କ’ଣ୍‌ ବୁଲୁଥିବ ପୂର୍ଣିମାର ମହାନଦୀକୂଳେ ?

ଶରତର ଶାଦାଯୂଇ ଥିବ କି ଏ କଟାଗଛମୂଳେ ??

 

ଆକ୍ଷିର ଏ ଅକ୍ଷାଂଶରେ ଦୂରବର୍ତୀ ଦ୍ରାଘିମାର ଦୁଃଖ

ଏସିଆର ସ୍ୱପ୍ନ ଶୁଏ ଏରକାର ଉଇହୁଂକା ତଳେ...

ତମେ କବି ଚାହିଁଥିଲ କେଉଁ ମାୟାମୃଗୁଣୀର ମୁଖ

ସୁନାସୂର୍ଯ ଚୂନା ହୁଏ... ସକାଳରେ ସଂଜବତି ଜଳେ !

 

ଦିଗଂତଦିଗଂତବ୍ୟାପୀ ଦିନାଂତର ଦୁରୂହ ଦୁରାଶା

ଶ୍ରାବଣର ଶ୍ରାଦ୍ଧରେ କି ଶେଷବଂଦୀ ଶୁଣାଇବ ଶ୍ଳୋକ ?

ଭୂଦେବୀର ଭୂଚିତ୍ରରେ ଭାନୁମତୀ ଭୁଲିବ କି ଭାଷା ?

ବାରବାଟୀ ବାଟମୋଡ଼େ ଭାଦ୍ରବର ଭୟଂକର ଭୋକ !

 

କବିତା ତମର ନୁହେଁ କୋଣାର୍କର କେଶବତୀ ନାରୀ

ଚିଲିକାର ଚିବୁକରେ ଚିହ୍ନା ଚିନି-ଚଇତିର ଚୁମା...

ଫିଂଗିଦେଇ ଫୁଲଧନୁ, ତୋଳିନେଲ ତୀବ୍ର ତରବାରି

ଆମ ଏ ଡରକୁ ଡେଇଁ - ନାଚିଗଲ ନିଆଁର ଡୁଡୁମା !

 

ପାହାଂତି ଆମର ବଡ଼ ପାଣିଚିଆ ତମରି ଏ ତୁଠୁ...

ଛୋଟ ମୋର ଗାଆଁଟି ତ ଦୁଃଖୀ ଆଜି ସବୁଠୁ ସବୁଠୁ !

 

(୨୦୦୪)

 

ଗୁରୁପ୍ରସାଦ

(୧୯୨୪ - ୨୬ ଅଗଷ୍ଟ ୨୦୦୪)

 

ଆଜି ତମ ଆକାଶରେ ତରା ଆଉ ସଚ୍ଚି ରାଉତରା

ମଝିରେ ମଝିରେ ମେଘ ମାଖିଯାଏ ମାଟିରେ ମୁରୁଜ

ଛାଇଟିଏ ଛିଡ଼ା ହୁଏ ଚାହିଁଚାହିଁ ଚାଇଁଚାଇଁ ଖରା

ମାଈକାକରରେ ମୁହଁ ମାଠିନାଇଁ ମାଟିଆବୁରୁଜ !

 

ଖରା ପଡ଼େ । ଖଇ ପଡ଼େ । କାଇଁ କାଣୀକଉଡ଼ି କେଉଁଠି ?

ସିଂହଦ୍ୱାରୁ ସ୍ୱର୍ଗଦ୍ୱାର । ସାତତାଳ ସମୁଦ୍ରର ଢେଉ...

ଅଜଂତାର ଅଂଧାରରୁ ରଜୋବତୀ ଆସିବ କି ଉଠି

କୋଣାର୍କର କାଂଥରେ କି କାଂଦୁଥିବ କେଶବତୀ କେଉଁ ?

 

ଆମରି ଏ ସହରରେ ଶୋଇଚି କି ତମରି ସକାଳ ?

ସଂଜସବୁ ଭଂଜ ଆଉ ମାନସିଂହ, ରାଧାନାଥ ରାୟ...

ଆଖିର କପୋତ ଆହା ଆଂକିଗଲା ଅସରା ଅକାଳ

ସେର ପୂରେ । ମାଣ ପୂରେ । କୁହୁଡ଼ିରେ କେଉଁଠି କୁଲାୟ ?

 

ଚୁମିଗଲା ଚଇତାଳି ଚକୋଈର ଚୁପ୍‌ଚାପ୍‌ ଚରା...

ଆମ ଖାସ୍‌ମାହାଲରେ - ଆଜି ଖାଲି ଖାପ୍‌ଛଡ଼ା ଖରା !

 

ପ୍ରେମର ପ୍ରଥମ ଫୁଲ ଫୁଟାଇଚି ଫାଜିଲ୍‌ ଫଗୁଣ

ଚାପିଧରେ ଚଂପାବତୀ ଛାତିରେ ତା ଚଇତି ଚିଟାଉ

କାଶଫୁଲ କାହାଣୀରୁ ଘାସଫୁଲ ଝାଡ଼ିଦେଉ ଘୁଣ

ବଇଶାଖୀ ବତାସରେ ବୟସଟା ବିତି ପଛେ ଯାଉ !

 

ଆଷାଢ଼ର ଆୟୁହାନି । ଏ ଶ୍ରାବଣ ଆସିବନି ଫେରି

ଆଇନାର ଆଗକୁ ବି ଆସିବନି ଅଳକା ସାନ୍ୟାଲ୍‌

ସିଲ୍‌କ୍‌ ସୂତାର ସଂଜ ଶୁଣାଇବ ଶାଢ଼ିର ଶାଏରୀ

ନୂଆଖାଲି, ନୂଆଦିଲ୍ଲୀ, ନୂଆପଲ୍ଲୀ, ନିଉ କ୍ୟାପିଟାଲ୍‌ !

 

ନିଛାଟିଆ ନଈପଠା । ନିରିମାଖୀ ନାଗବାଲି ଗାଆଁ

ବାଲିକାଗଜରେ କାଲି କାଶତଂଡୀ ବିରହ ଲେଖିଛି

ନକ୍ଷତ୍ରର ନୀଳିମାରେ ନିଭିନାଇଁ ନାଗବାଳୀ ନାଆଁ

କଟକର କଟାକ୍ଷରେ କବିତାର କାକଜ୍ୟୋତ୍ସ୍ନା କିଛି !

 

ଫଗୁଣ ଫେରିବ ଫେର୍‌ । ଫୁଲବଣେ ଫେରିବନି ପାଂଥ...

ସମୟର ସ୍ୱର୍ଣମୃଗ ସ୍ୱପ୍ନାତୀତ ସୀମାଂତ ସୀମାଂତ !

 

ବିଦେଶୀ ଫୁଲର ବାସ୍ନା ଭୁରୁଭୁରୁ ବଉଳବେଣୀରେ

ତଥାପି ତ ତମେ ଆମ ଗୋଲାର୍ଧରେ ଗୋଧୂଳିର ଗ୍ରାମ...

ଗାଂଧିବାଦ, ମାକ୍‌ର୍ସ୍‌ବାଦ, କୃଷକ କି ଶ୍ରମିକଶ୍ରେଣୀରେ

ଖାଦାନ୍‌ କି ବାଗାନ୍‌ରେ - ନ ଉଠାଂତୁ କେହି ତମ ନାମ !

 

ଧାଡ଼ିଧାଡ଼ି ଧାନବିଲ ଛାଡ଼ିଛାଡ଼ି କୋଳଥ କିଆରି

ମୁଗବାରି ମସିଣାରେ ମଫସଲି ମୁଲକର ମୁହଁ...

ତମେ ତାର ତରତର ତୂଳାଭିଣା ତଂତରେ ତିଆରି

ସମୟର ସାମିଆନା - ତଳେ ଜଳେ ମର୍କରି ଆଲୁଅ !

 

ଆକାଶୀ ଆଖିରେ ଆଂକି ମାଟିମାୟା ତୋଳିନେଲ ତମେ

ହେ ସୁନେଲି ଶଂଖଚିଲ, ଦୂବଘାସ ଧବଳଟଗର...

କଟକର କୁହୁଡ଼ିରେ କାଠଚଂପା କାକର ତ ଜମେ

କାହା ଚିରା କ୍ୟାଲେଂଡର ଖୋଜିବୁଲ ନଗର ନଗର !

 

ଆଶା ଆଉ ଅପେକ୍ଷାର ଏପାରିରେ ଅଧାଲେଖା ଇତି...

ଅଥଚ ଅତୁଳନୀୟ - ତମ ଅସ୍ତଜହ୍ନର ଜ୍ୟାମିତି !

 

ଆଜି ଏଠି ଅବାସ୍ତବ ଅବାଂତର ଆକାଶ ଆକାଶ

ପାଉଁଶର ପାତାଳରେ ଆମ ସାତପୁରୁଷର ସ୍ମୃତି...

ଶବ୍ଦ ତମ ଶଂଖଧ୍ୱନି : ସମାହିତ ସ୍ୱପ୍ନର ସମାସ

କାଗଜଫୁଲରେ ଫୁଟେ - କେଉଁ କାଳପୁରୁଷର କୃତି ?

ତୁଠର ତର୍ପଣ ତମ ତିରୋହିତ ତାରାର ତିମିରେ

ଜହ୍ନର ଏ ଜଉଘରେ ଜଳିଯାଏ ଜନ୍ମାଂତରବାଦ...

ପିତୃପୁରୁଷର ପୁଣ୍ୟ ପଖାଳିବୁ କେଉଁ ପୟୋଧିରେ ?

ବିଜନ ଏ ବାଲୁଚର ବୁଣିଯାଏ ବାଲିର ବିବାଦ !

ଅମଡ଼ାବାଟରେ ଆଜି ଅଟକିଚି ଆୟୁଷ ଆମର

ବିଲକୁ ଏ ବାଟ ନୁହେଁ । ନୁହେଁ କୋଳିବଣକୁ ଏ ବାଟ

ଏଠି ନାଇଁ ଆଟୁଘର, ଆଂବତୋଟା, ଆଲଟଚାମର

ଏ ବାଟରେ ବରାବର ବିଚଳିତ ବର୍ଷାର ବିଭ୍ରାଟ !

ତମେ ଠିକ୍‌ କହିଥିଲ : ବର୍ଷାଋତୁ ନିଷ୍ଠୁର ନିର୍ମମ

ଏ ମାଟିର ମର୍ମଦାହେ - ଆମେ ଖୋଜୁ ଚିହ୍ନାମୁହଁ ତମ !

ସହର ସରିଚି ସେଠି ସୂର୍ଯାସ୍ତର ସୁଡଂଗ ସେପଟେ

ସ୍ମୃତିର ସେ ସୁନାହାର ସରୁନଈ ସିଢ଼ୁଆର ସୁଅ...

କୁଆଁତରା କିରଣରେ କୋଶକୋଶ କୁହୁଡ଼ି କି କଟେ

ଅଂଧାରୁଆ ଅତୀତରୁ ଓହ୍ଲାଏ କି ଆବଚ୍ଛା ଆଲୁଅ ?

କଷି କେତେ କାମନାର କୁତୁକୁତୁ କିଶୋରୀ କଢ଼ିରେ

ଏତେ ନିଶା, ଏତେ ନିଦ... ଏତେ ଆଶା, ଏତେ ଆସନ୍ନତା

କେତେ ଗଜା ମରୁଡ଼ିରେ, କେତେ ଝଡ଼ି ବର୍ଷା ଓ ବଢ଼ିରେ

ଭୁଆସୁଣୀ ଭଉଁରୀର - ଏତେ ଭଲ ପାଇବାର ବ୍ୟଥା !

 

ଅଫୁରଂତ ଅବଶୋଷ ଅଫେରଂତି ଆଂବବଉଳରେ...

ଡାଳୁଅରେ ଡୋଳା ଡିଏଁ । ଡାଳେ ଡାଳେ ଡାହୁକର ଡାକ

କେଉଁଠି କାଂଦୁଚି କିଏ କଇଁଟିଏ କଦଂବମୂଳରେ

ଶଂଖାଚୂନା ସଖାଳୁ ତ - ସେ କାଂଦଣା ଶୁଭେ ବାଟଯାକ !

 

କୁରୁବକ କୁସୁମକୁ କହିଥିଲ କେବେ କେଉଁ କଥା

ଖଇକଉଡ଼ିର ଖରା କାଶବଣେ କୋଡ଼ିହୁଏ ମଥା !

 

ପ୍ରେମର ପ୍ରେତାତ୍ମା ଆମେ ପ୍ରାଚୀନ ଏ ପ୍ରାଚୀନଦୀ ତୀରେ

ପ୍ରବଂଚିତ ପ୍ରଜନ୍ମର ପ୍ରତୀକ୍ଷିତ ପ୍ରଚ୍ଛନ୍ନ ପ୍ରହରୀ...

ପ୍ରତିଥର ପ୍ରଶ୍ୱାସର ପରବର୍ତୀ ପୂର୍ବପ୍ରସ୍ତୁତିରେ

ମୁହୂର୍ତ ମୁହୂର୍ତ ମାତ୍ର ମାଗିନେଉ ମୁହୁର୍ମୁହୁଃ ମରି !

 

ଜହ୍ନ ଖୋଜି ତାରା ଖୋଜି, ଖୋଜିଖୋଜି ଫୁଲର ଫୁଆରା

କୁହୁଡ଼ିରେ କାକରରେ କଟାଇଚୁ କଳିକାଳତକ

ଗଳିଗଳି ଅର୍ଗଳିଟା ସରୁସରୁ ସୁଡ଼ଂଗଟା ସାରା

ଆମେ ବି ଖୋଜିଚୁ ଠିକ୍‌ ତମ ପରି ସରଳ ସଡ଼କ !

 

ଆମେ କିଂତୁ ଅଟକିଚୁ ଆମର ଏ ଅଂଧଦିଗଂତରେ

ଆକାରପ୍ରକାରହୀନ ଆୟତନ ଆଶ୍ଚର୍ଯ ଆଶ୍ଚର୍ଯ

ବାରଂବାର ବିକଳରେ ବଂଚିବାର ବାରୁଣାବଂତରେ

ମୋହ ଓ ମୁଦ୍‌ଗର ମେଧ୍ୟ ମୁହାଁମୁହିଁ ମୋକ୍ଷ ଓ ମାତ୍ସର୍ଯର୍ !

 

କେଉଁଠି କନକଚଂପା ? ପଦ୍ମ ହୁଏ କେଉଁଠି କାମିନୀ ?

କେଉଁଠି ବା କଟକର କାୟାଂତର : ଏକ ଉଜ୍ଜୟିନୀ ??

 

ଏ କାକତୀର୍ଥରେ କେତେ କଳହଂସ କେଦାର କରୁଣ

ସକରୁଣ ସବୁଠୁ ଏ ସମୟର ସ୍ୱରତାଳଲୟ...

ପୀଡ଼ିତ ବି ପରମାୟୁ । ପଡ଼ିରହେ ପିତୃମାତୃଋଣ

ତ୍ରସ୍ତତରଂଗର ତୀରେ - ଏ ସମୟ ଅସ୍ତରଂଗମୟ !

 

ଗୁମୁରେ ଗହନମନ ଗାଆଁଗାଆଁ ଗହୀର ଗହୀର

ଝୁରିହୁଏ ଝାଡ଼ବଣ ଝରାଫୁଲ ଝରଣାର ଝୋଟି...

ଦ୍ୱିତୀୟାଯାମିନୀତକ ଦ୍ୱିପ୍ରହର - ମୋ ପ୍ରାଣସହୀର

କୁଂଜକାଂତ କାନନରେ କେଉଁଠି ବା କୋଇଲିର କୋଠି ?

 

ଏ କାକତୀର୍ଥରେ କେତେ ବକବ୍ରତ ! ହଂସଧ୍ୱନି ହାୟ !

ପ୍ରେମର ଏ ପ୍ରେତାବର୍ତେ ପ୍ରାମାଣିକ ପ୍ରତି ପ୍ରତ୍ୟାଖ୍ୟାନ

ଏ ଆଶ୍ଚର୍ଯ ଅଭିସାର ଆଜି ଯଦି ଅଂତିମ ବିଦାୟ

ସଂପନ୍ନ କି ଶଂଖତୀର୍ଥେ ଶାମୁକାଏ - ସେ ସମୁଦ୍ରସ୍ନାନ ?

 

ଆମର ସରିବ ଶୋକ । ସରିଗଲା ତମର ଶୋଚନା

ଏ ସମୟ : ସକାଳକୁ - ସଂଜଟିଏ ସବୁଜ ସୂଚନା !

 

ଚଉଡ଼ା ଆକାଶ ତଳେ ନଈ ନା ଏ ଲଂବା ଦରଖାସ୍ତ

ଦରିଆର ଦପ୍ତରକୁ ? ଗୋଳି ହୁଏ ନେଳିଆ ତା ନାଆଁ

ଘୋଡ଼ିହେଲେ ଘାସବଣ ଗୋଡ଼ିବାଣଫୁଲର ସୂର୍ଯାସ୍ତ

ଢାଂକିଦିଏ ଦିଗ୍‌ବଳୟ ଦୂର ନଈ ଆରପାରି ଗାଆଁ !

 

ବେନାମୀ ଚିଠିର ପ୍ରେମ ଚୋରିହୁଏ ଡାକଘରୁ ଏଠି

ପବନର ପାଟିତୁଂଡ... ପଉଷର ପାଂପ୍‌ଲେଟ୍‌ପଢ଼ା

ବୋରଝାଂଜି ବୋଲରେ ବି ବରାବର ବୟସର ବେଠି

ଏ ଗାଆଁର ସୁନାରେ ସେ ସହରର ଗହଣା ତ ଗଢ଼ା !

 

ଅଳସ ଛୁଟିର ଖରା ଇତସ୍ତତଃ ଅସ୍ତବନସ୍ତରେ

ଚେନାଏ ମାଂସର ଫୁଲ : ମଫସଲ ତମ କବିତାର...

ଚିକ୍‌ମିକ୍‌ ସହରଟା ଶୋଇପଡ଼େ ପିକ୍‌ନିକ୍‌ ପରେ

ସକାଳୁ ସକାଳୁ ସ୍ମୃତି ସାରିଦିଏ ସ୍ୱପ୍ନର ସତ୍କାର !

 

କି ସ୍ୱପ୍ନ ବେତାଳ ହୋଇ ତମ ଓସ୍ତ ଗଛରେ ଓହଳେ ?

କି ସ୍ୱପ୍ନ ଅଂଧାର ଆଂକେ ଫାଶୀଦିଆ ବରଗଛ ତଳେ ??

ଯେଉଁମାନେ ଚାଲିଗଲେ କାଲିର ସେ ନାଲିସଡ଼କରେ

ବିତୁଥିବା ବୟସକୁ ବିଜୁଳିର ବୁଜୁଳା ବୁହାଇ

ମେଲାଣି ବି ମାଗିନେଲେ ମନର ଏ ମରୁ ମଡ଼କରେ

ସେମାନଂକ କଥା କିଆଁ ମନେପଡ଼େ ତୁହାଇ ତୁହାଇ ?

ଶଗଡ଼ଗୁଳାର ଶୋକ ସେମାନଂକ ସକାଳ ସକାଶେ

ସାନସାନ ସଂଜବତି ସେମାନଂକ ସାନିସଂଜ ପାଇଁ...

ସେ ଦେହର ଦିପହର ଦୋହଲେ କି - ଏ ଦେହର ଧାସେ ?

ଚହଲାପାଣିରୁ କିଏ ଛାଣିପାରେ ଚୂନା ଚଂଦ୍ରଛାଇ ?

କେବେ କେଉଁ କୃଷ୍ଣଚୂଡ଼ା ରସିଥିଲା ରାଧାତମାଳକୁ

ନେସିଥିଲା ନେଳିସ୍ୱପ୍ନ ନିଦୁଆଳୀ ନିଆଳୀର ପତା...

ସେସବୁ କାଲିର କଥା । ଏଠି ଆଜି ଦେଖିଲାବେଳକୁ

ଋତୁଋତୁ ରକ୍ତସ୍ରାବ... ରତିରତି ରାତିର ରିକ୍ତତା !

ଆଜି ତମେ ମନେପଡ଼ । ମନେପଡ଼ ସେମାନଂକ ସହ

ଯେଉଁମାନେ ଯାପିଥିଲେ ଯାମିନୀରେ ବିନିଦ୍ର ବିରହ !

ନିଆଁରେ ନିଖୋଜ ହୁଏ କେଉଁ କିଆ ଗୋହିରିର ଗାଆଁ ?

ପଉଷର ପବନରେ କେଉଁ ଫୁଲ ଫଗୁଣ ଫେରାର୍‌ ?

ହଳଦୀପାଣିରେ ହଜେ କେଉଁ ଗୋରୀ ନଗରୀର ନାଆଁ ?

ବୈଶାଳୀ ନା ଭଦ୍ରାବତୀ ? ବେବିଲୋନ୍‌ ? ବିଦିଶା / ବେରାର୍‌ ?

ମାଟିର ଏ ମଲାଟରେ ମଳିଚିଆ ମଲାଜହ୍ନ ମୁହଁ

ଶରତର ଶଣଫୁଲେ ଶିଶିରର ଶୀତଳ ଶୀର୍ଷକ...

ଚଂପାଫୁଲ / ପଦ୍ମଫୁଲ - ଏ ଭିତରୁ କେଉଁଟା ବି ନୁହଁ

ତମର କବିତା ଆଂକେ ଆକାଶର ଛିନ୍ନମେଘତକ !

ତମର କବିତାସବୁ ରକ୍ତାକ୍ଷରେ ରେଖାଂକିତ ଋତ

ଗୁଡ଼କଂକ ଘାସ ଆଉ ଗୁଗୁଚିଆ ଗହଳି ଭିତରେ...

ଉର୍ବଶୀ ଉର୍ବଶୀ ରାତି । ରୋମାଂଚିତ କୁମାରୀ ମାତୃତ୍ୱ

ତମର କବିତା ଆସେ ସହରକୁ ନିର୍ଜନ ଶୀତରେ !

ତମର କବିତା କହେ ଆଖି ଛୁଇଁ ଦୁଇପଦ କଥା...

କାନରେ କୁହରିଉଠେ କେଉଁ ବନ-କପୋତୀର ବ୍ୟଥା ?

(୨୦୦୪)

 

ଦୀପକ ମିଶ୍ର

(୭ ମାର୍ଚ ୧୯୩୮ - ୩୦ ଜାନୁଆରୀ ୨୦୦୮)

। ୧।

ଏ ମାଘର ମେଘରେ ମୁଁ ମଂଥୁନାଇଁ ମଥୁରାମଂଗଳ

ନିବାରୁଚି ନାବକେଳି ନାରାଚ଼ର ନାଗଫେଣୀ ନାଚ଼

ଝର୍କାକୁ ଝଟକା ମାରେ ଝିପିଝିପି ଝଡ଼ିବର୍ଷାଜଳ

ଆଜିର ଏ ଅସରାରେ ଅସରଂତି ଅକ୍ନର ଉବାଚ଼!

ଏ ମାଘର ମେଘରେ ତ ମନଟିଏ ପବନରେ ମିଶେ

ଫେରସ୍ତ ଫାଲ୍ଗୁନମାସ ପୌଷୋତ୍ତର ପୁଷ୍ପକବିମାନେ

ସ୍ୱୟଂବର ସ୍ୱପ୍ନସବୁ ସୁମରୁଚି ସ୍ୱର୍ଗଦ୍ୱାର କି ସେ?

ଭଲଥାଅ ଭାଗ୍ୟବତୀ, ଭଲଥାଅ ଭୋଗବତୀମାନେ!

ଛଟାଛଟା ଛାଇରେ ମୁଁ କୁଢ଼ଉନି କବିତାର କଟା

ଚାଲୁଚାଲୁ ଚାଲିଗଲ। ଚମକୁଚ଼ି ଚଂଦନର ଚମ...

ରୁଗଣ ରଇତର ଋତୁ ରଦ୍ଦ କରେ ରକ୍ତଗୋଲାପଟା

ତରାକୁ ତରକିଥାଏ ତଇଲାରେ ତଅପୋଈ ତମ !

ଏ ମକର ମାସରେ ମୋ ମାଘମଂତ୍ର ମେଘରେ ମଂଦ୍ରିତ

ତୁଳସୀକ୍ଷେତ୍ରର ତପ : ଶ୍ରୀକ୍ଷେତ୍ରର ଶିଖାୟିତ ଶୀତ !

। ୨।

ସମାପ୍ତ ସମାସସବୁ ସମାହିତ, ସମୟାଂତରିତ

ଶୀତସଂଧ୍ୟା ସମପୁର୍ଚି ସହରକୁ ସଂକ୍ରାମକ ସ୍ମୃତି

ଚାହୁଁଚାହୁଁ ଚାଂଦ୍ରାୟଣ - ଚକିତ ନା ଚର୍ଚିତ ଚରିତ

ଅତର୍କିତ ଅକ୍ଷରରେ ଅଂତର୍ହିତ ଆତ୍ମାର ଆବୃତ୍ତି !

ସହରରୁ ସରହଦ ... ସରିଗଲା ସୋରିଷର ସୀମା

ସଜ ସିଏ ସଂଜଟିଏ - ସରିବାକୁ ସାଢ଼େ ଛଅଟାରେ

ଜୁଇର ଏ ଜମାବଂଦି ଜହ୍ନର ସେ ଜାହାନ୍ନାରା ଜିମା

ତମକୁ ମୁଁ ତଲାସିବି ତରାରେ ନା ତିମିରାଭିସାରେ ?

ଇତିହୀନ ଇତିବୃତ୍ତ । ଆରଂଭର ଆଳତି ଆହୁରି

ବୃଷ୍ଟିର ଏ ବଳୟରେ ବୃଂଦାବତୀ ବଣାହୁଏ ବାଟ

ନିକାତ ନୌକାର ନିଜେ - ଆହେ ନାମୀ, ନାମଂଗ ନାଉରି,

ଯମୁନାକୁ ଯାଇଚ ନା ଗଂଗାକୂଳେ ଘେରେଇଚ ଘାଟ ?

ଏ ଗଳିର ଗୋଧୂଳିକୁ ତମେ ଆଉ ଆସିବନି ଥରେ

ବୃତ୍ତରେ ବୃତ୍ତରେ ବେଶ୍‌ ବୁଲୁଥିବ - ବୃଥା ମୁଁ ବୃଂତରେ !

। ୩।

ପଉଷର ପଦାବଳୀ ପଦ୍ମାବତୀ ପତ୍ରାବଳୀ ପାଇଁ

ସଂଜରେ ସାରୁଚ଼ି ସୁଖ-ସଂହିତାର ସଂଶୋଧନ ସିଏ

ଏ ମାଘର ମେଘବର୍ଷା ମେନକାଠୁ ମନ ମାଗୁନାଇଁ

କୋହକୁ କୋହଲା କଲା କଟକରୁ କେଂଦ୍ରାପଡ଼ା କିଏ?

 

କେଇଦଂଡରେ ମୁଁ କାଠ! କଚ଼ିହୁଏ କାଚ଼ର କୋଣାର୍କ

ଦେଉଳଟା ଦରଦେଖା - ଏ ଦହରେ, ଏ ଦୀପଦଂଡିରେ...

ସବୁ ଶୁଭ୍ର ଶୋକ ସତ୍ତ୍ୱେ ଶୁଭୁଥିବ ସେଇ ଶୁଭଡାକ :

କହ ଲୋ କେମିତି ଅଛୁ, ଓଡ଼ିଶା ତୁ, ଖମାରଖଂଡିରେ!

 

ସୁନେଲି ନିଆଁରେ ସିଏ ସରିଗଲା ସିଗାରେଟ୍‌ଧୂଆଁ

ଖାଲିଖାଲି ଖୋଳରେ ମୁଁ ଖୋଜୁଥିବି ଖିଆଲର ଖିଅ

ସ୍ମିତରେ ସୀମିତ ସିନା ସାନବୋହୂ ସୁନାମୁହଁଚୁହାଁ

ବସିଚ଼ କି ବଉଦରେ ବଉଦୀର ବଳଦେବ ଦିଅଁ!

 

ଦୁଃଖକୁ ମୁଁ ଦେଖୁଥିବି ଦୀପତଳ ଦାରୁଣ ଦାଗରେ

ଏ ଦୀପ ଦିନକୁ ଦହେ - ଦିନାଂତର ଦୀପକରାଗରେ!

 

। ୪।

ଏ ଶଯ୍ୟା ହିଁ ଶେଷଶଯ୍ୟା। ଶୋକାପ୍ଳୁତ ଶୀତର ଶୁଶ୍ନଷା

କଳଂକକୁ କରାଇଚ କଜଳ ତ କଳାବଦନରେ

ତୁଳସୀପତ୍ରରେ ତମେ ତାପସୀର ତିଳତିଳ ତୃଷା

ଚଂଦ୍ରମଲ୍ଲିକାର ଚିତ୍ର ଚିହ୍ନାଇଚ ଚୁଆଚଂଦନରେ !

 

ପରାସ୍ତ ପରାହ୍ନ ପରା ପରଖିଚ ପରସ୍ତ ପରସ୍ତ

ଭଲ ଅଛ ଫୁଲଗଛ ? ଭଲ ଅଛ ଫସଲକ୍ଷେତ କି ?

ହେନା ଲୋ ହଜାଇଦେଲି ହାନିଲାଭ ହିସାବଦୋରସ୍ତ

କିସାଗୌତମୀର କଥା କହୁଚି କି କିଆକୁ କେତକୀ ?

 

ଏ ତନୁ ଅତନୁ ଏବେ। ଅପର୍ଣାର ଅପରାହ୍ନ ଅବା

ସଂଶୋଧିତ ସଂଶୟରେ ସରିଆସେ ସଂକ୍ଷିପ୍ତ ସମୟ

କଳିଂଗର କଟିବଂଧେ - କି କପଟ ସୂର୍ଯାସ୍ତର ସଭା

ଏ ମହାଭାରତବର୍ଷ ମନେହୁଏ ମାୟାସଂଧ୍ୟାମୟ !

 

ନିରବଧି ନାଭିଶ୍ୱାସ ନୀରବିତ ନଭୋମଂଡଳରେ

ନିର୍ଜନ ନକ୍ଷତ୍ର ମତେ - ତମ ତୁଠ ନିମଂତ୍ରଣ କରେ !

 

। ୫।

ଏଥର ରକ୍ତରେ ରାତି। ଶୋଇପଡ଼, ଶିରୀଷଫୁଲ ଗୋ

ଦୋଳ ଦିନ ଦେବତୀକୁ ଦୋଳେଇଟେ ଦେଇନଥିବି ମୁଁ

ଏଥର ଲୁହରେ ଭୋର୍‌। ଭୁଲି ମତେ ପାରିଲେ ଭୁଲ ଗୋ

ଚୁମା ନିଅ ଚଂପାଫୁଲ, ଚଇତରେ ଚେଇଁନଥିବି ମୁଁ !

 

ଏଥର ଶବ୍ଦର ଶୀତ ସିଆଁଉଚି ସଫେଦ୍‌ ଚାଦର

ଅନୁରକ୍ତ ଅତୀତକୁ ଉତାରୁଚି ଅନୁଷ୍ଟୁପ୍‌ କରି

ଅହଲ୍ୟାର ଆକ୍ଷିରେ ତ ଓଦାଓଦା ଓଠର ଆଦର

ପ୍ରାଚୀନ ପ୍ରେମିକାମାନେ ପ୍ରବାହିତ ପ୍ରାଚୀନଦୀ ପରି !

 

ଏଥର ଲୁହର ରଂଗ ରକ୍ତଠାରୁ ଲୋଡ଼ୁଚି ଲୋହିତ

ଏଲୋରୀୟ ଅଂଧକାର ଆଲୋଡୁଚି ଐଶୀ ଏଲୋକେଶୀ

ଆସଂତା ବସଂତ ଆଗୁ ଆଜିର ଏ ଅପୁଷ୍ପକ ଶୀତ

ନୂଆବୋଉ ନଖରୁ ସେ ନାଲିତକ ନେଇଚି କି ନେସି ?

 

ଶୀତର ଏ ଶେଷମାସ ଶବାସନେ ଶୋଇପଡ଼ିଲାଣି

ଗଦାଗଦା ଗଜରାରେ ଗୋଛାଗୋଛା ଗୋଲାପର ଗ୍ଳାନି !

 

। ୬।

ତମର ନାୟିକା ନୁହେଁ ନାଳଂଦାର ନୀଳାଂବରା ନାରୀ

ଅଳ୍ପ ଅଲକ୍ତରେ ଅବା ଆରକ୍ତ ସେ ଅଧିକମାତ୍ରାରେ

ତୁରସ୍କର ତୁରଂଗରେ ତୁରଂତ ଏ ତୁରୀୟତା ତାରି

ତମ ପାଇଁ ଗ୍ରୀଷ୍ମଋତୁ ନିସ୍ତରିଲା ନିଦାଘଯାତ୍ରାରେ !

 

ତମର ପ୍ରେମିକା ନୁହେଁ ପାରସ୍ୟର ପ୍ରୋଷିତଭତୃର୍କା

ବରବର୍ଣିନୀର ବେଣୀ ବାରହାତ ବଢ଼ୁନି ଲଂବରେ

ମୁହେଁମୁହେଁ ମୁଚାଲିକା। ମୁଚୁଳାରେ ମୁଚୁକୁଂଦୀ ମୁଖା

ତମ ପାଇଁ ବର୍ଷାଋତୁ ବିତିଗଲା ବିନା ବିଳଂବରେ !

 

ତମର ମାନସୀ ନୁହେଁ ମୋଲାୟମ୍‌ ମୋଗଲରମଣୀ

ନିର୍ବିଶେଷ ନାଭିଦେଶ ନିରୀକ୍ଷିତ ନିଷିଦ୍ଧହ୍ରଦରେ...

ଅନାଗତ ଫାଲ୍ଗୁନରେ ଅନାଦାୟ ରହିଲା ରଂଗଣୀ

ତମ ପାଇଁ ଶୀତଋତୁ ସରିଗଲା ଶୋକସଂବାଦରେ !

 

ଜିନିଆର ଜଲ୍‌ସାରେ ଜଳିଗଲା ଜାନୁଆରୀ ମାସ

ନ ଥିବାର ନଥି ନେଇ ନିରୁତ୍ତର ନିଥର ନିଃଶ୍ୱାସ !

 

। ୭।

ପ୍ରଥମତଃ ପ୍ରାରବ୍ଧ ହିଁ ଆରବ୍ଧ ଏ ଅସମାପିକାରେ

ଦଶନଖ ଦର୍ପଣରେ ଦର୍ଶିତବ୍ୟ ଦଂତ୍ୟବର୍ଣମାଳା

ଏ ଧୂଳିର ସିଂହାସନ ସୁଧର୍ମାର ସଭାକୁ ଧିକ୍କାରେ

ଋତଂଭର ଋକ୍‌ରେ ହିଁ ରଚିଅଛ ରୂପକଳ୍ପଶାଳା !

 

ଦ୍ୱିତୀୟତଃ ଦିବସ ଓ ଦ୍ୱିପ୍ରହର ଦ୍ବୈତଯୁଦ୍ଧରତ

ସେ ଅରଣା ମଇଁଷିର ଶିଂଘମାନ ମୁନଯାକେ ମୋଡ଼ା

ହାୱାର ଆୱାଜ୍‌ ଆଣେ ହାତୀଗୁଂଫା : ଅଶ୍ୱଥମା ହତ

କାକରକୁ କୁଳି କରେ କୋଣାର୍କର କ୍ଳାଂତ କଳାଘୋଡ଼ା !

 

ତୃତୀୟତଃ ତମେ ଯଦି ଦେଶାଂତରୀ ଦ୍ୱିତୀୟ ଈଶ୍ୱର

ନିଶାଚ୍ଛନ୍ନ ନିଦରେ ହିଁ ମିଶାଇଚ ମିଛରେ ମୃତ୍ୟୁକୁ

ଶୋକର ପୋଷାକପିଂଧା ଶବ୍ଦର ମୁଁ ଶରବିଦ୍ଧ ସ୍ୱର:

ଦଂଡିତର ଦଂଡବତ ଦିଆହେଉ ଦୁଃଖିନୀଋତୁକୁ !

 

ଅଧା ଆହା ସଂଧ୍ୟା ଆଜି। ଅଧାଅଧା ମଧ୍ୟାହ୍ନର ଛାଇ

କାଲିଠୁ ତମର ମତେ - କିଛି କିଂତୁ କହିବାକୁ ନାଇଁ !

(୨୦୦୮)

 

ଅକ୍ଷୟ ମହାଂତି

(୧୨ ଅକ୍ଟୋବର ୧୯୩୬ - ୧୭ ନଭେମ୍ବର ୨୦୦୨)

। ୧।

ନିଦ ଆଜି ନିଭିଯାଏ - ଆଖି ତଳୁ ଅଳସୀକନ୍ୟାର

ଗୋଧୂଳିର ଗୋପପୁରେ ଗୁଣୁଗୁଣୁ ଗୀତର ଗୁଂଜନ...

ବୟସର ବାଲୁବଂତେ - ବାଟଚଲା ବିଳାସୀ ବନ୍ୟାର

ଚେଇଁଉଠେ ଚିତ୍ରଲେଖା ... ଚିହ୍ନାଚିହ୍ନା ଚେନାଏ ଚୁଂବନ !

ଚହଟୁଚି ଚଂଦ୍ରମଲ୍ଲୀ ଚଂଦ୍ରମାର ଚଂଦନବିଂଦୁରେ...

ମଉଳା ମଲ୍ଲୀର ମାଳେ ମୁହଁ ପୋତେ - କେଉଁ ମଦାଳସୀ ?

କୁଂକୁମର କାବ୍ୟତାରା ଶୋକ ସିଂଚେ ସଂଜର ସିଂଦୂରେ

ଅଶ୍ରୁର ଅତରେ ଆଜି ଓଦାଓଦା ଅୟସୀ ଅତସୀ !

ତାନ ତୋଳେ ତଅପୋଈ ତୁନିତୁନି ତାରାର ତୁଠରେ

ବଧୁଲି ଓଠରେ ବୋଧେ ବିଦାୟର ବିଷଣ୍ଣ ବେପଥୁ...

ଯାତନାର ଯାଯାବର ଜନ୍ମ ନିଏ ଜହ୍ନର ଜଠରେ

ପରଦେଶୀ ପଥୁକିଟା - ଫେରେନାଇଁ ଫୁଲପକା ପଥୁ !

କିଏ କହେ ଖୋକାଭାଇ, ତମେ ଥିଲ କଟ୍ଟର୍‌ କଟକୀ?

“କଟକ”ରେ ନୁହେଁ କେବେ – “କଟାକ୍ଷ”ରେ ଥିଲ ତ ଅଟକି!!

। ୨।

ଟପର ଟପର ବର୍ଷା ଟଗରରେ ଟାଣିଯିବ ଗାର

ମଲାଂଗର ମୁକାମରେ ମଲାଜହ୍ନ ମଉଳିବ ଧୀରେ...

ପାଂଚପଳ ଖଇରରେ ଟଳମଳ ରକତ କାହାର ?

ପାପର ପଳାଶଫୁଲ ଫୁଟୁଥିବ ପୁଣ୍ୟତୋୟା ତୀରେ !

ଦେହ ନାହିଁ। ଦାହ ନାହିଁ। ଦୋଦୋଚିହ୍ନା ଦୁନିଆର ଦ୍ୱାହି...

କଳଂକର କଂଟକରେ କ୍ରୁଶବିଦ୍ଧ କଳାକାର ଜଣେ

ଲୁହ କିଛି ପୋଛିବାକୁ ଖୋଜିଥିଲା କାନିଟିଏ କାହିଁ

ପଳାତକ ଫଗୁଣ ତା - ଫିକା ହେଲା କେଉଁ ଫୁଲବଣେ ?

ଅଳ୍ପ ନୁହେଁ ଗଳ୍ପ ତାର ! ଇତିହୀନ ଗୀତି ଆଉ ଗାଥା,

ବେଦନାର ବେଦୁଇନ୍‌ ଭିଜିଥିଲା ଭସାମେଘଧାରେ...

ବଦନାମୀ ବୁଲ୍‌ବୁଲ୍‌ ବୋହିଥିଲା ବୋଝବୋଝ ବ୍ୟଥା

ପୋଡ଼ିଥିଲା ପର ତାର ପ୍ରେମିକାର ଚିଠିର ଚିତାରେ !

କିଏ କହେ ଖୋକାଭାଇ, ତମେ ଥିଲ ଅଥୟ ଅକ୍ଷୟ?

ହୃଦୟର ହସ୍ତାକ୍ଷରେ - ତମେ ତମ ଆତ୍ମପରିଚୟ !!

। ୩।

କାର୍ତିକର କାରୁଣ୍ୟରେ କୋଳପୋଛା କୋହର କାକର

ଅନେକ “ଉହୁ”ରେ ଊହ୍ୟ “କୁହୁ”ଟିଏ କିଏ କେବେ ହେଲା?

ସୁର୍‌ ସରେ ସିତାର୍‌ରୁ... ଶୁନ୍‌ଶାନ ସପନ ସାଗର

ତୁନ୍‌ତାନ୍‌ ତାନ୍‌ପୂରା - ବହି ବଂଦ୍‌ - ବାଜୁନି ବେହେଲା !

କିଏ ଗଲା କୁହୁଡ଼ିରେ କାତ ବାହି କାଗଜଡଂଗାରେ

କାକରପାଣିକୁ କାଟି କିନାରାରେ କାଂଦେ କୋଜାଗର

ଅଂତ ହେଲା ଆତ୍ମଲିପି କାହାର ଏ ଅଜସ୍ର ଅଂଗାରେ

ଜୁଇଆଲୁଅରେ ଆଜି - ଯାଏ ଏଠୁ - କେଉଁ ଯାଯାବର ?

ତୋପର ସଲାମି ସରେ। କଥାସବୁ କାହାଣୀର କଢ଼ି

ସତୀଚଉରାରେ ସେଠି ସ୍ମୃତି ଜଳେ ସଂଜବତି ହୋଇ

ଆସଂତନି ଖୋକାଭାଇ, ଆଉଥରେ ଅଧାଗପ ପଢ଼ି

ଗଜରାରେ ଗୀତ ଗୁଂଥି - ଗଜଲ୍‌ରେ ଗଳା ପୁଣି ଧୋଇ !

ଅଫେରାନଦୀରେ ଢେଉ ... ଏପାରିରେ ଲୁହର ଲହର

ଅନେଶୋତ ରାଣୀ ଥାଇ ନିଶବଦ ନୀଡ଼ରୁ ନଅର।

। ୪।

କୁହୁଡ଼ିର କତରାରେ ଶୋଇପଡ଼େ ସହରର ଶୀତ

ମାଗୁଥିବ ମଗୁଶିର ଗୋପମାର୍କା ଗାଈଆଳ ଗାଆଁ

ନାଲିପାନ ବିବି ବୋଧେ ବୁଝିବଣି ନାଉରିଆଗୀତ

କଦଳୀପଟୁକାକଡ଼େ ଟଳମଳ କାଗଜର ନାଆ !

 

ସଂବଲପୁରର ନନୀ ନଈତୁଠେ ସାରିନି ସିନାନ

ଗୁପତ ତା ଗଳାହାର ... ଗାଳି ଖାଏ ଗୋଳିଆ ଗହୀର

ପଚାରେ ହୁଂଡୀକୁ କିଏ : ପଇସାରେ କେଇଖଂଡି ପାନ

ଗୋଧୂଳିର ଗୁଆକାତି କାଟିଯାଏ ଖରାର ଖଇର !

 

ଶାବନା ଏ ସମୟଟା ସାଲୁବାଲୁ ସାଉଁଟା ସଂଜରେ

ଭଲ ତ ଲାଗୁନି ମୋଟେ ଭିଡ଼ଭାଡ଼ ବୋଇତଭସାଣି

କଟକର କଟାଗୁଡ଼ି କାନି ଖାଏ କେଉଁ ରାଇଜରେ?

ମନଟା ମାଦଳ ମାତ୍ର ମୁଲକଟା ମଶାଣିମଶାଣି !

 

ମୌନାବତୀ ମହାନଦୀ। କାଠଯୋଡ଼ୀ କଥା କହୁନାଇଁ

ଗାଆଂତନି ଗୀତ ଗୋଟେ ଖାତା ଖୋଲି - ହୋ' ଖୋକାଭାଇ !

 

। ୫।

ପଉଷସଂଜରେ ଦିନେ ଆୟୁଷଟା ବାଜି ମାରେ ଯଦି

ବୟସର କୃଷ୍ଣଚୂଡା ତମକୁ ହିଁ ଭଲପାଉଥିବ

ଯୂଇଜାଇ ଜାତକରେ ଜିଉଥିବ ଯୁଗଯୁଗାବଧି

ଅଥଚ ଏ ଅସମାପ୍ତ ଅପରାହ୍‌ଣ ଅତିଷ୍ଠ ଅତୀବ !

 

ମାଘ ଯଦି ମୁହାଁଇବ ବଗିଚାକୁ ବିଚିତ୍ରବର୍ଣାର

ଫଗୁଣ ଫେରିବ ଫେର୍‌ - ଫୁଲର ଏ ଫାଟକ ଫିଟାଇ

ମଧୁଶାଳା ମୁଜରାରେ ମୃତ୍ୟୁ ନୁହେଁ ମୁଖ୍ୟସମାଚାର

ବଜାରରେ ବୁଲୁଥିବ ବ୍ୟାଂଡ଼୍‌ପାର୍ଟି ତମ ଗୀତ ଗାଇ !

 

ଚଇତ୍ରର ଚିଠିପତ୍ର ଚିରୁଥାଉ ବଇଶାଖ ଏଠି

ପାନଶାଳା ପାଂଥଶାଳା - ଏ ପୀଠରେ ଏତେ ପାଖାପାଖି?

କେଉଁଠାରେ ଅଛ ତମେ? ସ୍ୱର୍ଗପୁରେ? ସ୍ୱପ୍ନପୁରେ? ସେଠି

ତୀରର ନାମ କି ତଂଦ୍ରା? ନଦୀ ନାମ ଅଳସକନ୍ୟା କି?

 

ଚଂଦ୍ରାର ଚାମୁଚେ ଚା ... ଚୁମ୍‌କିର ଚୁମା ଛୋଟଛୋଟ

କୁଆଁତରା କୁହା ମାନି ଖୋକାଭାଇ, ଖୋଲଂତନି ଓଠ !

 

। ୬।

ଫୁର୍‌କିନା ଫେରାର୍‌ ସେ ବଣିଟେ କି ଫେରିବାର ଥିଲା ?

ସଜଳ ସଂଗୀତସବୁ ଶରତର ସଜଫୁଲ ପରି

ରଂଗଲତା ରୁଷିଲେ ବି ରଜାଝିଅ ରଂଗିଲା ରଂଗିଲା

ସ୍ୱରସବୁ ସ୍ୱପ୍ନ ହୁଏ - ସ୍ୱଗତକୁ ସାରେଗାମା କରି !

 

ଦଶରାର ଧୂଳିଦାଗ ରତନୀର ପାଟପତନିରେ

ପ୍ରେମିକାର କ୍ଲିନିକ୍‌ରେ କୁନି ଗୋଟେ ବାଲିଯାତ୍ରା ଭିଡ଼

ନାୟକ ଗାୟକ ହୁଏ - ନୁନ୍‌ ସୋ' ନିସ୍ତରଂଗ ଧୀରେ

ଜୟା / ଜାୟା : ସବୁ ମାୟା। ଆର୍ଯ ଦାସ ଦୁଃଖିତ ଦ୍ରାବିଡ଼ !

 

ବାମପଂଥୀ ବାଟ ଭୁଲେ। ସାବି ସାବି ସ୍ୱାତୀ ସରସ୍ୱତୀ

କଣା କେତେ ମାଠିଆରେ ବଣା ହୁଏ ମହାନଦୀପାଣି

ବାହା ବାହା ଆମେରିକା - ଆହା ଜଳେ ବିମାନର ବତି

କିଏ ଜିତେ? କିଏ ହାରେ? ମଲାଜହ୍ନ ମାଗୁଚି ମେଲାଣି !

 

କଥା ଦିନେ ଦେଇଥିଲ, ଖୋକାଭାଇ, ଆସିବ ଲେଉଟି

ଗୀତି ସିନା ସ୍ମୃତି ହେଲା - ଏଇ କଥା ରହିଲା କେଉଁଠି ?

 

। ୭।

ସବାରି ଚାଲୁନି ଏଠି ଧୀରେଧୀରେ ସଡ଼କରେ ଆଉ

ସାଉଁଟୁନି ସାଧବାଣୀ ଶାମୁକାରେ ସମୁଦ୍ରର ଶୋଷ

ଘଂଟାକଂଟା ମିନିଟ୍‌ରେ ପୂରୁ ପଛେ ପ୍ରେମ, ପରମାୟୁ

ସୁନାଇଲିଶିକୁ ନେଇ ଅସରଂତି ଆଶା ଅବଶୋଷ !

 

ଧୂସର ଧୀବର ଘୂରେ ଘାଟସାରା ଗଡ଼ଗଡିଆର

ପାଟଜେମା ପଳାଇଚି ପଛପଟ ପାଚେରିଟା ଡେଇଁ

ଅଘୋରୀ ଅଂଧାରେ ଏଠି ଡକା ଡୁବେ ବଡ଼ବଡିଆର

ଘୁମଉଚି ଘାସଫୁଲ ଘୋଳାବିଂଧା ଘୋଡ଼େଇଘାଡ଼େଇ।

 

 

ବାହୁନୁଚି ବାରବାଟୀ। ତେରନଈ। ତିରିଶିଟା ଜିଲା

ଖଡ଼ିଆଳୁ ଖରସୁଆଁ - ଚିକାଗୋରୁ ଚାଇଁବସା ଛାଏଁ

ଟେନ୍‌ସାରୁ ଟେକ୍‌ସାସ୍‌ ... ଟିକି ଟାପୁ ... ଟାଂଗିରୁ ଟିଟିଲା

ଚିଲିକାରୁ ଚିପିଲିମା - ପିପିଲିରୁ ପାରାଦୀପଯାଏଁ !

 

ଭୁଲୁନାଇଁ ଭାଉଜୋଉ, ବାହୁନୁନି ବାରିଆଡ଼େ ବୋଉ

ତମ ବିନା ଖୋକାଭାଇ, ଆମେ କେଡ଼େ ନିଛାଟିଆ ନୋହୁଁ ?

(୨୦୦୨)

 

Unknown

ରାଧାକୃଷ୍ଣ ଭଂଜ

(୫ ନଭେଂବର ୧୯୨୮ - ୨୨ ମଇ ୨୦୦୩)

ମନା ଆଜି କରିଦିଏ ନାଚିବାକୁ ମେଘକୁ ମୟୂର

ଉଡ଼ିଯାଏ ଗେଂଡାଳିଆ ଗାଆଁ ଛାଡ଼ି । ଘୁମୁରେନି ପାରା

ଶିମିଳିପାଳର ଶାରୀ ସାରିଦିଏ ସବୁତକ ସୁର

ସରିଗଲା ସାରେଗାମା ... ସାତ ସ୍ୱର : ସାତଟି ସିତାରା !

ଝୁମି ଝୁମି ଝୁରି ଝୁରି ଝରିଗଲା ଝୁମର ଝରଣା...

ଝାଂଜିରେ ଝାଉଁଳିଯାଏ ଝୁମୁଝୁମୁ, ଝୁମୁରୁ ଝୁମୁରୁ

ଫେରିବନି ପ୍ରଜାପତି ଫୁଲବଣେ ପିଇବାକୁ ପଣା

ଆସର ଉଷୁମ୍‌ କରେ ଉଲଂଗିନୀ ଊର୍ବଶୀର ଊରୁ !

ମାଦଳର ମନାସରେ ମିଶୁନାଇଁ ମହୁଲର ମହୁ

ବଳଂଗନଈରେ ବୋଧେ ଭସାମେଘ ଭାଂଗୁନି ଭଉଁରି

ଛପିଲାଣି ଛଣବନେ ଛଟପଟ ଛାଇଂକର ଛଉ

ଚୁପିଚୁପି ଗୋରୀକାନେ କଥା କିଛି କହୁନି ମହୁରି !

ଦୂର କେଉଁ ପାହାଡ଼ରୁ ସୁର ଆଉ ସାଉଁଟୁନି ସଂଜ...

ସୁରଭିତ ସେ ସଂଜର ଶିରୋନାମା : ରାଧାକୃଷ୍ଣ ଭଂଜ ।

(୨୦୦୩)

 

ଭିକାରୀ ବଳ

(୨୫ ମଇ ୧୯୨୯ - ୨ ନଭେଂବର ୨୦୧୦)

ଏ ଗୀତର ଗୁମାନରେ ଗୋଟିପୁଅ ଗପର ଗହଳି

ଏ ଚାରଣ-ଚର୍ଯାରେ କି ଚଂଦ୍ରାବତୀ ଚେତା ବୁଡ଼ିଯାଏ ?

ଚଉପଦୀ : ଚଉହଦି - ଚଂପୂମାନ ଚିନିଚଂପାକଳି

ଶ୍ରୀକ୍ଷେତ୍ର ନା ନକ୍ଷତ୍ରକୁ ମନପାରା ଉଡ଼ିଉଡ଼ିଯାଏ ?

ଭଗତର ଭଜନରେ ଭିଜିଲାଣି ଭୋର୍‌ର ଭଣିତା

ତାବଲାର ତାଳେତାଳେ ତାନାନାନା ତାଳପତ୍ରପୋଥି

ମହାପ୍ରୁକୁ ମଣିମା କି ମଣିମାକୁ ମହାପ୍ରୁ ମଣିଥା

ଏ ଜନ୍ମର ଜୁଇଟିଏ ଜଳିଜଳି ଜଗନ୍ନାଥଜ୍ୟୋତି !

ଗରୁଡ଼ସ୍ତଂଭକୁ ଗୁଣି ଗୁହାରିଟେ ଗାଅ ଗରାବଡୁ,

ନିଃଶ୍ୱାସର ନିଶାନାଶ - ନୀଳଚକ୍ର ନିଳୟ ନିକଟେ

ପତାର ପଥର ପାଖେ ପାଣିଗାର ପଡୁ କି ନ ପଡୁ

କାଳିଆକୁ କଂଦଉଚି କଟକର କଳାକାର୍ତିକଟେ !

ସୁଦାମାର ସୁଖନିଦ୍ରା ସୋବଳର ସାରେଗାମା ସାରି

କୋଠ ସିନା ଭୋଗଭର୍ତି - ଓଠ ଏଠି ଭିକାରି ଭିକାରି !

(୨୦୧୦)

 

ଶୁଭକାଂତ ବେହେରା

(୫ ଜୁନ୍‌ ୧୯୬୨ - ୯ ନଭେଂବର ୨୦୧୨)

ଚିତାଗ୍ନିର ଚିରାଗ ତୋ ଚୁମୁଅଛି ଚକ୍ରତୀର୍ଥ-ଚୂଳ

ଅନେକ ପଛରେ ଏବେ ଏରୋଡ୍ରମ୍‌ ଅଥବା ଏଂବାସୀ

ମନେଅଛି ମେଲ୍‌ବୋଣ୍‌ର୍ । ମନେଥିବ ମହାନଦୀକୂଳ

ଏମିତି କିଏ ବା ଫେରେ ଓଡ଼ିଶାକୁ ଅଷ୍ଟ୍ରେଲିଆ ଆସି !

ମସ୍କୋର ମାହେଂଦ୍ରମେଘ ଆମେରିକା ଆକାଶର ଆଶା

ଭୁଲିନୁ ତୁ ଭୁଲ୍‌ରେ ବି ବୁଲୁବୁଲୁ ବୁଲ୍‌ଗେରିଆରେ

ଏ କୃଷ୍ଣପକ୍ଷରେ କାଂଦେ କାର୍ତିକର କୁଂଠିତ କୁୟାସା

ଫିକାଫିକା ଫିରିକିର ଫେରିକୁ ତୁ ଫେର୍‌ ଫେରିଆରେ !

ଅଧା ଆୟୁଷରେ ଅଂକା ଅରୁଂଧତୀ ତାରାର ତାଲୁକା

ଏକାଂତ ଏ ଏକାବନ ଅକସ୍ମାତ୍‌ ଏକ ଅସମୟ...

ଶୋକ ଯଦି ସାଗର ତୋ, ସ୍ମୃତିସବୁ ଶଂଖ ନା ଶାମୁକା ?

ଦେଖଣାହାରିର ଦେଶ - କି ଘଟଣା-ଦୁର୍ଘଟଣାମୟ !

ଏ ଶୀତରାତିର ଜହ୍ନ ଇଂଚେ ଆଉ ଉଠୁ କି ନ ଉଠୁ

ସ୍ୱପ୍ନ ନ ସରିବା ଯାଏ ନିଦରେ ତୁ ଶୋଇଥାଆ, ଟୁଟୁ !

(୨୦୧୨)

 

ସୁସ୍ମିତା ବଂଦ୍ୟୋପାଧ୍ୟାୟ

(୧୯୫୬ – ୨୦୧୩)

 

“ଭାରତବାସୀ ତଥା ବିଶ୍ୱବାସୀ ନାରୀମାନଂକୁ ମୋର ବିନୀତ ଆହ୍ୱାନ : ଆପଣମାନେ ସମସ୍ତେ ମୋ ସଂଗ୍ରାମକୁ ଉପଲବ୍ଧି କରଂତୁ, ପ୍ରତିବାଦ କରଂତୁ ନାରୀଜାତିର ଚୂଡ଼ାଂତ ଅବମାନନାର, ଭାଗୀଦାର ହୁଅଂତୁ ନିପୀଡ଼ିତ ନିର୍ଯାତିତ ଝିଅମାନଂକର ।”

 

( ବଂଗଭୂମିର ବ୍ରାହ୍ମଣତନୟା ସେ - ସୁସ୍ମିତା । ଭଲ ପାଇ ବସିଲେ ସୁଦୂର ଆଫ୍‌ଗାନିସ୍ତାନର ଜଣେ ପଠାଣ ଯୁବକ ଜାନ୍‌ବାଜ୍‌ ଖାନଂକୁ । ସମାଜର କଡ଼ା କଟକଣା ଆଉ ସ୍ୱଜନମାନଂକ ବିରୋଧ, ଭର୍ତ୍ସନା - କିଛି ନ ମାନି, ନ ଶୁଣି, ସେଇ ଆଫଗାନ୍‌ ଯୁବକ ଗଳାରେ ବରଣମାଳା ପିଂଧାଇ, ବୋହୂ ହୋଇ ସେ ଚାଲିଗଲେ ଶାଶୂଘର... ଆଫଗାନିସ୍ତାନ । ସେଠି କିଂତୁ ସ୍ୱପ୍ନ ଭାଂଗିବାକୁ ବେଶୀଦିନ ଲାଗିଲାନି ମୋଟେ । ତାଂକୁ ସେଠି ଛାଡ଼ିଦେଇ ସ୍ୱାମୀ ନିଜ ବ୍ୟବସାୟ ତାଗିଦାରେ ବାହୁଡ଼ି ଆସିଲେ କୋଲକାତା ।

 

ତା’ପରେ ?

 

ଆରଂଭ ହେଲା ତାଂକ ଉପରେ ଶାଶୂଘର ଲୋକମାନଂକ ଅକଥନୀୟ ଅତ୍ୟାଚାର । ପ୍ରଚଂଡ ଧର୍ମାଂଧ ଓ ରକ୍ଷଣଶୀଳ ସେମାନେ । ଚାରିକାଂଥର ଚଉହଦି ମଧ୍ୟରେ ବଂଦିନୀ ବିହଗୀ ପରି ଛଟପଟ ହେଉଥାଂତି ସୁସ୍ମିତା... ଶାଶୂଘର ଯେମିତି ତାଂକ ପାଇଁ ଜଘନ୍ୟ ଯଂତ୍ରଣାର ଜତୁଗୃହ...ଭୟଂକର ବଂଦୀଶାଳାଟାଏ !

 

ଏସବୁ ହେଉଛି ୧୯୮୯-୯୦ ଆଡର ଘଟଣା ପ୍ରବାହ ...

 

ତାଲିବାନ୍‌ ଓ ରାବ୍‌ବାନୀ ସେନାବାହିନୀ ମଧ୍ୟରେ ଏତିକିବେଳେ ଆରଂଭ ହୋଇଯାଏ ଘମାଘୋଟ ଯୁଦ୍ଧ । ଶାଶୂଘର ବଂଦୀଶାଳାରେ ଏଣେ ଜାରି ରହିଥାଏ ସୁସ୍ମିତାଂକ ସଂଘର୍ଷ... ଶାଶୂଘର ପରିବାର ସହିତ - ଆଉ ନିଜ ସହିତ ବି ! ଏମିତି ବିତିଯାଏ ବିକ୍ଷୁବ୍ଧ ବ୍ୟଥାବେଦନାର ଆଠଟି ଅତିଷ୍ଠ ବର୍ଷ ! ତା’ପରେ.... ନାରକୀୟ ନିର୍ଯାତନାର ସେଇ ନାଗପାଶରୁ ସୁସ୍ମିତା କିପରି ନିଷ୍କୃତି ପାଆଂତି, ଆଫଗାନିସ୍ତାନ ଓ ପାକିସ୍ତାନ ଟପି କିପରି ଆସି ପାଦ ଦିଅଂତି କୋଲକାତାରେ - ଏହାର ଏକ ଲୋମହର୍ଷକ ସତ୍ୟପାଠ ୧୯୯୮ରେ ପ୍ରକାଶିତ ‘କାବୁଲିବାଲାର ବଂଗାଳୀବଧୂ’ ।

 

ଏକ ଉଗ୍ର ମୌଳବାଦୀ ସମାଜତଂତ୍ରର ଉତ୍କଟ ଅନୁଶାସନ ଏବଂ ରୁଗ୍‌ଣ ରୂଢ଼ିବାଦୀ ରକ୍ଷଣଶୀଳତାର ଘନଘୋର ଅଂଧକାର ମଧ୍ୟରେ ଜଣେ ସାଧାରଣ ଗୃହବଧୂର ଅସାଧାରଣ ଓ ଏକକ ମୁକ୍ତିଯୁଦ୍ଧର ମାର୍ମିକ ଅଭିବ୍ୟକ୍ତି : କାବୁଲିବାଲାର ବଂଗାଳୀ ବଧୂ ।

 

‘କାବୁଲିବାଲାର ବଂଗାଳୀ ବଧୂ’ ପ୍ରକାଶ ପାଇବା ପରେ ବଂଗଳା ସାହିତ୍ୟ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ନୂଆ ଦୃଶ୍ୟଟିଏ । ‘ଭାଷା ଓ ସାହିତ୍ୟ’ ପ୍ରକାଶନ ସଂସ୍ଥାଦ୍ୱାରା ବହିଟି ବଜାରକୁ ଆସିଥିଲା ୧୯୯୮ ଜାନୁଆରୀ ମାସରେ । ଛାପାଖାନାରୁ ମୁକୁଳିବାର ମାତ୍ର ପ୍ରଥମ ଘଂଟାକ ଭିତରେ ହିଁ ବିକ୍ରି ହୋଇଯାଇଥିଲା ଅନ୍ୟୂନ ୧୨୦ ଖଂଡ ବହି !

 

ଏ ବହିରେ ଏଭଳି କ’ଣ ଥିଲା ଯେ, ଯାହା ସେଦିନ ହାସଲ କରିପାରିଥିଲା ଗୋଟିଏ ‘ବେଷ୍ଟ୍‌ ସେଲର୍‌’ର ଭାଗ୍ୟ ? ତତ୍ତ୍ୱ ନ ଥିଲା, ଦର୍ଶନ ନ ଥିଲା, ବୌଦ୍ଧିକତାର ବିଜ୍ଞପ୍ତି ନ ଥିଲା, କି ନ ଥିଲା ବି କୌଣସି କୃଚ୍ଛ୍ର କଳ୍ପନାର କାରୁକାର୍ଯ । ଥିଲା କିଂତୁ ଜୀବନର ଜର୍ଜରତା, ଯୌବନର ଯଂତ୍ରଣା, ଭଲପାଇବାର ଭୁଲ୍‌ଭୁଲେୟା ଭିତରେ ଧୂମାଳ ଧର୍ମ, ରୂଢ଼ିବଦ୍ଧ ରାଜନୀତି ଓ ଶ୍ୱାସରୋଧୀ ସାମାଜିକତା ବିରୋଧରେ ନାରଖାର ନାରୀତ୍ୱର ନ୍ୟାୟପ୍ରେରିତ ନିରୁକ୍ତି । ଦେଶ, ଜାତି, ଧର୍ମ ନିର୍ବିଶେଷରେ ଜଣେ ନିର୍ଭୀକା ନାରୀର ପ୍ରଗାଢ଼ ପ୍ରେମିକାପଣ ସହିତ ପ୍ରଥାନୁଗତ ପ୍ରଭୁପଣରେ ପ୍ରଶିକ୍ଷିତ ପୁରୁଷତଂତ୍ରର କଡ଼ା କଟକଣା ଆଗରେ ମଥା ନୁଆଁଇ ନ ପାରିବାର ଅଟଳ ପଣ ହିଁ ଏ ବହିକୁ ଦେଇଥିଲା ଏଇଭଳି ଅବିଶ୍ୱାସ୍ୟ ଆଦୃତି । ବହିର କାହାଣୀ ଥିଲା ଜଣେ ନବୋଦିତା ଲେଖିକାଂକ ଅତିଷ୍ଠ ଅତୀତର ଅଂଗେନିଭା କଥା ...ଆଗ୍ନିକ ଆତ୍ମକଥନିକା ... ଆଫଗାନିସ୍ତାନର ଧର୍ମଧର୍ଷିତ ପାଂଶୁଳ ପୃଷ୍ଠଭୂମିରେ ଅଶ୍ରୁଳ ଅନୁରାଗଭରା ଫର୍ଦଫର୍ଦ ଫରିୟାଦ୍‌ ... ନାରୀକୁ ମଣିଷ ମଣିବାର ଦୁର୍ବାର ଦାବିନାମା ପରିପ୍ରେକ୍ଷିତରେ ମାନବତାବାଦକୁ ମାନ୍ୟତା ଦେଇଆସିଥିବା ଜଣେ ଆତ୍ମମର୍ଯାଦାମୟୀ ମହିଳାଂକର ଅକୁତୋଭୟ ଉଦ୍‌ଘୋଷଣ !

 

ହଁ, ଏ ବହି ଲେଖିଥିଲେ ସୁସ୍ମିତା ବଂଦ୍ୟୋପାଧ୍ୟାୟ ।

 

ସୁସ୍ମିତା ବଂଦ୍ୟୋପାଧ୍ୟାୟଂକର ଜନ୍ମ ୧୯୫୬ ମସିହାରେ, ବଂଗଳାର ଖୁଲ୍‌ନା ଜିଲ୍ଲାଂତର୍ଗତ ଏକ ବ୍ରାହ୍ମଣ ପରିବାରରେ । ବାପା ଥିଲେ ସାମରିକ ଅଫିସର । ମାତ୍ର ସେଂଟ୍‌‍ ଜୋସେଫ୍‌ କଲେଜରୁ ଶିକ୍ଷା ଲାଭ କରିଥିବା ଏହି ବଂଗବାଳା ଯେତେବେଳେ ପ୍ରେମବିବାହ କରଂତି ଆଫଗାନ୍‌ ଯୁବକ ଜାନ୍‌ବାଜଂକୁ, ସେତେବେଳେ ତାଂକ ସହ କଥାବାର୍ତା ବଂଦ କରିଦିଅଂତି ବାପା ।

 

ତାଂକର ପ୍ରିୟକବି ଜୀବନାନଂଦ ଦାସ ଏବଂ ପ୍ରିୟ ଲେଖକ ଆଶୁତୋଷ ମୁଖୋପାଧ୍ୟାୟ, କାଳକୂଟ, ସମରେଶ ମଜୁମଦାର ଓ ଜନ୍‌ ରିଡ଼୍‌ ବୋଲି ଏକଦା ସେ ଉଲ୍ଲେଖ କରିଥିଲେ କୌଣସି ଏକ ସାକ୍ଷାତକାରରେ । ରବୀଂଦ୍ର ସଂଗୀତ ପ୍ରତି ତାଂକ ପ୍ରୀତି ଥିଲା ପ୍ରଗାଢ଼, କେଉଁ କଷି କିଶୋରୀ କାଳରୁ । ତାଂକ କଂଠରେ ବିଦ୍ରୋହୀ କବି କାଜୀ ନଜ୍‌ରୁଲଂକ ଗୀତି ଓ କବିତାର ଚଟୁଳ ଆବୃତ୍ତି ପୁଣି ଚମତ୍କୃତ କରିରଖୁଥିଲା ଅନ୍ୟମାନଂକୁ । ଜଣେ ସ୍ୱାଭିମାନିନୀ ଓ ସ୍ୱାଧୀନଚେତା ଲେଖିକା ଭାବରେ ସୁରୁଚିସଂପନ୍ନ ମାର୍ଜିତ ମଣିଷକୁ ସର୍ବାଧିକ ମର୍ଯାଦା ଦେଇଆସିଛଂତି ସେ ।

 

‘କାବୁଲିବାଲାର ବଂଗାଳୀ ବଧୂ’ ଜାତି, ଧର୍ମ, ସଂପ୍ରଦାୟରେ ବିଶ୍ୱାସ କରୁନଥିବା ସୁସ୍ମିତା ବଂଦ୍ୟୋପାଧ୍ୟାୟଂକ ନିଜସ୍ୱ ଜୀବନଯଂତ୍ରଣାର ଜର୍ଜରିତ ଜଳଛବି !

 

ଏବଂ ଇଂରାଜୀ ଅନୁବାଦ ସମେତ ଏଯାବତ ବିକ୍ରି ହୋଇସାରିଲାଣି ୭ଲକ୍ଷରୁ ଊର୍ଧ୍ବ ଏ ବହି । ୨୦୦୩ ମସିହାରେ ଏହାର ବିଷୟବସ୍ତୁକୁ ଭିତ୍ତି କରି ନିର୍ମିତ ହୋଇସାରିଛି ବି ଏକ ବଲିଉଡ଼୍‌ ଫିଲ୍ମ, ‘Escape from Taliban’, ଯେଉଁଥିରେ ନାୟିକା ଭୂମିକା ନିର୍ବାହ କରିଛଂତି ମନୀଷା କୋଇରାଲା ।

 

‘କାବୁଲିବାଲାର ବଂଗାଳୀ ବଧୂ’ ପରେ ଏହାର ପରବର୍ତୀ ଭାଗ ପ୍ରକାଶିତ ହୁଏ ୨୦୦୦ ମସିହାରେ - ‘ତାଲିବାନ ଆଫ୍‌ଗାନ ଓ ମୁଁ’ ଶୀର୍ଷକରେ । ‘ତାଲିବାନ ଆଫ୍‌ଗାନ ଓ ମୁଁ’ରେ ସୁସ୍ମିତାଂକ ସ୍ମୃତିକଥା ସହ ସମନ୍ୱିତ ହୋଇଛି ତାଲିବାନ୍‌ ତାଡ଼ନାର୍ତ ଆଫ୍‌ଗାନ୍‌ ମଣିଷର ଯୁଦ୍ଧଦୁର୍ଗତ ଯୌଥ ଜୀବନଗାଥା । ବଂଗଳା ଭାଷାରେ ରଚିତ ଉପନ୍ୟାସୋପମ ଏହି ଉପିୀଡ଼କ ଅଂଗେନିଭା କଥାକୃତି ମଧ୍ୟ ୨୦୧୨ ମସିହା ସୁଦ୍ଧା ସ୍ପର୍ଶ କରିଛି ଏକ ବିଶାଳ ବିରଳ ବିକ୍ରୟାଂକ - ଅନ୍ୟୂନ ୫ଲକ୍ଷ ଗ୍ରାହକତାର ଗର୍ବିତ ଗୌରବ ! ଏହାପରେ ୨୦୦୧ ମସିହାରେ ସୁସ୍ମିତା ବଂଦ୍ୟୋପାଧ୍ୟାୟଂକର ‘ଏକ ବର୍ଣ ମିଥ୍ୟା ନୁହେଁ’ ପ୍ରକାଶ ପାଇବା ସହ ସଂପନ୍ନ ହୋଇଛି ଅଶାଂତ ଅତିଷ୍ଠ ଆଫ୍‌ଗାନିସ୍ତାନର ଅବମାନିତ ମାନବିକ ମର୍ମଦାହ ଉପରେ ଆଧାରିତ ଏକ ଅନନ୍ୟ ଟ୍ରାଜେଡୀର ଟ୍ରାୟୋଲଜୀ !

 

ଭାରତଭୂମିର ଜଣେ ବଂଗବାଳା ପ୍ରଥମେ ପ୍ରେମିକାଟିଏ ହେବା ପରେ ଲେଖିକାଟିଏ ପାଲଟିବାର ଏଇ ଅନନ୍ୟ ଅଂଗୀକାରର ଅନ୍ୟନାମ ହିଁ ସୁସ୍ମିତା ବଂଦ୍ୟୋପାଧ୍ୟାୟ । ଉପଯୁର୍କ୍ତ ଉଲ୍ଲେଖନୀୟ ‘ଟ୍ରାୟୋଲଜୀ’ ଛଡ଼ା ସେ ଛାଡ଼ି ଯାଇଛଂତି - ‘ତାଲିବାନୀ ଅତ୍ୟାଚାର - ଦେଶେ ଓ ବିଦେଶେ’ ଏବଂ ‘ସଭ୍ୟତାର ଶେଷ ପୁଣ୍ୟବାଣୀ’ ପରି ଦୁଇ ତଥ୍ୟନିଷ୍ଠ ସତ୍ୟପାଠ-ସଂବଳିତ ସଂକଳନ ।

 

୨ଜୁଲାଇ ୧୯୮୮ ମସିହାରେ ଜଣେ ଆଫ୍‌ଗାନ ଯୁବବ୍ୟବସାୟୀ ଜାନବାଜ ଖାନଂକୁ ଗୁପ୍ତବିବାହ କରି ବଂଗୀୟ ବ୍ରାହ୍ମଣକୁମାରୀ ସୁସ୍ମିତା କିଛି କମ୍‌ ଅପବାଦ ଅର୍ଜି ନ ଥିଲେ, ନିଜ ଆତ୍ମୀୟସ୍ୱଜନସମାବିଷ୍ଟ ହିଂଦୁସମାଜରେ । ୧୯୮୯ରେ ଜାନ୍‌ବାଜ୍‌ ତାଂକୁ ନେଇଯାଆଂତି ନିଜ ଦେଶ ଆଫ୍‌ଗାନିସ୍ତାନକୁ । କାବୁଲଠୁ ୧୨୦ କିଲୋମିଟର ଦୂର ଜାନ୍‌ବାଜଂକ ଗାଁ । ସେଠି ପହଂଚିଲା ପରେ ସୁସ୍ମିତା ସାମ୍ନା କରଂତି ଶୋକସଜଳ ସ୍ୱପ୍ନଭଂଗର ଦାରୁଣ ଦୁଷ୍କାଳ । ଜାଣଂତି ଯେ ତାଂକ ପ୍ରେମିକପତିଂକର ସେ ହେଉଛଂତି ଦ୍ୱିତୀୟା ପତ୍ନୀ ! ସାହସିନୀ ହୋଇଥିବା ସତ୍ତ୍ୱେ ସ୍ୱଭାବତଃ ଜଣେ ସହୃଦୟା ସ୍ନେହଶୀଳା ନାରୀ ସୁସ୍ମିତା ଧୀରେଧୀରେ ଜାନ୍‌ବାଜ‌୍‍ଂକ ପରିବାରରେ ପରିଧିସ୍ଥ କରିନିଅଂତି ନିଜକୁ ।

 

୧୯୯୦ରେ ବ୍ୟବସାୟ ବଜାୟ ରଖିବା ପାଇଁ ଜାନ୍‌ବାଜ୍‌ ଫେରିଆସଂତି କୋଲକାତା ପୁଣି । ଏକାକିନୀ ପ୍ରେମିକାପତ୍ନୀ ସୁସ୍ମିତା ଛ’ବର୍ଷର ଛଟପଟ ଜୀବନଟିଏ ବିତାଇବାକୁ ବାଧ୍ୟ ହୁଅଂତି ଧୁ’ ଧୁ’ ବାଲୁପ୍ରାଂତରର ପାର୍ବତ୍ୟ ଭୂଖଂଡ ସେଇ ସୁଦୂର ଆଫ୍‌ଗାନିସ୍ତାନରେ । ସ୍ତ୍ରୀରୋଗ ଚିକିତ୍ସା କ୍ଷେତ୍ରରେ ଜଣେ ସୁସେବିକାର ତାଲିମ୍‌ ପାଇଥିବା ସୁସ୍ମିତା ସେଠି ନିଜର ଗୋଟିଏ କ୍ଲିନିକ୍‌ ଖୋଲି ବହୁ ମହିଳାଂକୁ ଫେରାଇ ଆଣିପାରଂତି ମରଣ ମୁହଁରୁ । ମାତ୍ର ୧୯୯୪ ମସିହାରେ ଆଫ୍‌ଗାନ ଭୂମିକୁ ଜଘନ୍ୟ ଯୁଦ୍ଧଭୂମିରେ ପରିଣତ କରିଥିବା ମୌଳବାଦୀ ତାଲିବାନ୍‌ ସଂଗଠନ ସହ ପହିଲି ମୁକାବିଲା ହୁଏ ତାଂକର । ତାଲିବାନମାନଂକ ପିଂଗଳ ଦୃଷ୍ଟିରେ, ପଠାଣ ପରିବାରକୁ ବୋହୂ ହୋଇ ଆସିଥିଲେ ସୁଦ୍ଧା ବିଧର୍ମୀ ତଥା ‘କାଫେର୍‌’ ବୋଲି ବିବେଚିତା ହୁଅଂତି ସେ । ସେମାନେ ୧୯୯୫ ମେ ମାସରେ ତାଂକ କ୍ଲିନିକ୍‌ରେ ପଶି ମାରଧର କରଂତି ତାଂକୁ । ତା’ପରେ ଜୁଲାଇ ୨୨ ତାରିଖ ଦିନ ସୁସ୍ମିତାଂକୁ ମୃତ୍ୟୁଦଂଡର ଫତୱା ଜାରି କରାଯାଏ ତାଲିବାନ୍‌ ତରଫରୁ । ଆଫ୍‌ଗାନିସ୍ତାନରେ ତାଂକର ପ୍ରାୟ ଛ’ବର୍ଷ ରହଣି । ତା’ ଭିତରେ ସୁସ୍ମିତା ପାକିସ୍ତାନ ଦେଇ ନିଜ ଦେଶ ଭାରତକୁ ପଳାଇ ଆସିବାର ଦୁଇ ଦୁଇଥର ପଂଡପ୍ରଚେଷ୍ଟା ପରେ, ଶେଷକୁ ଅତି ସାହସିକ ଭାବରେ ପହଂଚଂତି କାବୁଲ୍‌ରେ । ସେଠୁ ପ୍ଲେନ୍‌ରେ ଜଲାଲାବାଦରୁ ଦିଲ୍ଲୀ ଆସି, ପ୍ରାଣଭରି ଗ୍ରହଣ କରଂତି ପରମ ଆଶ୍ୱସ୍ତିର ପୂର୍ଣପ୍ରଶ୍ୱାସ - ଏଇ ଭାରତ ମାଟିରେ - ୧୨ ଅଗଷ୍ଟ ୧୯୯୫ ମସିହାରେ । ତା’ପରେ ଦରବାରୀ ଦିଲ୍ଲୀରୁ ଫେରିଆସଂତି ପ୍ରିୟସହର କୋଲକାତାର ପୂର୍ବପରିଚିତ ଦୁଃଖପାସୋରା କୋଳକୁ ।

 

୧୯୯୫ରୁ ୨୦୧୩ ମସିହାର ଆଦ୍ୟଭାଗ ପର୍ଯଂତ - ଏଇ ଅଠର ଊଣେଇଶ ବର୍ଷ ବିତିଯାଏ ଭାରତରେ । ଏଇ ସମୟରେ ହିଁ ନିଜ ସ୍ମୃତିସବୁକୁ ଗୋଟିଏ ଗୋଟିଏ ଚମକପ୍ରଦ କୃତିର ରୂପ ଦିଅଂତି ସେ । ନିଜ ନିର୍ଜନ ମନର ଦୁର୍ବିଷହ ଦୁଃଖ ସହିତ ମିଶିଯାଇଥିବା ଗୋଟିଏ ଧର୍ମଧୂସରିତ ଦେଶର ଦୁର୍ଦଶା ଏକାକାର ହୋଇ ସ୍ତବ୍ଧ କରିଦିଏ ସଭ୍ୟଜଗତକୁ । ମୁଂବଇରେ ଫିଲ୍ମ ହୁଏ ତାଂକ ବହି, କୋଲକାତାର ବହିମେଳାରେ ସେ ହଠାତ୍‌ ହଟଚମଟ ସୃଷ୍ଟି କରଂତି ଆଗଧାଡ଼ିର ଜଣେ ସତ୍ୟଭାଷିନୀ ସାହିତ୍ୟିକା ରୂପେ । ଏଇ ଅପ୍ରତ୍ୟାଶିତ ପ୍ରସିଦ୍ଧି ଓ ପ୍ରତିଷ୍ଠା ତାଂକ ଜୀବନ ପାଇଁ କିଂତୁ ସୃଷ୍ଟି କରୁଥାଏ ସଂଶୟ । ପ୍ରମାଦ ଗଣଂତି ତାଂକ ପୈତୃକ ପରିବାର ଓ ଆଫ୍‌ଗାନ ସ୍ୱାମୀଂକ ସୁଦୂରବର୍ତୀ ସଂସାର । ଫିଲ୍ମ ପ୍ରଯୋଜକମାନଂକର କ୍ରମବର୍ଧିଷ୍ଣୁ ଭିଡ଼ ଏଣେ ଚାପ ବୃଦ୍ଧି କରୁଥାଏ ସୁସ୍ମିତାଂକର । ତାଂକ ଆତ୍ମକଥନୀର ଫିଲ୍ମ ସ୍ୱତ୍ୱାଧିକାରକୁ ପ୍ରତ୍ୟାହାର କରିଆଣିବାର ନିଷ୍ପତ୍ତି ନେଇସାରିଥାଂତି ସେ । ଏହାର କାରଣ ଜାନ୍‌ବାଜଂକ ଆପତ୍ତି - ‘ଏସବୁ କଥାକୁ ସିନେମାରେ ଦେଖାଇଲେ ମୋର ପୂରା ପରିବାରକୁ ଉଗ୍ରପଂଥୀମାନେ ମୂଳପୋଛ କରିଦେବେ ଆଫ୍‌ଗାନିସ୍ତାନରେ !’

 

ଆଫ୍‌ଗାନମାନଂକ ଜୀବନରେ ଅଶେଷ ଅଭାବ ଥିବା ସତ୍ତ୍ୱେ ବେଶ୍‌ ହାର୍ଦିକତା ଅନୁଭୂତ ହୋଇଥାଏ ସେମାନଂକ ଚରିତ୍ରରେ । ମୌଳବାଦୀ ତାଲିବାନ୍‌ମାନେ କିଂତୁ ବର୍ବରତାରେ ଅତୀତର ହୁନ୍‌ମାନଂକ ପରି ଭୟଂକର ବୋଲି ଉଲ୍ଲେଖ କରିଛଂତି ସୁସ୍ମିତା । ଫିଲ୍ମ ପ୍ରଯୋଜକମାନେ ତେଣୁ ନିଜ ବ୍ୟାବସାୟିକ ମୁନାଫା ପାଇଁ ଏ ଉତ୍ପୀଡ଼କ ବର୍ଣନାଗୁଡ଼ିକୁ କାଳେ ମାତ୍ରାଧିକ ଗୁରୁତ୍ୱ ଦେଇ ତାଂକ ସ୍ମୃତିକଥନର ଦୁରୁପଯୋଗ କରିବେ - ଏଇ ଆଶଂକା ହିଁ କରୁଥାଂତି ସୁସ୍ମିତା । ‘ମୁଁ ମୋ ଆତ୍ମକାହାଣୀକୁ ଦାୟିତ୍ୱହୀନ ଫିଲ୍ମ ବ୍ୟବସାୟୀଂକ ହାତରେ ଟେକି ଦେଇପାରିବିନି’ ବୋଲି ବଂଧୁମହଲରେ ମତ ପ୍ରକାଶ କରୁଥାଂତି ସେ । ମାତ୍ର ଆଫଗାନ୍‌ ନାରୀମାନଂକର ନିର୍ଯାତିତ, ନିସ୍ତରଂଗ ଜୀବନକୁ ନେଇ ସେ ପ୍ରସ୍ତୁତ କରୁଥାଂତି ଏକ ପ୍ରମାଣିକ ପୁସ୍ତକ ପ୍ରଣୟନର ବିଧିବଦ୍ଧ ଯୋଜନା । ଏଥିପାଇଁ ଆଉଥରେ ତାଂକ ଅଂତରର ଅତଳରେ ଉତ୍ତାଳ ହୋଇଉଠୁଥାଏ ଆଫ୍‌ଗାନିସ୍ତାନର ଉତ୍ତପ୍ତ ଆହ୍ୱାନ ।

 

ସୁସ୍ମିତା ବଂଦ୍ୟୋପାଧ୍ୟାୟଂକ ବହିଗୁଡ଼ିକର ପ୍ରକାଶକ ସ୍ୱପନ ବିଶ୍ୱାସ କହିଛଂତି: ଶାରଦୀୟ ଦୁର୍ଗାପୂଜା ଅବସରରେ ବଂଗଳା-ସାହିତ୍ୟର ପ୍ରିୟ ପାଠକବର୍ଗଂକୁ ନୂଆ ଉପନ୍ୟାସଟିଏ ଭେଟିଦେବାର ଆକାଂକ୍ଷା ଅଦମ୍ୟ ଥାଏ ଏହି ଲୋକପ୍ରିୟ ଲେଖିକାଂକର । ୨୦୧୩ ଜାନୁଆରୀ ମାସରେ ସେ ଆସିଥିଲେ ମୋ ଅଫିସ୍‌କୁ । କହିଥିଲେ, ଆଫଗାନ୍‌ ମହିଳାମାନଂକ ବର୍ତମାନର ବାସ୍ତବ ଦୁଃସ୍ଥିତି ବାବଦରେ ଏଇ ପୂଜା ଆଗରୁ ବହିଟିଏ ଲେଖିବେ ସେ । ଏଇ ଲକ୍ଷ୍ୟ ନେଇ ଏଥର ସେ ଯାଉଛଂତି ଆଫଗାନିସ୍ତାନ । ଦିଦୀ ସୁସ୍ମିତାଂକ ସହ ସେଇ ମୋର ଶେଷ ସାକ୍ଷାତ । ଏହାପରେ ତାଂକ ସ୍ୱାମୀ ଜାନ୍‌ବାଜ୍‌ ଖାନ୍‌ ମାର୍ଚ ୩୦ତାରିଖରେ ଦିଦୀ ମଗାଇଥିବା ବହିଗୁଡ଼ିକୁ ନେବା ପାଇଁ ପହଂଚିଥିଲେ ଆସି ଆମ ବୁକ୍‌ସପ୍‌ରେ । ସୁସ୍ମିତା ଦିଦୀଂକ କଥା ଉଠାଉଥିବାବେଳେ ବରାବର ‘ସୟେଦା କାମାଲା’ ନାଆଁ ଉଲ୍ଲେଖ କରୁଥାଂତି ସେ ।

 

ଆଧୁନିକ ଭାରତୀୟ ସାହିତ୍ୟର ଅଳ୍ପୋଦିତା ଅରୁଂଧତୀତାରା ସୁସ୍ମିତା ବଂଦ୍ୟୋପାଧ୍ୟାୟ ପ୍ରାକ୍ତନ ପ୍ରଥାନୁବଦ୍ଧ ଆଫ୍‌ଗାନ୍‌ ସମାଜରେ ‘ସୟେଦା କାମାଲା’ !

 

ଦିନେ ଭାରତରେ ଜନ୍ମ ନେଇଥିବା ‘ସୁସ୍ମିତା’, ଆଉଦିନେ କିଂତୁ ଆଫ୍‌ଗାନିସ୍ତାନରେ ଯାଇ ମୃତ୍ୟୁ ବରଣ କରିଛଂତି ‘ସୟେଦା’ ହୋଇ!

 

କି ବିଚିତ୍ର ଏ ବିଡ଼ଂବନା !

ଆତ୍ମକଥନୀରେ ନିଜକୁ ସେ ନାମାଂକିତ କରିଛଂତି ‘ସାହେବ୍‌ କାମାଲ୍‌’ - ଏବଂ ଶ୍ଳେଷମିଶ୍ରିତ ଶବ୍ଦବିନ୍ୟାସରେ ସଂକ୍ଷିପ୍ତ ଶାଣିତ ପ୍ରଶ୍ନଟିଏ ପଚାରିଛଂତି ବି - ‘ସାହେବ କାମାଲ୍‌ କ’ଣ ସାହେବ୍‌-କା-ମାଲ୍‌ ?’

 

ସେପ୍‌ଟେଂବର ୪ତାରିଖର ରାତି । ୨୦୧୩...

 

ଆଫ୍‌ଗାନ ପୁଲିସ୍‌ ସୂତ୍ରରୁ ସଂଗୃହୀତ ତଥ୍ୟାନୁଯାୟୀ ପାକ୍‌ତିକା ପ୍ରଦେଶର ଗୋଟିଏ ଇଲାକାରେ ଥିବା ତାଂକ ଘରେ, ଏଇ ନିକଟ ଅତୀତରେ ଆସି ରହୁଥାଂତି ସୁସ୍ମିତା । ଆଫଗାନିସ୍ତାନର ଦକ୍ଷିଣପୂର୍ବ ପ୍ରଦେଶଟିଏ ଏ ପାକ୍‌ତିକା । ଏଇ ପ୍ରଦେଶର ପୂର୍ବଦିଗରେ ଅଛି ଦେଗାନ୍‌ ଗାଆଁ, ଯେଉଁଠି ନିଜକୁ କର୍ମଚଂଚଳ କରିରଖିବାର ମନଟିଏ ନେଇ ଜାନ୍‌ବାଜଂକ ସହିତ ଦୀର୍ଘ ୧୮ବର୍ଷ ପରେ, ୨୦୧୩ ମସିହାରେ ଆଉଥରେ ଭାରତରୁ ଆଫଗାନିସ୍ତାନକୁ ଲେଉଟିଥିଲେ ସୁସ୍ମିତା । ଏଇଠି ସେ ମହିଳାମାନଂକ ପାଇଁ ଖୋଲିଥିଲେ ଛୋଟକାଟର ଡାକ୍ତରଖାନା ଭଳି କ୍ଲିନିକ୍‌ଟିଏ ଆଉ ସ୍ୱାସ୍ଥ୍ୟକର୍ମୀ ଭାବରେ ଉତ୍ସର୍ଗୀକୃତ ଜୀବନଟିଏ ବାଛିନେଇଥିଲେ ନିଜ ପାଇଁ - କ୍ୟାମେରାରେ ପୁଣି ତୋଳି ଧରୁଥିଲେ ଆଫଗାନ୍‌ ନାରୀସମାଜର ସୁଖଦୁଃଖର ଦୁନିଆକୁ । ନିଜକୁ ସମର୍ପି ଦେଇଥିଲେ ସମାଜସେବାରେ ।

 

ସେଦିନ ବିଳଂବିତ ରାତ୍ରିରେ ତାଲିବାନ୍‌ ଉଗ୍ରପଂଥୀ ବୋଲି ସଂଦେହ କରାଯାଉଥିବା ଦଳେ ସଶସ୍ତ୍ର ପୁରୁଷ ବଳପୂର୍ବକ ପ୍ରବେଶ କରଂତି ତାଂକ ଘରେ । ତାଂକ ସ୍ୱାମୀ ଓ ଅନ୍ୟ ପାରିବାରିକ ସଦସ୍ୟମାନଂକୁ ବାଂଧିଦେଇ ସୁସ୍ମିତାଂକୁ ଶେଷରେ ଘରୁ ଟାଣିଟାଣି ପଦାକୁ ବାହାର କରିଆଣଂତି ସେମାନେ । ନିଜ ସହ ଭିଡ଼ିଭିଡ଼ି ନେଇଯାଂତି ସେଇ ରାତାରାତି ।

 

ତା’ପରଦିନ –

 

ସେପ୍‌ଟେଂବର ୫ତାରିଖ...

 

ସକାଳୁ ସକାଳୁ ପାକ୍‌ତିକା ପ୍ରଦେଶର ରାଜଧାନୀ-ନଗରୀ ଶାରାନାଠାରୁ ବହୁ ଦୂରରେ ସ୍ଥିତ ଗୋଟିଏ ମଦ୍ରାସା ପାଖରୁ ଚିହ୍ନଟ ହୁଏ, ଗତରାତ୍ରିରେ ଅପହୃତା ସୁସ୍ମିତାଂକ ଗୁଳିବିଦ୍ଧ ଶବ !

 

ହଁ, ଅନ୍ୟୂନ ୨୦ଟା ଗୁଳି ଗଳିଯାଇଥିଲା ତମାମ୍‌ ଦେହରେ ତାଂକର !

 

ଆଫଗାନ୍‌ ପୁଲିସର ଅନୁମାନ ଯେ ତାଂକୁ ହତ୍ୟା କରାଯାଇଥିବ ଏକାଧିକ କାରଣରୁ । ଏ ନିର୍ମମ ହତ୍ୟାର ପ୍ରଥମ କାରଣ ତାଂକ ବହି, ଦ୍ୱିତୀୟ କାରଣ ସାଧାରଣ ଲୋକଂକୁ ସଜାଗ ସଚେତ କରିବା ପାଇଁ ସେ ରହୁଥିବା ଅଂଚଳରେ ତାଂକ ସାମାଜିକ ସେବା ଓ ସଂସ୍କାରମୂଳକ କାର୍ଯକ୍ରମ, ତୃତୀୟ କାରଣ ସେ ଜଣେ ଭାରତୀୟ ହିଂଦୁନାରୀ ! ଆଉ କେତେକଂକ ମତରେ, ପଠାଣ ଘରର ବୋହୂ ହେବା ସତ୍ତ୍ୱେ ବୁର୍ଖା ନ ପିଂଧିବାର ‘ଅପରାଧ’ ହେତୁ ତାଂକୁ ହତ୍ୟା କରାଯାଇଥିବ ହୁଏତ - କାରଣ ୧୮ବର୍ଷ ତଳେ ଏଇ କାରଣରୁ ହିଁ ତାଲିବାନୀ ସ୍ବେଚ୍ଛାଚାରୀ ଶାସନ ସମୟରେ ତାଂକୁ ମିଳିଥିଲା ମୃତ୍ୟୁଦଂଡାଦେଶ !

 

ମାତ୍ର ସୁସ୍ମିତାଂକର ଏ ବର୍ବରୋଚିତ ହତ୍ୟାଘଟନାରେ ନିଜ ସଂପୃକ୍ତିକୁ ସ୍ପଷ୍ଟ ଅସ୍ୱୀକାର କରିଛି ତାଲିବାନ୍‌ ସଂଗଠନ । ଏହାଛଡ଼ା ଅନ୍ୟ ଏକ ଅସମର୍ଥିତ ସଂବାଦ-ସୂତ୍ରରୁ ସୁସ୍ମିତାଂକୁ ଗୁଳି କରି ହତ୍ୟା କରାଯିବାର ଷଡ଼ଯଂତ୍ର ପାକିସ୍ତାନରେ ହିଁ ପ୍ରସ୍ତୁତ ହୋଇଛି ବୋଲି ଆଶଂକା ।

 

ସୁସ୍ମିତା ନେଇଯାଇଛଂତି ଚିରବିଦାୟ । ତାଂକ ସହ କିଂତୁ ଆମଠୁ ବିଦାୟ ନେଇଛି ଅଜସ୍ର ଅଧୁରା ସ୍ୱପ୍ନ ।

 

ସେ ଆଫ୍‌ଗାନ ନାରୀସମାଜର ନିରୁଦ୍ଧ ନିଃଶ୍ୱାସ, ନିଃସଂଗତା, ନିଃସହାୟତାକୁ ନେଇ ଚିତ୍ରଣ କରିବାକୁ ଯାଉଥିଲେ ଏକ ଦୋସରା ଦିଗର ଦୃଶ୍ୟ, ଯାହା ପ୍ରତିଫଳିତ ହୋଇଥାଂତା ରୁପେଲି ପର୍ଦାରେ । ଅଧା ରହିଗଲା ସେ ଦୃଶ୍ୟ - ତା’ ଆଗରୁ ଅଦୃଶ୍ୟ ହୋଇଗଲେ ସ୍ୱୟଂ ସୁସ୍ମିତା-!

 

ସେ ଆରଂଭ କରିବାକୁ ଯାଉଥିଲେ ମହିଳା ଅଧିକାରକୁ ଆଧାର କରି ଏକ ବଂଗଳା ସାପ୍ତାହିକୀ, ଯାହା ଯୁଗଜର୍ଜର ପୁରୁଷତଂତ୍ରର ମତାଂଧତା ଓ ଧର୍ମାଂଧତାରୁ ନାରୀମୁକ୍ତିର ମାର୍ଗଦର୍ଶନ ଦିଗରେ ହୋଇପାରିଥାଂତା ନବ୍ୟଜାଗରଣର ନାଂଦୀଘୋଷ ! ଅୟମାରଂଭ ଆଗରୁ ହିଁ ନିଃଶେଷ ହୋଇଗଲା ସେ ନିର୍ଭୀକ ନାଂଦୀର ନାରା-ନିଶାଣ ।

 

ଆହୁରି ବି ଅନେକ କଳ୍ପନା ଅପୂର୍ଣ ରହିଗଲା, ଯୋଜନାର ପୂର୍ଣତାପ୍ରାପ୍ତି ପୂର୍ବରୁ ।

ସେ ସୁସ୍ମିତାରୁ ଶାୟେଦା ହୋଇସାରିଥିଲେ ସେଠି, ମାତ୍ର ଶାୟେଦାରୁ ଶହୀଦ୍‌ ହୋଇ ରହିଗଲେ ସବୁଠି ।

ପ୍ରେମିକା ସୁସ୍ମିତାର ସ୍ୱପ୍ନ, ପତ୍ନୀ ଶାୟେଦାର ସତ୍ୟ ଆଉ ପ୍ରଖର ପ୍ରତିଭାର ସ୍ଫୁରିତ ସ୍ଫୁଲିଂଗସ୍ୱରୂପିଣୀ ଲେଖିକା ସୁସ୍ମିତା ବଂଦ୍ୟୋପାଧ୍ୟାୟଂକ ଶତ ସଂଭାବନା ... ସବୁ ମିଶି ଏକ ରକ୍ତତାରାର ରଂଗବଳୟ ରଚନା !

ନା, ପୂର୍ବ ଆକାଶର ଏ ରକ୍ତତାରା ପଶ୍ଚିମ ଆକାଶରେ ଅସ୍ତ ହୋଇପାରେନା କଦାପି ।

ସୁସ୍ମିତା : ସଦାସ୍ମିତା ।

ସୁସ୍ମିତା : ସମୁଜ୍ଜ୍ୱଳ ସ୍ମୃତିର ସଂହିତା ।)

 

। ୧।

କୁହୁଡ଼ିରେ କୁହୁଳୁଥା କୁନିଝିଅ କାବୁଲିୱାଲାର,

ଉଧାର୍‌ ମୁଁ ଆଣୁଥିବି ଉଆଁସରୁ ଅଧା ଆସମାନ୍‌

ଏ ଈଶ୍ୱରୀ ଇଲାକାରେ ଆଶ୍ରିଚି ମୁଁ ଆଶିଷ ଆଲ୍ଲାର

ଅଫୁଟାଫୁଲର ଅଳି : ଅଫୁରଂତ ଆଫ୍‌ଗାନିସ୍ତାନ୍‌ !

 

ଦିଫାଳ ତୋ ଦିଗ୍‌ବଳୟ । ମୋ ଦେଶ ବି ଦିଫାଳ ଦିଫାଳ

ରାତି ତୋର ରୁଂଧିହୁଏ ରଫୁକରା ରେଜେଇରେ ରୋଜ୍‌

ଧୂଳିଗୁଳି ଧୂମାଳରେ - କି ଦୁସ୍ତର ଦିଶେ ଦିନକାଳ

ନାଆଁଗାଆଁଠିକଣା ବି ନାଲିଚିଆ ନିଆଁରେ ନିଖୋଜ୍‌ !

 

ଖୁଲ୍‌ନାର ଖୁଲଣା ସେ । ଖୋଦାକୁ ତୋ ଖୋଜୁଥିଲା ଖାସ୍‌

ପଡ଼ାରୁ ପଡ଼ିଆ ପୁଣି ପାହାଡ଼ର ପଥୁରିଆ ପିଠି

ଏ ଜମିର ଜେମାଦେଈ - ସେ ଭୂଇଁରେ ବୋହୂଟିଏ ବାସ୍‌

ସାକ୍ଷୀଟେ ଯେଉଁଠି ନାଇଁ, ସାରିଦେଲା ସକାଳ ସେଇଠି !

 

ପତ୍ରର ମର୍ମର ପରି ପ୍ରେମ ପ୍ରତି ଏତେ ଧର୍ମଦ୍ରୋହ ?

କାବୁଲ୍‌ରୁ କୋଲ୍‌କାତା କୋରିଯାଏ କୋରାନ୍‌ର କୋହ !

 

। ୨।

ଏ ନୁହେଁ ଅଫିମଫୁଲ ଅମଳର ଅନିବାର୍ଯ ଋତୁ

ଦୁହା ଦିଏ ଦିନମାନ ତୁହାତୁହା ତୁଷାରବର୍ଷାରେ

ମୁକାଳିବା ମନ ଆ’ - ମାଟିଘରେ ମୁହାଁମୁହିଁ ମୁଁ ତୁ

ନତୁବା ଚିହ୍ନିବା ଚାଲ୍‌ ଚଉଦିଗ ଚଢ଼େଇବସାରେ !

 

ହେ ପୂର୍ବଦିଗର ପକ୍ଷୀ, ପାରି ହ’ ପଶ୍ଚିମ ଏସିଆ

ହାୱାର ଏ ହାଜତରେ ହଜିଥାଉ ହଜାରେକ ହାସ୍ନା

ମୌନାବତୀ ମୌସୁମିରେ ମନେଥାଉ ମନଦିଆନିଆ

ବରଂଚ ବତାସୀବାଆ ବାରୁଥାଉ ବାରୁଦର ବାସ୍ନା !

 

ଅନାଇଲେ ଆଗଆଡ଼େ ଅଂଗୁରର ଅଂଗନିକାଠାରୁ

ଦିଶୁଚି ଆପଲ୍‌ଗଛ ଦୂରଛଡ଼ା ଦଶଦଶହାତ

ତମାଖୁ ନା ତରଭୁଜ ? କଂଚାଲଂକା କାକୁଡ଼ି କଖାରୁ ?

ଗାଡ଼ିଗାଡ଼ି ଗାଜରରେ ଆଳୁ ଆଉ ପିଆଜବସ୍ତା ତ !

 

ପାଚିପାଚି ପଚିଲାଣି ଫଳସବୁ ପଦରରେ ଫଳି

ଫୁଟୁନି ପାଂଚୋଟି ଫୁଲ ... ପତ୍ରଝଡ଼ା ପାଗ ଲୋ ପାଗଳି !

 

। ୩।

କ୍ଷେତସବୁ କ୍ଷତଚିହ୍ନ । କ୍ଷୁଧାହତ କ୍ଷେତ୍ରଫଳଟିଏ

ମସ୍ତବଡ଼ ଗୋଲ୍‌ରୁଟି ଥଂଡାମିଠା ପାଣି ପାଖେ ଥୁଆ

ବରଫର ବୁଲାଣିରୁ କାଦୁଅର କୁଦ କୁଦେ କିଏ

ଘେରିଚି ଗେରୁଆ ରାସ୍ତା ଘରୁ ଘାଟି, ଗୁହାଳରୁ ଗୁହା !

 

ପାହାଡ଼ରୁ ପାହାଡ଼କୁ ପଥରର ପଥଧାର ପୁଣି

ପଥୁକିର ପୋଷାକ ବି ପ୍ରସ୍ତାବିତ ପୋଷା ପଶୁଲୋମୁ

ବାସଂତୀ ବର୍ଷାରେ ବୋଧେ ବାଟ ବାରେ ବଧୂ ବଂଗାଳୁଣୀ

ତାକୁ ଆଜି ତକେଇଚୁ - ତାଲିବାନ୍‌ ଆଫ୍‌ଗାନ୍‌ ଓ ମୁଁ !

 

ସଦରଠୁ ସୁଦୂର ସେ ସୋଭିଏତ୍‌ ସେନାର ଶିବିର

କାହାର ଏ କଟୁଆଳ ? କୋଡ଼ିକୋଡ଼ି କବଂଧ କୁଢ଼ାଏ ?

ଆଫ୍‌ଗାନ୍‌ ଆଶାଆଡ଼େ ତିଖାତିଖା ତାଲିବାନ୍‌ ତୀର

ଗୋଲାପଗଳିରେ ଫୁଟେ - ଫୁଲ ନୁହେଁ, ଗୁଳି ତ ଗୁଡ଼ାଏ !

 

ବାଦାମର ବାଗାନ୍‌ରେ ବେଳକାଳ ବଦଳାଏ ବେଶ

ଦୁଃଖର ଦୋସରା ଦୃଶ୍ୟ : ଦୁପଟ୍ଟାରେ ଦୁଲାରୀର ଦେଶ !

 

। ୪।

କେଇଖଂଡି କ୍ୟାସେଟ୍‌କୁ କଥା କେତେ କୁହାଇବି କହ ?

ବର୍ଷମାସଦିନବାର ବିତିବାରେ ବେଶିକିଛି ନାଇଁ...

ଟିଭି ନାଇଁ । ଟେଲିଫୋନ୍‌ ? ବେତାରରୁ ବଷୁର୍ନି ବିରହ

ଆଜି ଅଛି କାଲି କାଇଁ - ତାରିଖର ତାଳଗଛଛାଇ !

 

ମରମକୁ ମଂଥୁଚି ମୁଁ ! ମରୁମରୁ ମରୁନି ମରୁରେ

ବାଲିର ଏ ବଂଜରରେ ବଂଚୁଚି ମୁଁ ବାସିବୟସଟେ

ତରୁଣୀ ତରାଟମାନେ, ତରୁଥାଆ ତରୁରେ ତରୁରେ

ଲୋ ଯୁବତୀ ଯୂଇମାନେ, ଝରୁଥାଆ ଝର୍କା ଆରପଟେ !

 

 

ଦୁରଂତ ପବନ ଆସେ ଦୂତ ପରି ଦୂରପର୍ବତରୁ

ଏତେ ଋତୁବଦଳରେ ବାକି ଅଛି - ଆଉ କେତେ ମୃତ୍ୟୁ ?

ହେ ଥୁଂଟାଡାଳର ପକ୍ଷୀ, ଥଂଡାରେ ତୋ ଥଂଟ ପଛେ ଥରୁ

ମୋ ଉଷୁମ୍‌ ଆଶା ଆଂକି ଗାଆଁଗାଆଁ ଗୀତ ଗାଇବୁ ତୁ !

ଏତେ ବେଶି ପରଦେଶୀ ! ଏତେ ବେଶି ନିଜର କିଭଳି ?

ତା ଲାଗି ଲାଗୁଚି ତୁଚ୍ଛ ବରାଦୀ ଏ ବଂଧୁକର ନଳି !

। ୫।

ଫସଲକୁ ଫାଶୀଦଂଡ । ଫୁଲକୁ ବି ଫୁଂଗୁଳା ଫତୁଆ

ଜେହାଦ୍‌ର ଜୁନୁନ୍‌ରେ ଜଂଗୀର ଏ ଯୁଦ୍ଧ ଯେତେ ଜାରି

ଅନୁର୍ବର ଅଧିତ୍ୟକା ଆକାଶକୁ ଉଠାଉଚି ଧୂଆଁ

ନିଶ୍ଚଳ ନିର୍ଜଳ ଦେଶ - ନିରସ୍ତ୍ର ଏ ନିଃସ୍ୱ ନରନାରୀ !

ଗୁଡୁମ୍‌ର ଗୁରାଳିରେ ଗୁମ୍‌ସୁମ୍‌ ଗଜନିରୁ ଗାଆଁ

ମେସିନ୍‌ଗନ୍‌ର ମୁହଁ ମଣିଚି ତ ମଣିଷକୁ ମେଷ

ମଡ଼ାର ଏ ମୁଲକରୁ ମୁସାଫିର୍‌, ମତେ ନେଇଯାଆ

ସେ ଦେଶକୁ, ଯେଉଁ ଦେଶ - ସୀମାଂତରେ ହୁଏ ନାଇଁ ଶେଷ !

ମତେ କୁହ ମୋଜାହିଦ୍‌ ! ମନ କଣ ମାନଚିତ୍ର ପରି ?

ପାପ ହୁଏ ପୁଚ୍ଛିଲେ କି ପ୍ରେମ ପାଇଁ ପରମାୟୁ ପୋଷେ ?

ଚିହ୍ନାମାଟି ମାୟା କାଟି - ଦରଚିହ୍ନା ଦରଦୀକୁ ଧରି

ଏ କୂଳେ ଲାଗିଲି ଯଦି, କାଫେର୍‌ ମୁଁ ହେଲି କେଉଁ ଦୋଷେ ?

 

ମୋ ନିଜର ଜୁଇ ନିଭୁ - ଯେଉଁଠାରେ ଜହ୍ନ ଜଳିଉଠେ,

ଏ ମାଟି ମାଲ୍ୟାଣୀ ହୁଏ, ମରୁ ମାଗେ ମରୁଆରୁ ମୁଠେ !

(୨୦୧୩)

 

କୌଶିକ ମିଶ୍ର

(୨୧ ଫେବ୍ରୁଆରୀ ୧୯୮୩ - ୨୮ମାର୍ଚ ୨୦୧୪)

ଅଫେରା ଉଡ଼ାଣ ନିଏ ଇସ୍ପାତୀୟ ଈଗଲ୍‌ର ଡେଣା

ପୁଳାପୁଳା ପାଉଁଶର ପିଂଡୁଳାରେ ପୋଡ଼ା ପାରାଚ୍ୟୁଟ୍‌

ବହ୍ନିର ସେ ବଳୟରୁ ବାହୁଡ଼ିନି ବୀର ବାୟୁସେନା

ସଂଜର ସଲାମି ଆଗୁ - ସକାଳୁ ସେ ସାରିଚି ସାଲ୍ୟୁଟ୍‌ !

ଚିତାଗ୍ନିର ଚୈତ୍ରମାସ ଚାଲିଯାଏ ଚଂଦନବନକୁ

ବେଲପାହାଡ଼କୁ ବାଧେ ବୈଶାଖର ବାଟବଣା ବାଆ

ମାର୍ଚ୍‌ର ଏ ମୁଖାଗ୍ନିରେ ମର୍ମଦାହ ମଂଥୁଚି ମନକୁ

ଏପ୍ରିଲ୍‌ ଏଥର ଏଠି ଆମ ପାଇଁ ଏଲିଜିଟେ ଆହା !

କୁନିଝିଅ କାଏନ୍‌ର କଥା ଥିଲା କହିବାକୁ କାଫି

ପାଇବାକୁ ଥିଲା ପୁଣି ପରୀଗଳ୍ପ ପାପାଠୁ ପାଉଣା

ହେ ମୋର ମଂତୁରା ମାଟି, ମାଆଠାରୁ ମାଗିନିଅ ମାଫି

ଆଗତ ଏ ଅସ୍ତ କେଉଁ ଅନାଗତ ଉଦୟରୁ ଊଣା ?

ଅଶୋକପତ୍ରରେ ଆଜି ଅବ୍ୟକ୍ତତା ଏତେ ଆକସ୍ମିକ !

କେବେ କିଂତୁ କାଂଦେନାଇଁ କାଂତାରରେ କୌଣସି କୌଶିକ !!

(୨୦୧୪)

 

ଏ ପି ଜେ ଅବଦୁଲ୍‌ କଲାମ୍‌

(୧୫ ଅକ୍‌ଟୋବର ୧୯୩୧ - ୨୭ ଜୁଲାଇ ୨୦୧୫)

। ୧।

ଦ୍ୱୀପରେ ତ ଦିନ ଦିଶେ ଦ୍ୱାପରର ଦ୍ୱିପ୍ରହର ଭଳି

ସାନ ହେଉ ବଡ଼ ହେଉ ସ୍ୱପ୍ନସବୁ ସମୁଦ୍ରରଂଗର

ଗମୁଚି ଅଗ୍ନିର ପକ୍ଷୀ ଆକାଶର ଗଳିଉପଗଳି

ଚାଲଯିବା ଚାଂଦିପୁର - ଲହଡ଼ିକୁ ଲଂଘୁଚି ଲଂଗର !

ଏ କଳାଘୁମର ଢେଉ କାତ ଆଗେ କାତର କାହିଁକି ?

ବାପା ତମ ଭେଳାରେ ତ ଭାସିବାକୁ ଭାରି ଡର ମାଡ଼େ

ପାଣିର ମୁଁ ପହଁରାଳି ପାଗ ଭିଡ଼େ ପବନ ପାଇଁକି

ମାଟିରୁ ମୁହାଁଏ ମୋର ମିଜାଇଲ୍‌ ମହାକାଶଆଡ଼େ !

ଆବା ଏ ଆକାଶ ନୁହେଁ ଏଇଲାଗେ ଏତେ ଅପହୁଂଚ

କଅଁଳ ମୋ କାର୍ତିକ ମୁଁ କୁଢ଼େଇଚି କାଗଜଡଂଗାରେ...

ସାତସାନ ସ୍ୱପ୍ନମାନ ସାତତାଳଗଛଠୁ ବି ଉଂଚ

ଶହଶହ ଶଣଫୁଲ ସାଇତିଚି ସାନ ମୋ ସଂଗାରେ !

ନମାନେ ନମାନେ ନାଆ ନଳବଣ । ନ ଆସେ ନୋଳିଆ

ବହୁତ ମୁଁ ବିତାଇଚି ବର୍ଷାଋତୁ ... କି ବରକୋଳିଆ !

। ୨।

ମାଆ ମୋର ଆଶିଆମ୍ମା । ଆଖିପାଣି ଆଖିରେ ମାରିଚି

ବିଜୁଳି ବି ମାରେ ବେଶ୍‌ - ଦିଶୁନାଇଁ ଦୂର ବତିଘର

ଖବରକାଗଜ ଖୋଲି ଭଉଣୀ ମୋ ବିଛଣା ପାରିଚି

ନ ଶୋଇ ମୁଁ ସ୍ୱପ୍ନ ଦେଖେ ତେରନଈ ସାତସମୁଦ୍ରର !

ଫେରିନାଇଁ ଫେରିଡଂଗା । ଫଣା ଟେକି ଫେଣ ଉଠେ ଫୁଲି

ମଝିରେ ତ ମଂଗମୋଡ଼ା ମୁସ୍‌ଲିମ୍‌ ମାଝିର ମାମଲା

ଦରିଆ ଦେଖିନି ଦିନେ ଦେଣନେଣ ଦରମୂଲାମୂଲି

କିନାରାରୁ କିନାରାରେ କାଂଡାରି କେ ? କିଏ ବା କାଫଲା ?

ହେ ମୋର ଦେଶର ଶିଶୁ, ତମେ ହୁଅ ଅମାନିଆ ଢେଉ

ଅଥବା ଏ ଆକାଶର ଅଗଣାରେ ଅଝଟିଆ ଡେଣା

ତମର ପ୍ରତ୍ୟେକ ପ୍ରଶ୍ନ - ଏ କ୍ଷିତିର କ୍ଷେପଣାସ୍ତ୍ର ହେଉ

ମିହନତ : ମହାବ୍ରତ । ମିହନତୁ ମିଳେ ମହୁଫେଣା !

ଅନାଇଚି ଆଶିଆମ୍ମା । ଆସିଲାଣି ଏପାରିକୁ ନାଆ

ପଣତକୁ ପାରିଦିଏ - ପାଂଚପୁଅଝିଅଂକର ମାଆ !

। ୩।

ଅମଂଗଳ ଅମଳଟେ । ଅନଟନ ଅନବରତ ମା,

ସେ ଦ୍ୱିତୀୟ ମହାଯୁଦ୍ଧ ମହର୍ଗର ମନ୍ୱଂତର ଥିଲା...

ସେତେବେଳେ ସାତ୍‌ ପୂରି ମତେ ବୋଧେ ଆଠବର୍ଷ ଜମା

ମୁଁ ଖବରକାଗଜର ବିକାଳିଟେ ଖଟିଖିଆ ପିଲା !

ଦିନ ଯଦି ସରିଯାଏ, ତୋ ରାତିର ଶେଷରୁଟି ପରି,

ମୋ ପାଇଁ ରୋଜାରେ ରହୁ - ମତେ କ’ଣ୍‌ ମାଲୁମ୍‌ ମୂଳରୁ ?

ସୁବୁଲକ୍ଷ୍ମୀ ସୁରଭିଜା ସଂଜ ଯାଏ ସେପାରିରେ ସରି

କୋଡ଼ପୋଛା ପୁଅଟି ତୋ ମୋଡ଼ ବୁଲେ ସମୁଦ୍ରକୂଳରୁ !

 

ଶିଉଳି ଶେଯରେ ସେଠି ସମୁଦ୍ରଠୁ ଗପ ଶୁଣେ ଶିପ

ମୁଁ ଏଇଠି ଅକ୍ଷରର ଅଧାଛାଇଆଲୁଅକୁ ଚାହେଁ

ଦୈବାତ୍‌ ଦବିଲାମାତ୍ରେ ଦପ୍‌କିନା ଦିନାଂତର ଦୀପ

ଲଂଠଣ ତୁ ଲଗାଉ ମା, - ଅଧରାତି ଲାଲ୍‌ ହେବାଯାଏଁ !

 

ଆଉ ଏକ ଅଧରାତି ଆସିଥିଲା ଲାଲ୍‌କିଲ୍ଲା ପରେ

ସେ ଆମର ସ୍ୱାଧୀନତା - ମୋ ଷୋହଳବର୍ଷ ବୟସରେ !

 

। ୪।

କି ଅସରା ଅମାରାତି - କି ଦୋସରା ଦିନର ଦୋହରା

ମଂଜିର ମଶାଣିମୋଡ଼େ କିଆରିର କବରଖାନା ହିଁ

ଏ ଆଖିର ତରା ତଳେ ଅସ୍ତ ହୁଏ ଜହ୍ନ ନା ଜୋହରା ?

କଲିଜାକୁ କଂଦାଇଚି ବିଶ୍‌ମିଲ୍ଲା ଖାନ୍‌ର ସାନାଇ !

ମୁକୁଳା ମକାନ୍‌ମାର୍କା ଛୋଟମୋଟ ଦୋକାନ୍‌ର ଧାଡ଼ି

ବାଟଘାଟହାଟରେ ବି ବତିଆଳ ଜାଳେ ହାରିକେନ୍‌

ଗୋଟିଗୋଟି ଗଳି ଗଣି ଘରମୁହାଁ ଘୂରେ ଘୋଡ଼ାଗାଡ଼ି

ଟ୍ରୟର ହେଲେନ୍‌ ପାଇଁ ଟ୍ରେନ୍‌ରେ ମୁଁ ଟାଣିନାଇଁ ଚେନ୍‌ !

ଦିଗ୍‌ବଳୟ ଡୁବିଯାଏ ଦୂରାଂତର ଦରିଆଗର୍ଭରେ

କର୍କଟକ୍ରାଂତିର କେତେ କୁହୁଡ଼ିରେ ଖୋଜିଚି ମୁଁ ଖରା

କେତେ ମୁଁ ଦେଖିଚି ସ୍ୱପ୍ନ ! କେହି କିଂତୁ କଳିନାହଁ ଥରେ

ମିଜାଇଲ୍‌ ମ୍ୟାନ୍‌ର ଏ ମିନାର୍‌ଟା କେତେ ମିନାକରା !

ମୁଁ ନୁହେଁ ବର୍ଷାର ବଣି, ବରାବର ବଂଦୀ ବସାଘରେ,

ଈଗଲ୍‌ର ଇସ୍ତାହାର ଉଁଚାଉଁଚା ବଉଦ ଉପରେ !

। ୫।

ଗୀତ ଗାଆରେ ତୁ ଗାଁ, କଇଁନାଡ଼ କଥା କିଛି କହ

ଶାମୁକାର ଶୋକବାର୍ତା ଶୁଣା ମତେ - ହେ ସାନ ସହର,

ଶିବମଂଦିରରୁ ଶୁଭେ ଶଂଖଧ୍ୱନି ସ୍ତୋତ୍ରପାଠ ସହ

ସାମବେଦମଂତ୍ରରେ କି ସଶବ୍ଦ ଏ ସମୁଦ୍ରଲହର !

ନଇଁଆ ନଡ଼ିଆଗଛ, ନମାଜର ସମୟ ହେଲାଣି

ଚୁମିବି ତୋ ଚଅଁରକୁ - ଛୁଇଁବି ତୋ ଛାଇର ଛାତିକୁ

ମସଜିଦ୍‌ ମୋଡ଼ରୁ ତ ମୁଆଜ୍ଜନ୍‌ ମାଗୁଚି ମେଲାଣି

କଥା ମୁଁ କହିନି କାଉ, କୋଇଲି କି କଜଳପାତିକୁ !

 

ଶୂନ୍ୟରେ କୁଂଡଳୀ କାଟି ସିଗଲ୍‌ ତା ଗତିଚକ୍ର ଗଢ଼େ

ଦାରୁଚିନି ଦ୍ୱୀପରେ ମୋ ଦିନଠାରୁ ଦିପହର ବଡ଼

ବର୍ଷାବୁଂଦା ବାହାନାରେ ବତାସରେ ବିଂଚିହୋଇପଡ଼େ

କୃପାଳୁ କ୍ରୁଶର କେତେ କୁନିକୁନି କନିଅର କଢ଼ !

 

ମାଳୀଟିକୁ ମାଲୁମ୍‌ ଯେ - ଏ ମାଟିର ମାଲିକ ସେ ନୁହେଁ

ମୁଁ ଫକିର ଫୁକାରୁଚି : ଫୁଲର କେ ଫାଶୀଆଳ ହୁଏ ?

 

। ୬।

ଏ ରାମେଶ୍ୱରମ୍‌ ରାତି ରୁଂଧିପାରେ ରାବଣପୁରୀକୁ

ଏପାରିରୁ ସେପାରିକୁ ସେତୁବଂଧ ଧନୁଷ୍କୋଟୀ ଧାରେ

ମନ ମୋର ମୃଗଶିଶୁ ଖୋଜିବୁଲେ କେଉଁ କସ୍ତୂରୀକୁ ?

ରାଗ ମୁଁ ରଚନା କରେ ରହିରହି ରୁଦ୍ରବୀଣାତାରେ !

 

ନୁହେଁ ମୋ ନିଆଁର ଡେଣା ଜଟାୟୁର ପକ୍ଷାହତ ପିଠି

ନକ୍ଷତ୍ରରୁ ନକ୍ଷତ୍ରକୁ ନିରୀକ୍ଷଣ ନୂଆରକେଟ୍‌ରେ

ମୁଁ ଯାଉଚି ଯୁବପିଢ଼ି, ରହିଲା ମୋ ଅଧାଲେଖା ଚିଠି

ଗାଢ଼ନୀଳ କାମିଜ୍‌ର ଛୋଟ ଏଇ ଛାତିପକେଟ୍‌ରେ !

 

ରାଷ୍ଟ୍ରପତି ଭବନରୁ ରାତି ଯାଏ ରାସ୍ତା ପାରିହୋଇ

ଏ ଲଂବାରାତିର ଲୁହ ଲିଭାଂତାନି ଲକ୍ଷେ ଲହୁଦାଗ ?

ପଡ଼ାଗାଆଁ ପିଲାଏ ମୋ, - ତମେ କ’ଣ୍‌ ପଡ଼ିବଣି ଶୋଇ ?

ସେଇ ସ୍ୱପ୍ନ ଦେଖ ଏବେ, ଯେଉଁ ସ୍ୱପ୍ନ ସଦା ହିଁ ସଜାଗ !

 

ଥୟ ନୁହେଁ ଥଳକୂଳ । ଅକୂଳ ଏ ଆକାଶ ଅଥୟ

ପ୍ରତୁଳ ପ୍ରାଂତର ପରେ ପାଂଥ ପାଇଁ ପଥ ହିଁ ପ୍ରତ୍ୟୟ !

 

। ୭।

ଛାଇ ତ ବିଛାଇ ହୁଏ ବେଥାନିଆ ହାସ୍ପାତାଳସାରା

୨୭ ଜୁଲାଇରେ ସଂଜର ଏ ଶ୍ରାବଣ କି ମ୍ଳାନ

ଦିନାଂତରେ ନିଭିଆସେ ଦି’ଆଖିର ଦପ୍‌ଦପ୍‌ ତାରା

ବାହାରେ ବହୁତ ବ୍ୟସ୍ତ ବାୟୁସେନା ବିଶେଷ ବିମାନ !

 

ପତାକାର ପରିଚ୍ଛଦ ଆବରିଚି ଆପାଦମସ୍ତକ

ଶେଷ ମୋ ସଂଭାଷ ଥିଲା ଦି’ତିନୋଟି ଶବ୍ଦ ସମୁଦାୟ

ହେ ସଜଳ ସଜଫୁଲ, ଶିଶିରାକ୍ତ ଶୋକର ସ୍ତବକ,

କାଂଦକାଂଦ କାହିଁକି ଏ ଆକୁମାରୀ ହିମାଚଳ ହାୟ ?

 

ମୁଁ କାଂଦିଲେ କାଂଦିଥିବି କୁନିବେଳେ କେବେ କେଇଥର

ତଦୁତ୍ତାରେ ତମେ ସାକ୍ଷୀ - ଦେଖିନ କି ସ୍ୱଚ୍ଛହସ ଗୋଟେ ?

ଦରିଆର ଦରହାସ ? ସଂଚୟ ମୋ ଶେଷମୁହୂର୍ତର,

ଯାହା ତମ ପୃଥିବୀର ପକ୍ଷୀ ପାଇଁ ପାହାଂତା ପାଛୋଟେ !

 

ସଂଜର ଏ ସିଲୁୱେଟ୍‌ : ସୂର୍ଯାସ୍ତରେ ଶିଲଂର ସଂଶୟ

ମେଲାଣି ମୁଁ ମାଗିନିଏଁ, ମର୍ମାହତ ମୌନ ମେଘାଳୟ !

 

। ୮।

ହେ ଚିରକୌମାର୍ଯ ମୋର ! ତମେ ସେଇ ଚିତ୍ରଗ୍ରୀବ ପରି,

ଜାଲ ଯିଏ ଛିଡ଼ାଇଚି - ଏ ଜନ୍ମର ଛାୟାନଦୀପାରେ

ମୁଁ ଲେଖିଚି ପଦାବଳୀ ତମ ପରକଲମକୁ ଧରି

ପରମାଣୁ ପ୍ରଶ୍ନୋତ୍ତର ପୋଖରାନ୍‌ ପରୀକ୍ଷାଖାତାରେ !

 

ଊର୍ଧ୍ବରେତା ଅଂତରୀକ୍ଷ । ଶେଷାତୀତ ଶୂନ୍ୟତାର ସୀମା

ଏ ପଠାରୁ ପଠାଇଚି କେବେ ପୃଥ୍ୱୀ, କେବେ ପୁଣି ନାଗ

ସବୁଠୁ ସୁଂଦର ମାତ୍ର ସବୁ ସତ୍ତ୍ୱେ ଶାଂତ ସବୁଜିମା

ବ୍ରହ୍ମଲୋକଠାରୁ ବୋଧେ ଭଲ ବେଶି ଆମ ଏ ଭୂଭାଗ !

 

କୋରାନ୍‌ର କୁଲାୟରୁ - ମୁଁ ଘୂରିଚି ଗୀତାର ଗୋଲୋକେ

ସୁନାର ହରିଣ ପରି ହଜିଗଲା କୁଆଡ଼େ ସେ ଦିନ ?

ମୁଁ ହୋଇଚି ହତବାକ୍‌ ଏସିଆର ଏଇ ଉଷାଲୋକେ

ଗୋଲାକାର ଗ୍ରହର ଏ ଗୋଧୂଳିରେ ଗତ୍ୟଂତରହୀନ !

 

ଗାଡ଼ି ଆଉ ଅଟକାନି – ଗାର୍ଡ଼୍‌ ଅଫ୍‌ ଅନର୍‌ ଆଗରେ

କଏଦୀ ହେବା କି କଷ୍ଟ କଫିନ୍‌ର କାଚକାଂଥଘରେ !

। ୯।

ଶୂନ୍ୟସ୍ରୋତଧାର ପରି ଶିରୋଭାଗେ ଶୁଭ୍ର ମଧ୍ୟରେଖା

ଦ୍ୱିଭାଗ କରିଚି ମୋର ଆଲଂବିତ ଦୀର୍ଘକେଶଦାମ

ଚଟିହଳକର ଏ କି ଚଲାବାଟ ଚଷମାରେ ଦେଖା ?

ମୁଁ ଦେଶୀମଣିଷ ମତେ ଭଲ ଲାଗେ ଭାରତର ଗ୍ରାମ !

ସୋରିଷକ୍ଷେତରେ ସେଠି ସୂର୍ଯ ଯଦି ସାରାଦିନ ଶୁଏ,

ଜହ୍ନିର ଏ ଜଂଗଲକୁ ଜଗିବି ମୁଁ ଜହ୍ନର ଜହୁରୀ

ଭୋକଶୋଷ ଭୁଲିଯାଇ ଭାରତକୁ ଭଲପାଇହୁଏ

ମନେନାଇଁ ମନେନାଇଁ ମଉଶଯ୍ୟା / ମଂଗୁଳା ମହୁରି !

ପ୍ରିୟ ମାତୃଭୂମି ତୋର ପାଣିଟୋପେ ପାଦୁକ ହିଁ ମୋର

ତେଜୋଦ୍ଦୀପ୍ତ ତାପରେ ତୋ ପାପୁଲିରେ ବଢ଼େ ଭାଗ୍ୟରେଖା

ମୁକ୍ତପକ୍ଷ ମନ ମୋର - ତୋ ମରୁତ୍‌ବ୍ୟୋମରେ ବିଭୋର

ଦେଶ ନୁହେଁ, ଦୀପଟେ ତୁ ଏସିଆର ଅଂଧକାରେ ଏକା !

ହେ ଭୀଷ୍ମ ଭାରତବର୍ଷ, ହେ ଗ୍ରୀଷ୍ମର ଗ୍ରୀବାଦେଶ ମୋର,

ମାଟିପାଣିପବନରେ ମଂତୁରା କି ଆମ ରତ୍ନଡୋର !

। ୧୦।

ଅଦୂରରେ ଅପେକ୍ଷିତ ଅବଧୂତ ଆଶାର ଅତିଥି

ଭଗବଂତ ଭବିଷ୍ୟତ - ସେ ତମର । ହେ ଭାରତଭୂମି,

ପ୍ରଣାମ ତାକୁଇ କର । ପ୍ରାପ୍ତ ହୁଅ ପ୍ରଜ୍ଞାର ପ୍ରତୀତି

ଏ ନିଦ୍ରାର ନୀଳଗିରି ଉଲ୍ଲଂଘିବ - ସେ ଉତ୍ତାଳ ଊର୍ମି !

 

ନିଃଶ୍ୱାସପ୍ରଶ୍ୱାସ ସତ୍ତ୍ୱେ ଏ ନିଦ୍ରାରେ ନାଇଁ ତ ନିସ୍ତାର

ଜର୍ଜରିତ ଜନଗଣ, ଜାଗିଉଠ ଜାତିସ୍ମର ପରି

ବିଜ୍ଞାନର ବିବର୍ତନ : ବିକାଶର ବିବିଧ ବିସ୍ତାର

ପୂର୍ବାପର ପାରାବାର ପାରିହୁଅ ପହଁରି ପହଁରି !

 

ଆମର ଏ ଆଣବିକ ଅଭିଯାତ୍ରା ଆତ୍ମରକ୍ଷାକାରୀ

ଶାଣିତ ଶାଂତିର ସୂତ୍ର : ଶାଳୀନ ଏ ସଶକ୍ତିକରଣ

ଶାକାହାରୀ ସତ୍ତା ମୋର ସହସ୍ରାବ୍ଦୀ ସ୍ୱପ୍ନପଥଚାରୀ

ହେ ମୋର ଉତ୍ତରପିଢ଼ି, ରହିଗଲା ଅଧୁରା ମୋ ପଣ !

 

ବୃକ୍ଷ ହେବ ବୁଦ୍ଧଦେବ । ବୀଜ ଦେବ ବୋଧିର ବୈଦୂର୍ଯ

ଦିଶିବ କୁହୁଡ଼ି କାଟି ଦିହଜାର କୋଡ଼ିଏର ସୂର୍ଯ !

(୨୦୧୫)

 

ଚନ୍ଦ୍ରଭାନୁ ପଟ୍ଟନାୟକ

(୩୦ ସେପ୍‌ଟେଂବର ୧୯୫୮ - ୯ ମଇ ୨୦୧୮)

 

“ଅନେକ ସ୍ମୃତି ବ୍ୟକ୍ତିଗତ । ଏକାଂତତାର ଅଂଶୀଭୂତ । ତଥାପି ଗୋଟିଏ କଥା ଯେତେ ବ୍ୟକ୍ତିଗତ ହେଉ ପଛେ ପ୍ରକାଶ କରିବାର ପ୍ରଲୋଭନ ଅସଂବରଣୀୟ । ଥରେ ଗୋଟିଏ ଜହ୍ନରାତିରେ ଜମାନବଂଦି ଦେଲା ପରି ଚଂଦ୍ରଭାନୁଂକ ଅସହାୟ ଅଂତଃସ୍ୱର ସେଦିନର ଆକାଶକୁ ଶେଷଶ୍ରାବଣର ମୁଠାମୁଠା ମେଘରେ ଭାରାତୁର କରିଦେଇଥିଲା ହୁଏତ - ‘ପୁଷ୍ପାକୁ ନ ପାଇଲେ ମୋର ସବୁ ପ୍ରାପ୍ତିର ପାଖୁଡ଼ା ଫିକା !”

 

‘ଚଂଦ୍ରୋଦୟ’

 

(ସ୍ମୃତିସବୁର କୌଣସି କମା ନାହିଁ କି ପୂର୍ଣଚ୍ଛେଦ ନାହିଁ - ସେସବୁ କେବଳ ଅଂତଃକରଣର ଅନୁସ୍ପଂଦନମୟ ସ୍ୱର - ସ୍ୱଗତରେ ସ୍ୱତଃ, ସଂଳାପରେ ସଂକୁଚିତ । ବୟସରେ ମୋଠୁ ତିନି/ଚାରିବର୍ଷ ସାନ, ମାତ୍ର ସର୍ଜନଶୀଳ ସାଂବାଦିକ-ସଂସ୍କୃତି କ୍ଷେତ୍ରରେ ଜଣେ ସମୁଜ୍ଜ୍ୱଳ ସମକାଳୀନ ଚଂଦ୍ରଭାନୁ ପଟ୍ଟନାୟକ ମୋ ସ୍ମୃତିର ସଂପତ୍ତିତାଲିକାଧୀନ କୋହିନୂର୍‌ ଖଂଡେ । ତାଂକୁ ସାଂବାଦିକ, ଏକଦା ଚିଫ୍‌ରିପୋଟର୍‌, ବ୍ୟୁରୋଚିଫ୍‌, ବାର୍ତାସଂପାଦକ, ପରବର୍ତୀ ପର୍ଯାୟରେ କୌଣସି ଲିମିଟେଡ଼୍‌ ବା ଟ୍ରଷ୍ଟଚିହ୍ନିତ ମାଲିକାନାର ମୋହରମରା ମୁଖପତ୍ର ବା ଖବରକାଗଜର ‘ଏଡିଟର୍‌’ କହି ତାଂକ ବୃହତ୍ତର ଅସ୍ମିତାକୁ କ୍ଷୁଦ୍ରତର ପରିଚିତିରେ ପରିଧିସ୍ଥ କରିରଖିବାରେ ଘୋର କୁଂଠା ମୋର । ବରଂ ତାଂକ ସଂପର୍କିତ ମୋର ଯାବତୀୟ ସ୍ମୃତି ରହିଥାଉ ସେଇପରି ବ୍ୟକ୍ତିଗତ ହୋଇ, ଯାହା ମୋ ପକ୍ଷରେ ସମସ୍ତ ସଂସ୍ଥାର ଊର୍ଧ୍ବରେ ଉଡ୍ଡୀନ ଏକ ଆଜାଦ୍‌ ପତାକାର ପତିଆରା ।

 

ଯାହା ସେ ଥିଲେ ଶେଷ ପର୍ଯଂତ, ତାହା ଅପେକ୍ଷା ସେ ଯେ ଥିଲେ ଆହୁରି ଅଧିକ - ଏ କଥା କେବଳ ମୁଁ କାହିଁକି ତାଂକର ବହୁ ବଂଧୁ, ବିରାଦର, ଆତ୍ମୀୟସ୍ୱଜନ, ଅଂତରଂଗବର୍ଗ ପୂର୍ଣଅବଗତ ଥିବେ ନିଶ୍ଚୟ । ସେସବୁ ପରିଚିତିର ପାଖୁଡ଼ା ଫିଟିପାରିଲେ ସ୍ପଷ୍ଟ ସନାକ୍ତ ହୋଇପାରିବ ଯେ ତାଂକ ପାଇଁ ସାଂବାଦିକତା ଥିଲା ସତ୍ୟବଦ୍ଧ ସାହସିକତାର ସୁସ୍ପଷ୍ଟୀକରଣ ... ନିଜ ଚଳମାନ୍‌ ସମୟର ନୀଳଲୋହିତ ଚିତ୍ରଣ । ନିଜ ସମୟର ଓଡ଼ିଶା ରାଜନୀତିର ମୁଖ୍ୟ ଓ ପାର୍ଶ୍ୱଚରିତ୍ରମାନଂକ ମେଳରେ ତାଂକୁ କୌଣସି ବଶଂବଦ ବାର୍ତାଜୀବୀ ପରି ମନେ ହୋଇନି କେଭେଁ । ଏପରିକି ବିରୋଧୀ ଦଳର ଅନେକ ଏମ୍‌.ଏଲ୍‌.ଏ. ଓ ଶାସକ ଦଳର କେତେକ ମଂତ୍ରୀ ସୁଦ୍ଧା ତାଂକଠୁ ଲୋଡ଼ୁଥିଲେ ସମୟୋଚିତ ପଦକ୍ଷେପ ପାଇଁ ସୁପରାମର୍ଶ । ସେମାନଂକର ମିଳିତ ମସ୍ତିଷ୍କଠାରୁ ଚଂଦ୍ରଭାନୁ ପଟ୍ଟନାୟକଂକ ଅପମିଶ୍ରଣରହିତ ଅନୁଚିଂତନଶୀଳ ମସ୍ତିଷ୍କ ଯେ ଅନେକାଂଶରେ ଥିଲା ଉନ୍ନତ ଓ ଉର୍ବର - ଏଥିରେ ତିଳାର୍ଧ ସଂଶୟ ନାହିଁ ମୋର । ରାଜନୀତିର ରାତ୍ରିଚରମାନଂକ ସହ ସାଦାସିଧା ସଂଧ୍ୟାଟିଏ ସୁଦ୍ଧା କାଟିବାକୁ ମୁଁ କୁଂଠିତ ସବୁ ସମୟରେ । ମୋର ଧାରଣା, ପ୍ରକୃତରେ ସେମାନେ ଓଡ଼ିଶା ପାଇଁ ପାଂଚମିନିଟ୍‌ ମଧ୍ୟ ନୀରବପ୍ରାର୍ଥନା କରୁନଥିବେ କଦାପି । ଚଂଦ୍ରଭାନୁ ଏ କଥା ଜାଣି ମଧ୍ୟ ମତେ ତାଂକ ଆକର୍ଷକ ଅନୁରୋଧରେ ଉଦ୍ଦୀପ୍ତ କରି ଏକାଧିକବାର ଟାଣିନିଅଂତି କେତେକଂକ ଘରୋଇ ଘେରାକୁ । କେତେବେଳେ କେମିତି ମୁଁ ଯାଏ, କିଂତୁ ଲୟ ରହିଥାଏ ନେତାଂକ ବିଜ୍ଞପ୍ତ ଭାବମୂର୍ତି ପ୍ରତି ଯେତେ ନୁହେଁ, ସେତେ ଚଂଦ୍ରଭାନୁଂକର ବିଶେଷ ବାକ୍‌ସ୍ଫୂର୍ତି ପ୍ରତି । ଚକ୍ଷୁ ଓ ପ୍ରଚକ୍ଷୁ ପରି, ଚଂଦ୍ରଭାନୁଂକର ସ୍ନିଗ୍ଧ ସ୍ମିତ ଓ ଶାଣିତ ପ୍ରଶ୍ନ ତାଂକର ସେଇ ଚିରାଚରିତ ବାକ୍‌ଭଂଗିମାରେ ଅଂଗାଂଗୀ ହୋଇ ଜଡ଼ିରହିଥାଏ ବିଦାୟମୁହୂର୍ତ ପୂର୍ବ ପର୍ଯଂତ ।

 

ଥରେ ଅଶୋକ ଦାଂସକ ସରକାରୀ କ୍ୱାର୍ଟର୍‌କୁ ମତେ ଦିନେ ସଂଧ୍ୟାରେ ନେଇଗଲେ ସେ-। ଲେଂବୁରସମିଶା ନାଲି ଚା’ରେ ଆପ୍ୟାୟିତ ସେଦିନର ବିଳବିଂତ ସଂଧ୍ୟାର ସେ ନିଭୃତ ବୈଠକଖାନାରେ ସଂଧ୍ୟା ସାଢ଼େ ସାତଟା ପରର ଅଶୋକ ଦାସ ଆଉ ରାଜନୀତିର ବିବୃତିପଟୁ ପ୍ରାଣୀ ପରି ଲାଗୁନଥିଲେ ମୋଟେ । ରାଜନୀତି କଥା ନପଚାରି ତାଂକୁ ତାଂକ ବକ୍‌ସିଂବିଦିତ ବିଗତ ଦିନଗୁଡ଼ିକର କଥା ପଚାରିବାରେ ବ୍ୟସ୍ତ ଚଂଦ୍ରଭାନୁ । ମତେ ତାଂକ ସହିତ ପ୍ରାୟ ପଚିଶ ମିନିଟ୍‌ ପୂର୍ବରୁ ପରିଚିତ କରାଇଦେଇଥିବାରୁ ସେମାନଂକ ପ୍ରଶ୍ନୋତ୍ତର ପର୍ଯାୟକ୍ରମରେ ତାଂକୁ ହଠାତ୍‌ ଗୋଟିଏ ପ୍ରଶ୍ନ ପଚାରିଲି ମୁଁ । ପଚାରିନଥାଂତି, କିଂତୁ ଓଡ଼ିଶା ରାଜନୀତି ପ୍ରସଂଗରେ ସେ ଗୋଟିଏ ମାତ୍ର ନାମକୁ ଆଲୋଚନାର ଅଡ଼ୁଆସୂତା ଯେତେ ଯୁଆଡ଼େ ଲଂବିଚାଲିଲେ ବି ବରାବର ଜାବୁଡ଼ିଧରିଥାଂତି ଜପାମାଳିର କଂଠି ପରି । ପଚାରିଲି - ଆଜ୍ଞା ଓଡ଼ିଶା ରାଜନୀତିର ପ୍ରତ୍ୟେକ ବାକ୍ୟ ପରର ପୂର୍ଣଚ୍ଛେଦ କ’ଣ କେବଳ ବିଜୁ ପଟ୍ଟନାୟକ ?

 

ହସହସ ଚଂଦ୍ରଭାନୁ ସହିତ କଥା ହେଉହେଉ ମଝିରେ ମଝିରେ ସେ ଚାହିଁଦେଉଥାଂତି ମତେ । ହେଲେ ପ୍ରଶ୍ନଟା ଶୁଣି ସେ ପର୍ଯଂତ ଆଦୌ ହସୁନଥିବା ଅଶୋକ ଦାସ ମତେ ପ୍ରାୟ ଚଉଠ ମିନିଟ୍‌ ଚାହିଁରହିଲେ ଚୁପ୍‌ଚାପ୍‌ । ତାପରେ ତାଂକ ଉତ୍ତର ଥିଲା ଏକ ପ୍ରତିପ୍ରଶ୍ନ : ଏଭଳି କାହିଁକି ପଚାରୁଛ ?

 

ମୁଁ ତାଂକ ପ୍ରଶ୍ନର ଉତ୍ତର ଦେଲି : ବିଜୁ ପଟ୍ଟନାୟକ ପୂର୍ବରୁ ତାଂକ ରାଜନୈତିକ ବାକ୍ୟଗଠନରେ ବରାବର ଦୁଇଟି ପୂର୍ଣଚ୍ଛେଦ ବ୍ୟବହାର କରୁଥିଲେ - କଳିଂଗ ଓ ଖାରବେଳ । ତାପରେ ‘କଳିଙ୍ଗ’କୁ ଗୋଟିଏ ପୁରସ୍କାରର ପୂର୍ବନାମଟିରେ ପରିଣତ କରି ଖବରକାଗଜଟିଏ କରିସାରିଥିଲେହେଁ ‘ଖାରବେଳ’ ନାଆଁରେ ଏଯାବତ୍‌ କୌଣସି ସାମରିକ ସମ୍ମାନ ପ୍ରବର୍ତନ କରିନାହାଂତି, ଏପରିକି କେଉଁଠି ଗୋଟାଏ ଏୟାର୍‌ପୋର୍ଟ୍‌ ବି । ଏବେ ତାଂକ ରାଜନୈତିକ ଅନୁଚ୍ଛେଦର ବାକ୍ୟାବଳୀରେ ତୃତୀୟ ପୂର୍ଣଚ୍ଛେଦ - ଜଗନ୍ନାଥ । ଆପଣ ଏଇ ତିନୋଟିଯାକ ପୂର୍ଣଚ୍ଛେଦ ମଧ୍ୟରୁ କୌଣସି ଗୋଟିକୁ ଗ୍ରହଣ ନ କରି ତିନୋଟିଯାକର ରାଜନୀତିକରଣ କରିଥିବା ବିଜୁ ପଟ୍ଟନାୟକଂକୁ ହିଁ ପୂର୍ଣ୍ଣଚ୍ଛେଦ କରିଚାଲିବାରେ ଆଗ୍ରହୀ କେବଳ ।

 

ଚଂଦ୍ରଭାନୁ ହସୁଥିଲେ ସେଇ ସ୍ୱଭାବସୁଲଭ ସ୍ମିତ । ଏଥରକ କିଂତୁ ଆଦୌ ଉଷ୍ଣ କି ଉତ୍ତପ୍ତ କି ଉତ୍ତ୍ୟକ୍ତ ନହୋଇ ଉଚ୍ଚହାସ୍ୟ କଲେ ପେଶୀପୁଷ୍ଟ ତୁଂଗ ନେତୃପୁରୁଷ ଅଶୋକ ଦାସ୍‌ । ସଂଧ୍ୟା ସାଢ଼େ ସାତଟାର ସବୁଜଶ୍ୟାମଳ ରଂଗ ରାତି ସାଢ଼େ ଆଠଟାର ଅଂତରଂଗ ଅଂଧକାରରେ ବଦଳିଯାଉଥିଲା କ୍ରମେ ଆଉ ଆମ ତିନିଜଣିକିଆ ସେଇ ସାୟଂନିଶିର ଆସର ନିବିଡ଼ତର ହୋଇଆସୁଥିବାବେଳକୁ ଲକ୍ଷ୍ୟ କଲି, ବୈଠକଖାନାର କାଂଥରେ କ୍ରୁଶବିଦ୍ଧ କରୁଣକୋମଳ ବାର୍‌ଲାଇଟ୍‌ର ସ୍ୱଚ୍ଛଶୁଭ୍ରାଲୋକସ୍ନାତ ଅଶୋକ ଦାସ ଯେପରି ତରଳିବାକୁ ଆରଂଭ କରୁଥିଲେ ଧୀରେଧୀରେ । ଦୂର ରାଜନୀତିର ରୁଦ୍ରବୈଶାଖ ଯେପରି ଏକପ୍ରକାର ଅଦୂର ଆତ୍ମୀୟତାର ଆତିଥେୟତାରେ ଆଚ୍ଛନ୍ନ ହୋଇ କ୍ରମେ ପାଲଟିଯାଉଥିଲା ମଲ୍ଲାରରାଗର ମମତାମେଦୁର ଇଂଦ୍ରମେଘ । ଆଉ ଅସରାଏ ଲେଂବୁରସସିକ୍ତ ଚା’ର ନାଲିମାକୁ ଚାଖୁଚାଖୁ ଚଂଦ୍ରଭାନୁ ସେଦିନର ସେହି ତୁଂଗନେତାଂକୁ ମୋର ଗୋଟିଏ ଅପ୍ରାସଂଗିକ ପରିଚିତିକୁ ହଠାତ୍‌ ଭୁଲିଯାଇଥିବା ସ୍ୱରଟିଏ ମନେପଡ଼ିଯିବା ପରି ଉତ୍‌ଥାପନ କଲେ - ଗିରିଜାବାବୁ ରାଜନୀତିର ଲୋକମାନଂକ ପ୍ରତି ରୁଚି ରଖଂତିନାହିଁ । ମୁଁ ତାଂକୁ ଜବର୍ଦସ୍ତ ଟାଣିଆଣିଛି ଏଠିକି । ରାଜନୀତିଜ୍ଞମାନଂକ ସହିତ ବସି ସମୟ ନଷ୍ଟ କରିବା ଅପେକ୍ଷା ବେଳ ବଳକା ହେଲେ ସନେଟ୍‌ ଲେଖିବାକୁ ଭଲପାଆଂତି ସେ ।

 

ସିଗାରେଟ୍‌ର କୁଂଡଳୀକୃତ ବାଦାମୀ ଧୂଆଁଧାର ଭିତରେ ଏ ‘ସନେଟ୍‌’ ଶବ୍ଦର ଉଦ୍‌ଗାର ସେତେବେଳେ ଠିକ୍‌ ଧାରେ ପାଉଁଶପାଛୁଡ଼ା ପାତଳ କୁହୁଡ଼ି ପରି ମନେହେଲା ମତେ । ମାତ୍ର ମୃଦୁ ହସି ଅଶୋକ ଦାସ ତାଂକ ଉଦାତ୍ତ ସ୍ୱରନିର୍ଘୋଷକୁ ଯଥାସାଧ୍ୟ ନରମ ନିଟୋଳ କରି କହିଲେ - ତାଂକୁ ଏମିତି ସମୟ ମିଳିବାମାତ୍ରେ ଟାଣିଆଣୁଥିବ ।

 

ମୁଁ ସେଦିନ ଚଂଦ୍ରଭାନୁ ପଟ୍ଟନାୟକଂକ ସହିତ ଉପଭୋଗ କରିଥିଲି ଗୋଟିଏ ସ୍ୱତଂତ୍ର ସଂଧ୍ୟାରାଗର ସୁରଭିତ ସୌକୁମାର୍ଯ । ଅନୁଭବ କରିଥିଲି, ରାଜନୀତିରେ ଅହୋରାତ୍ର ଅସ୍ତବ୍ୟସ୍ତ ଓ ବାହ୍ୟତଃ କଠୋରକଠିନ ମନେହେଉଥିବା ଜଣେ କୀର୍ତିମାନ୍‌ କର୍ତୃପୁରୁଷ ନିଜ ନିଭୃତ ଅଂତଃସ୍ଥଳରେ କେତେ ମୃଦୁମଧୁର ! ଏପରି ଏକ ଆଭ୍ୟଂତରୀଣ ବିବର୍ତନ ଅନୁଭବ କରିଥିବି କ୍ୱଚିତ୍‌ ରାଜନେତାଂକ ଚରିତ୍ରରେ । ଥରେ ପୂର୍ବତନ ମୁଖ୍ୟମଂତ୍ରୀ ନଂଦିନୀ ଶତପଥୀଂକ ସଂପର୍କରେ ମଧ୍ୟ ଏଇ ଅଭାବିତ ଉପଲବ୍‌ଧି ହୋଇଥିଲା ମୋର ।

 

ଚଂଦ୍ରଭାନୁ ପଟ୍ଟନାୟକଂକ ସଦାସସ୍ମିତ ସତ୍ତାରେ ପ୍ରଜ୍ୱଳିତ ଥିଲା ଏକ ଅକୁତୋଭୟ ଆତ୍ମପ୍ରତ୍ୟୟର ଅନିର୍ବାଣ ଶିଖା । ରାଜଧାନୀ ଭୁବନେଶ୍ୱରର ଏକାମ୍ର କଲେଜ୍‌ରେ ଅନ୍ୟୂନ ସାତବର୍ଷକାଳ ସେ ଥିଲେ ଛାତ୍ରଛାତ୍ରୀମହଲର ସାତିଶୟ ସମାଦୃତ ଜଣେ ତରୁଣ ଇଂରାଜୀ ଅଧ୍ୟାପକ । ମାତ୍ର ଅଧ୍ୟାପନା କ୍ଷେତ୍ରରୁ ସେ ତାରୁଣ୍ୟର ସେଇ ଆଦ୍ୟପର୍ବରେ ହିଁ ମୁହାଁଇଆସିଥିଲେ ନିରାପତ୍ତାହୀନ ନିରସ୍ତ୍ର ସାଂବାଦିକତାର ଏ ମୁକୁଳା ମଇଦାନ୍‌କୁ । କ୍ଲାସ୍‌ରୁମ୍‌ କି ଗ୍ଲାସ୍‌ରୁମ୍‌ରେ ଦୁମୂର୍ଲ୍ୟ ଯୌବନର ଅହୈତୁକ ଅପଚୟ ଅପେକ୍ଷା ସେ ବରଂ ବେଶି ପସଂଦ କରିଥିଲେ ଅଂଧମୂକବଧିର ରାଜନୀତିକ ବ୍ୟବସ୍ଥାର ଗ୍ୟାସ୍‌ଚ୍ୟାଂବର୍‌ରେ ଊର୍ଧ୍ବଶ୍ୱାସ ଓଡ଼ିଶା ପାଇଁ, ଏକାଂତ ଅଭୀପ୍‌ସିତ ସେଇ ଅମ୍ଳଜାନଦାୟୀ ମୁକ୍ତଚିଂତନର ମୃଗବନ - ଯେଉଁଠି ମୁକୁଟ ପାଖରେ ନଉଁନଥିବ ମୁଂଡ କି ମାଲିକାନା ପାଖରେ ବାଂକୁନଥିବ ମେରୁଦଂଡ ।

 

ସେ ଥିଲେ ସ୍ୱାଭିମାନୀ, ସ୍ୱାଧୀନଚେତା, ସ୍ୱାୟତ୍ତ ସମଯୋଧକ । ସେ ଥିଲେ ଆମର ସେଇ ସମର୍ଥ ସମକାଳୀନ - ଯିଏ ଅବିଚାରିତ ଆଘାତ ନୁହେଁ, ଆଜୀବନ ଲୟବଦ୍ଧ ଥିଲେ ଅନାପେକ୍ଷିକ ଲକ୍ଷ୍ୟଭେଦରେ । ସେ ଲକ୍ଷ୍ୟ ଓଡ଼ିଶାର ଉପେକ୍ଷିତ ଅଦୃଷ୍ଟ ପ୍ରତି ଅବଧାରିତ ନ୍ୟାୟ ଆଦାୟର ଆଭିମୁଖ୍ୟ - ସାଂବାଦିକତାର ସାମରିକ ଶବ୍ଦଘୋଷ ମଧ୍ୟରେ । ତାଂକର ସ୍ୱଂୟକ୍ରିୟ ସ୍ମିତହାସ ପରି ତାଂକ ସମୁଚ୍ଚସ୍ତରୀୟ ସ୍ତଂଭର ଶୈଳୀ, ସ୍ୱତଂତ୍ର ସଂବାଦଲେଖର ଶବ୍ଦସବୁ ଥିଲା ସ୍ୱତଃସ୍ଫୂର୍ତ - କିଂତୁ ସୁଚିଂତିତ, ସୂଚିଭେଦ୍ୟ - ଏବଂ ସ୍ଥଳେସ୍ଥଳେ ସୁସଂଗତ ଶ୍ଳେଷରେ ଥିଲା ଶେଷରସର ସେଇ ଶାଂତଆଶ୍ଳେଷ । ଅସମାପ୍ତ ଅବଶୋଷର ଏ ଅସମତଳ ଓଡ଼ିଶା ପାଇଁ ତାଂକ ଗଦ୍ୟ ଥିଲା ଗାୟତ୍ରୀ । ଶାସକଦଳର ସ୍ତୁତିମାଳାରେ କି ବିରୋଧୀଦଳର ବିରୁଦାବଳୀରେ ତ୍ରସ୍ତତ୍ରିଶଂକୁର ତିଳତର୍ପଣ ନଥିଲା ସେ ତର୍କତରଂଗିତ ଗଦ୍ୟ କେଭେଁ । କେଂଦ୍ରବିଂଦୁ ଥିଲା ଅସ୍ତିତ୍ୱର ଆତ୍ମସଂକଟରେ ଉପିୀଡ଼ିତ ଓଡ଼ିଶା ଏବଂ ଆତ୍ମଚୈତନ୍ୟର ଅନଟନରେ ଆକ୍ରାଂତ ଓଡ଼ିଆମାନଂକୁ ନେଇ ଆଂତରିକ ଅନୁଶୀଳନ । ସେଥିପାଇଁ ପରିଣତ ପର୍ବରେ ସେ ହୋଇପାରିଥିଲେ ସମକାଳୀନ ଓଡ଼ିଶାର ଶ୍ରେଷ୍ଠ ରାଜନୈତିକ ବିତାର୍କିକ - ଟିଭି ପରଦାର ପଟଭୂମିରେ । ଏହା ପୂର୍ବରୁ ତାଂକ ସ୍ୱାତଂତ୍ର୍ୟସଂପନ୍ନ ସ୍ତଂଭକାରିତା ମଧ୍ୟରେ ଜଣେ ବିଚକ୍ଷଣ ବିଶ୍ଳେଷକ ଭାବରେ ମଧ୍ୟ ସାବ୍ୟସ୍ତ ହୋଇସାରିଥିଲା ତାଂକର ଅବିସଂବାଦିତ ଅଦ୍ୱିତୀୟତା। ସମକାଳର ଜଣେ ଯୋଗ୍ୟ, ଆଉ ଜଣେ ସୁଯୋଗ୍ୟକୁ ସ୍ୱୀକାରିନେବାରେ ସକୁଂଠ ହେଉଥିବାବେଳେ ଚଂଦ୍ରଭାନୁ କିଂତୁ ଥିଲେ ଏପ୍ରକାର ‘ଚାଲୁ’ ଚାରିତ୍ରିକତାର ଚର୍ମଣ୍ୱତୀଠାରୁ ବହୁଦୂରରେ । ଅନ୍ୟର ଅନନ୍ୟତାରେ ସେ କେବଳ ଚକିତ ହୋଇ ରହିଯାଉନଥିଲେ, ଉଚ୍ଚକିତ ବି ହେଉଥିଲେ ଏବଂ ଅନେକଂକ ଆଗରେ ସେଇ ଅନନ୍ୟ ଅନ୍ୟକୁ କରାଇପାରୁଥିଲେ ଉଚ୍ଚପ୍ରଶଂସିତ । ତାଂକ ତର୍କ ତେଣୁ ଯେପରି ନଥିଲା ତକରାଳ, ବିତର୍କ ବି ସେପରି ନଥିଲା ବିଦ୍ୱେଷବର୍ଧିଷ୍ଣୁ ।

 

ଚକ୍ରବ୍ୟୂହର ଚରିତ୍ର ହେବାକୁ ଚାହିନାହାଂତି ସେ କୁତ୍ରାପି । ବରଂ ସେଇ ସାବଲୀଳ ସ୍ମିତମିଶ୍ରିତ ସ୍ୱଚ୍ଛଂଦ ସ୍ୱରବ୍ୟଂଜିତ ବର୍ଣମାଳା ଥିଲା ତାଂକ ବୌଦ୍ଧିକ ବ୍ରହ୍ମାସ୍ତ୍ରର ବିରଳ ବିଦ୍ୟୁଚ୍ଛଟା - ଯାହା ଧନ୍ୟ କରାଇଦିଏ ଜଣେ ଯଥାର୍ଥ ସାଂସ୍କୃତିକ ଧନୁର୍ଧରର ଧାରଣଶକ୍ତିକୁ ଆଉ କୃତାର୍ଥ କରାଇଦେଇପାରେ ତାର ତୂର୍ଣ-ତୂଣୀରର ଅକ୍ଷୟ ଭୂମିକାଟିକୁ !

 

ତିରିଶବର୍ଷ ବୟସବେଳୁ ବେଶ୍‌ ଜଣାଶୁଣା ହୋଇସାରିଥିଲେ ସେ । ‘ପ୍ରଗତିବାଦୀ’ରୁ ‘ସମ୍ୱାଦ’କୁ ଆସି ସେ ପାଇଥିଲେ ପ୍ରଶସ୍ତତର ପ୍ରାଂତର - ନିଜ ବୁଦ୍ଧିଦୀପ୍ତ ପ୍ରତିଭାର ମୁକ୍ତବିଚରଣଭୂମି । ରିପୋର୍ଟିଂରୁ ଆରଂଭ ହୋଇଥିଲା ସାହସିକ ସାଂବାଦିକତାର ଗୋଟିଏ ପରେ ଗୋଟିଏ ସୋପାନ-ଆରୋହଣର କ୍ରମପର୍ଯାୟ । ଦୌଡ଼ ପ୍ରତିଯୋଗିତାର ପେସାଦାରୀ ପ୍ରବୃତ୍ତି ନଥିଲା ତାଂକ ରକ୍ତରେ କି କୌଣସି ରେସ୍‌କୋର୍ସର ନିଲାମୀ ଟିକେଟ୍‌ ନଥିଲା ତାଂକ ରିପୋର୍ଟ୍‌ । ରଂ-ନଂବରୀ ରାଜନୀତିର ରିଂଗ୍‌ମାଷ୍ଟର୍‌ମାନଂକୁ ନେଇ ଚୁଟ୍‌କି ଚାଂଚଲ୍ୟର ଚହ୍ଲା-ଚଟଣିକୁ ସାଂବାଦିକତା କି ସ୍ପ୍ରିଂ-ପ୍ରସାରୀ ପ୍ରଶାସନିକତାର ନାତିଶୀତୋଷ୍ଣ ନିଦାବିଷ୍ଣୁତ୍ୱକୁ ନେଇ ଖୁସ୍‌ମିଜାଜୀ ଖୁଚୁରାମିକୁ ଖାସ୍‌ଖବର ଭାବରେ ମନେମନେ କଦାପି ମାନିନେଇପାରୁନଥିଲେ ସେ । ସେଥିପାଇଁ ବୋଧହୁଏ ‘ସମ୍ୱାଦ’ର ରବିବାର ସ୍ୱତଂତ୍ରପ୍ରସ୍ତରେ ସେ ‘ଦପ୍ତରରୁ ଦରବାର’ ଆରଂଭ କରିଥିଲେ ବି ଶେଷ ଅବଧି ତାଂକର ପ୍ରକୃତ ପ୍ରିୟସ୍ତଂଭ ଥିଲା ‘ପ୍ରଥମ ପ୍ରସଂଗ’ ।

 

ନାନା ନିରୀକ୍ଷାରେ ନିର୍ଣିତ ସେ । ସାଂବାଦିକତାର ସବୁ ସୋପାନରେ ତାଂକ ସାମ୍ମୁଖ୍ୟ ଛାଡ଼ିଯାଇଛି ସାଫଲ୍ୟର ସ୍ମୃତିଚିହ୍ନ । ତିରିଶଦିନର ହାଜିରାଖାତାରେ ଦସ୍ତଖତ ଦେବାର କୁର୍ସିକାତର କସ୍‌ରତ୍‌କୁ ଖୋଲାଖୋଲି ଖାରଜ କରିଦେଉଥିଲେ ସେ। ବିଶ୍ୱାସ ଥିଲା ତିସ୍‌ରୀ କସମ୍‌ର କଦମ୍‌ଚଲାରେ - ସଜନ୍‌ରେ, ଝୁଟ୍‌ ମତ୍‌ ବୋଲୋ । ମ୍ୟାନେଜ୍‌ମେଂଟ୍‌ର ମିନାର୍‌କୁ ମାନିନାହାଂତି ମୋଟେ, ବରଂ ଆଗେଇଯାଇଛଂତି ଉଡ଼ିଗଲା ଚଢ଼େଇର ପର ଗଣିବାକୁ ଗୋଟିଗୋଟି । ଖବରକାଗଜର ଶିରୋନାମାଶୋଭିତ ଅଂଗୁଳିଅଗରେ ଗଣା ଅନେକ ବିରଳ ସଂବାଦର ସ୍ୱୟଂଭୂ ସେ - ଚଂଦ୍ରଭାନୁ ପଟ୍ଟନାୟକ । କର୍ମ ସହିତ ମର୍ମର ଏ ମେଳ, କିପରି ବା କାହିଁକି ମାନିନେବ କର୍ତୃପକ୍ଷ ଆଗରେ କୈଫିୟତ ତଲବ୍‌ର କୌଣସି ‘କାରଣ ଦର୍ଶାଅ’ ନୋଟିସ୍‌ ? ବରଂ କେତୋଟି ବର୍ଷ ପର୍ଯଂତ ସେ ଖୋଦ୍‌ କାର୍ଯରତ ଥିବା ସଂସ୍ଥାଗୁଡ଼ିକର ମିଶାଣଠାରୁ ସୁଦ୍ଧା ଆହୁରି ଉଚ୍ଚ ଥିଲା ତାଂକ ଏକକ ଆସ୍ଥାର ନାମୀ ନିଶାଣ । ସେଥିପାଇଁ ତ ତାଂକର ଗିରିଶିଖଲୟୀ ଷାଠିଏ ସାମ୍ନାରେ ପଛରେ ପଡ଼ିଯାଆଂତି ସୁଖକର ସୁଖବରର ସୌଖୀନ୍‌ ସୁରାସେବୀ ସତୁରି-ପଂଚସ୍ତରିମାନେ - ଦ୍ରୁତପୁଷ୍ପକର ଗବାକ୍ଷରେ ଦିଶିଯାଉଥିବା ଦୂରର ନିଶ୍ଚିହ୍ନପ୍ରାୟ ଗୋଟାଏ ଗୋଟାଏ ନିଃସଂଗ ନିଶାଣଖୁଂଟ ପରି ! ତାଂକ ଗତିଶୀଳ ଗଦ୍ୟ, ତୀକ୍ଷ୍‌ଣଧାର ତାର୍କିକତା, ତିର୍ଯକ୍‌ ତାପିର୍ଯର ତ୍ରିଭଂଗିମା ଆମ ତରୁଣତର ଓଡ଼ିଆ ସାଂବାଦିକତାରୁ ମଂଥରତାର ମଧ୍ୟଯୁଗକୁ ମେଲାଣିଦେଇ ନୂତନ ମାନସିକତାର ମାନପତ୍ର-ପ୍ରସ୍ତୁତିପର୍ବରେ ଅନେକାଂଶରେ ସୃଷ୍ଟି କରିଛି ଉଲ୍ଲେଖନୀୟ ଆନୁକୂଲ୍ୟ । ଏକବିଂଶ ଶତାବ୍ଦୀର ଅବ୍ୟବହିତପୂର୍ବ ଅଂତିମ ଦଶକରୁ ଓଡ଼ିଆ ସାଂବାଦିକତାକୁ ତରୁଣପିଢ଼ିର ଏ ଅବାରିତ ଅବଦାନ ଆଭିମୁଖ୍ୟଟି ଯଦି କେବେ ଅନାପେକ୍ଷିକ ଭାବରେ ଆକଳିତ ହୋଇପାରଂତା, ତା’ହେଲେ ତାଂକ ଅଂଗୀକାରବଦ୍ଧ ଅଂଶୀଦାରିତାକୁ, ଏହି ଦୃଷ୍ଟିରୁ, ଏଡ଼ାଇଦେବା ଏକପ୍ରକାର ଅପରାଧ ।

 

ଦକ୍ଷତା, ଦାୟବଦ୍ଧତା, ଦିଗ୍‌ଦର୍ଶିତାର ସେ ଦୁଇ ଦଶକ (୧୯୮୫-୨୦୦୫) ଓଡ଼ିଆ ସାଂବାଦିକତାରେ ଉତ୍ତରସଂକ୍ରାଂତିର ଉଦ୍‌ଯୋଗ ପର୍ବ । ଏ କ୍ରାଂତିକାଳ ଗୋଟିଏ ସଲାମୀ ସକାଳ - ପ୍ରଭାତୀସଂସ୍କରଣର ଶଂଖଧ୍ୱନିରେ ଅଭିନଂଦିତ । ଅନ୍ୟ ନବୋଦିତ ତରୁଣ-ତାରକାପୁଂଜ ମଧ୍ୟରେ ଚଂଦ୍ରଭାନୁ ପଟ୍ଟନାୟକଂକ ନାମ ମନେରହିବ ତ ନିଶ୍ଚୟ - ଚା’ ଛଡ଼ା ମନେପଡୁଥିବ ତାଂକ ସ୍ୱପ୍ନବିଭୋରତାର ସ୍ୱଗତଭାଷ ବି । ଯେଉଁ ସ୍ୱପ୍ନ ଦିନେ ନୂତନ ସାଂବାଦିକକୁ କୃଷ୍ଣଚୂଡ଼ାର ଶାଖାରୋହଣ ସକାଶେ ଆମଂତ୍ରଣ କରିଥିଲା କାଳୋତ୍ତୀର୍ଣ କଥାକାର ସୁରେଂଦ୍ର ମହାନ୍ତିଂକର ଗୋଟିଏ ଅଭୁଲା ଗଳ୍ପରେ, ସେ ସ୍ୱପ୍ନ ସାକାର ହେବାର ସମୟ ପହଂଚିସାରିଥିଲା ପ୍ରାୟ । ସେ ସମୟର ସୂର୍ଯସ୍ନାନରେ କତିପୟ ବିରଳ ବର୍ଗଂକ ମଧ୍ୟରେ ବି ଚିହ୍ନଟ କରିହେଉଛି ଚଂଦ୍ରଭାନୁଂକୁ ।

 

ତାଂକ ସହିତ ଏକାଧିକ କାରଣରୁ ତାଳ ଓ ମେଳ ଖାପ୍‌ ଖାଇଯାଇଥିଲା ମୋର । ଅଧ୍ୟାପନା ଛାଡ଼ି ମୁଁ ମଧ୍ୟ ଚାଲିଆସିଥିଲି ଗୋଟାଏ ଘୂରଂତା ଗ୍ଲୋବ୍‌ର ଗୋଲାକାର କ୍ଷେତ୍ର ଏଇ ସାଂବାଦିକତାକୁ । ଛାତ୍ରଜୀବନବେଳୁ ପ୍ରଦ୍ୟୁମ୍ନ ବଳଂକ ଆଗରେ ଅଜଣା ନ ଥିଲି ମୁଁ । ସେ ସମୟରେ ଅଂତତଃ ନଅଶ ନାଆଁ ଭିତରେ ବି ନିହାତି ନିଆରା ଲାଗୁଥିଲେ ସେ । ସେ ସମୟରେ କିଛି ଗୋଟାଏ ନୂଆଦିଶାର ଇସାରା ଦେଉଥିଲା ‘ପ୍ରଗତିବାଦୀ’ - ସାଂବାଦିକତାର ଶୁଚି ଓ ସୁରୁଚିକୁ ନେଇ ଗୋଟିଏ ସମାଂତରାଳ ସଦ୍ୟସଂସ୍କାର । ପ୍ରଦ୍ୟୁମ୍ନବାବୁଂକ ସସ୍ନେହ ଅନୁରୋଧରେ ସେଠି ୧୯୮୪ ମସିହାରେ ଯୋଗ ଦେଲି ମୁଁ । ଖ୍ୟାତନାମା ସାଂବାଦିକ ରବି ଦାସଂକୁ ତାଂକ ତରୁଣ ତ୍ୱକ୍‌ରେ ଏହାର ପ୍ରାୟ ବାରବର୍ଷ ଆଗରୁ ଦେଖିଥିଲି କଟକର ଝାଂଜିରିମଂଗଳା ସାପ୍ତାହିକ ‘ପ୍ରଗତିବାଦୀ’ ଅଫିସ୍‌ରେ - ସେତେବେଳର ସଦାହାସ୍ୟୋଜ୍ଜ୍ୱଳ ରବିଭାଇ ୧୯୮୪ ମସିହାବେଳକୁ ସାଂବାଦିକତାର ସୁପ୍ରସିଦ୍ଧ ସୂତ୍ରୀ । ଦୈନିକ ‘ପ୍ରଗତିବାଦୀ’ର ସଂପାଦନାଫର୍ଦ ପ୍ରସ୍ତୁତି ସମେତ ବାର୍ତାୟନର ମାର୍ଗଦର୍ଶକ ସେ ସେତେବେଳେ - ଭୁବନେଶ୍ୱରର ବାପୁଜୀନଗର ଅଫିସ୍‌ରେ । ମୋ ପ୍ରତି ତାଂକର ସ୍ୱାଗତ ଥିଲା ସ୍ୱାଦ୍ୟ । ମତେ ଦିଆଗଲା ସାହିତ୍ୟଫର୍ଦ ସହ କଳାସଂସ୍କୃତିସଂପର୍କିତ ବିଭିନ୍ନ ପ୍ରସଂଗର ପରିଚର୍ଯାଭାର। ସେଠି ମୋର ମାତ୍ର ପାଂଚମାସ କାର୍ଯକାଳ ମଧ୍ୟରେ ପିତୃପ୍ରତିମ ପ୍ରଦ୍ୟୁମ୍ନବାବୁ, ମାତୃସ୍ଥାନୀୟା ଶାଶ୍ୱତୀ ବଳ ଓ ଭ୍ରାତୃକଳ୍ପ ରବି ଦାସ ଆଶାତିରିକ୍ତ ତୁଷ୍ଟ । କିଂତୁ ହଠାତ୍‌ ଆସିଲା ଭୁବନେଶ୍ୱର ୬ନଂ ୟୁନିଟ୍‌ରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ସୁରେଂଦ୍ର ମହାନ୍ତିଂକର ଜଣେ ବାର୍ତାବହ ‘ନଟ’ ମାର୍ଫତ୍‌ ଆଶୁନିର୍ଦେଶ - ‘ଗିରିଜା, ମତେ ଆସି ଦେଖା କର ଆଜି ସଂଧ୍ୟାରେ ।’ ପି.ୟୁ. ପଢ଼ିଲାବେଳୁ ସୁରେଂଦ୍ରବାବୁଂକ ପରମ ସ୍ନେହଭାଜନ ହୋଇପାରିଥିଲି ମୁଁ-। ସେ ସଂଧ୍ୟା ଯେ ମୋ ପାଇଁ ଆଉଏକ ସକାଳର ସୂଚନା, ତା ଜାଣିଲି ଯେତେବେଳେ ସେ ତାଂକର ବ୍ୟକ୍ତିଗତ ସହଯୋଗୀ ରୂପେ ‘ସମ୍ୱାଦ’ରେ ଯୋଗଦେବାକୁ ସମ୍ମତି ଚାହିଲେ ମୋଠାରୁ । ୧୯୮୪-୮୫ର ମଧ୍ୟମୋଡ଼ରେ, ଯେଉଁଦିନ ସକାଳେ ମୁଁ ପ୍ରଦ୍ୟୁମ୍ନବାବୁଂକୁ ଭେଟି ମୋର ନିଷ୍ପତ୍ତି ଜଣାଇଲି, ସେ ହଠାତ୍‌ ନିଷ୍ପ୍ରଭ ହୋଇପଡ଼ିଲେ ଏଇଥିପାଇଁ ଯେ ପ୍ରକୃତରେ ସେ ମୋତେ ସ୍ନେହ କରୁଥିଲେ ଅଂତଃସ୍ଥଳରେ। ତା’ଛଡ଼ା ସେତେବେଳେ ବିଜୁ ପଟ୍ଟନାୟକଂକ ବିରୋଧରେ ଆସନ୍ନ ନିର୍ବାଚନୀ ରଣାଂଗନରେ ଛିଡ଼ାହେବାକୁ ଯାଉଥାଂତି ସେ । ସେ ମତେ ବିଦାୟ ଦେଲେ ମନଦୁଃଖରେ ଏବଂ ତାଂକ ମନରେ ଦୁଃଖ ଦେଇଥିବା ଯୋଗୁ ମୁଁ ମଧ୍ୟ ବିଦାୟ ନେଇଆସିଲି ମନସ୍ତାପରେ ।

 

‘ସମ୍ୱାଦ’ର ସର୍ବପ୍ରଥମ ସଂପାଦକ ସୁରେଂଦ୍ର ମହାନ୍ତିଂକ ସହିତ ଯେଉଁଦିନ ସଂଧ୍ୟାରେ ପ୍ରଥମେ ନୟାପଲ୍ଲୀର ସେଇ ଅଫିସ୍‌ରେ ପହଂଚେ ସେଦିନ ସବୁଠୁ ମହାର୍ଘ ମନେହୋଇଥିଲା ଗୁଡ଼ିଏ କାଚର କୋଠରିରେ କ୍ରମବିଭକ୍ତ ସେ ଦୋତାଲା ଦପ୍ତରଟିର ଆଗପଛକୁ ଘେରିରହିଥିବା ଗୋଟିଏ ଦିବ୍ୟସୁଂଦର ଗହଳ ଘାସର ଲଂବାଚୌଡ଼ା ଲନ୍‌ । ସେଠି କେତୋଟି ବର୍ଷର ବ୍ୟବଧାନ ପରେ ଚଂଦ୍ରଭାନୁ ପଟ୍ଟନାୟକ - ଚଟୁଳ ସଂପର୍କର ଗୋଟିଏ ଚମତ୍କାର ଚଂଦ୍ରୋଦୟ ପରି ! ଆଗରୁ ଥିଲା ଅଳ୍ପଚିହ୍ନା - ସେ ଯେତେବେଳେ ଥିଲେ ରେଭେନ୍ସା କଲେଜରେ ଉପାଧ୍ୟୁତ୍ତର ଇଂରାଜୀ ବିଭାଗର ଛାତ୍ର ଏବଂ ଏକାଦିକ୍ରମେ ବୟୋକନିଷ୍ଠ କଥାକାର ଓ ମୋର ଭାବୀଶାଳକ ରୁଦ୍ରପ୍ରସାଦ ମହାନ୍ତିଂକ ସନ୍ନିକଟତମ ସହପାଠୀ । ମାତ୍ର ‘ସମ୍ୱାଦ’ର ସେ ସମୟର ପ୍ରାଣସ୍ଫୂର୍ତିପୂର୍ଣ ପରିବେଶର ପରିଧିରେ ଆମ ଉଭୟଂକ ପରିଚିତି କ୍ରମେ ପରିଣତ ହେବାକୁ ଲାଗିଲା ଏକ ପ୍ରଗାଢ଼ତର ପ୍ରତ୍ୟୟରେ । ତା ମୂଳରେ ଥିଲା ପରସ୍ପର ପ୍ରତି ସର୍ତରହିତ, ସଦିଚ୍ଛାପ୍ଳୁତ ସଂପର୍କ ।

 

ସଂପଦ ମହାପାତ୍ର ଓ ଉମାପଦ ବୋଷଂକଠାରୁ ଆରଂଭ କରି ଅନେକ ତରୁଣ-ପ୍ରବୀଣଂକ ଭବ୍ୟ ସମାହାରରେ ‘ସମ୍ୱାଦ’ ଅଫିସ୍‌ର କାଚଘର ମନେହେଉଥାଏ ଗୋଟାଏ କାଂଚନଘର ପରି। ସୌମ୍ୟରଂଜନ ପଟ୍ଟନାୟକଂକ ନେତୃତ୍ୱାଧୀନ ଓଡ଼ିଆ ସାଂବାଦିକତାର ସେଇ ପ୍ରଭାତୀବିପ୍ଳବର ଛାୟାପଥରେ, କିଂଚିତ୍‌ ପରେ ଆସି ଚିହ୍ନିତ ହୋଇଥିଲେ ଗୌରହରି ଦାସ, ଏବଂ ଆଉକେତୋଟି ବର୍ଷ ପରେ ଗୋପାଳଚଂଦ୍ର ସାମଂତରାୟ ଓ ସୁନୀଲ ବୋଷ ପ୍ରମୁଖ - କେତେନାକେତେ ସଂଭାବନାମୟ ତାରୁଣ୍ୟର ତୀର୍ଥପଥିକ । ସେଇଠି ଫିଚର ବିଭାଗରେ ସାମିଲ୍‌ ଥିଲେ ଜ୍ୟୋତ୍ସ୍ନା ରାଉତରାୟ, ମନସ୍ୱିନୀ ରାୟ, ରୂପଲେଖା ରାୟ, କବିତା ବାରିକ, ଚଉଧୁରୀ ରଂଜିତା ପ୍ରହରାଜ ପ୍ରମୁଖ । ଫଟୋ ଟାଇପ୍‌ ସେଟିଂ ବିଭାଗରେ ଚିତ୍ରାଂଗଦା ପ୍ରଧାନ (ସସ୍ନେହ ସଂବୋଧିତା ଭଗିନୀ ଭାବରେ ଯିଏ ଥିଲା ମୋ ପାଇଁ ‘ଚଂଡୀ’) ଓ ଗୀତା - ଏ ଦିଜଣଂକ ସମେତ ଆହୁରି ବି ଥିଲେ କେତେ ତାଲିମ୍‌ପ୍ରାପ୍ତ ଝିଅ - ଯେଉଁମାନେ ପ୍ରଭାତୀ ସଂସ୍କରଣର ପ୍ରସ୍ତୁତି ପାଇଁ କାର୍ଯରତ ରହୁଥିଲେ ମଧ୍ୟରାତ୍ରିର ଉତ୍ତୀର୍ଣପ୍ରହରବ୍ୟାପୀ । ମାତ୍ର ସେ ସମୟରେ ନିଜର ସ୍ୱଚ୍ଛନିର୍ମଳ ସ୍ମିତହସର ନାଂଦନିକ ନୈସର୍ଗିକତାରେ, ମ୍ୟାନେଜ୍‌ମେଂଟ୍‌ର ମପାଚୁପା ଶୀଶ୍‌ମହଲକୁ ଫିକା ପକାଇଦେଇ, ଯିଏ ଆମ ସମସ୍ତଂକୁ ଅକପଟ ଆତ୍ମୀୟତାରେ ଅମ୍ଳାନ କରିରଖିଥିଲେ ଅନେକ ଦିନ, ସେ ଥିଲେ ନୟାଗଡ଼ର ଝିଅ ‘ପୁଷ୍ପା’ - ପୁଷ୍ପରାଣୀ । ଏଇ ପୁଷ୍ପା ସେଦିନ ଚଂଦ୍ରଭାନୁଂକ ପାଇଁ ପ୍ରଥମ କଦଂବଫୁଲ, ପରେ ତାଂକର ପତ୍ନୀ ହୋଇ ସଜାଇଥିଲେ ସୁଂଦର ଗୋଟିଏ ସଚିତ୍ର ସଂସାର । ଚିତ୍ରଭାନୁର ଜନନୀ ରୂପରେ ସେ ଯେପରି ପବିତ୍ରତାର ପୂଜାପୁଷ୍ପ, ଚଂଦ୍ରଭାନୁଂକର ଜାୟା ରୂପରେ ବି ସେହିପରି ଜୀବନ୍ମୟତାର ଜୟମାଲ୍ୟ ।

 

ଚଂଦ୍ରଭାନୁ ପଟ୍ଟନାୟକଂକ ଗାଁ ଛଣଗିରି ଆମ ଗାଁ ବାଜପୁରଠାରୁ ମାତ୍ର କେତୋଟି କିଲୋମିଟର ଦୂର । ଖୋର୍ଧାର ଖଂଡିତ କାନ୍‌ଭାସ୍‌ରେ ଅଧାଅଂକା ଛବି ପରି ଏ ଦି’ ଗାଁ । କୁରାଢ଼ମଲ୍ଲ ବସ୍‌ କୁହୁଡ଼ିଘେରା ସେଇ ବହୁବର୍ଷ ତଳେ କିଛି ମିନିଟ୍‌ ଅଟକୁଥିଲା ବାଜପୁର ଛକରେ - ସେଠୁ ଜଂକିଆ ବାଟେ ଦିଶୁଥିଲା ଛଣଗିରିର ଛାଇଛପର । ତା’ଛଡ଼ା ହିସାବ-ଦୋରସ୍ତ ହାଜିରାଖାତାର ଶୃଂଖଳା ବାହାରେ ମୁଁ ବି ସେତେବେଳେ ଗୋଟାଏ ଛିନ୍ନପୃଷ୍ଠା । ଦସ୍ତଖତର ଦସ୍ତାବିଜ୍‌ରୁ ଫିତାବଂଧା ଫାଇଲ୍‌ବିଡ଼ାର ଫେସନ୍‌ ସୋ ଅପେକ୍ଷା ଆମେ ଖୁବ୍‌ ବେଶି ବିଶ୍ୱାସ କରୁଥିଲୁ କାଚଘର ଉପରେ ଉଁ’ ଥିବା ଅଧୁରା ଜହ୍ନକୁ ଆଉ କଂଚାକାକରଭିଜା ଲନ୍‌ର ଦୂବଘାସକୁ, ରାତିଚରା ଚଢ଼େଇଡେଣାର ଶୁନ୍‌ଶାନ୍‌ ଶୋକଗୀତିକୁ - ସେଦିନ ମୋ ପାଇଁ ଏସବୁ ଥିଲା ଗୋଟିଏ ଗୋଟିଏ ଶୂନ୍ୟାବତାରୀ ଶୀର୍ଷକର ଶିହରଣ ... ଆଉ ଚଂଦ୍ରଭାନୁଂକ ପାଇଁ ତାଂକ ଆସଂତା ଅନୁଶୀଳନର ଅନୁପ୍ରେରଣା ଓ ହାର୍ଦିକ ହାହାକାରର ଉପଶମ ପାଇଁ ଉପଚାର ! ଏଇ ସ୍ୱାଧୀନତା ଦେଇ ସୌମ୍ୟରଂଜନ ପଟ୍ଟନାୟକ ସେତେବେଳେ ଆମ ତରୁଣପିଢ଼ିଠୁ ନେଇପାରିଥିଲେ ଓଡ଼ିଶାକୁ ଆଂଦୋଳିତ କରିବାର ନାନା ଉଚ୍ଛ୍ୱାସମୟ ଉଦ୍ଦୀପନା ।

 

ଅବଶେଷ ବୋଲି ନଥାଏ କିଛି - ସବୁ ଗୋଟିଏ ଗୋଟିଏ ଶେଷ ହେଉନଥିବା ଆରଂଭ । ଅତଏବ୍‌ ଅତଃପର ଅବଶୋଷ ଅବାଂତର ... ପ୍ରତିନିବୃତ୍ତିସବୁ ପ୍ରଶ୍ନରହିତ । ଚଂଦ୍ରଭାନୁ ପରବର୍ତୀ କାଳରେ ‘ସମୟ’ ଓ ‘ସମାଜ’ର ସଂପାଦକ ହୋଇଛଂତି, ସାଂବାଦିକତାର ଶୀର୍ଷସୋପାନରେ ବି ପହଂଚିଛଂତି ଏକଦା ଏସ୍‌.ଟିଭିର ଟାୱାର୍‌ ଉପରେ ପତାକା ଉଡ଼ାଇ । ମାତ୍ର ଏ କ୍ଷେତ୍ରରେ ତାଂକର ଓଡ଼ିଶାକୁ ଅନବଦ୍ୟ ଅବଦାନ ହେଉଛି ପାକ୍ଷିକ ‘ଶତାବ୍ଦୀ’ - ଯାହାର ସେ ଥିଲେ ମୁଖ୍ୟ-ସଂପାଦକ ଏବଂ ପରିଚାଳନା-ସଂପାଦକ ଅସିତ ମହାନ୍ତି । ଉଭୟଂକ ଅଭିମଂତ୍ରିତ ଅଭିଜ୍ଞାନର ଐକମତ୍ୟରେ ଆରଂଭ ହେବାକୁ ଯାଉଥିଲା ଶ୍ରଦ୍ଧା ଓ ସ୍ୱାଭିମାନର ଗୋଟିଏ ସ୍ୱାକ୍ଷରିତ ଶୋଭାଯାତ୍ରା - ଶ୍ରୀଜଗନ୍ନାଥୀ ଓଡ଼ିଆ ସାଂବାଦିକତାର ଗ୍ରାଂଡ୍‌ଟ୍ରଂକ୍‌ ରୋଡ଼୍‌ରେ ! କେତୋଟି ବର୍ଷ ଆମମାନଂକୁ ଆଲୋଡ଼ିତ କରିରଖିଥିଲା ଉଭୟଂକ ଦ୍ବୈତସଂପାଦିତ ‘ଶତାବ୍ଦୀ’ର ସେ ନବ୍ୟଧ୍ରୁପଦୀ ସ୍ୱରଶବ୍ଦ - ମାତ୍ର ଏକ ପୂର୍ଣଚ୍ଛେଦରହିତ ବାକ୍ୟର ନିର୍ଜଳା ନିୟତି ପରି ଯାହା ଅଧବାଟରେ ଅଟକିଗଲା ଓଡ଼ିଆ ସାଂବାଦିକତାର ଏକ ଅବିସ୍ମରଣୀୟ ଅର୍ଧସତ୍ୟ ହୋଇ ।

 

ମନେପଡ଼ୁଚି ଆଜିଠୁ ଅଠେଇଶ ବର୍ଷ ଆଗର ଗୋଟିଏ ପାଂଡୁର ପୌଷପ୍ରଭାତ । ‘ସମ୍ୱାଦ’ର ସେଇ ଦୋତାଲା ଦପ୍ତରର ଉପର ମହଲାରେ ଆସନ୍ନ ରବିବାରର ଚାଲିଥାଏ ଫର୍ଦପ୍ରସ୍ତୁତି । ପ୍ରଶସ୍ତ କାଚକାଂଥ ସେପଟେ ମ୍ଳାନସୂର୍ଯର କରୁଣ ପାଂଶୁଳତା । କାମ ଅଧା ଅଛି, ଆକସ୍ମିକ ଏକ ଦାରୁଣ ଦୁଃସଂବାଦ - ସୁରେଂଦ୍ର ମହାଂତି ଚାଲିଗଲେ ! ୨୧ ଡିସେଂବରର ଡୋଳାଫଟା ଲୁହରେ ୧୯୯୦ର ସେ ଶେଷସପ୍ତାହଟା କ୍ୟାଲେଂଡର୍‌ରୁ ଛିଂଡିଗଲା ଆମ ପାଇଁ ହଠାତ୍‌ । ଆମେସବୁ ଥିଲୁ ତାଂକ ଆଶୀର୍ବାଦଧନ୍ୟ ନବପ୍ରଜନ୍ମର ‘ନାବାଳକ’ ନଚିକେତା କତିପୟ ! ସେଇ ମୁହୂର୍ତରୁ ଭୁବନେଶ୍ୱର ନୟାପଲ୍ଲୀରୁ କଟକ ତୁଳସୀପୁର - ଦୁଇଟି ସ୍କୁଟର୍‌ର ଦ୍ରୁତଦୁର୍ବାର ଗତି ଏ ଯାମଳସହରର ସେ ରାସ୍ତାଟାକୁ କରିଆଣୁଥିଲା କ୍ରମସଂକୁଚିତ ଯେମିତି ! ଚଂଦ୍ରଭାନୁଂକ ପଛରେ ସୁଭାଷ ଶତପଥୀ ଓ ଗୋପାଳ ସାମଂତରାୟଂକ ପଛସିଟ୍‌ରେ ମୁଁ - ଯେତେବେଳେ ଯାଇ ପହଂଚିଲୁ ସେଇ କୈଂବଦଂତିକ କଥାଶିଳ୍ପୀଂକ ନିଜସ୍ୱ ନିବାସ ‘ଶିବାନୀ’ରେ - ସେତେବେଳକୁ ସେ ସଦ୍ୟସଜ୍ଜିତ ଶବାଧାରକୁ ସୁଦ୍ଧା ଶୋଭନୀୟ କରି ଦିଶୁଥାଂତି ଶୁଭ୍ର, ସମୁଜ୍ଜ୍ୱଳ ! ଏପରିକି ତାଂକ ମୃତ୍ୟୁଶଯ୍ୟାର ସଦ୍ୟପୁଂଜିତ ପୁଷ୍ପଗୁଚ୍ଛ ବି ମ୍ଳାନନିଷ୍ପ୍ରଭ ଲାଗୁଥିଲା ତାଂକ ମୁହଁର ସୁଦର୍ଶନଜ୍ୟୋତି ସାମ୍ନାରେ ! ସେଦିନ ଉତ୍ତର-ମଧ୍ୟାହ୍ନର ଉଦାସ ଖରାରେ ‘ଶିବାନୀ’ରୁ ସତୀଚଉରାକୁ ଲଂବିଥିବା ସେ ଅଳ୍ପନିକଟର ରାସ୍ତାଟା କିଂତୁ କଟକ-ଭୁବନେଶ୍ୱର ରାସ୍ତାଠୁ ବି ଦୂରତ୍ୱରେ ଯେପରି ଦ୍ୱିଗୁଣିତ ମନେହୋଇଥିଲା ଆମକୁ ! ଅଳ୍ପକେତେଜଣଂକ ଉପସ୍ଥିତିର ଆପାତ-ଶୂନ୍ୟତା ମଧ୍ୟରେ ସବୁଦିନ ପାଇଁ ଚାଲିଗଲେ ଆଧୁନିକ ଓଡ଼ିଆ କଥାସମ୍ରାଟ୍‌ ସୁରେଂଦ୍ର ମହାନ୍ତି - ସତୀଚଉରାରେ ତାଂକ ଶେଷଦର୍ଶନ ପାଇଁ ଅପେକ୍ଷିତ ଚିତାଗ୍ନି ନିକଟକୁ । ସେଠି କବି ରବି ସିଂ ଥିଲେ ଏବଂ ମନେ ପଡ଼ୁନାହିଁ ଥିଲେ ଆଉ କିଏକିଏ । ସୁରେଂଦ୍ରବାବୁ କେବଳ ଏ ଭାଷାସାହିତ୍ୟର ଯୁଗଂଧର ଭାସ୍କର ନଥିଲେ, ସେ ମଧ୍ୟ ଥିଲେ ଏ ରାଜ୍ୟ ତରଫରୁ କେଂଦ୍ରରେ କଂପନସୃଷ୍ଟିକାରୀ ଖ୍ୟାତନାମା ଜଣେ ଏମ୍‌.ପି. ମଧ୍ୟ - ଖୁବ୍‌ କମ୍‌ ବୟସରୁ । ଅଥଚ ତାଂକ ମହାପ୍ରସ୍ଥାନପଥରେ ତୋପ ଫୁଟି ନଥିଲା କି କଟକର କାଠଯୋଡ଼ୀକୂଳର ଜନସ୍ରୋତ ଜମାଟ ବାଂଧିଯାଇନଥିଲା ସେଦିନ ! ଚଂଦ୍ରଭାନୁ ସେଦିନର ସେ ଉଦାସଖରା ଅପେକ୍ଷା ଆହୁରି ବିଷଣ୍ଣ ହୋଇପଡ଼ିଥିଲେ ବି ଉତ୍ତପ୍ତତର ହୋଇଉଠୁଥିଲେ କ୍ରମେ । କ୍ଷୋଭର କ୍ଷତାକ୍ତ ଗୋଟିଏ ବାକ୍ୟ ବହୁ କଷ୍ଟରେ ତାଂକ ବାଷ୍ପାକୁଳ କଂଠରୁ ବହିର୍ଗତ ହୋଇଥିଲା, ଏ.କେ. ଫର୍ଟିସେଭେନ୍‌ର ତୀବ୍ରଗୁଳି ପରି - ‘ଏଇ କଣ ଜଣେ ବିଦାୟୀ ସମ୍ରାଟଂକୁ ତାଂକ ମୁଲକର ମର୍ଯାଦା ?’

 

ସେ ହୁଏତ ଭାବିଥିବେ, ଭିଡ଼ ଜମି ଜାମ୍‌ ହୋଇଯାଇଥିବ ସହରର ସଡ଼କ । ଥାଟପଟାଳିର ପଟୁଆର ଥମ୍‌ କରିଦେଇଥିବ ଥୁରୁଥୁରୁ ଥଂଡାଋତୁଟାକୁ । ପୁଲିସ୍‌ବାଲାଏ ନୟାଂତ ହେଉଥିବେ ଚଳଂତା ଯାନଗୁଡ଼ିକର ଯାତାୟତକୁ ଯଥାସାଧ୍ୟ ସୁଗମ କରିବାର ଯୋଜନାବଦ୍ଧ ଅଭିଯାନରେ । କାହିଁକିନା ଗତଶତାବ୍ଦୀର ଆସନ୍ନ ଅଂତିମତମ ଦଶକକୁ ଶୋକଦଂଶିତ କରି ଅଂତର୍ହିତ ହୋଇଗଲେ ଓଡ଼ିଶାର ଅପରାଜେୟ କଥାଶିଳ୍ପୀ ସୁରେଂଦ୍ର ମହାନ୍ତି । ମାତ୍ର ଭାଷାସାହିତ୍ୟସଂସ୍କୃତିର ଏ ମରୁପ୍ରାଂତରରେ ତାଂକ ସ୍ୱର ମତେ ବତାସୀ ଶୀତର ଶୀର୍ଣ ସ୍ୱଗତୋକ୍ତି ଭଳି ଶୁଭୁଥିଲେ ହେଁ ମୋ ମୁହଁକୁ ଯେହେତୁ ସେ ଚାହିଁରହିଥିଲେ, ମୁଁ ଅନୁଚ୍ଚ କଂଠରେ କହିଲି - ‘ଜଣେ ସମ୍ରାଟଂ‌‍କର ଶାଂତିଭଂଗ ସକାଶେ ସାହସ ନାହିଁ ଏ ସହରର । ଭଲ ହୋଇଛି, ଭିଡ଼ ନାହିଁ ବରଂ ତାଂକ ବିଦାୟପଥରେ, ସେ ବିଶୃଂଖଳା ଭିତରେ ବିଶ୍ରାମ ନେବାକୁ ଚାହିନଥାଂତେ କଦାପି । ଜଣେ ସମ୍ରାଟ୍‌ ସବୁବେଳେ ସମ୍ରାଟ୍‌ - କାରାକକ୍ଷରେ ଥାଂତୁ କି କବରଗର୍ଭରେ ।’

 

ଆମ ସମୟର ସେଇ ମହାନ୍‌ ସାହିତ୍ୟକାର ସୁରେଂଦ୍ର ମହାନ୍ତିଂକ ଦୃଷ୍ଟିରେ ଆମେସବୁ ଥିଲୁ ଏକ ଅଶାସ୍ତ୍ରୀୟ ପିଢ଼ି - ଶୃଂଖଳାରହିତ, ଅଯତ୍ନବର୍ଧିତ, ଅରାଜକ ଏକ ଛିନ୍ନମୂଳ ସ୍ରୋତ - ଗତି ଅଛି - ନାହିଁ କିଂତୁ ଲକ୍ଷ୍ୟ ପାଇଁ ଲୟ । ବୃତ୍ତ-ବହିର୍ଭୂତ ବିକ୍ଷିପ୍ତ ବିଂଦୁସବୁ - ଯାହାକୁ ନେଇ ନା କୌଣସି ସୀମା ହୋଇପାରେ ନିର୍ଧାରିତ ନା କୌଣସି ରେଖା ନିର୍ଭରଶୀଳ । ଦାଢ଼ି ବଢ଼ାଇ ବୁଲୁଥିବା ଆମ ପରି ଦିକ୍‌ଦାର ଦଳେ ଦିଗବାଉଳା ତରୁଣଂକ ପ୍ରତି ଦୁର୍ବାସାର ଦୃଷ୍ଟିପାତ ଥିଲା ପ୍ରଚକ୍ଷୁତଳର ତାଂକ ଦୁଇ ଅଂତର୍ଭେଦୀ ଚକ୍ଷୁରେ । ସଂପଦ ମହାପାତ୍ର, ଉମାପଦ ବୋଷ, ଗୋପାଳକୃଷ୍ଣ ମିଶ୍ର ଓ ମୁଁ ସେତେବେଳେ ଆମର ଏହି ସର୍ବପ୍ରଥମ ସଂପାଦକଂକର ସବୁପ୍ରକାର ସୁଶ୍ରାବ୍ୟ ଶାସ୍ତ୍ରୀୟତାକୁ ସର୍ବୋଚ୍ଚ ସମ୍ମାନ ଦେଇଆସୁଥିଲେ ହେଁ ନିଶଦାଢ଼ି କାଟିଦେବାର କରାଳ ନିର୍ଦେଶନାମାଟିକୁ ମାନିନେବାରେ ଥିଲୁ ନିତାଂତ ନାମଂଗ । ସେ ଆମକୁ ବାଧ୍ୟ କରଂତିନାହିଁ ବିଶେଷ, ମାତ୍ର ‘ଶେଷସ୍ତଂଭ’ରେ ‘ଦାଢ଼ି-ରହସ୍ୟ’ ଲେଖି, ଆମ ପରି ସେଦିନର ସେଇ ଶ୍ମଶ୍ରୁନିଷ୍ଠ କନିଷ୍ଠପିଢ଼ିଟାକୁ ଅନୁଭୂତ ହେବାର ସୁଯୋଗ ଦେଇଛଂତି ସଶ୍ରଦ୍ଧ ଶ୍ଳେଷର ସ୍ପର୍ଶ ! ହେଲେ ଚଂଦ୍ରଭାନୁଂକ ହସହସ ସରସସୁଂଦର ଚଂଦ୍ରବଦନ ଏସବୁ ଦୁର୍ବୋଧ୍ୟ ଦାଢ଼ିର ଜଟିଳ ଜଂଜାଳରୁ ବେଶ୍‌ ନିରାପଦ ଭାବରେ ନିସ୍ତାର ପାଇଥିବାରୁ ସୁରେଂଦ୍ରବାବୁ ତାଂକୁ ଅନ୍ୟ ଶ୍ମଶ୍ରୁଳ ତରୁଣମାନଂକ ଆଗରେ କେତେଥର ଆଦର୍ଶର ନଜିର୍‌ ଭାବରେ ଉପସ୍ଥାପିତ କରିଛଂତି ଅବଶ୍ୟ।

 

ଓଡ଼ିଶାର ପ୍ରଥମ ପ୍ରଭାତୀ ସଂବାଦପତ୍ରର ପରିଚାଳନା ନିର୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଗୋଟିଏ ବହୁତ ବଡ଼ କଥା କରିଥିଲେ ସେତେବେଳେ । ତରୁଣମାନଂକୁ ସେ ଅକୁଂଠ ଭାବରେ ଅର୍ପିପାରିଥିଲେ ଭୁଲ୍‌ କରିବାର ସ୍ୱାଧୀନତା । ଏପରିକି ସେତେବେଳେ ଯଦି କୌଣସି ‘ଯୋଡ଼ି’ ବା ‘ଯୁଗଳ’ ସାମାଜିକ ସ୍ଥିତାବସ୍ଥା ଦ୍ୱାରା ଆକ୍ରାଂତ ହୋଇ ଆର୍ଥନୀତିକ ଅନଟନ ସହିତ ଯୁଝୁଥିଲେ, ଏବଂ ସେ ଖବର ଯଦି ସୌମ୍ୟବାବୁଂକ କାନକୁ କେବେନାକେବେ କାହା ଜରିଆରେ ଆସିଯାଉଥିଲା, ତାହେଲେ ତାହା ହିଁ ଥିଲା ଦିନାକେତେ ସମ୍ୱାଦରେ ଚାକିରିପ୍ରାପ୍ତିର ପ୍ରଥମ ଯୋଗ୍ୟତା ! ଇଏ ମାତ୍ର ଗୋଟିଏ ନମୁନା, ଏଇଭଳି ଏକାଧିକ ଉଦାରତାର ଉଦାହରଣ ସୃଷ୍ଟି କରିପାରିଥିଲା ‘ସମ୍ୱାଦ’ - ଯେଉଁଥିପାଇଁ ତରୁଣମାନଂକର ଏ ପ୍ରିୟ ଖବରକାଗଜ ପ୍ରବୀଣ ପିଢ଼ିକୁ କରିଥିଲା କିଛିଟା ଈର୍ଷାନ୍ୱିତ । ଭୟସଂକୋଚର ସଂବିଧାନ ବଦଳରେ ପ୍ରତିଭାସଂପନ୍ନ ତରୁଣ ସାଂବାଦିକମାନଂକ ଆଖି ଆଗେ, ମନପ୍ରାଣଆତ୍ମାକୁ ପାଛୋଟିନେବାର ମୁଦ୍ରାରେ, ଉଭା ହୋଇଥିଲା ଘାସର ଗାଲିଚାପରା ସ୍ୱଚ୍ଛଂଦ ଗୋଟିଏ ଚଲାପଥ । ଏହି ପୃଷ୍ଠଭୂମିରେ ପ୍ରଚୁର ଅମ୍ଳଜାନ ଭରିରହିଥିଲା ପ୍ରକୃତ ପ୍ରତିଭାମାନଂକ ପାଇଁ । ପ୍ରକୃତକୁ ପ୍ରାପ୍ତ ହେଉଥିଲା ପ୍ରକୃଷ୍ଟରୁ ପ୍ରକୃଷ୍ଟତର ହେବାର ପ୍ରେରଣା । ଏ ପ୍ରେରଣା ଚଂଦ୍ରଭାନୁ ପଟ୍ଟନାୟକଂକ ସହଜାତ ପ୍ରତିଭା ପାଇଁ ଥିଲା ପ୍ରକୃତପକ୍ଷରେ ଏକପ୍ରକାର ମଂଗଳମୟ ମୌସୁମିସ୍ପର୍ଶ ।

 

ସରଲହୁଣିସରସର ଗୋପରେ କଣ ସ୍ନେହସମାଦରର ଅଭାବ ଥାଏ କେବେ ? କିଂତୁ ମଥୁରାମଂଗଳ ପାଇଁ ଜୀବନକୁ ତ ଯାଯାବର ହେବାକୁ ପଡ଼ିଥାଏ କେବେନାକେବେ ! ପ୍ରାୟ ସବୁ ବିରଳ ପ୍ରତିଭାର ନିର୍ଲଂଘନୀୟ ନିୟତି ଏଇ ନିୟମରହିତ ନୀତିରେ ହିଁ ନିଗଡ଼ବଦ୍ଧ । ସେଇ ଅନ୍ୟ ଅନନ୍ୟମାନଂକ ପରି ଚଂଦ୍ରଭାନୁ ମଧ୍ୟ ‘ସମ୍ୱାଦ’ ଛାଡ଼ି ‘ଶତାବ୍ଦୀ’ କଲେ ସ୍ୱାଧୀନ ଭାବରେ । ପ୍ରତିଭାର ଆଉଏକ ପରଖ... ଆଉଏକ ପରସ୍ତ । ‘ଶତାବ୍ଦୀ’ - ସ୍ୱପ୍ରାପ୍ତ ସ୍ୱଳ୍ପାୟୁଷ ସତ୍ତ୍ୱେ ଏକ ଶୁଭଶଂକୁ - ସର୍ଜନଶୀଳ ସାଂବାଦିକତା କ୍ଷେତ୍ରରେ।

 

ତାଂକ ଆଗରୁ ‘ସମ୍ୱାଦ’ ଛାଡ଼ି ମୁଁ ଚାଲିଆସିଥିଲି କଟକ । କିଛି ବର୍ଷ କଟିଥିଲା ‘ପ୍ରଜାତନ୍ତ୍ର’ରେ ବି । ତାପରେ ବିନା ଅଫିସ୍‌, ବିନା ସାଇନ୍‌ବୋର୍ଡର ‘କାହାଣୀ’ରେ ଗଢ଼ିଚାଲୁଥିଲି ଗୁଡ଼ାଏ ବହିଗଦାର ଅରାଏ ଅଧାସ୍ୱର୍ଗ । ବଦଳିଚାଲୁଥିବା ସମୟର ସାତରଂଗ ଭିତରେ ଆମ ସଂପର୍କରେ କିଂତୁ ଦିନଟିଏ ବି ଦିନାଂତ ଆସିଥିବାର ଅନୁଭବ କରିନୁ କେଭେଁ । କେବେକେବେ କେତେକ ସଂଧ୍ୟାରେ ଚଂଦ୍ରଭାନୁ ଆଉ ଅନେକ ଦିନ/ଅନେକ ରାତିରେ ଅସିତ ମହାନ୍ତିଂକ ସହିତ ବଜାୟ ରହିଥାଏ ଅଭେଦ୍ୟ ଅଂତରଂଗତା - ହେଉ ପଛେ ଦୂରଭାଷର ଦୟାନୁକୂଲ୍ୟରେ । ଚଂଦ୍ରଭାନୁଂକ ସହିତ ସଂପର୍କ ବହୁସମୟରେ ମୃଦୁପରିହାସମିଶ୍ରିତ । ଥରେ କଣ କାମରେ କଟକରେ ଅଟକି ଭୁବନେଶ୍ୱର ଫେରିବା ବାଟରେ ସେ ଆସି ସହସା ପହଂଚିଗଲେ ମୋ ପାଖେ, ତାଂକ ସାଂଗରେ ସେଦିନର ଯୁବନେତା ସଜ୍ଜନ ଶର୍ମା । ବସୁବସୁ ସେ କହିପକାଇଲେ – “କଥା କଣ ଗିରିଜାବାବୁ, ଏ ଲୋକସବୁ ଆମକୁ ଏତେ ଭଲପାଉଛଂତି କାହିଁକି କହିଲ ଦେଖି ?” ମୁଁ ଆସ୍ତେ ଉତ୍ତର ଦେବା ଭଂଗୀରେ ପ୍ରକାଶ କଲି ତିନୋଟି ଚାରୋଟି ଶବ୍ଦ ମାତ୍ର - ‘ସେଇଟା ଅବଶ୍ୟ ଲୋକମାନଂକର ଭୁଲ୍‌ !’ ସେ, ସଜ୍ଜନ ଏବଂ ସେଠି ଥିବା ସମସ୍ତେ ହସିଉଠିଲେ ଆଉ ସେ ହସହସ ଆସର-ଆସଂଗ ଜାରିରହିଲା ସେ ମେଲାଣି ନେଇଯିବାଯାଏଁ ।

 

ଆଉଥରେ ଗୋଟିଏ ଗାଢ଼ଦୁଃଖର ଦିନ । କଟକ ସହର ସେଦିନ ତାର ଶେଷବିଦାୟ ଦେଉଥାଏ ଶତକିଂବଦଂତୀର ଗାୟକ-ନାୟକ ଅକ୍ଷୟ ମହାନ୍ତିଂକୁ ଚିରକାଳ ପାଇଁ । ‘ଶତାବ୍ଦୀ’ ଅଫିସ୍‌ରେ ଥାଇ ସେ ଫୋନ୍‌ କଲେ ଆଉ ଅକ୍ଷୟ ମହାନ୍ତିଂକୁ କଟକ କେତେ ଭଲପାଇପାରେ, ସୂଚାଇ ଦେଲେ ମତେ ସବିସ୍ତାର । ମୁଁ କେବଳ ଅସ୍ଫୁଟ ସ୍ୱରରେ ଏପଟୁ କହିଲି – “ଅକ୍ଷୟ ମହାନ୍ତି କଟକରେ ନଥିଲା, ଥିଲା କଟାକ୍ଷରେ ।” ସେପଟୁ ଫୋନ୍‌ କଟିଗଲା, କିଂତୁ ସେ ସଂଖ୍ୟାର ପାକ୍ଷିକ ‘ଶତାବ୍ଦୀ’ରେ ହଠାତ୍‌ ଆବିଷ୍କାର କଲି ଯେ ସେ ଅବିକଳ ଶବ୍ଦବଦ୍ଧ କରିଦେଇଛଂତି ମୋର ସେଦିନର ସେଇ ଅସ୍ଫୁଟ ସ୍ୱରକୁ ... ତା’ ତଳେ - କବି... ପରେ ମୋ ନାଆଁ !

 

ଏମିତି ଗୁଡ଼ିଏ ଛୋଟଛୋଟ ସ୍ମୃତିର ଫୁଲ ଫୁଟି ସୁବାସିତ କରିରଖିଛି ସମକାଳର ସେ ସୌଭାତ୍ରସ୍ନିଗ୍ଧ ସୌହାର୍ଦ୍ୟକୁ ।

 

ଏପରିକି ଯେତେବେଳେ ସେ ଆଜିଠୁ ଆଠବର୍ଷ ଆଗେ ଅର୍ଥାତ୍‌ ୨୦୧୦ ମାର୍ଚ୍‌ ୧୦ ତାରିଖରେ କାର୍ଯନିର୍ବାହୀ ସଂପାଦକ ଓ ଏହାର ମାତ୍ର ଦେଢ଼ମାସ ପରେ ମଇ ୨ ତାରିଖରେ ‘ସମାଜ’ର ସଂପାଦକ ଭାବରେ ଅଭ୍ୟର୍ଥିତ ହେଲେ, ତା’ ଆରଦିନ ଅଫିସ୍‌ ଫୋନ୍‌ରେ ରିଂ କଲେ ମୋ ଫୋନ୍‌କୁ । ତାଂକ କବୋଷ୍ଣ କଂଠରୁ ସେଦିନ ଗୋଟିଏ ଆଚ୍ଛନ୍ନ ଅନୁରାଗର ଆର୍ଦ୍ର ଅନୁରୋଧ-– “ହଇହେ ଗିରିଜାବାବୁ, ତମେ ଗୋଟିଏ ନିୟମିତ କଲମ୍‌ ଲେଖ ‘ସମାଜ’ରେ । ମନା କରନି ।”

 

ଆମେ ଉଭୟେ ଜାଣିଥିଲୁ ଉଭୟଂକୁ । ସେଥିପାଇଁ ତାଂକ ସ୍ୱରକୁ ସେଦିନ ସୁଂଦର ଗୋଟିଏ କଂଠସଂଗୀତର କଳଗୁଂଜନ ବୋଲି ଗ୍ରହଣ କରିନେଇଥିଲେହେଁ, ତାଂକୁ ଯେମିତି ଟିକିଏ ବି ଆଘାତ ନହେବ, ସେମିତି ନିଜକୁ ନିହାତି ନୁଆଁଇରଖି କହିଲି – “କାବୁ, (ତାଂକ ଡାକ ନାଁ) ମତେ ଭୁଲ୍‌ ଭାବନି ମୋଟେ । ଗଦ୍ୟ ଲେଖିବାକୁ ପ୍ରକୃତରେ ମୁଁ ଅପାରଗ । ତମ ପରି ତାର୍କିକ ବାକ୍ୟଗଠନ ମତେ ରୁଂଧିଦିଏ । ଶବ୍ଦର ଶରଶଯ୍ୟାରେ ଶୋଇଥିବା ସ୍ୱପ୍ନକୁ ଗଦ୍ୟର ଗଦା ବୁଲାଇବାକୁ ଡାକନି ଆଉ ।”

 

ସେ ଜୋର୍‌ କଲେ – “ତମେ ଯାହା ଇଚ୍ଛା ହଉଚି ଲେଖ, କିଏ ମନା କରୁଚି ? ତମର ତାର୍କିକ ହେବା କଣ ଦରକାର ହୋ? ଗବାକ୍ଷରୁ କଟାକ୍ଷ ଯାଏଁ ଯାହା ଲେଖୁଚ ଲେଖ !”

 

ଏଇ ହେଉଛଂତି ଚଂଦ୍ରଭାନୁ ପଟ୍ଟନାୟକ । ଦିନଟିଏ କେଭେଁ ତୀକ୍ଷ୍‌ଣଧାର ସ୍ତଂଭକାରର ଦଂଭ କି ଦର୍ପ ପ୍ରଦର୍ଶନ କରି ଦୂରେଇଯାଇନଥିଲେ ତାଂକ ନିକଟ-ଅତୀତର ଅଂତରଂଗ ସମକାଳୀନମାନଂକ ପାଖରୁ - ଯାହା ଆଜିର ଉଚ୍ଚାତିଉଚ୍ଚ ପିଢ଼ାପଟା ଉପରେ ବସିଥିବା ତୁଚ୍ଛାତିତୁଚ୍ଛ ଡାମରାକାଉମାନଂକ କ୍ଷୁଧାତିରିକ୍ତ ଖୁଦଲାଳସାକୁ କରିଦେଇପାରେ ଲଜ୍ଜାରୁଣ !

 

ଏହି ପଟଭୂମିରେ ମନେପଡ଼ିଯାଉଛି, ମାସକେତୋଟିକ ଆଗରୁ ପଢ଼ିଥିବା ବିଭୂତି ପଟ୍ଟନାୟକଂକ ଆତ୍ମଚରିତ ‘ଜୀବନପାତ୍ର ମୋ ଭରିଛ କେତେମତେ’ ଅଂତର୍ଗତ, ଏକ ଅପଳାପୀ ଅନୁଚ୍ଛେଦର ଅନୁଚିତ ଅଂଶବିଶେଷ । ଏ ବହିଟିକୁ କବି ତପନ ପଟ୍ଟନାୟକଂକ ହାତରେ ସ୍ୱାକ୍ଷରିତ ଉପହାର ସ୍ୱରୂପ ମୋ ପାଖକୁ ପଠାଇଦେଇଥିଲେ ବିଭୂତିବାବୁ - ମୋ ମତ ଅପେକ୍ଷାରେ । ଆମୂଳାଂତ ପଢ଼ିବା ମଧ୍ୟରେ ଅନୁଚିତ ଅଂଶଟି କିଛି କମ୍‌ ଆଘାତ ହାଣିନଥିଲା ମନରେ । ବିଭୂତିବାବୁ ଉଲ୍ଲେଖ କରିଛଂତି ଯେ ରବିବାର ସମ୍ୱାଦର ପ୍ରସାରକୁ ବହୁବର୍ଧିତ ନକରିପାରିଲେ କୁଆଡ଼େ ଚଂଦ୍ରଭାନୁ ପଟ୍ଟନାୟକ, ଗିରିଜାକୁମାର ବଳୀୟାରସିଂହ ଓ ଗୋପାଳ ସାମଂତରାୟଂକୁ ଚାକିରିରୁ ବରଖାସ୍ତ କରିଦେବାକୁ ମନସ୍ଥ କରିଛଂତି ସୌମ୍ୟରଂଜନ ! ଏବଂ ଆମ ଚାକିରି ଚାଲିଯିବାର ଅକାଳ ଚଡ଼କରେ ଚାପଗ୍ରସ୍ତ ହୋଇ ଆମେ ତିନିହେଁ କୁଆଡ଼େ ଶରଣାପନ୍ନ ହୋଇଥିଲୁ ବିଭୂତିବାବୁଂକର ଓ ‘ରବିବାର ସମ୍ୱାଦ’ ତାଂକ ଲେଖାରେ ସମୃଦ୍ଧ ହୋଇପାରିଲେ ଏହାର ପ୍ରସାରଣ ସଂଖ୍ୟା ଦଶହଜାର ଟପିଯାଇପାରେ ବୋଲି ତାଂକଠାରୁ ସମ୍ମିଳିତ ଭାବରେ କରିଥିଲୁ ଏକ ସାପ୍ତାହିକ ସ୍ତଂଭଭିକ୍ଷା ! କି ପ୍ରକାର ଆକାଶକଇଁଆତୋଳା କଥା ୟେ ! ଆତ୍ମଚରିତରେ ବିଭୂତିବାବୁ ପୁଣି ଉଲ୍ଲେଖ କରିଛଂତି ଯେ ଆମମାନଂକ ଚାକିରିଚିଂତାରେ ତାଂକ ସେଦିନର ରାତ୍ରି ଥିଲା ବିନିଦ୍ର ବିଷଣ୍ଣ ଏବଂ ଏକ ନୈତିକ ଆହ୍ୱାନରେ ହିଁ ସେ ଶେଷକୁ ଅଂଗୀକୃତ ହେଲେ ନିୟମିତ ସ୍ତଂଭରଚନା ପାଇଁ !

 

ଏହା ନିଶ୍ଚିତରୂପେ ନିର୍ଘାତ ଏକ ନିଂଦନୀୟ ବ୍ୟାପାର - ଆତ୍ମଚରିତର ଆବରଣଟି ତଥାକଥିତ ଯେତେ ତୁଂଗଲେଖକଂକ ନାମରେ ଚିହ୍ନିତ ହୋଇଥାଉ ପଛେ । ‘ସମ୍ୱାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସ୍ୱୟଂ ଏ ଅଂଶବିଶେଷ ଭବିଷ୍ୟତରେ ସମୟ ହେଲେ କେବେ ପଢ଼ି ଭ୍ରୂ ଉତ୍ତୋଳନ କରିବେ ନିଶ୍ଚୟ । କାରଣ ସେଦିନର ସ୍ୱପ୍ନ, ଶପଥ, ସତ୍ୟପାଠର ସନଂଦସବୁରେ ଆମ ସ୍ୱାକ୍ଷର ଥିଲା ତାଂକ ପାଇଁ ସୂର୍ଯକିରଣ । ଆମମାନଂକୁ ନେଇ ସେ ପରିକଳ୍ପନା କରୁଥିଲେ ଭବିଷ୍ୟତର ଏକ ଭାଷାବିପ୍ଳବ । ‘ସମ୍ୱାଦ’ରୁ ସ୍ବେଚ୍ଛାକୃତ ବିଦାୟ ନେଇ ଆମ ସାନସାନ ସ୍ୱପ୍ନର ତଂବୁ ସଜାଇବାକୁ ଆମେ କିଏ କୁଆଡ଼େ ଚାଲିଆସିଲୁ ଅବଶ୍ୟ, ମାତ୍ର ସେପର୍ଯଂତ ଆମେସବୁ ଥିଲୁ ତାଂକ ପ୍ରିୟଚରିତ୍ର ଜଣେଜଣେ । ଟେବୁଲ୍‌ର ଏପଟେସେପଟେ ବସି ତାଂକ ସାମ୍ନାରେ ସଂଳାପବଦ୍ଧ କେତେ ସହାସ୍ୟ ବାଜିମରାର ଗତକାଲିଗୁଡ଼ିକ ଆଜି ଗୋଟିଏ ଗୋଟିଏ ସ୍ୱଗତସୁଲଭ ସ୍ମୃତି ।

 

ଦିନେ ବସିଛୁ - ସେ ଆସି ହସିହସି ପଚାରିଲେ : କଣ ଗୋଟାଏ ଗୁପ୍ତଯୋଜନା ଚାଲିଚି ବୋଧେ ।

ସେଦିନର ତରୁଣ ସୌମ୍ୟରଂଜନ ଥିଲେ ସେମିତି । ସେଦିନ ତାଂକ ନେତୃତ୍ୱ ବି ଥିଲା ନିବିଡ଼ ସାଥୀତ୍ୱର ସାନ୍ନିଧ୍ୟରେ ସ୍ୱାଚ୍ଛଂଦ୍ୟମୟ । ଆମ ପାଖରେ ସେଇଠି ସେ ବସିପଡ଼ିଲେ ଘଡ଼ିଏ । ଚଂଦ୍ରଭାନୁ କହିଲେ - ‘ଗୋଟିଏ ନୂଆକିସମର ରବିବାର ସମ୍ୱାଦ କେମିତି କରାଯାଇପାରେ, ଆମେ ଭାବୁଥିଲୁ, ଯାହାର ପତାକା ହବ ଓଡ଼ିଶା ।’

 

ସୌମ୍ୟବାବୁ ମତେ ଚାହିଁ ମୁରୁକିହସିଲା ମାତ୍ରେ ମୁଁ ତାଂକ ଉତ୍ତୋଳିତ ଭ୍ରୂ’ ର ପ୍ରଶ୍ନବାଚକ ଭଂଗୀକୁ ଲକ୍ଷ୍ୟ କରି ଉତ୍ତର ଦେଲି - ‘ରାଜନୀତିର ଅଜଗରୀ ଆଁ’ର ଅଂଧାରରୁ ଓଡ଼ିଶାକୁ ଉଦ୍ଧାର କରି ତା ପାଇଁ ଗୋଟିଏ ନିଆରା ନକ୍‌ସା ତିଆରି ହେବା ଦରକାର ।’

 

ସୌମ୍ୟବାବୁ ରସିକତା କଲେ – “ତାହେଲେ ସମ୍ୱାଦ ପିଠିରେ ସେ ରବିବାର ସମ୍ୱାଦ ଲାଉ ହେବ କାହିଁକି ? ତାକୁ ଗୋଟିଏ ସ୍ୱତଂତ୍ର ରୂପରେ କରାଯାଉ । ସମ୍ୱାଦ ତୁଳନାରେ ତାର ସାର୍କୁଲେସନ୍‌ ତ ତାଳଦେଇପାରିବନି - ତେଣୁ ପ୍ରଥମେ କମ୍‌ ଛପାଯାଉ ।”

 

ଚଂଦ୍ରଭାନୁ ହଠାତ୍‌ କହିଲେ – “ଆମେ ମିଳିମିଶି କଲେ ସମ୍ୱାଦକୁ ବି ଟକ୍‌କର ଦେଇପାରେ ରବିବାର ସମ୍ୱାଦ ।”

 

‘ନା, ଅସଭଂବ !’ - ସୌମ୍ୟବାବୁ ପୁଣି ମୋ ଆଡ଼କୁ ଉପହାର ଦେଲେ ତାଂକର ସେଇ ସଂକ୍ରାମକ ସ୍ମିତର କ୍ଷେପଣାସ୍ତ୍ର । ସେ ମୋଠୁ ଗୋଟିଏ ସୁମିଷ୍ଟ ସମ୍ମତି ଅପେକ୍ଷାରେ ଥିଲେ ବୋଧହୁଏ । ମୁଁ କିଂତୁ ଚଂଦ୍ରଭାନୁଂକୁ ସମର୍ଥନ କରି କହିଥିଲି – “ଇଚ୍ଛାର ଇଂଜିନ୍‌ପାଇଁ ଉତ୍ସାହର ଇଂଧନ ଜଳୁଥିବାଯାଏଁ ଅସଂଭବଟା ବି ପାଇଯାଏ ନୂଆଡେଣାର ଆକାଶ ।”

 

ସୌମ୍ୟବାବୁ ଏଥର ପଚାରିଲେ – “କିଏ ନବ ଦାୟିତ୍ୱ ?”

ଚଂଦ୍ରଭାନୁ ଉତ୍ତର ଦେଲେ – “ଆମେ ସମସ୍ତେ ।”

 

ଏ କଥାରେ ନୈଷ୍ଠିକ ନେତିବାଦୀ ସୁରେଂଦ୍ରବାବୁ ଯଦି ଜୀବିତ ଥାଂତେ, ତାହେଲେ ସେ ନିଶ୍ଚୟ ଭ୍ରୂକୁଟି କରିଥାଂତେ - ‘ଆମେ’ ଅର୍ଥ’? କଣ ଗ୍ରାମବାସୀ?? ସର୍ବସାଧାରଣ ??? ମାତ୍ର ସୌମ୍ୟବାବୁଂକ ସ୍ୱଭାବ ସ୍ୱତଂତ୍ର । ସେ ପଚାରିଲେ - ‘ତଥାପି ? ସଂପାଦକ ଭାବରେ କାହା ନାମ ରହିବ ?’’

ଆମେ କହିଥିଲୁ – “ଆପଣଂକ ନାଆଁ ।”

 

ତରୁଣମାନଂକୁ ଭୁଲ୍‌ କରିବାର ସ୍ୱାଧୀନତା ଦେଇଚାଲିଥିବା ସୌମ୍ୟବାବୁ କିଂତୁ ସେଦିନ ବି ଆମକୁ ଅନାଇ ଗୋଟିଏ ହାତରେ ଧରିଥାଂତି ପ୍ରତିଶ୍ରୁତି ଓ ଆଉଗୋଟିଏ ହାତରେ ପ୍ରତ୍ୟୁତ୍ତର । ସେତେବେଳକୁ ମୁଁ ‘ସମ୍ୱାଦ’ର ଦୈନିକ ପତ୍ରିକା ଆଂଦୋଳନର ଦାୟିତ୍ୱରେ । ପ୍ରତିଦିନ ଗୋଟିଏ ଗୋଟିଏ ପୃଷ୍ଠାର ପତ୍ରିକା ଏବଂ ତଳେ ପ୍ରକାଶ ପାଉଥିବା ସଂପାଦକ ଭାବରେ ମୋ ନାମ ସମେତ ଅନ୍ୟ ସହଯୋଗୀମାନଂକ ନାମ । ଚଂଦ୍ରଭାନୁ ମତେ ଚାହିଁଲାବେଳକୁ ମୁଁ କହିଲି – “ରବିବାର ସମ୍ୱାଦ ସ୍ୱତଂତ୍ର ଆଠପୃଷ୍ଠାର ସଂସ୍କରଣରେ ସଂପାଦକ ରୁହଂତୁ ଚଂଦ୍ରଭାନୁ ପଟ୍ଟନାୟକ ।”

 

ପ୍ରତିଶ୍ରୁତି ପ୍ରଦାନ ପରେ କିଛିଟା କୌମୁଦୀସ୍ନାତ କୌତୁକ ମିଶାଇ ଏଥର ସୌମ୍ୟବାବୁ ପ୍ରତ୍ୟୁତ୍ତର ଚାହିଲେ ଆମ ପାଖରୁ – “କେତେ ତାହେଲେ ଛାପିବା ପ୍ରଥମରୁ ?”

ଚଂଦ୍ରଭାନୁ କହିଲେ – “ଆପଣ ସାର୍କୁଲେସନ୍‌ ମ୍ୟାନେଜରଂକୁ ଡାକି ପଚାରଂତୁ ।”

 

ଆମଠୁ ବିଦାୟ ନେବା ଆଗରୁ ସୌମ୍ୟବାବୁ ଉତ୍‌ଥାପନ କଲେ ତାଂକର ଶେଷପ୍ରଶ୍ନ – “ଯଦି ବିକ୍ରି ନହୋଇପାରିଲା କିଛି ?”

ମୁଁ କହିଲି – “ତାହେଲେ ଏଇ ବାଜି ରହିଲା ଯେ ଆମେ ସମସ୍ତେ ମିଳିତ ଇସ୍ତଫାପତ୍ରରେ ଦସ୍ତଖତ ଦେଇଦେବୁ ।”

ଏମିତି ହସିହସି ଆରଂଭ ଓ ଶେଷ ହୋଇଥିଲା ଗୋଟିଏ ଅଦ୍ଭୁତ ବାଜିର ଦିନ ।

 

ଦୈନିକ ପତ୍ରିକା ଆଂଦୋଳନର ଅଂତ ହେଲା ଗୋଟିଏ ଋତୁ । ଚଂଦ୍ରଭାନୁ ପଟ୍ଟନାୟକ ସଂପାଦକ ହେଲେ ନୂଆ ରବିବାର ସମ୍ୱାଦର । ଆମେ ସମସ୍ତେ ଏକାଠି ବସି କଣ ନୂଆ ନୂଆ ଯୋଜନାକୁ ରୂପ ଦେବୁ, ଭାବ ବିନିମୟ କରିଥିଲୁ ନିଜ ନିଜ ଭିତରେ । ମୁଁ ମୋ ତରଫରୁ ଗୋଟିଏ ପରାମର୍ଶ ଦେଲି – “ସଚ୍ଚି ରାଉତରାୟ, ମନମୋହନ ମିଶ୍ର, ଚିତ୍ତରଂଜନ ଦାସ, ବିଭୂତି ପଟ୍ଟନାୟକ-- ଏ ଚାରିଜଣଂକ ପାଖରୁ ପ୍ରତି ସପ୍ତାହରେ ଚାରିଟି ଲେଖାଏଁ ସ୍ତଂଭ ଆଣିବା ଆମେ । ମନନର ମାନଚିତ୍ରକୁ ନେଇ ଦେଖିବା ଅଂତରଂଗ ଓଡ଼ିଶାର ରଂଗ କେତେପ୍ରକାର ।”

 

ଚଂଦ୍ରଭାନୁ ରାଜି ହୋଇଯାଇଥିଲେ ତତ୍‌କ୍ଷଣାତ୍‌ । କଟକ ଯାଇ ସଚ୍ଚିବାବୁ, ମନମୋହନବାବୁଂକୁ ଭେଟି ଆଦାୟ କଲୁ ପ୍ରତିଶ୍ରୁତି । ରାଜି କରାଇପାରିଲୁ ନାହିଁ କେବଳ ଚିତ୍ତଭାଇଂକୁ। ଭୁବନେଶ୍ୱରରେ ବିଭୂତିବାବୁଙ୍କ ସହ ସ୍ତଂଭରଚନା ପାଇଁ କଥାବାର୍ତା ହେଲାବେଳେ ଚଂଦ୍ରଭାନୁ ଓ ଗୋପାଳ ସାମଂତରାୟ ହସିହସି ଉଠାଇଥିଲେ ସୌମ୍ୟବାବୁଂକ ସହିତ ଆମଆଡୁ ସେ ଏକତରଫା ‘ବାଜି’ ପ୍ରସଂଗ ବି ।

 

ବୋଧହୁଏ ଏ ଘଟଣାର ଦୀର୍ଘ ଅବଧି ପରେ ବିଭୂତିବାବୁଂକ ଆତ୍ମଚରିତରେ ସେଦିନର ସେ ସୁଖାଳାପର ଖଂଡଶବ୍ଦ ପଥରରୁ ବାଲିଗରଡ଼ା ହେଲାପରି ପହଂଚିଛି ଆସି ଏପରି ଏକ ଅପନିଂଦାଶ୍ରୟୀ ଅପଳାପରେ । ସର୍ବାଦୌ ଏହା ସତ୍ୟ ନୁହେଁ କି ନୁହେଁ ମଧ୍ୟ ଅର୍ଧସତ୍ୟ - କେବଳ ଗୋଟିଏ ଅପଳାପୀ ଅଭିବ୍ୟକ୍ତି ମାତ୍ର ।

 

ମୁଁ ବହିଟି ପାଇ ଏ ଅଂଶ ପଢ଼ି, କ୍ଷୁଣ୍ଣ ହୋଇଥିଲି ଖୁବ୍‌ । ମୋ ତରଫରୁ କୌଣସି ପ୍ରତିକ୍ରିୟା ନ ଥିବାର ଦେଖି ଯେତେବେଳେ ବିଭୂତିବାବୁ ମତେ ଫୋନ୍‌ କରି ମୋର ମତ ଜିଜ୍ଞାସା କଲେ, ମୁଁ ସ୍ପଷ୍ଟଭାବରେ ତାଂକୁ ଉତ୍ତର ଦେଇଥିଲି – “ଏହା ତ ଆତ୍ମଚରିତ ନୁହେଁ, ବରଂ ଆପଣଂକର ୧୫୧ନଂ. ଉପନ୍ୟାସ ।”

 

ସେ ଅବଶ୍ୟ ଆଶା କରିନଥିଲେ ମୋଠାରୁ ଏ ଉତ୍ତର । ମୁଁ କହିଲି – “ଆପଣଂକର ସୁଖପାଠ୍ୟ ଶୈଳୀ ଉପରେ କିଛି କହିବାର ନାହିଁ ମୋର । ତା’ ତ ପ୍ରତ୍ୟେକ ଲେଖକଂକର ନିଜସ୍ୱ ପ୍ରକାଶଭଂଗୀ । କିଂତୁ ଆପଣଂକର ଦୃଷ୍ଟିଭଂଗୀ ଆତ୍ମଚରିତର ସଂବିଧାନବହିର୍ଭୂତ । ଏହା ୱାନ୍‌-ପିସ୍‌ ନହୋଇ ଟୁ-ପିସ୍‌ଟାଏ - ଏବଂ ଅନାବଶ୍ୟକ ଅନେକ ଅତ୍ୟୁକ୍ତି ସହ ।”

 

ସେ ଟିକିଏ ପ୍ରଗାଢ଼ ହୋଇ ମତେ ପ୍ରଶ୍ନ କଲେ – “ସବୁ ସ୍ପଷ୍ଟ ଭାବରେ କୁହ । ତମର ମତ ମୋ ପାଇଁ ମୂଲ୍ୟବାନ ।”

ମୁଁ କହିଲି – “ମୂଲ୍ୟବାନ ହୋଇପାରେ, କିଂତୁ ଆପଣଂକୁ ଶୁଣିବାକୁ ଭଲ ଲାଗିବନି ମୋଟେ ।”

 

ତଥାପି ସେ ଧୈର୍ଯ ଧରି ସବୁ ଶୁଣିବାକୁ ଆଉଟିକେ ଜୋର୍‌ କଲେ ଫୋନ୍‌ରେ । ତାଂକ ସହିତ ଯାହାଯାହା କଥା ହେଲା, ତାହାସବୁ ହୁଏତ ଆଉକେବେ । କିଂତୁ ମୁଁ ସିଧାସଳଖ ସେଇ ଅପଳାପୀ ଉପାଖ୍ୟାନଟିକୁ ଆଉଥରେ ଅବତାରଣା କଲି ତାଂକ ଆଗେ । ପ୍ରଥମେ ସେ ସ୍ପଷ୍ଟ ଭାବରେ କହିଲେ – “ନା, ନା, ତମେମାନେ ମତେ ନିଶ୍ଚୟ ସେ କଥା କହିଥିବ ନା - ନ ହେଲେ ମୁଁ ଲେଖଂତି କାହିଁକି ?”

 

ମୁଁ ତାଂକୁ ଆହୁରି ସ୍ପଷ୍ଟ ଭାବରେ ଉତ୍ତର ଦେଲି – “ଆପଣ କଣ ଲେଖିବେ କି ନଲେଖିବେ, ସେ ବିଚାର ଆପଣଂକର । କିଂତୁ ଅତିରଂଜନ ତ ନୁହେଁ, ଗୋଟାଏ ଅସତ୍ୟକୁ କିପରି ଆପଣ ଆତ୍ମଚରିତରେ ଆଶ୍ରୟ ଦେଇଛଂତି ? ତିନିଜଣଯାକ କ’ଣ ଏକକାଳୀନ ଏ ଅସତ୍ୟକୁ ଏମିତି ଉଦ୍‌ଗାରିପାରିବେ, ଯେମିତି ରଂଗବୋଳା ଅକ୍ଷରରେ ଲେଖାଯାଇଛି ?”

 

ବିଭୂତିବାବୁଂକ ସ୍ପଷ୍ଟତାର ହାର ହ୍ରାସପ୍ରାପ୍ତ ହେଲା କିୟତ୍‌ମାତ୍ରାରେ । ତଥାପି ସେ କହିଲେ-- ବୋଧହୁଏ ଚଂଦ୍ରଭାନୁ ମତେ ଏ କଥା କହିଥିଲା ।

 

ମୁଁ ଦୁଃଖର ସହିତ ପ୍ରକାଶ କଲି – “କି ଅସଂଭବ କଥା ଆପଣ କହୁଛଂତି ଆଜ୍ଞା ! ଚଂଦ୍ରଭାନୁ ପଟ୍ଟନାୟକ ? କଦାପି ଏପ୍ରକାର ଚରିତ୍ର ନୁହେଁ ସେ । ସେ ଚାକିରିଭୀରୁ ହୋଇଥିଲେ ଆଜି ତ କେଉଁ ୟୁନିଭର୍ସିଟୀର ପ୍ରଫେସର୍‌ କି ଆଉକେଉଁଠି ଆହୁରିବଡ଼ ପଦବୀରେ ଥାଇ ମୋଟା ଅଂକର ବେତନଭୋଗୀଟିଏ ହୋଇପାରିଥାଂତା ନିଶ୍ଚୟ। ତେବେ ଏଭଳି ଅସତ୍ୟ ଉପାଖ୍ୟାନର ଅବତାରଣାଦ୍ୱାରା ଆତ୍ମଚରିତର ଗୋଟିଏଯୋଡ଼ିଏ ପୃଷ୍ଠା ସିନା ବଢ଼ାଇବାର ଲାଭ ଆପଣ ହାସଲ କଲେ, କିଂତୁ ସବୁଦିନ ପାଇଁ ଆମ ଆଗରେ କମାଇଦେଲେ ଆପଣଂକ ଆତ୍ମିକ ଉଚ୍ଚତା । ଲେଖିବା ପୂର୍ବରୁ ଯଦି ଅଂତତଃ ସୌମ୍ୟବାବୁଂକୁ ବି ଆପଣ ଫୋନ୍‌ କରିପାରିଥାଂତେ ଥରେ, ତା’ହେଲେ ବି ଏପ୍ରକାର ବିଡଂବନା ଘଟିନଥାଂତା କଦାପି ।”

 

ବିଭୂତିବାବୁ ମନଦୁଃଖ କରିଥିବେ ସେଦିନ । କିଂତୁ ମତେ କହିବାକୁ ପଡ଼ିଥିଲା ତାଂକୁ । ତାପରେ ବି ସେ ଯେତେବେଳେ ପଚାରିଲେ – “ଆଚ୍ଛା ଗିରିଜା, ସେଇ ଅଂଶଟା ଛଡ଼ା ଆଉ କେଉଁ ଅଂଶ ତମକୁ ଖରାପ ଲାଗୁଛି ?”

 

ମୁଁ କହିଲି – “ପ୍ରାୟ ଅଧିକାଂଶ ଅଂଶ । ଆପଣଂକ ପରି ଜଣେ ପ୍ରିୟଲେଖକଂକଠାରୁ କଣ ଆଶା କରଂତି ପାଠକପାଠିକା ? ଅଂଧକାରରୁ ଆଲୋକଆଡ଼କୁ ଯିବାର ଗୋଟିଏ ଅଂଗେନିଭା ଅନୁଭୂତିର ସୂକ୍ଷ୍ମସୂତ୍ର । କିଂତୁ ଓଡ଼ିଶାରେ ସୋସାଲିଷ୍ଟ୍‌ ପାର୍ଟିର ଉଦୟ ଓ ଅସ୍ତର ଅନାନୁପାତିକ ଅଧ୍ୟାୟଟା ସେମାନେ ଆତ୍ମଚରିତରେ ଅଂଡାଳିବେ କାହିଁକି ?”

 

ବିଭୂତିବାବୁ ଉତ୍ତର ଦେଲେ – “ମତେ ହରପ୍ରସାଦ ଦାସ ବାଧ୍ୟ କରିଥିଲେ ସେ ପ୍ରସଂଗ ଲେଖିବା ପାଇଁ ।”

 

ମୁଁ ଆହୁରି ଦୁଃଖିତ ହୋଇ କହିଲି – “ଆଜ୍ଞା, ଜଣକର ଆତ୍ମଜୀବନଚରିତ କିପରି ଆଉଜଣକର ବରାଦରେ ଲେଖାଯାଇପାରିବ କହଂତୁ ? ଆପଣଂକର ଆତ୍ମଚରିତ ପ୍ରକୃତରେ ଦେଖିବାକୁ ଗଲେ ତିନୋଟି ବହିର ମିଶାଣଫଳ ମାତ୍ର । ପୁଣି କହିବି ଯେ ପ୍ରକାଶଭଂଗୀ ସୁଖପାଠ୍ୟ, କିଂତୁ ଦୃଷ୍ଟିଭଂଗୀ କେବଳ ଦୁଃଖଦାୟକ ନୁହେଁ - ଦୁର୍ଭାଗ୍ୟଜନକ ବି !”

 

ବିଭୂତିବାବୁ ଶେଷହସ ହସିଥିଲେ ସେଦିନ । ସୁଦୀର୍ଘ ଫୋନ୍‌କଲ୍‌ର ଶେଷବାକ୍ୟ ଥିଲା – “ତାହେଲେ ବହିଟା ତମକୁ ଭଲଲାଗିଲା ନାହିଁ ବିଲ୍‌କୁଲ୍‌ ?”

 

ମୋର ଶେଷଉତ୍ତର ଥିଲା – “କେବଳ ଗଲାକାଲି ନୁହେଁ, ଆଜି ନୁହେଁ, ଆଗକୁ ଥିବା ଅନେକ ଅନେକ ଆସଂତାକାଲି ପାଇଁ ମଧ୍ୟ ମତେ ଭଲଲାଗିବନାହିଁ ସେ ବହି ।”

ସେପଟୁ ଫୋନ୍‌ ରଖିବାର ଶବ୍ଦ ।

 

ଏ ପ୍ରସଂଗ, ପ୍ରାୟ ତିନିଦଶକ ପୂର୍ବେ, ରବିବାର ସମ୍ୱାଦ ଫର୍ଦରେ ବହୁ ‘ପ୍ରଥମ ପ୍ରସଂଗ’ ସ୍ତଂଭରଚନାର ସେଇ ସ୍ମରଣୀୟ ସ୍ଥପତି ଚଂଦ୍ରଭାନୁ ପଟ୍ଟନାୟକଂକୁ କେବେ ସୂଚାଇନାହିଁ ମୁଁ । ୩୦ ସେପ୍‌ଟେଂବର ୧୯୫୮ରେ ଷଠିଘରୁ ଆସି ୯ ମଇ ୨୦୧୮ରେ ଷାଠିଏ ପାର୍‌ ହେଉହେଉ ଆମ ଗହଣରୁ ସେ ନେଇଗଲେ ଚିରବିଦାୟ ... ହାସ୍ପାତାଳ କୋଠରିର କାତର କାଂଥରେ ଘଂଟାକଂଟା ଛୁଇଁବାକୁ ଯାଉଛି ରାତି ସାଢ଼େ ନଅ ... ସେଦିନ ବୁଧବାର ମେଷ ୨୬ଦିନ, ୧୪୨୫ ସାଲ କିଂବା ବୈଶାଖ ୧୯ଦିନ, ୧୯୪୦ ଶକାବ୍ଦ, କୃଷ୍ଣପକ୍ଷ ନବମୀ - କିଛି ମାନେ ରଖେନା ଆଉ ତାଂକ ପାଇଁ, ଯିଏ ଚାଲିଗଲେ ନିଃଶବ୍ଦରେ ! ଏବଠୁ ଆଉ ଆମ ଜଗନ୍ନାଥ ପାଂଜି କି ବିରଜା ପାଂଜିର ତିଥିବାରନକ୍ଷତ୍ର ଅଥବା ଦେଶୀବିଦେଶୀ କ୍ୟାଲେଂଡର୍‌ କି ଚିତ୍ରବିଚିତ୍ର ଦିନପଂଜୀର ତାରିଖ ସହିତ ସାମାନ୍ୟତମ ଦେଣନେଣର ସଂପର୍କ ନାହିଁ ସେ ସତ୍ୟସଂଧ ସଂବାଦସଂଧିତ୍ସୁଂକର । ତାଂକ ଅଂତିମ ମାସଗୁଡ଼ିକର ଅସୁସ୍ଥତାକୁ ବିଭୂତି ପଟ୍ଟନାୟକଂକ ଆତ୍ମଚରିତର ଉପରସୂଚିତ ଅଂଶ ଯେ ବେଶ୍‌ ଉପିୀଡ଼କ ଉପଲବ୍ଧ ହୋଇଥାଂତା, ନିଃସଂଦେହ ।

 

ଅନେକ ସ୍ମୃତି ବ୍ୟକ୍ତିଗତ । ଏକାଂତତାର ଅଂଶୀଭୂତ । ତଥାପି ଗୋଟିଏ କଥା ଯେତେ ବ୍ୟକ୍ତିଗତ ହେଉ ପଛେ ପ୍ରକାଶ କରିବାର ପ୍ରଲୋଭନ ଅସଂବରଣୀୟ । ଥରେ ଗୋଟିଏ ଜହ୍ନରାତିରେ ଜମାନବଂଦି ଦେଲା ପରି ଚଂଦ୍ରଭାନୁଂକ ଅସହାୟ ଅଂତଃସ୍ୱର ସେଦିନର ଆକାଶକୁ ଶେଷଶ୍ରାବଣର ମୁଠାମୁଠା ମେଘରେ ଭାରାତୁର କରିଦେଇଥିଲା ହୁଏତ - “ପୁଷ୍ପାକୁ ନ ପାଇଲେ ମୋର ସବୁ ପ୍ରାପ୍ତିର ପାଖୁଡ଼ା ଫିକା !”

 

ଏଇଠି ହିଁ ଠିକ୍‌ ଠଉରାଇ ହୁଏ ତାଂକୁ । ଏଇଠି ହିଁ ମୁଁ ଲକ୍ଷ୍ୟ କରେ, ଏକତ୍ର ଚଂଦ୍ରସୂର୍ଯର ଏକଇ ବିଂଦୁରେ ବିଲୀନ ହେବାର ବ୍ୟାକୁଳିତ ଭାବ - ଯାହା ଚଂଦ୍ରଭାନୁଂକର ସ୍ୱରୂପସଂଚାରୀ ସ୍ୱଭାବ ।

 

ସ୍ମୃତି-ସତ୍ତା-ସ୍ଥିତିରୁ ଶୂନ୍ୟତାବ୍ୟାପୀ ସେଇ ଆଦିଗଂତ ଆକାଶ ... ସେଠି ନାନା ନାକ୍ଷତ୍ରିକତାର ନାମାଂକନ ମଧ୍ୟରେ ଅସଲ ଉତ୍ତରଦାୟାଦମାନଂକୁ ଚମତ୍କୃତ କରିରଖିଥିବ ଯେଉଁ ଅନସ୍ତାୟମାନ ଚଂଦ୍ରୋଦୟ - ତାର ଅନନ୍ୟ ଅନ୍ୟନାମ ଚଂଦ୍ରଭାନୁ ପଟ୍ଟନାୟକ ନିଶ୍ଚୟ !

ସେ ସଶ୍ରଦ୍ଧ ନାମର ସ୍ମୃତିରେ ସମର୍ପିତ ଏ ଦୁଇଟି ସନେଟ୍‌ :)

 

ଆମ ଏ ଶତାବ୍ଦୀ ଏଠି ଦଶଗୋଟି ଦୁଃଖର ଦଶକ

ଶରାହତ ଶବ୍ଦସବୁ ସଂପାଦିତ ଶୋକବିବରଣୀ

ସ୍ତଂଭରେ ତ ସ୍ଥାପିବାକୁ ସର୍ବଶେଷ ଷ୍ଟାଚ୍ୟୁର ସଂତକ

ବାପୁଜୀନଗର ଘରୁ ତମେ ବୋଧେ ବାହାରିଯିବଣି ।

 

ମୃତ୍ୟୁଠୁ ବି ମର୍ମଂତୁଦ ମଇର ଏ ମିତ୍ରଦ୍ରୋହୀ ମାସ

ବର୍ବର ବର୍ବାଦସବୁ ବିସଂବାଦ ବିସର୍ଜନବ୍ୟାପୀ

କୃଷ୍ଣପକ୍ଷ ନବମୀକୁ ନ୍ୟସ୍ତ କରେ - ଏ ବୈଶାଖବାସ

ଖରାର ଖରିଫ୍‌ଫୁଲ - ସଂଜରୁ ହିଁ ସଂତାପି ସଂତାପି ।

 

ଯାଏଆସେ କିଛି ନାଇଁ ଜୁନ୍‌ କିଂବା ଜୁଲାଇରେ ଆଉ

ଏ ମାସ ସମାସ ସ୍ୱୟଂ - ଆମେମାନେ ମାନୁ ବା ନମାନୁ

ଋଜୁ ହେଉ ଋତୁଚକ୍ର, ମାତ୍ର ମନେ ରଖିବାକୁ ଚାହୁ

ଏକଦା ଏ ଅକ୍ଷାଂଶରେ ଉଇଁଥିଲା ଏକଶ୍ଚଂଦ୍ରଭାନୁ !

 

ରାତିର ରିପୋର୍ଟ ତମ : ସକାଳର ସନେଟ୍‌ ସଂପ୍ରତି

ଚଂଦ୍ରର ସେ ଚିତ୍ର ଚାହୁଁ ପୃଥିବୀର ପୁଷ୍ପଲତା ପ୍ରତି ।

 

ଜଂକିଆର ଜଗତୀରୁ ଜହ୍ନ ଛୁଏଁ ଛଣଗିରି ଗାଁ

ଏ ଗ୍ରୀଷ୍ମରାତିର ଗୋଳାଚଂଦନ ତା ଗେରୁମାଟିତକ

ସେ ଗାଆଁ ତ ତମ ଗାଆଁ । ତରା ଉଏଁ ବଣ ଚିରି ଛାଁ

ସ୍ୱାମୀ-ସ୍ତ୍ରୀ ସହରର ନୁହେଁ ଯାହା ନାମୀ ନାଟିତକ ।

 

କୁରାଢ଼ମଲ୍ଲରୁ ଖେଦେ କୁହୁଡ଼ି ବି କୋଡ଼ିଏମାଇଲ୍‌,

ତୁମୂଳ ସେ ତାରୁଣ୍ୟକୁ ତୁଟାଇନି ତୁଫାନ୍‌ କି ତର୍କ

ବୟସ ଆମର ଥିଲା ଭାଂଗିବାକୁ ଭୁଲ୍‌ ବାଷ୍ଟାଇଲ୍‌

ବିରାଦରୀ ସୂତ୍ରରେ ହିଁ ବଂଧା ସବୁ ସେଦିନ ସଂପର୍କ ।

 

 

ହାରେ କି ଆମର ହସ ? କି ଉଚ୍ଛଳ - ଉଇଁବାକୁ ଇସ୍‌

ଖୋର୍ଧାର ସେ ଖଂଡାମୁନେ କେଭେଁ କି ତା କ୍ଷୟିଷ୍ଣୁ କ୍ଷାରାଂଶ ?

କଳଂକିତ କଲମରେ କରିନାହୁଁ କୁର୍ସିକୁ କୁର୍ଣିସ୍‌

ଏ ଶୋକକବିତା ନୁହେଁ ସମୁଦାୟ ସ୍ମୃତିର ସାରାଂଶ ।

 

ଅଥଚ ଉଦୀୟମାନ ଅର୍କ ଆଣେ ଏତେ ଅସ୍ତରଂଗ ?

ଚମକାଉ ଚଂଦ୍ରଲୋକ ପରବର୍ତୀ ପ୍ରଥମ ପ୍ରସଂଗ ।

(୨୦୧୮)

 

ଅଟଳବିହାରୀ ବାଜପେୟୀ

(୨୫ଦିଶଂବର ୧୯୨୪-୧୬ ଅଗଷ୍ଟ୍‌ ୨୦୧୮)

 

ସେ ଅଗସ୍ତ୍‌ ୧୬କୁ ଆଂଜୁଳାଏ ଅଗସ୍ତିଫୁଲରେ

ହେ ଅଗସ୍ତ୍ୟ ଅପରାହ୍ନ, ଆଗୁଳି କି ଅଟକାଇପାର ?

ଶୁକ୍ଳପକ୍ଷ ଷଷ୍ଠୀର ସେ ସୂକ୍ଷ୍ମଦେହୀ ସୂର୍ଯାନୁକୂଲ୍ୟରେ

ସେ ଯିବ ଯମୁନା ଯଦି - ତା ଯାତ୍ରାରେ ତମେ ଯାଇପାର ।

 

ହେ ଦିବାନିଦ୍ରାର ଦେଶ ! ଦିବଂଗତ ଦିବସର ଦ୍ୱାହି,

ସ୍ତୋକନମ୍ର ସ୍ତୋତ୍ରମାଳା ଶୁଣାଅନି । ସୂଚ୍ୟଗ୍ରରେ ସୂର୍ଯ...

କୁହ କୁହ କାନ୍ୟକୁବ୍ଜୀ - କେତେ ଦୂରେ କିଏ କାଂଦେ କାହିଁ ?

ତା ପ୍ରତିଧ୍ୱନିରେ ପିଷ୍ଟ ପୁଂଜୀଭୂତ ପୁଂଜିର ପ୍ରାଚୁର୍ଯ ।

 

ବଢ଼ିଲାଣି ବଢ଼ିପାଣି । ବାଦୁଆଳୀ ବର୍ଷା ବି କୁଟୁଚି

ତଜୁର୍ଚି ତୋଫାନୀ ତୋଡ଼ ତଳମାଳ ତାଳରୁ ତମାଳ

ଗୁଆରଂଗଗୋଳା ଗୋଟେ ଗୁରୁବାରୀ ଗୋଧୂଳି ଗୁଂଥୁଚି

କି କଷ୍ଟରେ କାହାପାଇଁ କାଂଦଣାର କଇଁଫୁଲମାଳ ?

 

ଅଚଳ ତ ଅଂଚଳଟା - ଏ ୫ଟା ୫ ମିନିଟ୍‌ରେ...

ମୁହଁଅଂଧାରରେ କିଛି କାଚଆକ୍ଷି ମିଟିମିଟି କରେ ।

 

ସରୁଚି କି ସିଜୁଆରୁ ସୂଚିକର୍ମ ସୂଚିତ ସୁରୁଚି ?

ଏ ସଂଧ୍ୟାରୁ ସୁରୁ ହୁଏ ସରକାରୀ ଶୋକର ସପ୍ତାହ

ସେତେବେଳେ ଶ୍ରାବଣକୁ ପୂରାସାଢ଼େ ପଚିଶ୍‌ ପୂରୁଚି

ଆଦାନପ୍ରଦାନହୀନ ପ୍ରେମ ଆାଉ ଆଣୁନି ପ୍ରଦାହ ।

 

ଏମ୍‌ସ୍‌ରୁ ଆସୁଚି ଆମ ଅଧାଛାଇଆଲୁଅ ଏଥର...

ତାଜାଫୁଲ ତୋଳିଆଣ । ତାଜିଆରେ ତେୟାନବେ ତୋଳା

ଏବଠୁ ତା ଏକାକୀତ୍ୱ ଏକଏକ ଏକରଏକର

ଏରକାକୁ ଲଂବିବନି - ଲୁହ ସେଠି ଲହୁବୁଂଦାବୋଳା ।

 

ହେ ବଂଧୁ ଆମର ସ୍ୱପ୍ନ ରାମସେତୁ ବାଂଧୁଥାଇପାରେ

ଚୌରାନବେ ବର୍ଷ ବାଦ୍‌ ଭୂଚିତ୍ରକୁ ଚର୍ବ୍ୟ କରେ ବନ୍ୟା

କାପତାର କାଂତାରରେ କେତେବେଳୁ କାଂଦୁଥାଇପାରେ

କାଶ୍ମୀରୀ କିଶୋରୀ କିଂବା କେରଳୀୟା କେଶବତୀ କନ୍ୟା !

 

ଛିନ୍ନଭୂର ଚିହ୍ନଚ୍ୟୁତି ଚୌରାଳିଶ ନଦୀବଂଧକଡ଼େ ...

ଦେହାବଶେଷରେ ଦେଖ ଦୁଃଖ ଗୋଟେ ଦାକ୍ଷିଣାତ୍ୟ ଗଢ଼େ ।

 

ପଂଦର କେ ପଂଦରର ପଣିକିଆ ପାସୋରେ ପତାକା

୧୬ର ସୂର୍ଯଚ୍ଛଟା ପଶ୍ଚିମର ପ୍ରଚ୍ଛଦପଟସ୍ଥ ...

ହେ ପ୍ରଚଳ ପତ୍ରକାର ! ପ୍ରାଚୀରକୁ ପଚାର ପତ୍ତା କା ?

ତ୍ରିକୋଣଭୂମିରେ ସ୍ଥିର ତ୍ରିରଂଗର ତରଂଗ ତଟସ୍ଥ ।

 

ମରିସସ୍‌ ମାଟି ମଧ୍ୟ ନେତ ନିଜେ ନୁଆଁଉଚି ଅଧା

ନାନାଦେଶୀ ଦୂତାବାସେ ଦରନିଭା ନିଶାଣର ନିଆଁ

ଶୁକ୍ରବାର ୧୭ଟା ସ୍ମୃତିସ୍ଥଳୁ ସମର୍ପୁଚି ଶ୍ରଦ୍ଧା

ନିର୍ବାକ୍‌ ଏ ନିବୃତ୍ତିରେ - ଲାଲ୍‌କିଲ୍ଲା, ନୀଳ ପଡ଼ କିଆଁ ?

 

ଦିଲ୍ଲୀର ଦିନାଂଶ ଲାଲ୍‌ ଲାହୋର୍‌ର ଲୋଧ୍ରରେଣୁ ଲାଗି

ଅଭିଯାତ୍ରା ଅଂତ ଏବେ । ଶୋଭାଯାତ୍ରା ସାଢ଼େଗୋଟାଏରେ

ସେ ମରଶରୀର ଶ୍ୟାମ ନୋହିବ କା ମଲ୍ଲୀମାଳ ମାଗି

ଯଦିଚ ଏ ଯମୁନାକୁ ଗ୍ରାମରୁ ତା ଯାମଘୋଷୀ ଫେରେ ।

 

ଗୋବରଘାଟିରେ ଘୂର୍ଣି ... ଗୋବତ୍ସା କି ଗୋପପୁରଗାମୀ ?

ହେ ବଂଶୀ ବାଜନି, ଶୁଣ - ୨୧ ତୋପର ସଲାମି ।

 

ଖଂଡଖଂଡ ଭ୍ରଥରୁ ତା ଅଭ୍ୟୁତ୍‌ଥେୟ ଅଖଂଡଭାରତ

ପ୍ରସ୍ଥପ୍ରସ୍ଥ ପ୍ରସ୍ତରରେ ପ୍ରତିମାର ପ୍ରତୀକ ପ୍ରତୀତି ...

ବିବାହଟା ଭୁଲିଲେ ବି ଭୁଲିନି ସେ ବାରେକ ତା ବ୍ରତ

ଅତୀତର ଅତୀର୍ଥକୁ ଅମାନତ ଅର୍ପିଚି ଅତିଥି ।

ଚାଲ ଟିକେ ଚା’ ପିଇ ପରଚର୍ଚା ପାସୋରିବା କିଛି ...

କଟାଘାସ ଗାଆଁକୁ ବି କଲିଜାରୁ କବୁଲ୍‌ କହିବା

ସେ ଆମର ଅଗସ୍ତସ୍‌ । ଆଜି ନୁହେଁ କାଲିଠୁ କରିଚି

ଇଟାର ଏ ଇଂଡିଆକୁ ମାଜିଘଷି ମାର୍ବଲ୍‌ମୟୀ ବା !

 

କି ସାଲ୍‌ତମାମି କିଂତୁ ଆମେ ଆସି ସାଲିସ୍‌ରେ ସାରୁ ?

ଚକଲଗା ଚେୟାର୍‌ର ଚିଟା ଛାଡ଼େ ଚେହେରାର ଛଟା

ବ୍ୟସ୍ତତାର ବର୍ଷ ବିଦା ବାନପ୍ରସ୍ଥୀ ବ୍ୟବଧାନଠାରୁ

କି ଛାଇଲେଉଟ ମାପେ ୬-କୃଷ୍ଣ ମେନନ୍‌ ମାର୍ଗଟା ?

ବିଜୟଘାଟର ବାଂକ ବୁଲାଣିରେ ବିଜେ ବିସ୍ମରଣ :

ଏ ବିନା ଭାଷାର ବାଣବର୍ଷାରେ ବି ଭିଜେ ଭୀଷ୍ମପଣ ।

ଏ କ’ଣ ସେ ସଂଜ ଯିଏ ଶଂଖା ଭାଂଗି କଜଳ ନାଇନି ?

ଇଂଦ୍ରପ୍ରସ୍ଥ ଇଲାକାରେ ଅସ୍ତରାଗ ଅବ୍ୟକ୍ତ ଅବଶ୍ୟ

ଏ ପଦ୍ମବ୍ୟୂହର ବୃଂତବିଚ୍ୟୁତ ହେ ବାଂଧବବାହିନୀ,

କିଏ କେଉଁ କୁଂପାନୀର କୁବଳୟବଳୟରେ ବଶ୍ୟ ?

ଖୁଦିର ଖୁଂଟ କେ ତାଡ଼ ଖର୍ଦିକରା ଖଂଟ ଏବଂ ଖୁନୀ ?

ଭଗତ୍‌ର ଭାରତକୁ ଭିଟା ଭାବି ଭଡ଼ା କାରେ ଦିଅ ?

କି ଅପଶକୁନ ଏବେ ! ସବୁ ସତ୍ତ୍ୱେ ଶକୁନି ଶଂକୁନି

ଏଠି ଏକ ଇଚ୍ଛାମୃତ୍ୟୁ - ମନେହୁଏ ମହାଭାରତୀୟ ।

ଦେଶକାଳ ଦେଖିନି ତା ଦଂଗାଜୀବୀ ଦଳଧ୍ୱଜୀ ଦିଶା

ତା ରାଜଧର୍ମରେ ରଦ୍ଦ ରକ୍ତସ୍ରାବୀ ରତିକ୍ଳାଂତ ରାୟ

ଅର୍ଜିବାର ଅଛି ଏକ ଶତଦଳ : ଶୁଭସଂଜୀବିଷା

ହିଂଦୁତ୍ୱ ହେବାର ନାହିଁ ହସ୍ତିନାର ହାତୀଦାଂତ ହାୟ !

କାହାର ଏ କୀର୍ତିସ୍ତଂଭ ? କିଏ ଅକ୍ଷକ୍ରୀଡ଼କର କ୍ରୀତ ?

ଚଳିତ ଚୁକ୍ତିରୁ ଚ୍ୟୁତ ଚକ୍ର ଚାଳି ଚକିତ ଚକ୍ରୀ ତ !

ଦେହାଂତର : ଦେଶାଂତର । ଅଗସ୍ତ୍‌ ଏ - ଗସ୍ତ ଅତଏବ

ଏ ଦିନାଂତ : ସେ ଦ୍ୱିତୀୟ-ଦଧୀଚିର ଦ୍ୱିଧାତୀତ ଦାବି

ସେ ପଥର ଶପଥରେ ବଂଶଜ ତ ବଜ୍ରବ୍ରତ ହେବ

ଏ ଅସ୍ତସୂର୍ଯ୍ୟଠୁ ଊଣା ଉଦୟର ଅଦ୍ୱିତୀୟତା ବି ।

ହାତ କେଭେଁ ଗଣିନି ତା ଘାତ କେତେ? କାହା ଖଂଡାଚୋଟେ?

ହିସାବୀ ହୀନତା ଯେତେ ହୃଦୟକୁ ଯାଇଚି ହାଣି ତ...

ମିତ୍ରଭାବ : ମିତ୍ରଲାଭ । ମନେ ନାହିଁ ମିତ୍ରଭେଦ ମୋଟେ

ଇସ୍ପାତୀୟ ଓଠ ତାର ଶତ୍ରୁଂଜୟ ସ୍ମିତରେ ଶାଣିତ ।

 

ଦ୍ୱିପାକ୍ଷିକ ମାସ ମିଶି ମସିହାଟା ଦ୍ୱାଦଶମାସିକ

ତେୟାନବେ ବର୍ଷ ଦେଲା ତାରିଖର ତୋଫାଧଳା ଦିନ

ଦିନ ଏଠି । ରାତି ସେଠି । ସେ କି ସ୍ୱୟଂ ସାଂଧ୍ୟସନ୍ନ୍ୟାସିକ ?

ତମେ ତା ତରାଂକୁ ତମ ତରାଜୁରେ ତଉଲିପାରିନ ।

 

ଉତ୍ତର-ଶ୍ରାବଣ ଆଣେ ତୀବ୍ରତର ବିବ୍ରତ ବିଷାଦ

ଝିପିଝିପି ବର୍ଷାରେ ସେ ଚିପିଚିପି ପକାଉନି ପାଦ ।

 

ରାହୀ ସେ ରାଜି କି ରହ ରଖିବାକୁ ରାଜଘାଟ ରାଣ ?

୧୦୧ ଦେଉଳର ଦୀପଦାନ ବଟେଶ୍ୱରବାଟୁ ...

ଡମ୍‌ ଡମ୍‌ ଡଂବରୁ କି ଡରିଚି କା ଡଲାର୍‌ ଡରାଣ ?

ଆହା ଏବେ ଅସରାରେ ଅସଜଡ଼ା ଅଧଭଂଗା ଆଟୁ !

 

ସେସବୁ ସଂଜର ସତୀ-ସଳିତାରେ ସ୍ମୃତିଶିଖା ନାଲି

ଗ୍ୱାଲିଅର୍‌ ଗିର୍ଜାରୁ ବି ଗେରୁ ଗୁଡ଼େ ଗୋଧୂଳିର ଗୁଳା

ମାଉଂଟ୍‌ ଆବୁର ମାୟା । ଅଲମୋଡ଼ା । ମନା କି ମନାଲି ?

ଦାୟବଦ୍ଧ ଦେୟସବୁ ଦୀକ୍ଷାଂତର ଦିନରେ ଧଉଳା ।

 

ତିସ୍‌ରୀ କସମ୍‌ ପାଳେ ତିନିଥର ପ୍ରଧାନମଂତ୍ରିତ୍ୱ...

ମଂଦ ନୁହେଁ ମୋଟାମୋଟି ମେଂଟର ସେ ମିଶାଣଫେଡ଼ାଣ

ମାତ୍ର କେଉଁ ମୋଡ଼ରେ ବା ମୁଲାଏମ୍‌ ମର୍ମରମଂତ୍ରିତ

ସେ ଘନକବିତାଗୁଚ୍ଛ ? ଘେନୁଚି କି ଘାସରୁ ସେ ଘ୍ରାଣ ?

 

ଆଜିକାଲି ଜାଫ୍ରିଜାଲି । ଆଜି ଅଳି କାଲିକୁ ଅଳୀକ

ଏ ଓଳା ଓଠରେ ଓଁ ... ଓରେ ମାଝିଁ ଓପରଓଳିକ !

 

ଜାଣି ତ ନଥିଲୁ ଜମା - କି ଜରୁରୀ ଯକ୍ଷପ୍ରଶ୍ନାବଳୀ

ଉତ୍ତର ଓ ଉତ୍ତରଣ : ଉଚ୍ଚାର୍ଯ କି ନଥିଲା ଉଭୟ ?

ପଂଗପାଳ ପଟୁଆର ପ୍ରତେ ପ୍ରାୟ ପଟଚ୍ଛାୟା ଭଳି

ଅଧୋଗତାୟୁଃ କି ଆମେ ? ଊହ୍ୟ ଆମ ଆୟ ଆଉ ବ୍ୟୟ !

 

ହେ ବିଲ ବଢ଼ାଇଦିଅ - ବଂଜରକୁ ବୀଜର ବେତନ

ଦିଅ ଗୋ ଗହମକେଂଡା, ଗଣତଂତ୍ର ଦିପଟ ରୁଟିର

କନା ଦିଅ କପାଗଛ - କିଷାନକୁ କ୍ରାଂତିର କେତନ

ଏ କୁରୁକ୍ଷେତ୍ରର କାମ୍ୟ କୁଟୁଂବର କୁଳୀନ କୁଟୀର ।

 

ବଢ଼ିର ଏ ବଢ଼ତି ବା ବଂଧର ସେ ବରବାଦିଠାରୁ

ନଦୀଜଳବଂଟନର ନଷ୍ଟନୀତି ନିଦାରୁଣ ବେଶି

ଦେଶୀ ଆମେ ଦେଶକଥା ବେଶି କହୁ, କମ୍‌ ଭାବିପାରୁ

ଛୋଟପରଦାକୁ ଚାହୁଁ - ଚର୍ଚାରତା ଚାରୁଚୂର୍ଣକେଶୀ ।

 

ଅସ୍ଥିକଳସରେ ଆସେ ଅଭିଧର୍ମ ନବଦଧୀଚିର

ଅଂଶ ତା ଅଂତଃସ୍ଥ କର - ହେ ନମସ୍ୟ ନଦନଦୀନୀର !

 

କୋଇଲାମେଘର କୋହ କୋଂକଣର କୋରଡ଼ଆଖିରେ -

କେତେ ବେଶୀ ବଷୁର୍କ ବା ବିଦିତ ଏ ବିଦାୟ ବ୍ୟତୀତ ?

ତିଥିବାର ବିତିବାର ବେହିସାବୀ ବହୁତ ବାକିରେ

ଅଳ୍ପକିଛି ତାରା ଏଠି ଉଇଁଉଠେ ଅସ୍ତର ଅତୀତ ।

 

ସହିଦ୍‌ର ସରହଦ ସରୁଚି କି ସପ୍ତର୍ଷିଧାମରେ ?

ପାଉଁଶିଆ ପାଉତିରେ ଦିକ୍‌ଦାର୍‌ ଦେଣାଦାର୍‌ ଦିନ...

କେତେ ବା ତାରାର ରାତି ବୀମାବଦ୍ଧ ସୀମାଂତଗ୍ରାମରେ ?

କହିଚି କି କାର୍‌ଗିଲ୍‌ : ଆଜି କାଂଦ - କାଲି ଯେ କାଂଦିନ ?

 

କେଉଁଠି ବା କେଉଁ ତାରା କଂଦାଉଚି କୁଆଁତାରା ହୋଇ ?

ତା ନିଆରା ନୀଳତାରା : ଏ ଶ୍ରବଣାନକ୍ଷତ୍ରଟି ନୁହେଁ

ସାତସ୍ୱପ୍ନ ସଂଚେ ସିଏ - ଧ୍ରୁବତାରା ଆଲୋକରେ ଧୋଇ

ଅଂଦାଜର ଅଂଧାରଠୁ ଉପରେ ତା ଅଭିଜିତ୍‌ ଉଏଁ ।

 

ସଂଜଆଲୁଅରେ ଏ ମୋ ସନେଟ୍‌ର ସିଲୁୱେଟ୍‌ ସେ କି,

ତିଷ୍ୟନକ୍ଷତ୍ରର ତ୍ରୁଟି ଲଲାଟରୁ ଲିଭାଇଚି ଲେଖି ?

 

ମିତୁଆ ରେ, ମନଃପୀଡ଼ା । ଦିନମାନ ଧୋଇନିଏ ଧୋୟା

ମଳମଳ ନିଦରେ ବି ନହେଉରେ ନାଆ ଟଳମଳ

ବାହୁନିବାର ତୋ ନାହିଁ ବାହୁଡ଼ାରେ ବାୟାଣୀ ବେତୋୟା,

ସେ ଅଛି ଏ ଅତଡ଼ାର ଆରପଟେ ଅତୁଟ ଅଟଳ ।

 

ଗଡ଼ିଆରୁ ଗଂଗାଜଳ ଗୋମତୀର ଗୋଳିଚଂଦନ ତା

କାକରକଣାର କେତେ କଳଂତର କିଆରିକିଆରି

କାବେରୀ ତା କଥା କହେ : ଘରକଳି ତୁଟିଥିବା କଥା

ସେ ଅଛି ଏ ବେହଡ଼ରୁ ବଟବନ ବିହଂଗ ବିହାରୀ ।

 

ସରଣି ସରିତ୍‌ଶ୍ରେଣୀ : ସୂକ୍ତସବୁ ସୂତ୍ର ଯୋଡ଼ିବାର

ଅମୋଘ ଏ ଅଗ୍ନିପଥ ... ଆହୁତି ଏ ଅଧିଭାରତେୟୀ

ବ୍ୟୋମପଥ-ସ୍ଥଳପଥ-ଜଳପଥ - ଲୟ ଲୋଡ଼ିବାର

ସେ ଅଛି ଏ ବିଜୁଳିର ବିଚିତ୍ରାରେ ବଜ୍ର ବାଜପେୟୀ !

 

ଚଂଦ୍ର ଅଭିଯାନ ୧ ... ଧୂପଧୂଆଁ ସୂର୍ଯାବର୍ତରୁ ହିଁ

ପାଉଁଶର ପୋଖରାଜୀ ନିଆଁଖଂଡେ : ପୋଖରାନ୍‌ - ୨

(୨୦୧୮)

 

ସାଲ୍‌ତମାମ୍‌

 

କେଇ ଖୋଜ ଖଂଡଗିରି ? କେଇ କୋଶ କୋଣାର୍କଟା କୁହ ?

କାଂଦେ କି ମୁଲକ କେବେ ମଂଦିରଟେ ଯାଏ ଯଦି ମରି ?

ହେ ମାହୁଂତ, ହାତୀ ଦେବି। ହେ ସଇସ, ଘୋଡ଼ା ଦେବି। ରୁହ

କ୍ରାଂତିର ଏ କଳଂତର କଷୁଚି ମୁଁ କଡ଼ାକ୍ରାଂତି କରି !

 

ଅଶ୍ୱତ୍‌ଥାମା ହତ ଏବଂ ଅତଃପର ଅଶ୍ୱମେଧଯଜ୍ଞ...

ହାତୀ ମାତେ ହଦଗଡ଼େ । ଘୋଡ଼ା ହଜେ ହଳଦୀଘାଟରେ

ଉଡ୍ରର ଅଂଗାର ତଳୁ ଉପକଥା ଉଖାରେ ମୁଁ ଅଜ୍ଞ

ବେଳ ବୋଧେ ବୁଡ଼ିଆସେ ବରୁଣେଇ ବୁଲାଣି ବାଟରେ !

 

ପାଉଁଶ ପାହାଡ଼ ପାଖେ ପାଳଭୂତ ପାଇକର ପଡ଼ା

ତାରିଖର ତାରିଫ୍‌ରେ ନିଦ ଭାଂଗେ ନୂଆ ଗୋଟେ ସାଲ୍‌

ହାତୀ ହୁଏ ପଥରଟେ। ଘୋଡ଼ା ହୁଏ କାଠରେ କି ଗଢ଼ା ?

ହେ ରଇତ, ରଇ ଜଳେ... ହେ ରାଉତ, ରାତି ହୁଏ ଲାଲ୍‌ !

 

ଖତ ଖାଏ ଖଂଡଗିରି। କବରରେ କୋଣାର୍କ କୁହୁଳେ

ବାଟୋଇ ମୁଁ ବସିପଡ଼େ ଫାଶୀଦିଆ ବରଗଛ ମୂଳେ !

 

ସାଲ୍‌ତମାମି

 

ଏ ବର୍ଷର ଆୟବ୍ୟୟ ଅସ୍ତବ୍ୟସ୍ତ ଅତୀତ ବ୍ୟତୀତ

ଆଉ କ'ଣ୍‌ ହୋଇପାରେ ? ଆଉସବୁ ଅବାଂତର ତେବେ

ଲୁହ ହୁଏ ଲହୁଆଣ - କୋହ ହୁଏ କୋପରେ କଥିତ

ଏକକ ଦଶକ ଅଂତେ ଶତକର ଶୀତଋତୁ ଏବେ !

 

ଏ ବର୍ଷର ବଜେଟ୍‌ରେ ବେହିସାବୀ ବାକିର ବଢ଼ତି

ହସର ହରିଣମାର୍କା ହାଜିରାରେ ହଜିଯାଏ ହୋସ୍‌

ଖୁସିସବୁ ଖାସି ହୁଏ। ଖେତସବୁ ଖୋଜେ ଖେସାରତି

ଦିନସାରା ଦରବାରୀ...ରାତିସାରା ରାଗ ମାଲ୍‌କୋସ୍‌ !

 

ଏ ବର୍ଷର ବଜାରଟା ବେସରମ୍‌ ବିଦେଶୀଫୁଲରେ...

ପଉଷର ପଇଁତରା ପହିଲାର ପୋଡ଼ାପତ୍ର ପାଖେ

ନିଆଁରେ ଚାଲୁଚ ତମେ। ଝୁଂଟୁଚି ମୁଁ ଝୁଂଟୁଚି ଝୁଲରେ

ଜିନିଆକୁ ଜାନୁଆରୀ, ଡାଲିଆକୁ ଡିସେଂବର୍‌ ଡାକେ !

 

ଏ ବର୍ଷ ଗାଏବ୍‌ ହୁଏ - ମୋ ଗାଆଁର ଗାଈଆଳ ଗୀତ

ଗୁଣୁଚି ମୁଁ ସମୟକୁ ଗୋଲ୍‌ ଗୋଟେ ଶୂନ୍ୟତା ସହିତ !

 

୨୦୧୦

 

ଏ ନୁହେଁ ଚୁଲିର ନିଆଁ ଚରିବୁଲେ ଚାଳରୁ ଡାଳକୁ

ନିରନ୍ନ ମୋ ନିରବତା - ଏ ନିଆଁକୁ ନମସ୍କ।ର କରେ

ଭୋକର ଏ ଭାଗଚାଷ ଭାଂଗିଚୂରି ଭିକର ଥାଳକୁ

ଶୋଷକୁ ଶେଷରେ କରେ ଶୋଣିତାକ୍ତ ଶିଖା ସଂଯୋଗରେ !

 

ଧୂଆଁ ହୁଏ ଧୃତରାଷ୍ଟ୍ର। ନୁଆଁଣିଆ ନୂଆଦିଲ୍ଲୀ ନାଆଁ

ଏ ମହାଭାରତ ମାଗେ ମାଳମାଳ ମୁଂଡକୁ ମୁକୁଟ

ଗୋଟିଗୋଟି ଗଡ଼ଜାତ ଗୋଟେ ଗୋଟେ ଗାଂଧାରୀର ଗାଆଁ

କୁହୁଳୁଚି କୁରୁକ୍ଷେତ୍ର ... କି କୁଟିଳ କୁଂଡଳୀର କୂଟ !

 

ଲଛମାର ଲାଖରାଜି - ଲାଟବଂଦି - ଲାସ୍‌ର ଲଟେରୀ

ପାଉଁଶ ମୁଁ ପହଁରୁଚି ପ୍ରାଣାଂତକ ପ୍ରାୟଶ୍ଚିତ୍ତ ପାଇଁ

ମାମୁଘର ମଂଚା ମତେ, ଚଂପେଇ ଲୋ, ଚଢ଼ିବାକୁ ଡେରି

ମୋ ଛମାଣ ଆଠଗୁଂଠ ଗୋହିରିରେ ଛଂଚାଣର ଛାଇ !

 

ମୁଁ ବଖାଣେ ବେଦାଂତ ନା ବକେୟା ମୋ ବିଜୁଳିର ବିଲ୍‌ ?

ଦଶକର ଦସ୍ତାବିଜ୍‌ - ଦିହଜାର ଦଶ୍‌ର ଦଲିଲ୍‌ !

 

ଓ ୨୦୧୦

 

ଏ ଲଘୁସଂଗୀତାବଳୀ ଲବେମାତ୍ର ଲାଗୁନାଇଁ ଭଲ

ପବନକୁ ପଢ଼ଉଚି ପାହାଡ଼ଟା ପୋଡ଼ା ପରୱାନା

ଜଳୁଚି ମୋ ଜମିବାଡ଼ି। ଜଳୁଚି ମୋ ଜବତ ଜଂଗଲ

ଜଳୁଚୁ ତୁ ଜେମାଦେଈ, ଜହରରେ ଜମାନା ଜମାନା !

 

ଏ ଧୂସର ଧନୁଯାତ୍ରା ଧାର୍ଯ କରେ ଧାରାବାହିକତା

ଗୋପର ଗୋଚର ଅବା ଅଂବାପାଲି ପଡ଼ିଆ ପାଲଟେ

ବରଗଡ଼ ବଜାରଟା ମନେହୁଏ ମଧୁବନ ହତା

ଉଆଁସୀ ଏ ଉଡ୍ରଦେଶ - ମୋ ଇଚ୍ଛାର ଇଜିମାଲି ଅଟେ !

 

ଯୋଡ଼ିଏ ଯୁଗାବ୍ଦ ଯୋଡ଼ି ଜିରାନଈ ଯମୁନା ଯେମିତି

ଜର୍ଜରିତ ଜଳକେଳି ଜଳଉଚି ଜୁଆରରେ ଜୁଇ

ପତ୍ରଶଯ୍ୟା ପାରୁଚି ଏ ପଉଷର ପରକୀୟା ପ୍ରୀତି

ଜଳୁଚି ମୋ ଜେତବନ ... ତମକୁ ବି ଜଳଉଚି ମୁଇଁ !

 

କଳିଂଗରେ କୋହ କେତେ ! କୋଶଳରେ କୋହଲା କୋରସ୍‌

ଏ ଦ୍ୱିତୀୟ ଦ୍ୱାପରରେ ଦିକ୍‌ଦାର୍‌ ଦିହଜାର ଦଶ୍‌ !

 

୨୦୧୧

 

ଏ କୁହୁଡ଼ି କରିପାରେ କୋହକୁ ବି କାକର କୁଆଡ଼େ

ପ୍ରେମକୁ ହେମଂତଟିଏ ପତ୍ରଝଡ଼ା ପଉଷ ପର୍ଯଂତ

ରାତିସବୁ ରୁଂଧିହୁଏ...ଦିନସବୁ ଦୀର୍ଘଶ୍ୱାସ ଛାଡ଼େ

ଦର୍ଶକ ଦେଶରେ ଚାଲେ ଦଶନଖ ଦଂତର ତଦଂତ !

 

ଫୁଃ’ ଫେର୍‌ ଫୁଲଶେଯ। ପଦ୍ମନାଡ଼ ପଂକପଲଂକରେ

କିଆଗୋହିରିର ଗାଆଁ କଳାଧୂଆଁ କିଆରି କିଆରି

ମାସମାସ ମେଲାଣିର ମୋଡ଼ମୁହେଁ ମସିହାଟେ ମରେ

ତଥାପି ତ ତାଡ଼ାତାଡ଼ା ତାରିଖର ତାଲିକା ତିଆରି !

 

ସହରରେ ସୁପ୍ରଭାତ। ଶୁଭସଂଧ୍ୟା ସମୁଦ୍ରକୂଳରେ

ବିଚ୍ଛିନ୍ନାଂଚଳରେ ବିତେ ବିରତିର ବର୍ଷାଗମ ବହୁ

ମନମାନ ମୁନ ହୋଇ ମୂର୍ତ ହୁଏ ମୁଷଳ ମୂଳରେ

ଲାସ୍‌ର ତଲାସ୍‌ ଆଗୁ ପାପୁଲିରୁ ପୋଛାହୁଏ ଲହୁ ।

 

ହେଇ ଦେଖ, ହତ୍ୟାଦିନ - ତମେ ଯିଏ ହାଜର୍‌ ହେଇନା

ଆଇନା ଆଗରେ ଦିଶେ ଦିହଜାର ଏଗାର ଏଇନା !

 

୨୦୧୨

 

ସୂତ୍ତପିଟକର ସ୍ୱର ସତରେ କି ଶୁଭେ, ସଂଘମିତ୍ରା ?

ଘଟଣା ଘଟୁନି ସିନା ଚରିତ୍ରର ଚର୍ଚା ଚମତ୍କାର୍‌

ଏଗାରରେ ଏକାଂକିକା। ବାରଟାରେ ବରାଦୀ ବିଚିତ୍ରା

ନୂଆବର୍ଷ ନାଟକର ନାଆଁ କ'ଣ୍‌ ? ଦିହଜାର ବାର୍‌ ?

 

ବର୍ଗର ଏ ବଂଧନୀରେ ବିତର୍କିତ ବିବର୍ତନବାଦ

ବୋଧିକୁ ବିସ୍ମୃତ ସତ୍ତ୍ୱ, ଧମ୍ମକୁ ତ ସଂଘ ଆକ୍ଷି ଠାରେ

ଗୋଟାଏର ଗାରଦରେ ଗାରମାର୍କା ରାତିର ମିଆଦ

ଘଡ଼ିକର ଘଡ଼ିସଂଧି ଗୋଲାକାର ଗୀର୍ଜାର ଘଂଟାରେ !

 

ଅର୍ଧଚଂଦ୍ରକିରଣରେ ଅଂଧ ହୁଏ କେଉଁଠି କୁନାଳ ?

ତରାର ତର୍ପଣ ତଳେ ତଥାପି ମୁଁ ତୀବ୍ର ତିମିରିତ

ହେ ମରୁର ମରୀଚିକା ! ତମ ପାଇଁ ମୃତ୍ୟୁ ମୋ ମୃଣାଳ

ଶୋକକୁ ଶିଶିର କରେ ଶତାଧିକ ଶତାବ୍ଦୀର ଶୀତ !

 

ଦିହଜାର ଦୁଃଖର ଏ ବନବାସ ବାରବର୍ଷବ୍ୟାପୀ

ଆମର ଅଜ୍ଞାତବାସ ଅସମାପ୍ତ ଅଧ୍ୟାୟ ଅଦ୍ୟାପି !

 

ଓ ୨୦୧୨

 

ଅସମ ଏ ଅସମୟ ଆକାଂକ୍ଷାର ଆକଳନ କରେ

ଲୁହ ହୁଏ ରକ୍ତ ଏଠି। ରକ୍ତ ହୁଏ ଲୁଂଠିତ ଲବଣ

ମାସର ମାମଲା ମିଛ - ମସିହାର ମୃତ୍ୟୁଦିବସରେ

ତିଥିବାରନକ୍ଷତ୍ର ନା ତାରିଖର ତିଳାର୍ଧ ତର୍ପଣ ?

 

ଏ ରାତିର ରକ୍ତନଦୀ ନାବିକର ନିଃଶ୍ୱାସକୁ ରୋଧେ

ବଂଶସବୁ ଯଦୁବଂଶ। କ୍ଷେତ୍ରସବୁ କୁରୁକ୍ଷେତ୍ର ଯଥା

ଏ ବର୍ଷର ବ୍ୟବଚ୍ଛେଦ ବିଦୁରର ବିବରଣୀ ବୋଧେ

ଅଂଧ ଏକ ଅଧୀଶକୁ କବଂଧର କର୍ମକାଂଡ କଥା !

 

ପରାଭୂତ ପଦାତିକ। ରଥଚ୍ୟୁତ ପଥପରିକ୍ରମା

ଗରିବର ଗୋହିରିରୁ ଗୁଳିବିଦ୍ଧ ଗୁଲାମ୍‌ର ଗୁଳା

ଜମିର ଜମାନବଂଦି ଜମାନାକୁ ଜଣାନାଇଁ ଜମା

ଆକାଶରେ ଅଗି ଆଂକେ - ଆଜି ଅନ୍ନା ହଜାରେର ହୁଳା !

 

ଏବଂ ରାତି ବାରଟାରେ - ଏଇ ଦେଖ, ଦିହଜାର ବାର୍‌...

ପାଦେ ବି ପାରିବ କ'ଣ୍‌ ରୋକି ତାକୁ - ହେ ପହରାଦାର୍‌ ?

 

୨୦୧୩

 

ଦ୍ରୁତ ଏ ଦିନାଂକ ଦିଏ ଦଂତୁରିତ ଦଂଶନର ଦାଗ

ପ୍ରଜନ୍ମର ପ୍ରଜ୍ୱଳନ ପ୍ରସାରିତ ପ୍ରଶିରାପର୍ଯଂତ

ଆରବୀୟ ଅଂଧକାର ଆବୋରୁ ଏ ଇଂଦ୍ରପ୍ରସ୍ଥ ଆଗ

ୟାପରେ ମୋ ହଂସୀ ହାୟ ହସ୍ତିନାରେ ହଜିଲେ ହଜଂତ !

 

ମାସମାସ ମାମଲାରେ ମସିହାର ମୃତ୍ୟୁଦଂଡାଦେଶ

ଆକୁମାରୀ ହିମାଚଳ କୁମାରୀକୁ କୁମାୟୁନ୍‌ କରେ

ଏଠି ଏକ ଉଇହୁଂକା : ଉପଦ୍ରୁତ ଉପମହାଦେଶ

ସର୍ପାହତ ସ୍ୱପ୍ନରେ ମୁଁ ସର୍ବସ୍ୱାଂତ ସର୍ବତୋଭାବରେ !

 

ଆମ କ୍ଷତଚିହ୍ନତକ ଆମେ କ’ଣ ଖୋଜିପାଇଲୁଣି ?

ଦୁଃଖିତ ଦ୍ରାବିଡ଼ଖଂଡ । ଆର୍ଯାବର୍ତ ଆଶ୍ଚର୍ଯଚକିତ

ପାତାଳରେ ପୋତାହୁଏ ପତାକାର ପତିଆରା ପୁଣି

ଜାତିର ଏ ଜେହାଦ୍‌ରେ ଜର୍ଜରିତ ଜାତୀୟସଂଗୀତ !

 

ଫାଇଲ୍‌ର ଫିତା ଫିଂଗେ ଫାଲ୍‌ଗୁନର ଫାଶୀଆଳ ଫେର୍‌

ଦ୍ୱିଖଂଡିତ ଦେଶରେ ମୋ ଦିଶହରା ଦିହଜାର ତେର୍‌ !

 

ଦିହଜାର ବାରବର୍ଷ ତଳେ

 

ଏ ଖରା ବି ଖୋଜୁଥିବ ଖ୍ରୀଷ୍ଟାବ୍ଦର ଖଂଡିତ ଖସଡ଼ା

ବେଥେଲ୍‌ହାମ୍‌ରେ ବୋଧେ ବଢ଼ୁଥିବ ବଇଶାଖୀତାତି

ଦିଏ କ'ଣ୍‌ ଦିପହର - ଛଟପଟ ଛାଇଟାଏ ଛଡ଼ା ?

ରକ୍ତର ଫସଲ ପରେ ଫୁଲପକା ରୁମାଲ୍‌ର ରାତି !

 

ଏ ତରା ବି ଦେଖୁଥିବ ଦିହଜାର ବାରବର୍ଷ ତଳେ

ମଶାଲ୍‌ର ମହାଯାତ୍ରା - ମଶାଣିରେ ମେଷପାଳକର...

କରୁଣାର କଂଚାଦୂବ କୁଶବନେ କେମିତି କଅଁଳେ

କହୁଥିବ କୁହୁଡ଼ିକୁ କଂଧମାଳ କାଳକାଳକର !

 

ଯୀଶୁ ପରି ଜହ୍ନ ଝୁଲେ। ଜହ୍ନ ପରି ଯାଯାବର ଯୀଶୁ

ଉଇଁଥିବା ଇଚ୍ଛାଟିଏ ଉଆଁସରେ ଏମିତି ଏକଲା...

ଦୂରଦୂର ଦୁଆରରେ ଦେଶୀମୁହଁ ଦିଶୁ କି ନ ଦିଶୁ

ବରଂ ବେଶୀ ବାଧିତ ମୁଁ - ପ୍ରେମ ମତେ ପରଦେଶୀ କଲା !

 

ମଂଗଳ ମନାସୁଥିବ ମାଆ ମୋର। ମେରିୟା ନା ମେରୀ ?

ଆଉ କେଉଁ କୁମାରୀର କାମନାରେ ଆସିବି ମୁଁ ଫେରି ??

 

ଦିହଜାର ବାରବର୍ଷ ପରେ

 

ଆଜି ରାତି ସାତରାତି। କାଲି କିଂତୁ ସଲାମୀ ସକାଳ

କଦଂବକୁ କରିପାରେ କ୍ରୁଶକାଠ, କହିପାରେ କିଏ ?

କୁଆଁରୀମାଆର କୋହ - କିଂବା କେଉଁ କିଂଭୂତ କଂକାଳ

ସୃଜ୍ୟମାଣ ସୂର୍ଯକୁ ବି ଖୁଣିପାରେ : ଖପୁରି ଖଂଡିଏ !

 

ଆଜି ରାତି ଅଧରାତି। କାଲି ପୂରା ପହିଲା ପାହାଂତି

ଅତଃପର ଅଷ୍ଟକାଳ ଅବଶିଷ୍ଟ ଇଷ୍ଟସୁମରଣ...

କଲିଜା କୋରିଲାବେଳେ କଂଟାମୁନ, କିଏ ସେ କାହାଂତି ?

କ୍ଷୋଭହୀନ କ୍ଷତରୁ ବା କ୍ଷଣକ୍ଷଣ କ୍ଷମାର କ୍ଷରଣ !

 

ଆଜି ରାତି ଲାଲ୍‌ରାତି। କାଲି ଭୋର୍‌ କଳାତାରିଖରେ

ହିବ୍ରୁର ସେ ହାଡ଼େହାଡ଼େ ଇହୁଦୀର ଇସ୍ତାହାର ଇଏ

ଦିଶୁଚି ମୋ ଦେହାଂତର ଦିହଜାର ବାରବର୍ଷ ପରେ

ଜେରୁଜେଲମ୍‌ର ଜହ୍ନ ଜେସସ୍‌ର ଜନ୍ମାଂତରଟିଏ !

 

ଦିବଂଗତ ଦିବସରେ ଦେଖୁଚି ଏ ଦୁଃଖିତ ଦୁନିଆ

ମାସମାସ ମୁସାଫିର୍‌ - ମସିହାର ମେସୋପଟାମିଆ !

 

ଉତ୍ତରାଖଂଡ – ୧୬/୬

 

ଏ ପୂର୍ବ ଅପୂର୍ବଦିଗ ପଶ୍ଚିମର ପାହାଡ଼ଚୂଳରୁ

ଶୁଭ୍ର ଶିଶୋଦୀୟ ସମ ସୂର୍ଯଦେବ ଶୋଣିତରେ ସ୍ନାତ

ଉତ୍ତରାଖଂଡରେ ଉଠେ ଊର୍ଧ୍ବଶ୍ୱାସ ଅଶ୍ୱତ୍‌ଥମୂଳରୁ

ଦକ୍ଷିଣର ଦରଜାକୁ ଦୋହଲାଏ ଦୁଃଖୀ ଦରିଆ ତ !

 

ମାଟିପାଣିପବନର ମାର୍କାମରା ମାନଚିତ୍ର ମୋର

ନିଆଁରେ ପାଉଁଶ ହୋଇ ଆକାଶକୁ ଧରାଇଛି ଧୂଆଁ

ଏ ଘାଟିକୁ ଘୋଟିଆସେ ଘାଇଭଂଗା ବନ୍ୟା ଘନଘୋର

ଅର୍କର ଏ ଅକ୍ଷଭୂମି - ଏଇଲାଗେ - ଲାଗେ ଅର୍ଖନୂଆ !

 

ଚୋରାଇଆଣିବ କିଏ ଚିତ୍ରଗ୍ରୀବ ଚଂଚୁରୁ ମୋ ଚିଠି ?

ଲଂବିଆସେ ଲାଲ୍‌ରାତି ଲୁହବୋଳା ଲହୁରେ ଲୁହାଣ

ପରବର୍ତୀ ପରଂପରା ପଥରକୁ ପାତିଦିଏ ପିଠି

ପୋଥିଘରେ ପଢୁଚି ମୁଁ ପୋଡ଼ା ପୁଣି ପିଂଡର ପୁରାଣ !

 

ହେ ଶୋକଗୀତର ଶ୍ରୋତା ! ସାରିଦିଅ, ଶେଷବୁଂଦା ସୁରା

ଉଦାସ ଉଦୟ ଅଂତେ ଅରୁଂଧତୀ ଅସ୍ତ ଆଗତୁରା !

(୨୦୧୩)

 

ଉତ୍ତରାଖଂଡ – ୧୭/୬

 

ପଟୁରେ ତ ପଟୁଆର । ପଂକରେ ନା ପାଣିରେ ପାରିଧି ?

ଉଠ୍‌ରେ ତୁ ଉତିଆଣି, ଆଉଥରେ ଉଠ୍‌ ମୋର ଆକା,

ଚାରିଧାର ବାରିଧାର । ବଢ଼ିବଢ଼ି ବଢ଼ିଟେ ବାରିଧି

ମୁହାଁଉଚି ମୁଂଡିଆରୁ ମେଘମାଳ ମେଂଢାପଲମାର୍କା !

 

ଏଥର ଆଷାଢ଼ଶୁକ୍ଳ ଉତୁରିନି ଉତ୍ତରାଖଂଡରେ

ବୋଳିଦିଏ ବର୍ଷାଋତୁ ବିଜୁଳିରେ ବତାସ ବହଳ

ବନସ୍ପତି ବନସ୍ତରେ ବରାବର ବଜ୍ରପାତ ପରେ

ଶୋଇପଡ଼୍‌ ସୁନାଝିଅ, ସଜପତ୍ର ଶେଯରେ ସହଳ !

 

ଏ ଲଗାଣ ଲଗ୍ନରେ କି ଲାଭ ଅଛି ଲକ୍ଷେଛତା ଧରି ?

ପବନରେ ପର୍ଦାଫାସ୍‌ । ଝଡ଼ିବର୍ଷା ଝୁଂଟେ କି ଝରକା ?

ବରଂଚ ବରଷୁଅଛି ବରଫ ତ ବରଫଳ ପରି

କଂଚାକାଠ କୋକେଇରେ କରାଘାତ କରୁଚି କରକା !

 

ପଲଟୁଚି ପାଣିପାଗ - ପାଲଟୁଚି ପାଗଳ ପିଂଡାରି

ବର୍ଷା ବଢ଼େ ବର୍ଗୀବତ୍‌ ବର୍ଛାମୁନେ ବାଦଲ ବିଦାରି !

(୨୦୧୩)

 

Unknown

୨୦୧୪

 

ଲୋଟସ୍‌ରେ ଲୋଟନା କି ଲୁଟନା ଏ ଲାଲ୍‌ ଲାଭେଂଡର୍‌

ମାଲୁଣୀର ମାସବର୍ଷ ମହଳୁଚି ମାଳ ବିକୁବିକୁ

କାଂଥକୁ କହୁଚି କିଂତୁ କଂପାନୀର କଣା କ୍ୟାଲେଂଡର୍‌

ଅଦ୍ୟତନ ଅବତାର ଆଦାମ୍‌ରୁ ଆମ୍‌ ଆଦ୍‌ମୀକୁ !

 

କ୍ୟାବିନ୍‌ରୁ କ୍ୟାବିନେଟ୍‌। କ୍ୟାସିନୋରୁ କ୍ୟାବାରେ ନା କ୍ଲବ୍‌?

ଇସାରାର ଇସ୍ତାହାର – ଇଭ୍‌ର ଏ ଇଭିନିଂ ଶୋ’...

ତାଲୁକାରେ ତଲୁଆର୍‌ ... ତୋଟାରେ ବି ତୋପର ତଲବ୍‌

କି ମହାଗର୍ଜନ ମାଆ ! ମୁଁ ଡାକିଲେ, ତୁ କରୁନୁ - ‘ଓ’ !

 

ମସିହାର ମୁସୋୟାରା । ମନେନାଇଁ ମାଓ କି ମାଂଡେଲା

ବାଗୀର ତ ବେଳ ବୁଡ଼େ ବେହଡ଼ରେ ବାଡ଼ ବୁଜିବୁଜି

ଦୋନାମୀ ଦେଶକୁ କିଏ ଦତ୍ତପତ୍ରୀ ଦସ୍ତଖତ ଦେଲା

ରାଜଧାନୀ ରାସ୍ତା ରୋକେ ରଫୁକରା ରାତିର ରିଫ୍ୟୁଜି !

 

ଫାଇଲିନ୍‌ ଫାଇଲ୍‌ରୁ ଫିଟୁନାଇଁ ଫିତାଗଂଠିଗୁଡ଼ା

ଚିହ୍ନଉଚି ଚଂଦ୍ରକ୍ଷୟ ଦିହଜାର ଚଉଦର ଚୂଡ଼ା !

 

ପେଶାୱର – ୧୬/୧୨

 

। ୧।

ଏ ସହରେ ସଂଧ୍ୟା ହୁଏ ସକାଳର ସାଢ଼େ ଦଶଟାରେ

ତାଲାବଂଦୀ ତାଲୁକାଟେ ତୋବା ତୋବା ତୋପର ତରଫ

ଏଠାକାର ହିମପାତ ଏତେବେଶି ହିଂସ୍ର ହୋଇପାରେ

ହିଡ଼ ନୁହେଁ, ହାଡ଼ ଭାଂଗେ - ମାଂସ ହୁଏ ମେଂଚାଏ ବରଫ !

 

ପଉଷର ପୋଡ଼ାଭୂଇଁ : ପାଉଁଶର ପଟାଳି ପଟାଳି

ଶିରାକୁ ଶିଆର କରେ ଶୀତଋତୁ ଶସ୍ତ୍ରରେ ଶାଣିତ

କ୍ଷେତସାରା କୁଦାମାରେ କେତେ କଷି କଢ଼ିର କଟାଳି

କୁଂଚକୁଂଚ କୁହୁଡ଼ିରେ କଂଚାରକ୍ତ କାକରପାଣି ତ !

 

ଜିଲ୍ଲାୱାରି ଜାରି ହୁଏ ଜଲ୍ଲାଦର ଜିହାଦ୍‌ ନା ଜିଦ୍‌ ?

କଫନ୍‌ର କପଡ଼ାରେ କୟାମତ୍‌ କାହା କାର୍‌ନାମା ?

ଆଖି ଖୋଲ, ଇତିହାସ ! ଏବେ ଏଠି ଆସିନାଇଁ ଇଦ୍‌

ଅଂଧପୁଟୁଳିରେ ଓଦା ଅଲ୍ଲାଃର ଏ ଆକବର୍‌ନାମା !

 

ପଶ୍ଚିମର ପେଶାୱର୍‌ ପଢ଼ିନାଇଁ ପୂର୍ବ ପାଠ୍ୟସୂଚୀ

କୁନି କେତେ କୋରକର କୁର୍ବାନିରେ କୋରାନ୍‌ କାଂଦୁଚି !

 

। ୨।

ପଥର ତୁ ପେଶାୱର୍‌, ପାହାଡ଼ର ପାହାଚ ପାଖରେ

ପବନରେ ପିଟିହୁଏ ପୋଷାପାରା ପଶାକାଠି ପରି

କୋଳରେ କୁମର କାହିଁ ? କୁଳକନ୍ୟା କାହିଁ ବା କାଖରେ ?

ଶୈଶବରୁ ଶବାଗାର - ସମୟର ସୀମା ଆସେ ସରି !

 

ମିନିଟ୍‌ ମିନିଟ୍‌ ମୃତ୍ୟୁ ... ମୁହାଁମୁହିଁ ମିନି ମୁସାଫେର୍‌

ଯୂଥଭ୍ରଷ୍ଟ ଯୁଦ୍ଧଭୂମି - ଯାତ୍ରା ଯହିଁ ଯାବଂତ ଯାତନା

ଫଉଜିର ଫତେଇରେ ଫରିଆଦୀ ଫୁକାରୁଚି ଫେର୍‌ :

ଦୁଃଖର ଦୈର୍ଘ୍ୟ ତୋ ମୋଟେ ଦିମିନିଟ୍‌ ନିରବ ପ୍ରାର୍ଥନା !

 

କବରକୁ କଥା କହେ କାବୁଲ୍‌ର କେନାଲ୍‌ କେଇଟି

ବହନାରେ ବାରାନଈ, ବାଲୁଚର ବ୍ୟାରାକ୍‌ ବାହାରେ

ଉପଳର ଉପତ୍ୟକା । ଉତ୍ତର ଓ ପଶ୍ଚିମ ଏଇଠି

ଅଂଧମୁହାଣିଟା ଆଗେ - ଉପନଦୀ, ଅଟକିଯାଆରେ !

 

ତୋ ପାଇଁ ତ ପେଶାୱର୍‌, ପେଷିହୁଏ ଫଟାଭୂଇଁ ମୋର

କାଂଥରେ ମୋ କଳାରକ୍ତ ... କାଂଧରେ ତୋ କ୍ଷତାକ୍ତ କୈଶୋର !

 

 

। ୩।

ସହର ନା ସିଲ୍‌ହଟ୍‌ ? ସକାଳଟା ସୂର୍ଯାସ୍ତରଂଗର

ଚାରିପଟେ ଚୋରାବାଲି - ଚିହ୍ନଟ ଏ ଚିକିଟାର ଚରା

କିନାରାରୁ କିନାରାକୁ କୋରୁଥାଏ କରୁଣ କଂକର

ଖାଉଥାଏ ଖଂଡଶିଳା ଖାଁ ଖାଁ ଖାଇବର୍‌ ଖରା !

ପରଖେ ପଶ୍ଚିମ ପ୍ରାଂତ ପଂକ ପୁଣି ପଟୁର ପରସ୍ତ

ଉଂଚ ଏକ ଇଲାକା ଏ । ଏଇଠାରୁ ଆହୁରି ଉଠାଣି

ତରଂଗ ତରଂଗ ତଟୁ ତରତର ତରସ୍ତ ତରସ୍ତ

ଆଣିଚି ତ ଆଖିପାଣି ଅଣାୟତ୍ତ ଆଜି ଏ ଉଜାଣି !

ଆଜି କିଂତୁ ଆଖି ପୋଡ଼େ । ଜଳେ ଜିପ୍‌, ଜଳିଯାଏ ବସ୍‌

ତାହିରା କାଜିର ପୋଡ଼ା ପିଂଡ ପାଖେ ନାଚେ ନିଆଁଗିଳା

ଶୁନ୍‌ଶାନ୍‌ ସେନାସ୍କୁଲ୍‌ । ଶେଷଘଂଟା : ସେଇ ସାଢ଼େ ଦଶ୍‌

କ୍ୟାଂପ୍‌ରୁ କ୍ୟାଂଟନ୍‌ମେଂଟ୍‌ - କ୍ୟାକ୍‌ଟସ୍‌ କଂଟାରେ ଇ କିଳା !

ନାବାଳକ ନୌଚାଳକ । ନାବ ନାଇଁ ନଗୁମାଁ ନଈରେ

ଲାସ୍‌ ତୁ ତଲାସ୍‌ କଲେ କଉଡ଼ି ମୁଁ ଖୋଜୁନି ଖଇରେ !

। ୪।

ଇରାନୀୟ ଅଧିତ୍ୟକା । ଆର୍ଯ ଆସେ ଅଜସ୍ର ଅଶ୍ୱରେ

ପାରଦର୍ଶୀ ପାରସୀକ ଗାଂଧାରରେ ଗଢ଼େ ରାଜଧାନୀ

ଶିଖରେ ତୋ ସିକଂଦର୍‌ । ସେଲ୍ୟୁକସ୍‌ ସମୟ ବି ସରେ

ମୁହଁ ମାଜେ ମୁଲକଟା ମୌର୍ଯବଂଶୀ ମାଲିକାନା ମାନି !

 

ପୁଷ୍କଳବତୀରୁ ପୁଣି ପଟୁଆର ପୁରୁଷପୁରକୁ

ନୀର ବର୍ଷେ ନିରବରେ । ତୀର ବର୍ଷେ ଉତ୍ତଂସ ଉପରୁ

ପାର୍ଥିଆର ପାଚେରିଠୁ ଦିଗ୍‌ବଳୟ ଦୂରକୁ ଦୂରକୁ

କରାଳ କୁଳିଶପାତ କୁଶାଣର କନିଷ୍କସ୍ତୂପରୁ !

 

ପତା ଫିଟା, ପେଶାୱର୍‌ ! ପତାକା ତୋ ପଣବଂଦୀ ନୁହେଁ

ପାପୁଲି ତୁ ପାତିବୁ କି ପଦାତିର ପାଦଧୂଳି ପାଇଁ ?

ଆରବୀୟ ଅଂଧକାରୁ ତରା ତଳେ ଜହ୍ନ ତୋର ଉଏଁ

ଏ ଷୋଳ ତାରିଖ ସତ୍ତ୍ୱେ ସୌରମାସ ସରିଯାଇନାଇଁ !

 

ଧୂଳିରେ ତୋ ଧରାସ୍ୱର୍ଗ, ବାଲିରେ ବି ବଂଜାରା ବଖରା

ନିଭାଇପାରେ କି ତୋର ନାଆଁ କେଉଁ ନବାବୀ ନଖରା ?

 

। ୫।

ଫେରିଯାଏ ଫାକ୍ସିଆନ୍‌ । ଚୀନାଭିକ୍ଷୁ ଚାଲିଯାଏ ବାଟେ

ଗେରୁଆ ଗୋଧୂଳିଗୁଡ଼ା ଗଜନୀର ଗଜରା ଗଂଜଣା

ପ୍ରାଚୀନ ତୋ ପ୍ରାଚୀରରେ ପଲକରେ ପଲସ୍ତରା ଫାଟେ

ତୋ ଖଂଡମଂଡଳ ଖୋଜେ ଖ୍ରୀଷ୍ଟପୂର୍ବ ଖରାର ଖଜଣା !

 

ଏକଣା ମୋ ଏସିଆରେ - ତୁ ପାଳିଚୁ ପହିଲି ମସିହା

ସମାପନ୍ନ ସହସ୍ରାବ୍ଦ । ଶୀର୍ଷକ ତୁ ପ୍ରଥମ ଯୁଦ୍ଧର ...

ଫଗୁଣର ଫରିସ୍ତାକୁ ଫେରାଇଚୁ, ହେ ଫୁଲରସିଆ,

ମଇରାର ମଇଦାନ୍‌ ମାମୁଦ୍‌ର ମାରିଚି ମୋହର !

 

ବାବରର ଦୁର୍ଗ ଦିଶେ ବାଲୁକାର ତାଲୁକାରେ ତୋର

ମୋଗଲ୍‌ର ମୋଡ଼ରେ ତୁ ମୁବାରକ୍‌ ମଲ୍ଲିକାଶପୁରୀ

ନାଦିର୍‌ ଶାହର ନାଆଁ ଡେଉଁଚି ତୋ ଡେଉଁରିଆ ଡୋର

ତୀରତୂଣୀ ତରବାରି ... ତୀରେତୀରେ ତୀବ୍ରତର ତୂରୀ !

 

କିଏ ଘେରେ ? କିଏ ଫେରେ ? ଖେଦିବୁଲେ ଖାକିପିଂଧା ଖୁଣୀ

ଗୁଳିର ଗୁଲାମ୍‌ ନୁହଁ - ପେଶାୱର୍‌, ରକ୍ତର ତୁ ଋଣୀ !

 

। ୬।

ଦୁରାନୀର ଦିନସବୁ ଦୂରାଗତ ଦୁରଂତ ଦୁସ୍ତର

ଆଜାନ୍‌ର ଆର୍ତି ଆସେ ଆଫଗାନ୍‌ ଆସମାନ୍‌ଆଡ଼ୁ

ସମତଳ ସୀମାଂତରେ ଶୀତର ତୁ ସଦରଦପ୍ତର

ସନାକ୍ତ ଖୁରାର ଚିହ୍ନ ସୁରୁ ହୁଏ ସଫେଦ୍‌ ପାହାଡ଼ୁ !

 

 

ଭାଲ୍ଲାରେ କି ଭୁଜାଲିରେ, ପେଶାୱର୍‌, ମରିନୁ ମରିନୁ

ବାହୁଡ଼ିଚି ବର୍ଗୀ, ଶିଖ - ବ୍ରିଟିଶ୍‌ ବି । ଚାହିଁଚି ଚାମେଲି

ତୋ କିଲ୍ଲାର କୋରଖିକୁ କଦାଚ ତୁ କବୁଲ୍‌ କରିନୁ

ଅପୋଡ଼ା ଇଟାର ଇଚ୍ଛା ହଜାଇଚି ହଜାରେ ହାୱେଲି !

 

ବାଂକରେ ବୁରୁଜ ବହୁ ... ବୁଲାଣିରେ ବହୁତ ବୁଲଂଦ୍‌

ରିଫ୍ୟୁଜିର ରାତି ଯାଏ ରାସ୍ତାରାସ୍ତା ରମ୍‌ଜାନ୍‌ ପାଳି

ଚିନିଚଂପା ପତା ତଳେ - ତିନିଶହ ଆଖି ଆଜି ବଂଦ୍‌

ଦୁଇଟି ଦେଶକୁ ଦେଖୁ ଦୋସରା ତୁ ଦୁଃଖୀ ଦୋସମାଳି !

 

କୋଲ ମାରେ କଲିଜା କି କୋହଲା ଏ କଳାଦିନ ହେତୁ ?

ପଉଷର ପେଶାୱର୍‌ ! ନିଆଁପୁଳେ - ପାଉଁଶ ତଳେ ତୁ !!

(୨୦୧୪)

 

ଜୁଆଂଡା-୨୮/୧୨

 

ବିଦେଶ ବୁଂଦାଏ ଶୋଷ ଦେଶର ଏ ଦୂବଗଛକଡ଼େ

ପାଣିରେ ତ ପକାଇଚ ପାଦଚିହ୍ନ; ହେ ପରଦେଶିଆ,

ବିଧ୍ୱସ୍ତ ବିମାନ ଭଳି ବଡ଼ିଭୋର୍‌ ଭାଂଗିରୁଜିପଡ଼େ

ଇଂଡୋନେସିଆରୁ ଆଉ ଆସିନାଇଁ ଏୟାର୍‌ ଏସିଆ !

 

ସୁରାବାୟା /ସିଂଗାପୁର୍‌ : ଏ ଶୀତର ଶୀର୍ଷକ ନା ସୂଚୀ ?

ବୟାଳିଶ୍‌ ମିନିଟ୍‌ରେ ଅଳ୍ପ ଉଇଁ, ସୂର୍ଯ୍ୟ ବୁଡ଼େ, ହେଇ

ଡିସେଂବର୍‌ ୨୮ ...... ଡ୍ରାକୁଲାର ଡୋଳାରେ ଡୁବୁଚି

ପହିଲାଟା ପହଂଚିବ ତାରିଖର ତିନିଗାର ଡେଇଁ !

 

ବିଜୁଳି ଆଲୁଅ ବାରେ ବାକୀବାଟ ଅଂଧାର ଉହାଡ଼ୁ

ମୁହୂର୍ତର ମୁହଁସାରା ଲୁତ୍‌ପୁତ୍‌ ଲୁହର ଲେପଟେ...

ଅର୍ଖନୂଆ ଅବ୍ଦ ଆସେ ଆଗତୁରା ଅକ୍‌ଲ୍ୟାଂଡ଼୍‌ଆଡୁ

ଅଥଚ ଅଥର୍ବ ଆମ ଏସିଆର ଏରକା ଏପଟେ -

 

ବଢ଼ାଉଚି ବତ୍ସରାଂତେ ବର୍ଷାବୋଳା ବତାସର ବେଗ

ଦିହଜାର ପଂଦରରେ, ପୌଷର ଏ ପରଝଡ଼ା ମେଘ !

(୨୦୧୪)

 

୨୦୧୫

ବରଣମାଳରେ ବରଂ ବାସୁଥାଉ ବନଫୁଲ କିଛି...

ଏ ଡଅଁର ଡେଇଁବାକୁ - ଆଲୋ ଡୋଂବୀ, ଦେଏନି ତୁ ରାଣ

ତମାମ୍‌ ସେ ତଳମାଳ ତୁଂଡରେ ତ ତିରଣ ଦେଇଛି

ପାହାଡ଼ୀ ଝରଣା ପୁଣି ପଢ଼ିଛି କି ପଦୁଟେ ପୁରାଣ ?

 

ଧନୁମାସେ ଧାନକଟା । ମୁଗବୁଣା ମକର ମାସରେ

ଚିମିନୀରୁ ଚରିଯାଏ ଚିଟ୍‌ଫଂଡ଼୍‌ ଚିଲମର ଧୂଆଁ...

ଆରକ୍ଷୀ ଅଟକବଂଦୀ - ଆସାମୀର ଉଷୁମ୍‌ ଆସରେ

ବଦନାମ୍‌ ବସ୍ତି ବୁଲେ ବେଦୁଇନ୍‌ ବର୍ଷଟିଏ ନୂଆ !

 

ବର୍ଷର ବାହୁଡ଼ା ବୋଧେ ବାସିରିକ ବାନପ୍ରସ୍ଥ ଭଳି

ପଉଷର ପୋଷାକରେ ପାଉଚି ମୁଁ ପଶମର ସ୍ପର୍ଶ...

ବାଉନଟା ବଜାରରୁ ତଲାସୁଚି ତେପନଟା ଗଳି

ହଜାର ବର୍ଷର ଏଇ ନଗ୍ରରେ ମୋ - ହାୟ ନୂଆବର୍ଷ !

 

ସଡ଼କଟା ସରିଆସେ ସିବିଆଇ ସିରସ୍ତା ସାମ୍ନାରେ

ଦିହଜାର ପଂଦରକୁ ପହିଲାର ପିହୁଳା ତ ମାରେ !

 

ଓ ୨୦୧୫

 

ବେନାମୀ ପକ୍ଷୀଟେ ପୋଛେ ବାସିମୁହଁ ବାଦାମୀ ପରରେ

ସାନ ନୁହେଁ ଦିନସବୁ । ମନେହୁଏ, ମ୍ଳାନ ହୁଏ ମାସ

ପାଇକାରୀ ପାପପୁଣ୍ୟ ଖର୍ଦି ହୁଏ ଖୁଚୁରା ଦରରେ

ହାରାହାରି ହିସାବରେ ହାନିଲାଭ ହୁଏନାଇଁ ହ୍ରାସ !

 

ଚିହ୍ନାଚିହ୍ନା ଚିତ୍ରବାଘ । ଚରୁଚରୁ ଚମକେ ଚମରୀ

ସେ ଶୀତରାତିର ସ୍ମୃତି ଶୋଇପଡ଼େ ସାପଫଣା ତଳେ

ହେ ପ୍ରଥମ ତାରିଖର ତିଳଚିହ୍ନ ! ତଥାପି ତମରି

ଏ ଜହ୍ନରାତିର ଜୁଇ ଜାନୁଆରୀ ଜଘନରେ ଜଳେ !

 

ସମୟର ସାମ୍ନାରେ ତ ସକାଳର ସାତସିଆଁ ସାଲ୍‌

ପଛରେ ବି ପାଦଚିହ୍ନ ପୂର୍ବାହ୍ନର ପେଶାୱର୍‌ ପାଖେ

ତାରିଖର ତାଜାରକ୍ତ ତାଲିବାନୀ ତରିଖାରେ ଲାଲ୍‌

କୁଶାଗ୍ନି କୁହୁଳେ କେଉଁ କଫିନ୍‌ର କୁନିପୁଅ ଆଖେ !

 

ଦିହଜାର ପଂଦରରେ ଦ୍ବୈତଗାନ ସଜାଗ ସଚେଷ୍ଟ

ଗୋଟିଏ ଗଜରାଠାରୁ ଯୂଇଫୁଲ ଯୋଡ଼ିଏ ଯଥେଷ୍ଟ !

 

କାଠମାଂଡୁ : ୨୫/୦୪

 

। ୧।

ନିଃଶ୍ୱାସ ନେବାକୁ ଦିଅ ନେପାଳକୁ, ନିରକ୍ଷବୃତ୍ତର

ଭୟାର୍ତ ଏ ଭଗ୍ନାଂଶରେ, ଭୂଚିତ୍ରର ଭଂଗୁର ଭାଗରେ

ଏକାଂତ ଉଦଗ୍ର ମାସ ଏଠାରେ ହିଁ ଏପ୍ରିଲ୍‌ ଏଥର

ଅର୍କ୍ଷିତ ଏ ଅକ୍ଷାଂଶରେ - ଏଇ ଦେଖ, ଏଭରେଷ୍ଟ୍‌ ଥରେ !

 

ନିଃଶ୍ୱାସ ନେବାକୁ ଦିଅ ନେପାଳକୁ ନଅତାଲା ତଳୁ

ଚୂର୍‌ମାର୍‌ ଚାରିକାଂଥ । ଚୂନା ଛାତ । ଚୂଡ଼ା ଛତ୍ରଛାଳ

ରିଲିଫ୍‌ର ରିପୋର୍ଟର୍‌ ! ରାସ୍ତା ନାଇଁ, ଆଉ ଏ ଅଂଚଳୁ

୧୧ଟା ୪୧... ସାମ୍ନାସାମ୍ନି ଶନିର ସକାଳ !

 

ଲହଲହ ଲହଡ଼ା କି ଲଗାତାର ଲାମ୍‌ଜଂଗ୍‌ଆଡୁ ?

ଚିରିଦିଏ ଚେରମୂଳ ଚାହୁଁଚାହୁଁ ଚୋଟ ତ ଚଉଦ

କାହାର ଏ କାହାଳୀଟା କାଂଦିମରେ କୋଶୀନଈଦାଢ଼ୁ ?

ସାଗରମଥାରୁ ସିଧା ବାଟ ବାରେ ବିକଳ ବଉଦ !

 

ଦୁଇଦଂଡ ଦୋହଲାରେ ଧୂଳିସାତ୍‌ ଧ୍ୱସ୍ତ ଧରାହର

ଏ ଅସ୍ତସୂର୍ଯର ଦିନ - ଦିପହରୁ ବ୍ୟସ୍ତ ବରାବର !

 

। ୨।

ବିମାନର ବାତାୟନୁ ବରବାଦି ବାରି ହୁଏନାଇଁ

ପହଂଚି ପାରୁନ ପୁଣି ପରଦେଶୀ, ହେ ପତାକାଧାରୀ !

ଏଠି ଅଛି ଆଖିପାଣି ପିଇପିଇ ଜିଇଯିବା ପାଇଁ

ହାଇ ମାରେ ହିମାଳୟ - ହୁସିଆର୍‌, ହେ ଉଦ୍ଧାରକାରୀ !

 

ମେଲାଇଚି ମାନଚିତ୍ର ମୃତକର ମାର୍କାମରା ମାଟି

କୋଠାର କବର କଡ଼େ କୁଢେଇଚି କୀର୍ତିର କୁହୁଡ଼ି

ହାତମାନ ହେମାଳ ତ ବରଫର ଅତଡ଼ାକୁ କାଟି

ଏ ଝଡ଼ିବର୍ଷାର ବଣା ବାଟୋଇକୁ ଝୁରୁଚି ଝୁପୁଡ଼ି !

 

ପ୍ରାତ୍ୟହିକ ପ୍ରାଣପାତ - ଏ ପଥରେ । ଫେରିଯାଅ ପାଂଥ,

ମଂଦିରଟା ମାଟି ମୁଠେ ପାଗୋଡ଼ାର ପଥରସଂଧିରେ

ତୁନି ହୁଅ ତୀର୍ଥଯାତ୍ରୀ ! ପଦ୍ମାସୀନ ପଶୁପତିନାଥ

ତୁଷାର ତରଳି ହୁଏ ତରଂଗ ତ ତ୍ରିଶୂଳୀନଦୀରେ !

 

ଏପ୍ରିଲ୍‌ର ୨୫କୁ ମଇ ୧୨ ମାଗୁଚି ଉତ୍ତର :

କୋଡାରିର କଂପନରେ କାଠମାଂଡୁ କାଠ ନା ପଥର ?

 

 

। ୩।

ଲୁହ କିଏ ଲିପୁଥିଲା ଲୁଂବିନୀର ଲତାକୁଂଜବନେ

କରୁଣାର କଇଁ କେବେ କଢ଼ ଥିଲା କପିଳବାସ୍ତୁରେ

ଏସବୁ ତ ଅବାଂତର ଆଜିର ଏ ଅଚଳାୟତନେ

ବହିଯା ତୁ ବାଗମତୀ, ବାଟ ଭାଂଗି ଦୂରେ ବହୁଦୂରେ !

କିଛି ଦୁଃଖ କଜଳ କି ? ପୃଥିବୀ ତା ପତାଧାରେ ମାଖେ

ସମୁଚ୍ଚ ସ୍ମାରକୀ ସହ ସୀମାରେଖା ସବୁ ସମତୁଲ

ପୋତିହୋଇପଡ଼ିଥିବା ପାପୁଲିର ଭାଗ୍ୟରେଖା ପାଖେ

ରହିଯା ତୁ ରଫୁକରା ରୁମାଲ୍‌ର ରଂଗବତୀ ଫୁଲ !

ତରାଇ ଥରାଇ ଆସେ ତଂବୁ ତଳେ ତୁଫାନୀ ଏ ରାତି

ବର୍ଷାବାସ ବଖାଣୁଚି ଏତେ ବେଶି ବୈଶାଖର ବ୍ୟଥା ?

ମୋକ୍ଷର ଏ ମଶାଣିରେ ମୁଲକଟେ ମଥା ଦିଏ ପାତି

କହିଯା ତୁ କାଠମାଂଡୁ, କୋମା କୋଳୁ କାମନାର କଥା !

ତୋ ଭଂଗା ଭୂଗୋଳ କାଂଧେ ଭାର ହୁଏ କାହାର ବେତାଳ ?

ନିହତ ଏ ନିଦାଘର ନିର୍ବାଣରେ ନିର୍ବାକ୍‌ ନେପାଳ !

। ୪।

ଦେଶ ତୋର କାଂଦେ ଆଜି ଦଶଲକ୍ଷ ଶିଶୁର କଂଠରେ

ପ୍ରଚୁର ଭୂକଂପ ବାକି - ହୃତ୍‌କଂପରେ, ଏଇ ପୃଥିବୀର,

ଆକାଶଟା ଉଜୁଡ଼ୁଚି ଉପଦ୍ରୁତ ଉପତ୍ୟକା ପରେ

ଶିବର ଶ୍ୟାମଳକ୍ଷେତ୍ର - କି ଶୀତଳ ଶବର ଶିବିର !

 

ରାହାରେ ତୋ ରାହୁଚ୍ଛାୟା । ଋତୁଚକ୍ର ରୋକିନିଏ ରଥ

କୁଆଁରୀ କିଆରି କାଂଦେ କୁଳୁକୁଳୁ କର୍ଣାଳୀ କିନାରେ

ପଚାରୁଚି ପର୍ଯଟକ : ଏ କି ନୁହେଁ ଫେରିବାର ପଥ ?

ପର୍ବତାରୋହୀର ପାଦ - ଏ ପଥରେ ପଡ଼ିଥାଇପାରେ !

 

ଭରତପୁରକୁ ଆଉ ଭରସିନି ଭରତିଆ ପକ୍ଷୀ

ଫଉଜର ଫୁଟ୍‌ନୋଟ୍‌ ଫୁଂଗୁଳା ତୋ ଫଟାଭୂଇଁସାରା

ଏ ଦୁନିଆ ଦୋହଲୁଚି ଛାତିରେ ହିଁ ହାତ ଚାପିରଖି

ପାତାଳ ପାରୁନି ସହି ପୃଥିବୀର ଭୟଂକର ଭାରା !

 

ବରଫର ବରଭିକ୍ଷୁ ! ପାହାଡ଼ଠୁ ପାଉ ପାଦଧୂଳି...

ଗୋଟିଗୋଟି ଗୁଂଫାରେ କି ଗୋତି ଖଟେ ଗୋର୍ଖାର ଗୋଧୂଳି !

 

। ୫।

ଦୋଲାଖାର ଦିନସବୁ ସଂଜ ହୁଏ ସିଂଧୁପାଳଠାରେ

ହଜାରେ ଉଷୁମ୍‌ ଇଚ୍ଛା ହଜାଏ ତୋ ହିଂସ୍ର ହିମପାତ

ଘୋଡ଼ତବଲାକୁ ଘାଆ ଘଉଡ଼ଟା ଘନଘନ ଘାରେ

ବିଳଂବିତ ବିଳାପରେ ବର୍ଷାବାହୀ ବାୟୁର ବ୍ୟାଘାତ !

 

ଗୋରେଖନାଥର ଗାଆଁ ଗୋହିରିରେ ଗୁଳ୍ମର ଗୁଂଫନ

ମାରକ ସେ ମାଟି ତଳେ ଲଂଗ୍‌ତଂଗ୍‌ ଲୁଚାଇଚି ମୁହଁ

ନେପାଳର ନକ୍ସାସାରା ନିଶ୍ଚିହ୍ନତା ନିତାଂତ ନୂତନ

ଗଂଗାରେ କି ଗାର କାଟେ ଗଂଡକୀର ଗୋଳିପାଣିସୁଅ ?

 

ନଗ୍ରମାନ ନାଗବଂଧ । ନେପଥ୍ୟରେ ନାରାୟଣୀ ନଦୀ

ଗସ୍ତର ଗହଳି ନାଇଁ ଗତାଗତ ଗମନାଗମନ...

ଦୁଃଖୀ ଦିବାସ୍ୱପ୍ନ ପରି ଦିଶୁଥାଏ ଦୂର ଧାନଗଦି

ପାଇନ୍‌ପତ୍ରରେ ପୁଣି ପାଦ ପୋଛେ ପାଗଳ ପବନ !

 

ପଥରର ପାତିହଂସ ପୋଖରାର ପୋଖରୀ ପହଁରେ...

କାଠଘୋଡ଼ା ପାଣି ପି’ - କାଠମାଂଡୁ, କହ ତୁ କହରେ !

(୨୦୧୫)

 

ଢାକା-୦୧/୦୭

(* ୧ ଜୁଲାଇ ୨୦୧୬ । ଶୁକ୍ରବାର ରାତି ୯.୨୦ । ବାଂଲାଦେଶର ରାଜଧାନୀ ଢାକାର ଦୂତାବାସ ଅଂଚଳ - ଏଇଠି ଗୁଲ୍‌ଶନ୍‌ ଥାନାପାଖ ସ୍ପେନୀୟ ରେସ୍ତୋରାଁ ‘ହୋଲି ଆର୍ଟିସାନ୍‌ ବେକରୀ’ ଉପରେ ଅଚାନକ ଆରଂଭ ହୋଇଯାଏ ଏକ ଆତଂକବାଦୀ ଚଢ଼ଉ । ‘ଅଲ୍ଲାଃ ହୋ ଆକବର’ ଧ୍ୱନି ଦେବା ସହ ଦେଶୀବୋମା ଫୁଟାଇ ମାତ୍ର ୮/୯ଜଣ ବଂଧୁକଧାରୀ ପଶିଆସଂତି ରେସ୍ତୋରାଁ ମଧ୍ୟକୁ । ଭୋର୍‌ଯାଏଁ ବଂଧକ ରଖଂତି ୪୦ରୁ ଊର୍ଦ୍ଧ୍ୱ ଅତିଥିଂକୁ ଏବଂ ଗଳା କାଟି ହତ୍ୟା କରଂତି ପ୍ରାୟ ୨୦ଜଣ ପଣବଂଦୀଂକୁ । ଇତାଲୀ, ଜାପାନ୍‌ ଓ ଶ୍ରୀଲଂକାର ନାଗରିକଂକ ସମେତ ଏହି ମୃତକମାନଂକ ମଧ୍ୟରେ ଥିଲା - ତାରୁଷୀ ଜୈନ - ମାତ୍ର ୧୯ବର୍ଷର ଜଣେ ଭାରତୀୟ ତରୁଣୀ-

 

ତାରୁଷୀର ବାପା ଉତ୍ତରପ୍ରଦେଶ ଅଂତର୍ଗତ ଫିରୋଜାବାଦର ମୂଳବାସିଂଦା । ୨୦ବର୍ଷ ହେଲା କପଡ଼ା ବ୍ୟବସାୟ କରିଆସୁଛଂତି ଢାକାରେ । କାଲିଫର୍ଣିଆର ବର୍କଲେ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ସ୍ନାତକଛାତ୍ରୀ ତାରୁଷୀ ଖରାଛୁଟି କାଟିବାକୁହିଁ ଆସିଥିଲା ବାପାଂକର ଢାକା ଘରଟିକୁ । ଆତତାୟୀ ଅନୁପ୍ରବେଶ ସମୟରେ ରେସ୍ତୋରାଁର ଶୌଚାଳୟରେ ନିଜକୁ ଲୁଚାଇରଖି ସେଦିନ ମୋବାଇଲ୍‌ ଫୋନ୍‌ରେ ବାପାଂକୁ ଜଣାଇଥିଲା ସେ - ‘ମତେ ଭାରି ଡର ଲାଗୁଛି ବାପା ! ଆତତାୟୀମାନେ ଗଳା କାଟି ରେସ୍ତୋରାଁରେ ଥିବା ଲୋକଂକୁ ମାରୁଛଂତି ... ଆଉ ବଂଚିବି କି ନାହିଁ ଜାଣେନା ମୁଁ...’ ଏହାପରେ ଫିରୋଜାବାଦନିବାସୀ ନିଜ ଦାଦା ରାକେଶମୋହନ୍‌ ଜୈନଂକୁ ରାତି ପ୍ରାୟ ସାଢ଼େ ଗୋଟାଏର ଫୋନ୍‌ରେ ଗୁଂଜରିଉଠିଥିଲା ତାର ଶେଷ କଂଠସ୍ୱର - ‘ରେସ୍ତୋରାଁରେ ଖାଲି ଚିତ୍କାର ... ଗୁଳି ଚାଲୁଛି ... ବୋମା ଫୁଟୁଛି ... ବାଥ୍‌ରୁମ୍‌ରେ ଛପି ନିଜକୁ ବଂଚାଇବାର ଚେଷ୍ଟା କରୁଛି ମୁଁ ... ଭାରି ଡର ଲାଗୁଛି ମତେ !’

 

ଫୋନ୍‌ରେ ଝିଅର ସଂତ୍ରସ୍ତ ସ୍ୱର ଶୁଣିଲା ପରେ ରେସ୍ତୋରାଁ ନିକଟରେ ଶୁକ୍ରବାର ସାରାରାତି ଅପେକ୍ଷା କରିଥିବା ବାପା ଶନିବାର ସକାଳୁ ସକାଳୁ ପାଇଥିଲେ ତାରୁଷୀର କ୍ଷତବିକ୍ଷତ ଶବ !

ଏ କବିତା ତାରୁଷୀ ଜୈନର ରକ୍ତାକ୍ତ ସ୍ମୃତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।)

 

। ୧।

ତାରାରୁ ତାରୁଷୀଯାଏଁ ତାରିଖଟେ ତାଜାରକ୍ତବୋଳା

କଢ଼ର ଏ କବରକୁ କୋରାନ୍‌ କି କବୁଲ୍‌ କରିବ ?

ହେ ଅରକ୍ଷ ଅସମୟ ! ଏବେ ଏଠୁ ଉଡ଼ାପତ୍ର ଓଳା,

ଗୁଳିର ଗଜରା ଗୁଂଥେ - ଏ ଗୁଲିସ୍ତା ଗରିବ ଗରିବ !

 

ରୂପସୀ ବାଂଲାର ଋତୁ ! ବର୍ଷା ତୋର ରକ୍ତମେଘ ହୁଏ

ବେଗାନା ଏ ବାଗାନ୍‌ରୁ ବୁଲ୍‌ବୁଲ୍‌ ବାହୁଡ଼ିଯାଉଚି...

ତା ନରମ୍‌ ନାଆଁ କେଉଁ ନିଲାମ୍‌ର ନାରା ନୁହେଁ ନୁହେଁ

ସଲାମୀ ସଂଗିନ୍‌ସାରା - ସବୁ ଶୋକସଂଗୀତର ସୂଚୀ !

 

ମୁନିଆ ମିନିଟ୍‌ମାନ ମିଲିଟାରୀ ମଡେଲ୍‌ ମାଫିକ୍‌

ରଟାଉଛି ରୋଳଗୋଳ ରାସ୍ତାରୋକା ରାତିର ରେସ୍ତୋରାଁ...

ଚଂଦ୍ରର ଚେନାଏ ଚୋରାଆଲୁଅର ଉପରକୁ ଠିକ୍‌

ତାରୁଷୀର ତାରା ଉଏଁ ତୀରବିଦ୍ଧ ତରାଟଠୁଁ ତୋରା !

 

ଏଠି ଏବେ ଐକତାନ - ଏସିଆର ଏଇ ଏକଭାଗେ

ମାରୀଚ ମାଟିର ମୋକ୍ଷ ମୃତ୍ୟୁ ନୁହେଁ, ମୁକାବିଲା ମାଗେ !

 

। ୨।

ସହିଂସ ଏ ସମୟର ସାମନାରେ ସୁନ୍ନୀ ନା ମୁଁ ସିହା ?

ମୁଁ କାଟେ କା କଂଠନଳି ? ମୁଁ କି ସ୍ୱୟଂ ତାହାର ହିଁ ସ୍ୱର ?

ମୁଁ ଜିହାଦୀ ଛେଦୁଅଛି ଯେଉଁ ହସ୍ତେ ହାୟ ମୋର ଜିହ୍ୱା

ସେ ହସ୍ତ ତୁଂଭର ତୋଫା - ଆହେ ଅଲ୍ଲାଃ ଓରଫ୍‌ ଈଶ୍ୱର !

 

କୃଷ୍ଣାଦ୍ୱାଦଶୀର ତିଥି ଦେଇନାହିଁ କିଛି ପୂର୍ବାଭାସ

ପାଦମାନ ପାଇନାହିଁ ଫେରିବାର ପତିଆରା ଫୁଟେ

କି ଦଶା ଦୂର୍ବୀଣ ଦ୍ୱାରା ଦର୍ଶାଉଛି ଦୂର ଦୂତାବାସ ?

ଜୁନୁନ୍‌ର ଜୁଲୁସ୍‌ରେ ଜୁଲାଇର ଜୁଇ ଜଳିଉଠେ !

 

କେ ଅର୍ପିଲା ଅକାତରେ ଆୟୁଧକୁ ଅନିର୍ବାଣ ଆୟୁଃ

ବୋମାକୁ ବିଜୟମାଲ୍ୟ, ବଂଧୁକକୁ ବରବାଦୀ ବର ?

ସପ୍ତଶତୀ ସ୍ରୋତସ୍ୱତୀ । ଶୋଣିତ ହିଁ ସ୍ନାନ କରେ ସ୍ନାୟୁ

‘ଆମାର୍‌ ସୋନାର୍‌ ବାଂଲା’ - କହେ କେଉଁ କଷଟିପଥର ?

 

ପରିଧିରେ ପଣବଂଦୀ । ପ୍ରତିରକ୍ଷୀ ପ୍ରତିମୂର୍ତିପ୍ରାୟ

ହାଜିରାଖାତାର ହିସା ହଜାଏ ମୋ ହିଜରାବ୍ଦ ହାୟ !

। ୩।

ଖୁଦାର ଏ ଖାଦାନ୍‌ରେ ଖରାବର୍ଷା ଖୁନ୍‌ର ଖବର

କ୍ଷୁଧାର ଫସଲ ତମେ କାଟ କାହିଁ କର୍କଟକ୍ରାଂତିରେ

ହେ ବଷୁର୍କୀ ବାଂଲାଦେଶ ! ବାଘଠାରୁ ବାରୁଦ ବର୍ବର

ରୋଜାର ଏ ରମଜାନ୍‌ ରୋକୁଅଛି ରାହା ଏ ରାତିରେ !

ସେ ଜୁମା ଜୁଲାଇ ୧ ... ଜୁଜୁରେ ଜୋର୍‌ଦାର୍‌ ଜେରା

ଚିରିଚାଲେ ଚାକୁମୁନ ଚେତାବୁଡ଼ା ଚେହେରାର ଚିଠି

ଫିରୋଜାବାଦକୁ ଫେର୍‌ ଫେରେନାହିଁ ଫୋନ୍‌ର ଫଜେରା

ଊଣିଶ୍‌ଟି ଉମରରେ ଆଷାଢ଼ ବି ଉଜୁଡ଼େ ଏଇଠି !

କେଉଁଠି ଝୋଟର ଝୋଟି ? ଧାଡ଼ିଧାଡ଼ି ଧାନର ଧାରଣା ?

କଂତାରିର କଡ଼େକଡ଼େ କ୍ଷେତ କଷେ କେତେ କ୍ଷେତ୍ରଫଳ ?

ବାଉଲ୍‌ର ବୋଲ୍‌ଗୁଡ଼ା ବାଉଳାରେ ବାଟ ବୋଧେ ବଣା

କୟାମତ୍‌ କରିଯାଏ କୋରକର କୋରଖ କେବଳ !

ତମେ କି ତୃଷ୍ଣାର ଜଳ ପୋଛିରଖ ପଦ୍ମପତ୍ର ପରୁ ?

ବାୟୁ ତମ ବାତ୍ୟା ବାହେ ବରାବର ବଂଗୋପସାଗରୁ !

। ୪।

ହେ ପଦ୍ମାନଦୀର ମାଝି, ନାଆ ଭିଡ଼ ମେଘନାର ପାରେ

ମଂଗୁଳାଅ ମଂଗୁଆଳ, ମଶାଣିକୁ ମୁକ୍ତିଯୁଦ୍ଧଘାଟି

କର୍ଣଫୁଲୀ କୂଳେ କୂଳେ କପୋତାକ୍ଷୀ କିନାରେ କିନାରେ

ମୟୂରାକ୍ଷୀ ମୁହାଁଣରେ ମାଇନ୍‌କୁ ମାନନା ହେ ମାଟି !

ଯାଆରେ ଯମୁନା ଯାଆ - ଜୁଆରରେ ଗଂଗାଜଳ ଗୋଳି

ବହିଯାଆ ବ୍ରହ୍ମପୁତ୍ର, ବାଂକରେ ତୋ ବାଉଁଶର ବଣ

ତିସ୍ତା ତୁ ତୁଫାନ୍‌ ତୁଟା - ତରଂଗର ତୂର୍ଯନାଦ ତୋଳି

ପୋତବାହୀ ପାଲ ପାଳୁ ପବନରେ ପତାକାର ପଣ !

ଦୁର୍ଗଭୀର ଦ୍ରୁତନଦୀ ଦକ୍ଷିଣର ଦୀର୍ଘପଥ ଧରେ

କାତ ନପାଇଲେ ନାଇଁ - କେରୁଆଳ ଚଳାଅ ଚଂଚଳ

ହେ ବାଂଲାର ବଜ୍ରବାହୁ, ବିଜୁଳିକୁ ବଜରା କି ଡରେ ?

ନାନାଦି ନିନାଦୀ ନଦୀ - ନାଦବିଂଦୁ : ନୀଳମଂତ୍ରଜଳ !

ଜଳାଏ ତ ଜଳାବର୍ତ ଚକ୍‌ଚକ୍‌ ମାଛର ମଶାଲ୍‌

ସମୁଦ୍ରହାୱାକୁ ହାଣେ ସେଇସବୁ ଶାଣଦିଆ ସାଲ୍‌ !

। ୫।

ଶିଲଟ୍‌ର ଶିଖରରୁ ସୂର୍ଯ ଉଏଁ ସୁନାପଦ୍ମ ପରି

ଚଉଷଠି ଜିଲ୍ଲାଯାକ ଚଉଷଠି ଫୁଲରେ ପାଛୁଡ଼ା

ଦକ୍ଷିଣା ପବନ ବୁଲେ ବ୍ରହ୍ମଦେଶ ପୂବେଈକୁ ଧରି

ଚୀନା ଚିଲ୍ଲୀ ଚୁମିଯାଏ ଚିତ୍ରାର୍ପିତ ଚିତ୍ତଗଂଗଚୂଡ଼ା !

 

ଆଜାନ୍‌ ତମର ଆଣେ ଆଜାଦିର ଆହ୍ନିକ ଆବେଶ

ଇଥର୍‌ରୁ ଅବତରି ଊହ୍ୟ ହୁଏ ଉନ୍ନିଦ୍ର ଊର୍ମିରେ

ଦିନ ତମ ଦଂଡଦାତା - ହେ ଦୋସରା ଦିଗଂତର ଦେଶ,

ଦିଗ ମୋର ଦ୍ୱିଖଂଡିତ ତମରି ସେ ତ୍ରିପାଦଭୂମିରେ !

 

ଉଭାହୁଅ ଇତିହାସ ! ଉଦେହୁଅ ଉଦ୍ଭିନ୍ନକୈଶୋର !

ଏ ଭଗ୍ନାବଶେଷମାନ ଭୂଗୋଳର ଭୃଗୁପଦଚିହ୍ନ...

ସୀମାର ସେ ସୌଭ୍ରାତ୍ରରେ ରେଖା ହେଉ ଋଜୁ ରାକ୍ଷୀଡୋର

ଆମର ଆଲୋକ ଆଜି ଉତ୍ତାପରେ ନହେଉ ନିଶ୍ଚିହ୍ନ !

 

ହେ ମକ୍କ।ର ମଲାଜହ୍ନ, ହେ ଢାକାର ମେଘଢଂକା ତାରା,

ଇଦାନୀଂ ଅସୂର୍ଯ ଆମ ଇଲାକାରେ ଇଦ୍‌ର ଇସାରା ।

(୨୦୧୬)

 

ମଥୁରା-୨୨/୦୬

(୨୨ ଜୁନ୍‌ ୨୦୧୭ ଗୁରୁବାର ସଂଧ୍ୟା । ୧୫ବର୍ଷ ବୟସ୍କ ଜଣେ ଭାରତୀୟ କିଶୋର ଜୁନୈଦ୍‌ର ସେ ସଂଧ୍ୟା ଥିଲା ଶେଷସଂଧ୍ୟା । ସେଦିନ ନିଜ ହରିୟାଣୀ ଗାଁ ବଲ୍ଲଭଗଡ଼ରେ ଇଦ୍‌ ପାଳିବାକୁ ସେ ଫେରୁଥାଏ ଦିଲ୍ଲୀରୁ ମଥୁରାଗାମୀ ଟ୍ରେନ୍‌ରେ । ସାଂଗରେ ୧୯ବର୍ଷର ଭାଇ ସାହିବ୍‌ ଆଉ ସଂଗୀ ମୋୟିନ୍‌ । ବାଟମଝିରେ ଓଖ୍‌ଲା ଷ୍ଟେସନ୍‌ରୁ ଟ୍ରେନ୍‌ ଚଢ଼ିଲେ ଦଳେ ଉଚ୍ଛୃଂଖଳ ଯାତ୍ରୀ । ଆଗରୁ ନିଜ ନିଜ ସିଟ୍‌ରେ ବସି ରୁଟିମାଂସ ଖାଉଥିବା ଅବସ୍ଥାରେ ଜୁନୈଦ୍‌, ସାହିବ୍‌ ଓ ମୋୟିନଂକୁ ଜାଗା ଛାଡ଼ିଦେଇ ତୁରଂତ ଉଠିଯିବାକୁ ହୁକୁମ୍‌ ଦେଲେ ସେ ଦଳକ । ପ୍ରଥମେ ଜୁନୈଦ୍‌ର ମୁଂଡରୁ ଟୋପିଟାକୁ କାଢ଼ିନେଇ ଫୋପାଡ଼ିଦିଆଗଲା ଦୂରକୁ । ତାପରେ ବିଜାତୀୟ ଓ ଗୋମାଂସଭକ୍ଷକ ବୋଲି ଭର୍ତ୍ସନା କରି ମାର୍‌ଧର ସୁରୁ କରିଦେଲେ ସେମାନେ । ନିଜ ସଂପର୍କୀୟମାନଂକ ନିକଟରୁ ବିକଳରେ ସହାୟତା ଲୋଡୁଥିବାବେଳେ ଫରିଦାବାଦ୍‌ର ଅଶୌତି ରେଲ୍‌ୱେ ଷ୍ଟେସନ୍‌ରେ ଟ୍ରେନ୍‌ର ସେ ବଗିରେ ଆସି ପହଂଚିଥିଲେ ଜୁନୈଦ୍‌ର ଆଉଜଣେ ଭାଇ ଶାକିର୍‌ । ମାତ୍ର ସେ ସମସ୍ତେ ସେତେବେଳେ ଏକାବେଳକେ ହୋଇପଡ଼ିଲେ ଉନ୍ମତ୍ତ ଆକ୍ରମଣକାରୀ ଦଳର ସମ୍ମିଳିତ ଶିକାର । ସେମାନଂକୁ ଅତି ନୃଶଂସଭାବରେ ବାରଂବାର ଛୁରା ଭୁସାଯାଇ ଟ୍ରେନ୍‌ରୁ ଫିଂଗିଦିଆଗଲା ପ୍ଲାଟ୍‌ଫର୍ମ୍‌ ଉପରକୁ ।

 

୨୦୦ ଦେଖଣାହାରିଂକ ଜମିଯାଇଥିବା ଭିଡ଼ ଭିତରେ ଅଶୌତି ଷ୍ଟେସନ୍‌ର ୪ନଂ. ପ୍ଲାଟ୍‌ଫର୍ମ୍‌ରେ କିଛି ସମୟ ଧରି ପଡ଼ିରହିଥିଲା ରକ୍ତ-ଜୁଡ଼ୁବୁଡ଼ୁ ଜୁନୈଦ୍‌ର ଶବ - ସଂଧ୍ୟା ପ୍ରାୟ ୭.୨୧ ଯାଏଁ । ଦେଖି ମଧ୍ୟ ନ ଦେଖିବା ପରି ରହିଯାଇଥିଲେ ସମସ୍ତେ - ପୁଲିସ୍‌କୁ ମିଳି ପାରି ନଥିଲେ ଜଣେ ବି କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ । ଏପରିକି ପ୍ଲାଟ୍‌ଫର୍ମରେ ଲାଗିଥିବା ସିସିଟିଭି କାମେରାର ତାରଗୁଡ଼ାକୁ ମଧ୍ୟ - ଏପରି ଅକ୍ଷମଣୀୟ ଅପକର୍ମର ସୂତ୍ରପ୍ରମାଣସବୁକୁ ସମୂଳେ ଉଚ୍ଛେଦ କରିଦେବାର ଅଭିସଂଧିରେ ହିଁ - ନଷ୍ଟ କରିଦିଆଯାଇଥିଲା ପୂରାପୂରି ।

 

ଏ ବର୍ଷର ପବିତ୍ର ଇଦ୍‌ମୁଖର ଜହ୍ନରାତିର ଅବ୍ୟବହିତ ପୂର୍ବରୁ, ୨୨ଜୁନ୍‌ ୨୦୧୭ର କରାଳ ସଂଧ୍ୟାରେ, ସେଇ ଉଗ୍ର ଅବିବେକୀମାନଂକ କ୍ରମାଗତ ଛୁରିକାଘାତରେ ଅକାଳ ମୃତ୍ୟୁ ବରଣ କରିଥିବା ଜୁନୈଦ୍‌ର ଶୋଣିତାକ୍ତ ସ୍ମୃତି ଉଦ୍ଦେଶ୍ୟରେ ଏ ସନେଟ୍‌-ପଂଚକ ସମର୍ପିତ ।)

 

। ୧।

 

ଏଥର ଇଦ୍‌ର ଜହ୍ନ ଉଇଁବାର ଇଚ୍ଛାପତ୍ର ନୁହେଁ,

ଏ ଓଳାର ଓକାଳରେ ଓଘାଳୁଛି ଓଖ୍‌ଲାତ୍‌ନାମା

ମୁଁ ଶୁଣୁଛି । ଶୁଣ ତମେ । ଦେଖି ଯେଣୁ ଦେଖୁନାହୁଁ ଦୁହେଁ

ତରାର ତମାଦି ତୁଲେ ତ୍ରିରଂଗାର ତ୍ରିପଂଡ ତ୍ରିଯାମା ।

 

ଦିଲ୍ଲୀରୁ ମଥୁରାଗାମୀ ଟ୍ରେନ୍‌ ମାପେ ଦୀର୍ଘ ରେଳପଥ

ହରିୟାଲୀ ହରିୟାଣୀ ହତା ଏଠୁ ଅଧୁରା ଅଧୁରା

ବଲ୍ଲଭଗଡ଼ରେ ଗାଁ । ଆମ୍ମାଜାନ୍‌ ଥିବ ଅସ୍ତବ୍ୟସ୍ତ

ମାତ୍ସରିକ ମାନଚିତ୍ର ମାତ୍ରକ ଏ ମାୟାଭ ମଥୁରା ।

 

ଓଖ୍‌ଲା ଷ୍ଟେସନ୍‌ ଏବଂ ଏଇଠାରୁ ଓଲଟପାଲଟ

କିଏ ସେଠୁ ପାସେଂଜର୍‌ ପଂଦର ନା କୋଡ଼ିଏସରିକି ?

ଜାଗା ପାଇଁ ଜାଂତବ କି ପାଟିତୁଂଡ ଦାଂତର ଦାପଟ

ଟୋପିଟାକୁ ଥୋପି ମାରି ଝିଂକାହୁଏ ଦିହାତ ଧରିକି ।

 

ତୋବା ତୋବା ବୋବା ବୋଲେ : ଅନା ଆରେ ଆଖିଥିବା ଅଂଧ,

ଏ ଗେରୁଆ ଗୁରୁବାର ଗହଳିରେ ଗୋମାଂସର ଗଂଧ !

 

। ୨।

ଏଥର ଇଦ୍‌ର ଜହ୍ନ ଅନେକଟା ଅବାକ୍‌ ଏଇଠି

ସେ ଟ୍ରେନ୍‌ଟା ଚେନ୍‌ ଟାଣେ ଅଶୌତିର ଷ୍ଟେସନ୍‌ରେ ମସ୍ତ‌୍‍

୩ ନଂ. ବଗି ଅଛି - କାହାଂତି ସେ କିଶୋରକେଇଟି

ଯାହାଂକୁ ପଦାକୁ ଫିଂଗି ଫୁଃ’ କଲୁ ଜୋର୍‌ଜବର୍ଦସ୍ତ୍‌ ?

 

ବେଦଖଲ୍‌ କରୁ କିଆଁ ଏମାନଂକୁ ବଖରାରୁ ଆମେ ?

ଏମାନେ କି ଆମ ଏଇ ଘଷାମଜା ଘରର ଅଳିଆ ?

ଆଜି ତାଂକୁ ଡକା ହେବ କେଉଁ ମୁଖେ, କେଉଁ ଶୁଭନାମେ

ଜୁନୈଦ୍‌ ନା ହାସିବ୍‌ ନା ଶାକିର୍‌ ନା ମୈନୁଦୀନ୍‌ ମିଆଁ ?

 

ସେ ରେଳଧାରଣାବତ୍‌ ଧାତବ ଏ ରକ୍ତମୁଖା ମନ

ଭୁଜାଲିର ଭୁସା ଭୋଗେ ଭଂଗାରୁଜା ଭୟାର୍ତ ଭାରତ

କି ମିଥ୍ୟା ମଥୁରାମାର୍ଗ ! ବ୍ରଜଭାଷୀ ବୃଥାବୃଂଦାବନ

ହେ ଅସ୍ତ୍ରର ଅଂଶୀଦାର୍‌, ବଂଶୀ ବେଶ୍‌ ବଜାଇପାର ତ !

୪ ନଂ. ପ୍ଲାଟ୍‌ଫର୍ମ୍‌ । ରକ୍ତଚିହ୍ନ ଚଟାଣଟାସାରା

ସେ ରକ୍ତ କାହାର ରକ୍ତ ? ଥିଲା କେଉଁ ଧମନୀର ଧାରା ??

। ୩।

ଏଥର ଇଦ୍‌ର ଜହ୍ନ ଓହ୍ଲାଇବ ଓକ୍‌ଗଛଶିଖେ

ଆକ୍ତାମାକ୍ତା ଆକାଶରେ ଆଉଟିବ ଅଂଧାର ଅରାଏ...

ତମେସବୁ ତୁନିହୋଇ ଟିମ୍‌ଟିମ୍‌ ଆଲୁଅରେ ଟିକେ

ମସ୍‌ଜିଦ୍‌ ମିନାର୍‌କୁ ମାଜୁଥାଅ, ମଉଳାତରା ହେ !

ଯମୁନାର ପୋଲତଳୁ ୨୨ର ଜୁଳୁଜୁଳୁ ଜୁନ୍‌

ଛାଣିନିଏ ଛାଇରୁ ହିଁ ଛୁରାହତ ସଂଜର ଚେହେରା

ଚଳଂତାଟ୍ରେନ୍‌ରେ ଚଢ଼ି କୈଶୋରକୁ କିଏ କରେ ଖୁନ୍‌ ?

ଏ ଜବାବ୍‌ ଜଣା ନାହିଁ - ହେ ଜନାବ୍‌, ଜାରି ଅଛି ଜେରା ।

ଦ୍ରୁତତର ଦୃଶ୍ୟ ଦେଖେ ଦଳବଦ୍ଧ ଦର୍ଶକର ଦେଶ

ସ୍ୱଦେଶୀ ଶାସନମତେ ହାତ କାଳେ ବିଦେଶୀବିଦେଶୀ

ଯେଉଁ ହାତ ହତ୍ୟା କରେ, କେଉଁଠି ତା ହସ ହୁଏ ଶେଷ ?

କାମେରାର କାଚ ଆଗେ କାତିଲ୍‌ ବି କାଂଦିପାରେ ବେଶି !

କିଏ ମୋ କୋହକୁ କିଂତୁ କଫିନ୍‌ରେ କରିପାରେ କୈଦ୍‌ ?

ସେ ଖୁନ୍‌କୁ ଖର୍ବ କରେ - ଏ ଜୁନ୍‌ରେ ଜୁନୈଦ୍‌, ଜୁନୈଦ୍‌ !

। ୪।

ଏଥର ଇଦ୍‌ର ଜହ୍ନ ଜଖମ୍‌ ଏ ଜଂକ୍‌ସନ୍‌କଡ଼େ

ଆଂବୁଲାନ୍‌ସ୍‌ ଆସିଥିଲା ଏଇମାତ୍ର ଅଳ୍ପକ୍ଷଣ ଆଗୁ

ରକ୍ତପୋଛା ପାପୁଲିରୁ ରୁମାଲ୍‌ଟା ପତାକୁ ରଗଡ଼େ

ସେ ପତାର ପାତାଳରେ ପାଣି ଜମେ କେଉଁ ଜଳଭାଗୁ ?

ଅର୍ଧଚଂଦ୍ରାକାର ଏଠି ଯମୁନାର ଜଳଛବି ଚିରି

କଚ୍ଛପୀୟ କ୍ଳାଂତି କ୍ରମେ କୂଳ ଛାଡ଼େ କାଳଚକ୍ର ଚୁମି

ଗୁଣିହୁଏ ଗଂଗାଚିଲ ଗୋଧୂଳିର ଗୋବର୍ଧନଗିରି

କୃପାରେ କୃତାର୍ଥ କରେ କାହାକୁ ବା କୃଷ୍ଣଜନ୍ମଭୂମି ?

କେ ମତାଅ କାମକ୍ରୋଧଲୋଭମୋହମଦରୁ ମାତ୍ସର୍ଯ

ମଥୁରାମଂଗଳ ନାମେ ମତ୍ସ୍ୟହ୍ରଦେ ମଂଗ ମଧ୍ୟ ଧର

ଭାଂଗିଦିଅ ଭାଷାତୀତ ଭାରତୀୟ ଭାବର ଭାସ୍କର୍ଯ

ଯମୁନାରେ ପାପ କଲେ ଗଂଗା ଯାଇ ପ୍ରାୟଶ୍ଚିତ୍ତ କର ?

ଦୁଇଶ ଦେଖଣାହାରି । ଚାରିପଟେ ଚାରିଶହ ଆକ୍ଷି

ଯେଉଁ ଆକ୍ଷି ଖୋଲିବନି, ସେ ଆକ୍ଷିର କାହିଁ ଜଣେ ସାକ୍ଷୀ ?

। ୫।

ଇଦ୍‌ର ଜହ୍ନ କି ଏବେ ଅସ୍ତ ହେବ ଉଇଁବା ଆଗରୁ ?

ହାସ୍ପାତାଳ ବିଛଣାରେ ବିଂଚିଦିଅ ହେନାଫୁଲ କିଛି

ପଂଦରବର୍ଷର ବାସ୍ନା ଚାଲିଯାଏ ଛୋଟ ଗୋଟେ ଘରୁ

ଜୁନୈଦ୍‌ କି ଜାଣିଥିଲା ଜହ୍ଲାଦ କେ ଜହ୍ନକୁ ଜଗିଛି !

 

ଆଜି ଏଠୁ ଆଷାଢ଼ ବି ବିଦା ହୁଏ ଅନୁମତି ବିନା

ହେ ମେଘ, ହେବାକୁ ମତେ ପ୍ରେମିକଟେ - ପକାଅନି ରାଣ

ଦୋସରା ମୋ ଦୁଃଖୀମୁହଁ ଦୋଷୀ ଦିଶେ । ଦିଶେ ଦରଚିହ୍ନା

କେଉଁଠି ସେ ନାଭିତୀର୍ଥ, କେଭେଁ ଯାହା ନଦିଏ ନିର୍ବାଣ ?

 

ସାମ୍ନାରେ ଷ୍ଟେସନ୍‌ କେତେ ? ପଛରେ ତ ଫାଂକା ମାଆକୋଡ଼

ସେ ଅଲଗା ଦିଶା କାହିଁ, ଦର୍ଶାଏ ଯା ଅଭଂଗାଭାରତ ?

ହେ କବିତା, କାଢ଼ିଦିଅ କଂଟାପିଟା କଳା କାଠଗୋଡ଼

ଶୋକର ପୋଷାକପିଂଧା ଶବ୍ଦସବୁ ଶୋଭାଯାତ୍ରାରତ !

 

ଏଥର ଇଦ୍‌ର ଜହ୍ନ କଂଦାଇବ କହ କେତେଥର ?

ହେ ମଥୁରା, ମତେ ବତା : କୁଆଡ଼େ ମୋ ମଣିଷର ଘର ??

(୨୦୧୭)

 

ଅସ୍ତସୂର୍ଯ

 

ଅଧୁନା ଅପୌରୁଷେୟ ଅସ୍ତସୂର୍ଯ ଏଇ ଆଦିଭୂମେ

ମାଖିଦିଏ ମାଈସଂଜ ମାଲୁଦରୁ ମାନସରୋବର

ଏଲୋରାର ଅଂଧକାର ଅଜଂତାର ଇଂଦ୍ରାଚଳ ଚୁମେ

ଏବଂ ଭୋଗେ ଅବସର ଏଠି ଏକ ଏସୀୟ ଈଶ୍ୱର !

 

କେତେ ଗ୍ରୀଷ୍ମ ଗୋକୁଳରେ । କେତେ ବର୍ଷା କେଦାରନାଥରେ

ଶତଧା ଶରତ ଶୁଣେ ହେମଂତର ହଂସଧ୍ୱନି ହାୟ

ପିଟିହୁଏ ପକ୍ଷିରାଜ ପାଣିଫଟା ପଥରକାଂଥରେ

ଶୀତବସ୍ତ୍ରରହିତ ଏ ବସଂତଟା କେଡ଼େ ଶୀର୍ଣକାୟ !

 

କଟକରୁ କୁରୁକ୍ଷେତ୍ର କୁଦୁଥାଏ କୋକୁଆଟେ କାହୁଁ

ପଂକପୋଖରୀର ପଦ୍ମ ପାତାଳରେ ପୋତିହୋଇପଡ଼େ

କୁତ୍ସିତ କୁଠାର କେତେ କାଟିକାଟି କୁମାରୀ କୁମାୟୁଁ

କୁଢ଼କୁଢ଼ କଇଁକଢ଼ କଚାଡ଼େ ତ କଚାରାସ୍ତାକଡ଼େ !

 

ମତୁଆଳ ମହାନଗ୍ର । ମହାବୋଧି ମଂଦିରରେ ମସ୍ତି

କେଉଁଠି ଉଜୁଡ଼େ ସାରା ବସ୍ତି ଆଉ କେଉଁଠି ଶ୍ରାବସ୍ତି !

 

ଗୋଟିଏ ନିୟତି

 

ଯୋଡ଼ିଏ ନଈକୁ ଯୋଡ଼ି ଗଢ଼ାହୁଏ ଗୋଟିଏ ନିୟତି

ସେ ନିୟତି ନଗ୍ରଜନେ, କାହିଁକି ଏ କଟକ ବା ନୁହେଁ ?

ମହାନଦୀଆଡ଼ୁ ଆସେ - କେତେ ଟ୍ରେନ୍‌ କାଠଯୋଡ଼ୀ କତି

ନିଆଁ ପରି ପାଣି ଜଳେ ଯେତେବେଳେ ଜହ୍ନ ନୀଳ ହୁଏ !

 

ଦୁଇଟି ପାହାଡ଼ ପାଖେ ଭାଂଗିପଡ଼େ ଗୋଟିଏ ନିୟତି

ରାଣୀହଂସପୁର ଜମା ଜାଣିନାଇଁ ହାତୀଗୁଂଫା ହାଲ୍‌

ଉଦାସ ଉଦୟଗିରି ଖଇଫୁଟା ଖଂଡଗିରି ପ୍ରତି

ନିଆଁ ପରି ରକ୍ତ ଜଳେ ଯେତେବେଳେ ରାତି ହୁଏ ଲାଲ୍‌ !

 

ଦୁଇଟି ନାଆରେ ପୁଣି ପାଦ ଦିଏ ଗୋଟିଏ ନିୟତି

କେବେ କ’ଣ ତାହା କେଉଁ ନଂଦିକାର ନିଶାରାତି ନୁହେଁ ?

ବଂଶୀର ବ୍ୟଥାରେ ବ୍ୟକ୍ତ ବଂଶ ବାଦ୍‌ ବଂଶର ବିରତି

ନିଆଁ ପରି ବର୍ଷା ଜଳେ ଯେତେବେଳେ ଋତୁ ରଂଗ ଧୁଏ !

 

ଦୁଇଟି ଆଖିରେ ତମ ନିଦ ଭାଂଗେ ଗୋଟିଏ ନିୟତି

ନିଆଁ ପରି ଲୁହ ଜଳେ ଯେତେବେଳେ ନିଭିଯାଏ ବତି !

 

ନିଶବ୍ଦ ଶୋକ

 

ଦେଶର ଏ ଦିଗଂତରୁ ଦ୍ୱୀପସବୁ ଦୂରଦୂରାଂତର

ବରଫର ବର୍ଛା ବାଜି ବୁଡ଼ିଯାଏ ବାହୁଡ଼ା ବୋଇତ

ପୂର୍ବର ପ୍ରଥମପକ୍ଷୀ ପାରିହୁଏ ପଶ୍ଚିମ ପ୍ରାଂତର

ନଦୀ ଏଠି ନୀଳ ହୁଏ - ଆଉ ସେଠି ସମୁଦ୍ର ଲୋହିତ !

 

ପୀତ ପଡ଼େ ପତ୍ର ପୁଣି ସବୁଜ ସେ ବନାନୀର ପାରେ

ଚଂଦନର ବାସ୍ନା ଆସେ ଚଉଷଠି ଯୋଗିନୀଂକ ଅଂଗୁ

କଷା କୁହୁଡ଼ିରେ କିଂତୁ କାଶତଂଡୀ ଫୁଲର ପଠାରେ

ପବନ ପାଲଟୁଥିବ ପଥରରେ ପିଟିହୋଇ ପଂଗୁ !

 

ଏପାରିରେ ଅସ୍ତ ହୋଇ ସେପାରିରେ ତରା ଉଁ’ ଥିବ

ତୃତୀୟନେତ୍ରରେ ତେଣେ ଲାଖିଥିବ ଲୁହବୁଂଦିଏ ତ

ଜ୍ୱାଳାର ଏ ଜଳଧିରେ ଏଇ ବୋଧେ ଜୁଆର ଉଠିବ

ଜହ୍ନ ଉଇଁବାକୁ ଅଛି - ଆଉ ଦୁଇ ମିନିଟ୍‌ ହୁଏତ !

 

ଏ ଦୁଇମିନିଟ୍‌ ହେଉ ଶବ୍ଦହୀନ ଶୋକର ପ୍ରାର୍ଥନା

ଦୁଃଖରେ ହିଁ ଜିଉ ଆମେ, ସୁଖରେ ତ ମରିବାକୁ ମନା !

 

ଦ୍ୱୀପାଂତର

 

ସାତତାଳ ପଂକ ତଳେ ପିହୁଳୁଚି ସାତତାଳ ପାଣି

କଳାଘୁମରରେ କିଏ କୁହୁଳୁଚି କାଳୀୟ ନା କାଳ ?

ଲଂକାରୁ ଲବଂଗଦ୍ୱୀପ ... ଲହରିରେ ଲକ୍ଷେ ଲେଉଟାଣି

ଭାଗେ ଭୂମି ଭୋଗୁଅଛି ତିନିଭାଗ ଜଳର ଜଂଜାଳ !

 

ଦ୍ୱୀପଦ୍ୱୀପାଂତର ଦିଶେ ଦରିଆର ଦୀପଦଂଡି ପରି

କାଳବୈଶାଖୀକୁ କିଂତୁ କଳାପାଣି କିଳେନି କବାଟ

ରାତିର ଏ ରୋଶଣିରେ ରୁଂଧିହୁଏ ରୁଗ୍‌ଣ ରଣତରୀ

ବିଚ୍ଛିନ୍ନ ବିମାନ ଭୁଲେ ବଂଦରକୁ ବାହୁଡ଼ିବା ବାଟ !

 

ଏ ପୃଥିବୀ ସପ୍ତଦ୍ୱୀପା । ଏ ଦ୍ୱୀପରେ ଦେଶ ହିଁ ବିଦେଶ

ବିଦେଶରୁ ବାତ୍ୟା ବହେ - ଏ ଦେଶର ଦିଗ୍‌ବଳୟ ଧୋଇ

ନିୟୁତ ନିହତ ପକ୍ଷୀ । ନିଶ୍ଚିହ୍ନ ବି ନୀଡ଼ର ନିର୍ଦେଶ

ଆକାଶରୁ ଉଲ୍‌କା ଏଠି ଖସିପଡ଼େ ଖଂଡଖଂଡ ହୋଇ !

 

ବିଶେଷତଃ ବଂଦୀ ଆମେ । ଏ ଦ୍ୱୀପରେ - ତମେ ମୋ ସଂଗରେ

ବାଇଗଣୀ ବଉଦଟେ ଉଡ଼ାଇବା ବଂଧୁକ ଅଗରେ !

 

ଚିତାର ଚିତୋର୍‌

 

ଆଜି ମୁଁ ଖରାକୁ ଏଠି ଆଂଜୁଳାଏ ପାଣି ଦେଲି ଟେକି

ଘରଚଟିଆକୁ ଡାକି ବତାଇଲି : ବୁଲିଆ' ବାହାର

ମନେନାଇଁ ମାତ୍ର ମୋର - ମୁଁ ଯାଉଚି, କାହା ଯାତ ଦେଖି

ବୋତାମ୍‌ଖୋଲା ଏ ସାର୍ଟ୍‌ ମାଗିଆଣି ପିଂଧିଚି କାହାର ?

 

ଆଜି ମୁଁ ଛାଇକୁ ଦେଲି ଛାଡ଼ପତ୍ର ସାଢ଼େ ଛଅଟାରେ

ହେ ଅସ୍ତର ଦସ୍ତଖତ ! କି ଦାରୁଣ ଦିବ୍ୟ ଦିଶୁଅଛ

କେଉଁଠି କିଶୋର ହୁଏ ଶିଶୁଜହ୍ନ ଶିବର ଜଟାରେ

ଏ ସବାଲ୍‌ ସାମନାରେ ସାନ ସେଇ ସାତତାଳଗଛ !

 

ପୂର୍ବରେ ତ ପୃଷ୍ଠଭଂଗ। ପଶ୍ଚିମରେ ପତକା ପତନ

ମଉଳୁଚି ମଉଛୁକ ମଲାଘୋଡ଼ାଟାଂକଟାକୁ ମାପି...

ଅଧବାଟେ ଅଟକାଏ ଆଜି ମତେ ଉତ୍ତରାପବନ

ଦେଖ ମୋ ଦକ୍ଷିଣଦିଗ ଦରିଆରୁ ଦେଶାଂତରବ୍ୟାପୀ !

 

ହେ ଭଂଗାନିଦର ନିଆଁ, ହେ ମୋ ଭଲ ପାଇବାର ଭୋର୍‌,

ଚୈତକର ଚରାଭୂମି ଚିହ୍ନିଚି କି ଚିତାର ଚିତୋର୍‌ ?

 

ପଟଭୂମି

 

ଏ ପ୍ରମୋଦ ଉଦ୍ୟାନରେ ପାପ ବଢ଼େ ଫୁଲଗଛ ପରି

ପଡ଼ାପଡ଼ା ପଢ଼ାହୁଏ ପୁଣ୍ୟ ପାଇଁ ପରକୀୟା ତତ୍ତ୍ୱ

ନାରୀକୁ ନିବସ୍ତ୍ର ଆଉ ନଗରୀକୁ ନିଷ୍ପ୍ରଦୀପ କରି

ରାଜସୂୟଯଜ୍ଞ ରଚେ ରାଷ୍ଟ୍ରାୟତ୍ତ ରାତ୍ରିର ରାଜତ୍ୱ !

 

ଦିନ ସିଝେ ଦାବାଗ୍ନିରେ, ଦ୍ୱିପ୍ରହର ଦୀର୍ଘ ଅସ୍ୱସ୍ତିରେ

ପିଗିଳିଚି ପିଚୁରାସ୍ତା ... ପାଦକୁ ବି ପାଉନାଇଁ ଜୋତା

ହେ ବଂଧୁ ବଂଧୁକସବୁ ବଂଧକ ତ ବଇରୀ ବସ୍ତିରେ

ପୁଳାପୁଳା ପାଉଁଶରେ ଫଗୁଣର ଫୁଲଧନୁ ପୋତା !

 

ଗୁଳିସବୁ ଗୁଲାମ୍‌ ଏ ଗୁପ୍ତଘାତୀ ଯୋଜନାର ଜାଲେ

ଶରସବୁ ଶରଣାର୍ଥୀ ଶୋଣିତାକ୍ତ ଶ୍ରେଣୀର ସଂଗ୍ରାମେ

ଚାଳିଆରୁ ଚାହିଁଦେଖ, ଚାତକର ଚାତୁର୍ମାସ୍ୟ ଚାଲେ

ସେ ଯବକ୍ଷେତକୁ ଯିବା - ଏବେ ନୁହେଁ, ଆଉ କେବେ ଆମେ !

 

ଅଧୁନା ଅଧୁରା ଥାଉ ଅପର୍ଯାପ୍ତ ଅପେକ୍ଷା ଏଠାରେ

ଅଧ୍ୟୁଷିତ ଅଧିତ୍ୟକା ଆମକୁ ତ ଆଖି ଏବେ ଠାରେ !

 

ଚିତ୍ରଭୂମି

 

ତାଲୁକାର ତାଲିକାରେ ତାରିଖର ତାଳପତ୍ରପୋଥି

ପଛରେ ନିଆଁର ନଈ, ଆଗରେ ତ ଅଂଗାରଗଡ଼ିଆ

ପଡ଼ିରହେ ପରିତ୍ୟକ୍ତ ପତାକାର ପତିଆରା ପୋତି

ପଥରର ପାନିପଥ - ପାଉଁଶର ପଲାସୀ ପଡ଼ିଆ !

 

ସନର ସନଂଦସବୁ ସମୟର ସାନସାନ ସ୍ମୃତି

କେଶରୀର କଟକରେ ଗଂଗ ଗଢ଼େ ଗୋଲାକାର ଗଡ଼

ସୂର୍ଯବଂଶ । ଚଂଦ୍ରବଂଶ । ଏତେ ଅଂଶ, ଏତେ ଅନୁକୃତି

ବର୍ଗୀର ବର୍ଛାରେ ବୋଧେ ଦିଗଦିଗ ଦିଗଂତ ଦିଗଡ଼ !

 

କୋଣାର୍କର କଳାଘୋଡ଼ା ଖଂଡଗିରି ହାତୀଗୁଂଫା ହତା

ମାଡ଼ିନାଇଁ ମୋଟେହେଲେ । ମଟାଳରେ ମାଟିହାଂଡି ମାଆ,

ଆଂଠେଇପଡ଼ି ମୁଁ ଆଜି ଇତିବୃତ୍ତ ଆଡ଼ାଏ ଅଯଥା

ଆରିଶିର ଆରପଟୁ ଉଂକିମାରେ ଆଦିବାସୀ ଗାଆଁ !

 

ଫରେଷ୍ଟ୍‌ ପାର୍କ୍‌ର ଫୁଲ ଫୁଟିଲେ ବି ଫରକ୍‌ ପଡୁନି

କୁଢ଼େଇଚି କଂଧମାଳ କୋଉକାଳୁ କଢ଼ କୁନିକୁନି !

 

ଯୁଦ୍ଧଭୂମି

 

କି ଧୂସର ଧୂଳିଝଡ଼ । ଧୂମାଳରେ ଧରୁନାଇଁ ଧୂନି

କଠଉ ବି କେଇଖଂଡ - କରେଣ ତ କଂପେ କମଂଡଳୁ

ମହାଭାରତର ମୋଡ଼େ ମୌନବ୍ରତ ମାନିନିଏ ମୁନି

ଭାରତକୁ ଭାରଉଛି ଭୁଜଂଗମ ଭିନ୍ନ ଭୂମଂଡଳୁ !

 

ଏମାନେ ଏଠାରେ ଏବେ କିଏସବୁ ? କୌଂତେୟ ନା କୁରୁ ?

ଯଦୁବଂଶୀ ଯୁବଯୂଥ ? ଯୁଦ୍ଧଭୂମି ଯୋଜନଯୋଜନ...

ଅଂତସତ୍ତ୍ୱା ଅବଳାର ଆର୍ତି ଆସେ ଆଜି ଅଂତଃପୁରୁ

ଜତୁଗୃହେ ଜାତି ଜଳେ ... ଜେତବନେ ଯବନ ମୋ ଜନ !

 

ଏ କିଲ୍ଲାର କର୍ତା କିଏ ? ଏ କରୁଣ କବଲା କାହାର ?

ମୁଁ ଫେରୁଚି ଫାଲ୍ଗୁନରେ ପ୍ରଭାସର ପୌରାଣିକ ପୀଠୁ

ଦେଶାଂତରୀ ଦେହରକ୍ଷୀ । ଦରିଆରେ ଦ୍ୱାରକାର ଦ୍ୱାର

ଏଥର ଆରଂଭ ହେଲା ଏରକାର ଏରୁଂଡି ଏଇଠୁ !

 

ସୁଡ଼ଂଗରେ ସୋରଶବ୍ଦ । ସବାଶେଷ ସହର ସରିଲା

ଗୋଟାଗୋଟା ଗୁଳି ଗଣେ ଗଡ଼ଜାତି ଗାଆଁର ଗରିଲା !

 

ଯଜ୍ଞଭୂମି

 

ସାଲ୍‌ସବୁ ସାରିଚି ମୁଁ ସାମରିକ ଶାସନ ସେବାରେ

ଶଂକିନାଇଁ ଶତ୍ରୁସେନାସାମଂତଂକ ଶତସିଂହନାଦେ

ଏ ଯଜ୍ଞଭୂମିରେ ଯଦି ଯୁଦ୍ଧବାଦ୍ୟ ବଜାଂତା କେ ବାରେ

ପୁନରାୟ ପୁଚ୍ଛ ପିଟି ନାଚଂତି ମୁଁ ନାଲପିଂଧା ପାଦେ !

 

ଖରା କ’ଣ୍‌ ତରା କ’ଣ୍‌ - ମେଘ ମାଘ - କିଛି ମାନିନି ତ

ମୋ ମହାନ୍‌ ମହାଭୌମ ମୃଗୟାରେ ମାତିଥିବାବେଳେ

ଏ ଯଜ୍ଞଭୂମିରେ ଯଦି ବୋଲଂତା କେ ଜାତୀୟସଂଗୀତ

ମୁଲକର ମଂଗଳ ମୁଁ ମନାସଂତି ମୁନିଋଷିମେଳେ !

 

ପାତ୍ରମଂତ୍ରୀ ପାର୍ଷଦରୁ ଚତୁରଂଗୀ ଚମୂପତିଯାଏଁ

ଚିହ୍ନି ମତେ ନାହାଂତି କେ ? ଅନାଂତି ବି ଅନେଶୋତ ରାଣୀ

ହେ ଯଜ୍ଞଭୂମିର ଯୂପ, ଆଜି କିଂତୁ ଯୁଆଡ଼େ ମୁଁ ଚାହେଁ

ଆଗରେ ମୋ ଉଭାହୁଏ ଅସ୍ତାବଲ କାହିଁକି କେଜାଣି !

 

ଯେହେତୁ ଯାଇଚି ସରି ଜୟଯାତ୍ରା ଯୋଜନଯୋଜନ

ଆଉ ଏକ ଯାତ୍ରାରେ କି ଯିବାକୁ ମୁଁ ଏତେ ଆୟୋଜନ ?

 

ତୀର୍ଥଭୂମି

 

ହାୱାରେ ହିଁ ଅଟକିଛି ଅଚାନକ୍‌ ଆଲଟଚାମର

ରିକ୍ତ ରାଜକୋଷ ପରି ରଇତର ଋଣୀ ରକ୍ତକୋଷ

ସମସ୍ତ ଶୂନ୍ୟତା ସତ୍ତ୍ୱେ ଏଯାବତ ଅଛି ତ ଆମର

ଭଲପାଇବାର ଯେତେ ଉପବାସ, ଯେତେ ଭୋକଶୋଷ !

 

ଅଥଚ ଆତଂକ ଆସେ ଅତିକାୟ ଆନାକୋଂଡା ପରି

କ୍ରୋଧ କ୍ରମେ କାଳକେୟ କ୍ରୋଶକ୍ରୋଶ ଆକ୍ରୋଶରେ ଏବେ

ଇତର ଏ ଇଲାକାରେ - ଇତସ୍ତତଃ ଈଶ୍ୱରଈଶ୍ୱରୀ

ଅଫଳଂତି ଆଶିଷ ନା ଅକଳଂତି ଅଭିଶାପ ଦେବେ ?

 

ନଷ୍ଟଭୂମି । ଭ୍ରଷ୍ଟଭୂମି । ପୃଷ୍ଠଭୂମି : ପୃଥିବୀ ପୃଷ୍ଠାରେ

ବିଚ୍ଛୁରିତ ବିବରଣୀ ବିଜୟୀର ବୀରତ୍ୱରେ ଭରା

କ୍ଷୟ କିଂତୁ କ୍ଷାତ୍ରକୁଳ କୌମଳିର କୁଳୀନ କୁଠାରେ

ପାଉଁଶ ତ ପାଛୁଡୁଚି ପଉଷର ପାଣିଚିଆ ଖରା !

 

ଏ ଚର୍ମପାଦୁକା ଦୁଇ ଦୂବପତ୍ର ଦିଏ ଯହିଁ ଦଳି

ତା’ଇ କି ମୋ ତୀର୍ଥଭୂମି - ଦିଶେ ମତେ ଭଗ୍ନସ୍ତୂପ ଭଳି ?

 

ମାତୃଭୂମି

 

ଦେବକୀ ଦେବକୀ ଦିଶୁ ହଜୁରଂ‌‍କ ହରେକ୍‌ ହାଜତେ

ଦିନସବୁ ଦାୟଗ୍ରସ୍ତ । ମେହନତୀ ମିଆଦର ଦିନ

ମିଳେ ମାତ୍ର ମଧ୍ୟରାତ୍ର ମୁକ୍ତିର ଏ ମୁଚାଲିକା ମତେ

ମାଆଲୋ ତୋ ମାଟି ମୋର ମାନଚିତ୍ର ମାଲିକାନାଧୀନ !

 

ଯାବତ ମୋ ଯାତନାରେ - ତୁ ଯେମିତି ଯଶୋମତୀ ମାଈ

ମଣିମାଂକ ମର୍ଜିରେ ତୋ ମୃଗକୁ ମୋ ମଧୁବନ ମନା

ମରହଟ୍ଟୀ ମେଘଦୂତ ମୁହାଁଉଚି ମୋଗଲ୍‌ସରାଇ

ଛାମୁଂକୁ ତ ଛାଇନିଦ.... ଜଣାଏ ମୁଁ : ଜାଗ ଜାହାଁପନା !

 

ଜେମାଂକର ଜାୟଦାଦ୍‌ - ଜଗିଚି ମୁଁ ଜାଗିରିଦାର୍‌ଟେ

ଫେରାର୍‌ ଫସଲ ପାଇଁ ଫେରାଦୀ ତୋ ଫଟାଭୂଇଁ ଫେର୍‌

ହାକିମଂକ ହୁକୁମ୍‌ରେ ହାଇ ମାରେ ହାବିଲ୍‌ଦାର୍‌ଟେ

କଚାରାସ୍ତା କଡ଼େକଡ଼େ କଚାଡ଼େ ତୋ କାଚ ମୁଁ କାଫେର୍‌ !

 

ମାଆଲୋ ତୋ ମୁଲକରେ ମାଲ୍ୟ ମିଳେ, ମୂଲ୍ୟ ମିଳୁନାଇଁ

ମୋ ଜମାନା ଜାରି ହୁଏ - ତୋ ଜମିର ଜହ୍ନିଫୁଲ ପାଇଁ !

 

ଭିଟାମାଟି

 

ଆଜି ଏଠି ଅଂଗାରରେ ଆଂକୁଚି ମୁଁ ଅଜବ ଅଜଂତା

ସହ୍ୟାଦ୍ରିର ସତୀଦାହ ସହସ୍ରାବ୍ଦ ସହୁସହୁ ସରେ

ଏ ହାତୀଗୁଂଫାରେ ହାୟ - ମୋ ହଜାରେ ହଂସ ବି ହଜଂତା

ଭୋକ ଯଦି ଭୁଆଁ ବୁଲେ ଶୋଷର ଏ ଶେଷପଉଷରେ !

 

ଯମୁନାର ଯାମିନୀରେ ଯଦୁବଂଶ ଯବନିକା ଯଦି

ଏ ନଂଦବଂଶର ନାଶ ନିରେଖିଚି ମୁଦୁସୁଲୀ ମୁରା

ଧଉଳିର ଧମନୀରେ ଦୁହିଁହୁଏ ଦ୍ରୁତରକ୍ତନଦୀ...

ଖଂଡାଲାରୁ ଖଜୁରାହୋ - ଖୁଜୁବୁଜୁ ଖୁରାଂଟିର ଖୁରା !

 

ପାନ୍ନାର ପାହାଂତି ପରେ ପୋଡ଼ିଯାଏ ପୋରୁହାଁ ପହର

ପାଉଁଶର ପାହାଡ଼ରେ ପାଂଚପଡ଼ା ପଂଚାୟତ ପାତେ

ସାବତ ସାବତ ସବୁ ସାତପର ସାହିର ସହର

ଫାହିୟାନ୍‌ ଫାଇଲ୍‌ଟା ହଳଦିଆ ହୁଏନ୍‌ସାଂ ହାତେ !

 

ହେ ଭୋକର ଭିଟାମାଟି, ମୁଁ ତମକୁ ଭଲପାଏ ବୋଲି

ଅନାହାର ମୃତ୍ୟୁରେ ବି ରଦ୍ଦ ନୁହେଁ ଋତୁର ରଂଗୋଲି !

 

ପୃଷ୍ଠବଂଧ

 

‘କାବ୍ୟପୁରୁଷ’ ୨୦୧୫ ମସିହାର ଶେଷଭାଗରେ ପ୍ରକାଶ ପାଇଲା - ଯେଉଁ ସମୟରେ ସଂକଳିତ କବିତାସବୁର ଲିଖନକାରକୁ ଷାଠିଏ ସରିଲା, ବୟସର ବର୍ଷଗଣତିରେ ।

 

ଚାରୋଟି ଦଶଂଧି ତଳେ ପ୍ରକାଶିତ ପ୍ରଥମ କବିତାବହି ‘କାଲିର କବିତା’ (୧୯୭୬)ରେ ‘କାବ୍ୟପୁରୁଷ’ ପରବର୍ତୀ କୃତିରୂପେ ବିଜ୍ଞାପିତ ହୋଇଥିବା ଜାଣି ଆଶ୍ଚର୍ଯ ଲାଗୁଚି ଏବେ । କାରଣ ଏଇ ଚାଳିଶବର୍ଷ ମଧ୍ୟରେ ‘କାବ୍ୟପୁରୁଷ’ ନୁହେଁ, ୨୦୧୧ ମସିହା ପର୍ଯଂତ ବିଭିନ୍ନ ଶୀର୍ଷକରେ ଏକାଧିକ ସଂସ୍କରଣ ସହ ପ୍ରକାଶ ପାଇଚି ବରଂ ୧୧ଟି ବହି - ‘କାଲିର କବିତା’କୁ ବାଦ୍‌ ଦେଇ । ଏଯାବତ୍‌ ସବୁତକ କବିତା ବହିକୁ ତାଲିକାଧୀନ କରାଗଲେ ‘କାବ୍ୟପୁରୁଷ’ ହେବ ୧୩ ନଂବର ବହି ।

 

ସେବର ବିଜ୍ଞପ୍ତ ସୂଚନାଟିକୁ କାହିଁକି କେଜାଣି ସତ୍ୟପାଠରୂପେ ମାନିନେଇ ଏ କୃତିର ଶୀର୍ଷକ ଭାବରେ ବ୍ୟବହାର କରିବାକୁ ଇଚ୍ଛା ହେଲା ଏବେ । ଅତଏବ ଅନେକବର୍ଷ ଆଗର ସେଇ ଇଚ୍ଛାର ହିଁ ଇତସ୍ତତଃ ଇସ୍ତାହାର ଏ ‘କାବ୍ୟପୁରୁଷ’ ।

 

୨୦୧୧ ମସିହାରେ ପ୍ରକାଶିତ ‘ଚାରଣଚର୍ଯା’ର ଏହା ପରବର୍ତୀ କୃତି । ମାତ୍ର ଏଥିରେ ପତ୍ରସ୍ଥ ଅଧିକାଂଶ କବିତାର ରଚନାକାଳ ‘ଚାରଣଚର୍ଯା’ର ଦଶବାରବର୍ଷ ପୂର୍ବବର୍ତୀ । ଏପରିକି ଏ ବହିର ପ୍ରଥମ କବିତା ‘ବୋଉ’ ତ ଷୋଳବର୍ଷ ତଳ ଗୋଟିଏ ତାରିଖରେ ଲେଖା - ୧୯୯୯ ନଭେଂବର ୨୬ । ଏଇ ତାରିଖର ସପ୍ତାହକ ଆଗରୁ ସଂସାରତ୍ୟାଗିନୀ ହୋଇଥିଲେ ବୋଉ । ବଂଚିଥିବାଯାଏଁ ମୋର ସବୁ ଭୁଲ୍‌କୁ ବି ଠିକ୍‌ ବୋଲି ସର୍ବସମକ୍ଷରେ ଘୋଷଣା କରିପାରୁଥିଲେ ସେ-। ସେଦିନ ରାତିରେ ତାଂକରି ସ୍ମୃତିରେ ହିଁ ମୁଁ ତୋଳିଥିଲି ସନେଟ୍‌ର ସମାଧିଟେ ।

 

ଏସବୁ ଦୃଷ୍ଟିରୁ ପ୍ରାୟ ପଂଦରକୋଡ଼ିଏ ବର୍ଷ ଧରି ବିକ୍ଷିପ୍ତ ଭାବରେ ରଚିତ ଓ ବିଭିନ୍ନ ପତ୍ରପତ୍ରିକାରେ ବିଚ୍ଛୁରିତ ସନେଟ୍‌ସବୁର ସଦ୍ୟସମର୍ପିତ ସମାହାର - ‘କାବ୍ୟପୁରୁଷ’ ।

 

ଅତଃପର ୨୦୧୭ ମସିହା ଏପ୍ରିଲ୍‌ ମାସରେ ପ୍ରସ୍ତୁତ ଏହାର ଦ୍ୱିତୀୟ ସଂସ୍କରଣଟିରେ ଅଧିକ କେବଳ ଏକ ନୂତନ କବିତା ସଂଯୋଜିତ - ‘ଢାକା : ୦୧/୦୭’ । କବିତାଟି ଆମ ଖଂଡିତକାଳର କରାଳତାରେ ହିଁ କଂଟକିତ । ୨୦୧୬ ମସିହା ୧ଜୁଲାଇ ଶୁକ୍ରବାର ରାତିରେ ଢାକାର ଗୋଟିଏ ସ୍ପେନୀୟ ରେସ୍ତୋରାଁରେ ଧସାଇ ପଶି ହଠାତ୍‌ ଚଢ଼ଉ କରିଥିବା ଦଳେ ଉଗ୍ରଧର୍ମାଂଧ ଆତଂକବାଦୀ ଗଳା କାଟି ହତ୍ୟା କରିଥିଲେ ପ୍ରାୟ କୋଡ଼ିଏଜଣ ବିଦେଶାଗତ ନରନାରୀଂକୁ । ସେଦିନର ସେଇ ଜଘନ୍ୟ ଗଣହତ୍ୟାର ଅନ୍ୟତମ କରୁଣ ଶିକାର ଥିଲା ମାତ୍ର ୧୯ବର୍ଷ ବୟସର ଜଣେ ଭାରତୀୟ ତରୁଣୀ ତାରୁଷୀ ଜୈନ । ଧର୍ମଯୁଦ୍ଧ ଦ୍ୱାହିରେ ସଂଘଟିତ ଘୃଣିତ ଘାତକତଂତ୍ରର ଏଭଳି ଏକ ଉନ୍ମତ୍ତ ଅବିଚାରିତା ପ୍ରତି ପ୍ରକଟିତ ତୀବ୍ର ପ୍ରତିକ୍ରିୟାରୁ ହିଁ କବିତାଟିର ଜନ୍ମ। ଏଥିସହ ୨୦୧୯ ମସିହାର ଏହି ତୃତୀୟ ସଂସ୍କରଣରେ ସଂଯୋଜିତ ‘ମଥୁରା’ କବିତାଟି ମଧ୍ୟ ମୌଳବାଦୀ ମରୀଚିକାର ମର୍ମବିଦାରକ ମନୋଲିଖନିକା । ୨୦୧୭ ମସିହା ୨୨ ଜୁନ୍‌ ଗୁରୁବାର ସଂଧ୍ୟାରେ ଦିଲ୍ଲୀ-ମଥୁରାଗାମୀ ଚଳଂତା ଟ୍ରେନ୍‌ରେ ସେଦିନ ମାତ୍ର ୧୫ ବର୍ଷର ସ୍ୱଦେଶୀୟ କିଶୋର ଜୁନୈଦ୍‌କୁ, ମଝିଷ୍ଟେସନରୁ ଉଠିଥିବା ଦଳେ ଉନ୍ମତ୍ତ ରେଳଯାତ୍ରୀଂକ ନିର୍ଦୟ ଛୁରାମାଡ଼ଯୋଗୁ, ଅକାଳ-ବିଦାୟ ନେବାକୁ ପଡ଼ିଥିଲା, ଇଦ୍‌ର ଜହ୍ନ ଉଇଁବାକୁ ଅପେକ୍ଷା କରିଥିବା ଏ ଦୁଆଉଜୁଡ଼ା ଦୁନିଆରୁ।

 

ଭଂଗା ଭାରତର ଦର୍ପଣରେ ଏବେ ବି ମୁହଁ ଦେଖୁଚି ଆମ ବର୍ଷମାସଦିନଦଂଡର ମୁସ୍ତେଜ ମୁସାଫିର୍‌! ମନେହେଉଚି, କରୁଣ କ୍ଷତଚିହ୍ନିତ ଖବରର କବିତାସବୁ ଯେମିତି କ୍ରମେ ପାଲଟୁଚି ଆମ ସମୟର କଳାଅଂଗାରରେ ଲେଖା କବରଲିପି ଗୋଟିଏ ଗୋଟିଏ - ଅଥଚ କାପୁରୁଷ ହେବାକୁ ଏକବାରେ ନାରାଜ୍‌ କାବ୍ୟପୁରୁଷକୁ, ତତଲାତାରିଖଗୁଡ଼ାକର ନୁଖୁରା ପାଉଁଶତଳୁ ନିଆଁର ଅନିଭା ଅକ୍ଷରାସ୍ଥି ଗୋଟେଇଆଣିବା ଛଡ଼ା, ଅନ୍ୟୋପାୟ ବା କାହିଁ କେଉଁଠି ?

 

ବିଦାୟବହୁଳ ବିବିଧ ବ୍ୟଥାମୟତାରେ ବଡ଼ ବିବିକ୍ତ ଏ ବିଚିତ୍ର ବେଳବୁଡ଼ ଆମର! ମନେହୁଏ, ସବୁ ସଦ୍ୟଭାରତୀୟ ସଂଧ୍ୟା ଯେମିତି ଗୋଟିଏଗୋଟିଏ ମର୍ମଂତୁଦ ମାୟାସଂଧ୍ୟା ।

 

...

ଅନେକ ଦୃଷ୍ଟିରୁ ‘କାବ୍ୟପୁରୁଷ’ ମୋର ଦୀର୍ଘକାଳୀନ କାବ୍ୟକ୍ରମ ମଧ୍ୟରେ ଏକ ବ୍ୟତିକ୍ରମ-। ସ୍ଥାନ-କାଳ-ପାତ୍ରର ପରିଧିରୁ ନିଜ ଚତୁର୍ଥ-ପରିସରଟିକୁ ତଲାସ କରିବାର କିପରି ଏକ ନିଃଶବ୍ଦ ନିବିଷ୍ଟତା ମୁଁ ଅନୁଭବ କରୁଛି ଏ କୃତିର ଅନେକ ସ୍ଥଳରେ ।

 

ପୂର୍ବପୁରୁଷ, ପିତୃପୁରୁଷ, ଉତ୍ତରପୁରୁଷ ... ସମସ୍ତଂକ ଅସ୍ତଉଦୟର ଛାୟାଲୋକରେ ଯେପରି ମାୟାମନୁଷ୍ୟର କାୟାଂକନ କରୁଚି ‘କାବ୍ୟପୁରୁଷ’ର ଆତ୍ମପୁରୁଷ । ‘ମାୟାମନୁଷ୍ୟ’ ଶବ୍ଦସୂତ୍ରଟିର ଉଲ୍ଲେଖ ରହିଛି ଜଗନ୍ନାଥ ଦାସଂକ ଭାଗବତର ଦଶମ ସ୍କଂଧରେ : ବ୍ରହ୍ମାର ବଚନେ ମୁରାରି / ମାୟାମନୁଷ୍ୟ ରୂପ ଧରି । ପୌରାଣିକ ପରିଚିତି ଦୃଷ୍ଟିରୁ ‘ମାୟାମନୁଷ୍ୟ’ଟି ବିଷ୍ଣୁଂକର କୃଷ୍ଣାବତାର, ମାତ୍ର ତାତ୍ତ୍ୱିକ ଅର୍ଥରେ ବିଷ୍ଣୁ କିଏ ? ଅନାଦି ଅନଂତ - ସୂକ୍ଷ୍ମାର୍ଥରେ ‘ସମୟ’ ସ୍ୱରୂପ - ଯାହାର ଅମାପ ଆଁ’ରେ ଚଉଦ ଭୁବନର ଚମକପ୍ରଦ ଚିତ୍ରଚାଳନା କି ଅଦୃଶ୍ୟ ଅଣୁଶରୀରାଂଶରେ କେବଳ ‘ବ୍ରହ୍ମାଂଡ ମାଳମାଳ ହୋଇ / ତୋ ଲୋମକୂପେ ବିରାଜଇ’ର ବଚନାତ୍ମକ ବର୍ଣନା ନାହିଁ, ଅଛି ମଧ୍ୟ ମୁହୂର୍ତରୁ ମନ୍ୱଂତରଭେଦୀ ଖଂଡକାଳ ଓ କାଳଖଂଡ ଏକାଦିକ୍ରମେ ବିଲୀନ ହୋଇଯିବାର ବିଶ୍ଳେଷାତ୍ମକ ବ୍ୟଂଜନା ।

 

‘କାବ୍ୟପୁରୁଷ’ର ଆତ୍ମପୁରୁଷଟି ପାଇଁ ଏ ସମୟ ହେଉଚି ଏକ ଉତ୍ତରକ୍ରାଂତିର ଉଚ୍ଚାରିତ ଉପଲବ୍‌ଧି : ଏ ସମୟ ଅସମୟ ।

ମାୟା ଓ ମନୁଷ୍ୟ : ଏ ସମୟର ସଂଧି ଓ ସମାସ । ମାତ୍ର ମାୟାମନୁଷ୍ୟ : ସତ୍‌ପ୍ରେରିତ ତତ୍‌ପୁରୁଷ ।

 

ସମଧିକ ସ୍ମୃତି, ସଂଶୟ, ଶୋକ, ସଂତାପ, ସଂତ୍ରାସ, ସଂଘାତ, ସ୍ୱପ୍ନଭଂଗରେ କବିତା କେମିତି କଳାଫୁଲଧନୁଟାଏ କେତେବେଳେ ! ନିଜ ନିର୍ଜନ କୁରୁକ୍ଷେତ୍ରରେ କାବ୍ୟପୁରୁଷକୁ ସଂଧାନ କରିବାକୁ ପଡ଼ୁଚି ଶବ୍ଦଭେଦୀ ଶରସବୁ । ପଛରେ ପାଉଁଶର ପରଂପରା, ପଥରର ପ୍ରଥା, ଶିଉଳିର ସଂସ୍କୃତି, ଶିମୁଳିର ସଭ୍ୟତା - ଆଗରେ ଅବଶ୍ୟଂଭାବୀ ଅବପାତ !

 

ଶବ୍ଦର ଶୀତଋତୁ ନ ସରୁଣୁ କାବ୍ୟସ୍ୱରରେ ସଂଚରୁଚି ଏକ ସାଂଯୁଗୀନ ସଭ୍ୟତାର ସଂଧିକ୍ଷଣ । କବିତାକୁ କଲମରେ ନ ଲେଖି ତୂଳୀ ଧରି କାନ୍‌ଭାସ୍‌ରେ ଆଂକିଲେ ଉକୁଟିଉଠିବ ଅଧାଜଳା କଳାଅଂଧାରପରି ଅଜସ୍ର ଅକ୍ଷର ... କେଉଁଠି କେଉଁଠି ବିଚ୍ଛିନ୍ନ କେତୋଟି ବିଂଦୁ ... ଅଳ୍ପ ପୂର୍ଣଚ୍ଛେଦ, ଅଧିକ ପ୍ରଶ୍ନବାଚୀ ଆଉ ବିସ୍ମୟବାଚୀ - ମୋଟାମୋଟି ଗୋଟାଏ ଭିନ୍ନ ଭୂଚିତ୍ରର ବିକଳ ବିକଳ୍ପ ପରି ବିଭିନ୍ନ ରୂପକଳ୍ପର ରେଖାଚିତ୍ର ! ଏହା ଏଭଳି ସମୟ ଯେ ଶୂନ୍ୟତାକୁ ସମୁଚିତ ରଂଗ ଦେବାର ଦାୟିତ୍ୱ ସେଇସବୁ ଶବ୍ଦ ଉପରେ, ଯେଉଁସବୁ ଶବ୍ଦର ଆବାହନ ଓ ସଂସ୍ଥାପନ ଅପେକ୍ଷା କରିଥାଏ - ସମକାଳରେ ବିଷମକାଳ ଭୋଗିଚାଲୁଥିବା ଉପଯୁକ୍ତ ଉଚ୍ଚାରକମାନଂକୁ ।

 

। ୨।

କବିତା କ’ଣ କେବଳ ବର୍ଣିତବ୍ୟ ଭାବସମୂହର ଭାରବାହୀ ଭାଷାକଳ୍ପ ? ଅକ୍ଷରର ଅକ୍ଷମତା ଆଉ ଶବ୍ଦର ସାମର୍ଥ୍ୟହୀନତାଆଡ଼କୁ ଆଡ଼ଚାହାଣିରେ ଅନାଇ ଅନେକ ସମୟରେ ତ ମୃଦୁମୃଦୁ ହସୁଥାଏ ଖୋଦ୍‌ କବିତା ! ଇଏ କ’ଣ ହସ ? ଇଏ ଶ୍ଳେଷ - କିଂତୁ କବିଟି ପକ୍ଷରେ କ’ଣ କମ୍‌ ଶୋକାବହ ? କେବେକେବେ କେତୋଟି ସ୍ମୃତି ଯେତେବେଳେ ସମୟାଂତରର ଶୀତନିଦ୍ରା କଟାଇସାରିବା ପରେ, କେଉଁଠିନାକେଉଁଠି କେଉଁ ପଙ୍‌କ୍ତିରେ ସ୍ୱତଃସ୍ପଂଦିତ ହେବାକୁ ଆରଂଭ କରିଥାଏ, ସେତେବେଳେ କାବ୍ୟିକ କ୍ରିୟାର ଅଂତଃପ୍ରକ୍ରିୟାରେ ଏହା ଏକ ଅଘଟନ-ସଂଘଟନ ନୁହେଁ କି ? କବିସତ୍ତାରେ ବ୍ୟକ୍ତିସତ୍ତାର ଏ ଅପ୍ରତ୍ୟାଶିତ କାୟାପ୍ରବେଶ ବା ଇଚ୍ଛାତୀତ ଅନୁପ୍ରବେଶ କି ବ୍ୟାପାର ? ଧାନପତ୍ରର ଗାଆଁ କଥା କହୁକହୁ କବିତାରେ ପାନପତ୍ରର ମୁହଁଟି ମନେପଡ଼ିଯାଏ କାହିଁକି ? ଦରଭଂଗା ଦେଉଳକାଂଥର ଯୋଡ଼ିଏ ପଥର ଆଖି ବାବଦରେ ଲେଖୁଲେଖୁ କୋଡ଼ିଏ ବର୍ଷ ଆଗର କେଉଁ ଲାଜକୁଳୀ ଆଖିଦୁଇଟିର ଲୁହ ଦି’ବୁଂଦା ଦିଶିଯାଏ କେମିତି, ତା ପୁଣି ସେଇ ପଥର ଆଖିର ଉଆଁସରେ ମିଶିଗଲା ପରି ? ଏଇଭଳି ଅନେକ ଅଭାବିତ ଆଭାସଚିତ୍ର ଆକସ୍ମିକ ଭାବରେ ଫୁଟିଉଠିଥାଏ ଫୁଂଗୁଳା ଫର୍ଦଗୁଡ଼ିକରେ । କେତେବେଳେ କବିତାର କେଂଦ୍ରବିଂଦୁକୁ ପରିଧିସ୍ଥ କରିରଖିଥିବା ଧାଡ଼ିଏ ଦିଧାଡ଼ି ଅକ୍ଷର ତ ମନେହୋଇଥାଏ ଅଲିଖିତ ଡାଏରିର ଅଂତରଂଗ ଅଂଶ ! କବିତାରେ କାକତାଳୀୟ ନୁହେଁ ଏପରି ଅବ୍ୟାପାର । ସତ୍ତା ଓ ସ୍ମୃତି ମଧ୍ୟରେ ଏହା ହେଉଛି ଏକ ସଂଗୋପିତ ସଂଯୋଗାତ୍ମକ ସୂତ୍ରାୟନ।

 

କାବ୍ୟପୁରୁଷର ଇଚ୍ଛା-ଅନିଚ୍ଛାକୁ ଅପେକ୍ଷା ନ ରଖି ଏହା ଘଟେ, ନିୟମିତ ଘଟେ, ରୀତିମତ ଘଟେ, ଏବଂ ଏଇଥିପାଇଁ ତ ଏହା ଗଦ୍ୟ ନ ହୋଇ କବିତା ! ଗୋଟିଏ ତାରରେ ସାତଟି ସୁର ଶିହରିତ ହୋଇପାରିବା ଭଳି ଗୋଟିଏ ଧାଡ଼ିରେ ଗୁଡ଼ିଏ ଗୁଂଜନ ଗାର କାଟିଥାଏ କବିତାରେ-। ବିଷୟ ଓ ବସ୍ତୁ ଯୋଡ଼ିହୋଇଯାଏ ଭାବ ଓ ଭାଷାର ଭାଗାନୁପାତିକ ଭାସ୍କର୍ଯରେ । ସମୟ ଓ ସ୍ଥାନ ଜଡ଼ିହୋଇଯାଏ ସଂବିତ୍‌ ଓ ସଂକେତର ସ୍ଥିତିସ୍ଥାପକୀୟ ସ୍ଥାପତ୍ୟରେ । ଅନେକ କ୍ଷେତ୍ରରେ ବ୍ୟକ୍ତି ଓ ଅଭିବ୍ୟକ୍ତି ମଧ୍ୟରେ ବିଭାଜକ ରେଖା ନ ହୋଇ କବିତା ହୋଇଉଠିଥାଏ ଏକ ସଂଯୋଜକ ଶବ୍ଦସେତୁ ।

 

ଏହି ଦୃଷ୍ଟିରୁ ଗଦ୍ୟର ଭାଷାଠାରୁ କବିତାର ଭାଷା ଭିନ୍ନ । ଗଦ୍ୟ ତ ନିୟମ ମାନେ, ଯୁକ୍ତି ମାନେ, ତର୍କ ମାନେ, ବିତର୍କ ବି । କବିତା ମାନେନି ଏସବୁ । ସୀମା ବାହାରେ ତା ରେଖା । ବର୍ଣନା ଓ ବ୍ୟାଖ୍ୟାନର ବ୍ୟାପ୍ତିଠାରୁ ଅନେକ ଊର୍ଧ୍ବରେ କବିତା ଖୋଜୁଥାଏ ଆଉଗୋଟିଏ ଅଲଗା ଧରଣର ଉଚ୍ଚତା । ସେଥିପାଇଁ ଆଭାସ ହିଁ ତା ଆକାଶ, ବ୍ୟଂଜନା ହିଁ ତା ବିମାନ, ଚେତନା ହିଁ ତା ଚକ୍ର । ବରଂ କବିତା ସେଇ ଭାଷା - ‘ପକ୍ଷୀଏ ଯାର ବ୍ୟାକରଣ’ ! ଉଦ୍ଧୃତ ଏଇ ନବାକ୍ଷରୀ ନିଷ୍କର୍ଷଟିକୁ ଭାଗବତର ‘ଭାଷାପ୍ରବଂଧ’ରେ ଭେଟୁ, ଭାଷ୍ୟକାରିତାର ଭବ୍ୟନିବଂଧରେ ଭେଟୁ କି ?

 

ସାଂଧ୍ୟଭାଷାରୁ ସାଂଦ୍ରଭାଷାଯାଏଁ କାବ୍ୟଭାଷାର ବହୁବିଧ ବିଚରଣଭୂମି । ଗଦ୍ୟର ଭାଷା ପରିଚ୍ଛନ୍ନତା ପ୍ରତି ଲକ୍ଷ୍ୟ ରଖିଥିବାବେଳେ କବିତାର ଭାଷା ପ୍ରଚ୍ଛନ୍ନତା ପ୍ରତି ଲୟବଦ୍ଧ । ଶୈଳୀଟିଏ ଗଦ୍ୟର ଶୈବଧର୍ମ, ମାତ୍ର ଭଂଗୀଟିଏ କବିତାର ବୈଷ୍ଣବକୃତ୍ୟ । ସେଥିପାଇଁ କବିତାର ଗୋଟିଏ ଧାଡ଼ିରେ ଶବ୍ଦସମାଜର ସଭାଜନ ଓ ଅଭାଜନବର୍ଗ ସମାସୀନ - ଏକଇ ପଙ୍‌କ୍ତିରେ ‘ଅସ୍ଥି’ ଆଉ ‘ହାଡ଼’ ଏକାଠି । କବିତାର ଭଂଗୀରେ ସବିଶେଷ ଶବ୍ଦ ନିର୍ବାଚନ ଦୃଷ୍ଟିରୁ ଏହା ଗୋଟିଏ ମଣିପ୍ରବାଳଖଚିତ ଗୁଣ, ମାତ୍ର ଗଦ୍ୟର ଶୈଳୀରେ ସାଧାରଣତଃ ଏହା ଗୋଟିଏ ଗୁରୁଚଂଡାଳସୂଚିତ ଦୋଷ ! ଗଦ୍ୟରେ ଯେଉଁ ଶବ୍ଦ ଶିବଧନୁ, କବିତାରେ ତାହା ଇଂଦ୍ରଧନୁ - ଅନେକ ରଂଗର ଅର୍ଥପ୍ରକ୍ଷେପକ । ପରଂପରାକ୍ରମେ କାବ୍ୟଭାଷା ପସଂଦ କରିଆସିଛି ଏଇଭଳି କ୍ରମବିକଶିତ ବ୍ୟତିକ୍ରମ ।

 

ଭାଷାକୁ ବିଭିନ୍ନ ବର୍ଣର ବସ୍ତ୍ରଦାନ କରିବାଟା ଏକପ୍ରକାର ସ୍ୱତଃପ୍ରବୃତ୍ତ କାବ୍ୟିକତା । ସେଥିପାଇଁ ଲୁପ୍ତଶବ୍ଦର ପୁନରୁଦ୍ଧାର, ଅପ୍ରଚଳିତ ଶବ୍ଦର ପୁନଃପ୍ରୟୋଗ, ଏପରିକି ମୃତଶବ୍ଦର ପୁନର୍ଜୀବନାୟନ ସହିତ ସଦ୍ୟନୂତନ ଶବ୍ଦସଂଗଠନ ମାଧ୍ୟମରେ ଉତ୍ତିଷ୍ଠମାନ ଅର୍ଥଦ୍ୟୋତକତାର ବିଚିତ୍ର ବିସ୍ତାର, କେବଳ କବିତା କ୍ଷେତ୍ରରେ ହିଁ ଲକ୍ଷ୍ୟ କରାଯାଇଥାଏ ବିଶେଷ ଭାବରେ ! ଚିଂତନଚର୍ଯାରେ ଗଦ୍ୟ ଏକ ଭାଷିକ ଭିତ୍ତିର ଭୂମିଟିଏ କର୍ଷଣ କରୁଥିବାବେଳେ ଚିଦାଭାସ-ଚିତ୍ରଣରେ କବିତା ଅଂକନ କରୁଥାଏ ଏକ ବାଚିକ ବିସ୍ତୃତି ।

 

କବିତା ଓ ଗଦ୍ୟ - ଅହିନକୁଳ ନୁହଂତି କେହି କାହାର । ବରଂ କବିତାର କରସ୍ପର୍ଶରେ ମୋକ୍ଷ ପାଇଯାଂତି ଗଦ୍ୟଗତ ଶବ୍ଦସବୁ । ତା ସହିତ କବିତାକୁ ମଧ୍ୟ ଅର୍ପିଦେଇଥାଂତି ଆହୁରି ଅଧିକ ଦୈର୍ଘ୍ୟପ୍ରସ୍ଥ । ମାତ୍ର ଦୈର୍ଘ୍ୟପ୍ରସ୍ଥ ଥାଇ ଉଚ୍ଚତା ନ ଥିଲେ କବିତାର ସ୍ଥିତି ବା କେଉଁଠି ? ସଂକ୍ଷେପରେ, କବିତା ତ ଉଚ୍ଚତାରୁ ଗଭୀରତାକୁ ଉଛୁଳା ଉଜାଣିଟିଏ ! ଯେତିକି ଶବ୍ଦରେ ଆମର କଥାଭାଷା, ଯେତିକି ବାକ୍ୟରେ ଆମର ଭାବବିନିମୟ - ସେତିକିରେ କ’ଣ କାମ ଚଳିଯାଇପାରେ କବିତାର ? ସେଥିପାଇଁ ଉଲ୍ଲଂଘନ ଓ ଉଲ୍ଲଂଫନ ତା ଦୁଇଡେଣାର ଉତ୍କଂପନ । ଯେତିକି ସେ ଚାହେ ଉଡ଼ିବାକୁ, ସେତିକି ବି ଚାହେ ବୁଡ଼ିବାକୁ ।

ଉଚ୍ଚତା ତାର ଆରୋହ୍ୟ, ଗଭୀରତା ତାର ଗମ୍ୟ ।

 

ଗଦ୍ୟ ଯେତିକି କହି କଥା ସାରିବ, କବିତା ସେତିକି କହି କ୍ଳାଂତ ଓ କ୍ଷାଂତ ହେବ କାହିଁକି-? ତଥ୍ୟ, ତତ୍ତ୍ୱ, ଜ୍ଞାନ, ବିଜ୍ଞାନ, ଗଣିତ, ଶିକ୍ଷା, ଶାସ୍ତ୍ର, ସୂତ୍ର, ଦର୍ଶନ, ଭାଷ୍ୟ, ଭୂଗୋଳ, ଇତିହାସ ଇତ୍ୟାଦିରେ ଗଦ୍ୟର ଗଂତାଘର ଗଢ଼ାହୋଇଥାଉ, କିଂତୁ କବିତାର କୁଡ଼ିଆଘରୁ ଆମେ ଖୁଂଟିଆଣୁଥିବା ଖୁଦକଣିକାଏ ତ କାଳକାଳାଂତରର କୈବଲ୍ୟ ! ଯାହା ଗଦ୍ୟରେ କୁହାଯାଇପାରିନି, କବିତା ଛଡ଼ା ତାହା କହିବ କିଏ ? କିଏ ଦେବ ଦୂରଦୂରାଂତରର ସ୍ୱରଶବ୍ଦକୁ ଅତିନିକଟକୁ ଆସିବାର ଅକୁଂଠିତ ଅନୁମତି ? ପ୍ରଥମ ପ୍ରେମର ପତ୍ରମର୍ମରକୁ ଶେଷପ୍ରହରର ସ୍ୱପ୍ନରେ ଅନୌପଚାରିକ ପ୍ରବେଶାଧିକାର ? ରକ୍ତାକ୍ତ ସତ୍ୟର କ୍ଷତଚିହ୍ନକୁ ଅନୁତପ୍ତ ସ୍ପର୍ଶ ଟିକିଏ ?

 

ସ୍ମୃତି, ସଂପର୍କ, ସମୟର ସ୍ପଂଦନକୁ ନେଇ କବିତାର ସ୍ୱଗତ, ସଂଳାପ ଓ ସ୍ୱୀକାରୋକ୍ତି । ସତ୍ୟବଦ୍ଧ କବି ପକ୍ଷରେ କବିତା ହେଉଚି ସେଇ ଯାବଜ୍ଜୀବନ କାରାବାସ, ଯାହା ଭୋଗୁଥିବାବେଳେ ତା ନିଜ ଭିତରେ ହିଁ ସେ ଅନୁଭବୁଥାଏ ଅପ୍ରମିତ ଅନିର୍ବାଣ ... ବିଦାୟବିମୁଖ ବୋଧିସତ୍ତ୍ୱଂକର ବେଦନା-ବରଣ ! ବ୍ୟକ୍ତିସତ୍ତାର ଶୂନ୍ୟତା, କବିସତ୍ତାର କାରୁଣ୍ୟ, ଦିବ୍ୟସତ୍ତାର କରୁଣା - ସବୁ ସମାହିତ ହୋଇ ସାମ୍ନାରେ ଦିଶୁଥାଏ ଗୋଟିଏ ରାତି ପାହିନଥିବା ସକାଳ କି ତାରା ନିଭିନଥିବା ଭୋର୍‌...

 

ଅବାଂତର ମନେହୋଇପାରେ ଏପରି ଅବସ୍ଥା ଓ ଅବବୋଧ, ମାତ୍ର ଏହା ହିଁ କବିତାର କୃତି ଓ ସୁକୃତି ଉଭୟ । ଶବ୍ଦଜାଲରେ ବଂଧା ଚକିତ ଚିତ୍ରଗ୍ରୀବ ପରି କି ଅନିମେଷ ତା ଅନିଷା - ଭାଷାବଂଧରେ ଛଂଦା ମୁହ୍ୟମାଣ ମାୟାମୃଗ ପରି କି ମର୍ମଂତୁଦ ତା ମନୋଦଶା ! କ’ଣ ସେ କରିବ ଅବା ? ଗଦ୍ୟ ପରି ସମତଳ ନୁହେଁ କବିତାର କ୍ଷେତ୍ର । ସପ୍ତତଳରୁ ଉଠି ଅଷ୍ଟଦିଗକୁ ଅତିକ୍ରମ କରିବାକୁ ଚାହେ ସେ । ପରିକ୍ରମଣ ଓ ଅତିକ୍ରମଣ ହିଁ ତାର ଗତାଗତ, ଗମନାଗମନ ପଥ । କ’ଣ କରିବ ସେ ଏବେ ? ଶବ୍ଦକୁ କାଟିବାର ମଂତ୍ର ସୁମରିବ ନା ଭାଷାକୁ ଭାଂଗିବାର ତଂତ୍ର ସାଧିବ ସେ-?

 

କବିତାର କ୍ଷେତ୍ର ଚିରକାଳ ଏକ ଚୁଂବକୀୟ କ୍ଷେତ୍ର । ଅଧାଗଢ଼ା ଶବ୍ଦ ଆଉ ଅଧାଭଂଗା ଭାଷାକୁ ନିଜ ବାହୁବଂଧନକୁ ଭିଡ଼ିଆଣି କବିତା କ୍ରମେ ପାଲଟୁଥାଏ ଏକପ୍ରକାର ଚୁଂବନୋଦ୍ୟତ ଚୁଂବକୀୟତା ! ସ୍ଥିତି ଖୋଜୁଥାଏ ଦୋସରା ଶବ୍ଦର ସଂଭାବନା - ଭିତ୍ତି ଲୋଡ଼ୁଥାଏ ନିଆରା ଭାଷାର ଭବିଷ୍ୟ ! କବିତାର ଭାଷା ତେଣୁ ନିଜର ଏପରି ପ୍ରସାରଣଶୀଳ ପ୍ରବୃତ୍ତି ଯୋଗୁ ବେଳେବେଳେ ବିଭାଷାରୁ ଶବ୍ଦ ତୋଳିଆଣି ତଥା ଉପଭାଷାରୁ ଉପାଦାନ ଆହରଣ କରି ସୃଷ୍ଟି କରେ ପୃଥକ୍‌ ପରିଭାଷା - ଏକ ପ୍ରତୀକିତ ପ୍ରତିଭାଷା - ଏକ ଚେତନା-ପ୍ରଦାହୀ ଚିତ୍ରଭାଷା - ବିଶେଷକଥନସଂବଳିତ ଏକ ସଂକେତପ୍ରବଣ ସଂଭାଷା । ଏହି ଦୃଷ୍ଟିରୁ କେବେକେବେ ଗୋଟିଏ ଧାଡ଼ିରେ ଅନୁଭୂତ ହୋଇପାରେ ଦୁଇଟି କବିତାର ଦୁର୍ଘଟଣା; କିଂବା ଆଉକେବେ ଏକାଧିକ କବିତା ବି ପିଂଧିଥାଇପାରେ ଗୋଟିଏ କବିତାର ମୁଖା ।

 

ପ୍ରସଂଗର ପ୍ରତ୍ୟକ୍ଷ ବର୍ଣନାରୁ କବିତା ଭୋଗୁଚି କ୍ରମବିଦାୟର କାଳଖଂଡ ଏବେ । ପ୍ରେମ ଓ ମୃତ୍ୟୁ ସଂପର୍କିତ ପ୍ରସଂଗରେ ଏ ଦୁଇଟି ଶବ୍ଦର ସଶରୀର ସ୍ଥିତି ବଦଳରେ ଆମେ ବରଂ ଲକ୍ଷ୍ୟ କରିଥାଉ କିଛି ଉପଲବ୍‌ଧିଗତ ଉପସ୍ଥିତି । କେବଳ ଏତିକି ନୁହେଁ, ଅନେକ ସମୟରେ ଅନୁଭବୁଥାଉ ଯେ ପ୍ରକାରାଂତରେ ପ୍ରେମ ଏକ ମୃତ୍ୟୁ ଏବଂ ମୃତ୍ୟୁ ଏକ ପ୍ରେମ ମଧ୍ୟ । ପୁଣି କେଉଁଠି କେଉଁଠି ଏକାକାର ଏ ଉଭୟ - ଯେଉଁଠି କବିତାର ଘର ଦକ୍ଷିଣଦୁଆରୀ । ସେଥିପାଇଁ କେବେକେବେ ପ୍ରଥମ ଧାଡ଼ିଠୁ ପ୍ରାୟ ଚୌଠାଂଗୁଳ ଉଚ୍ଚରେ ଥିବା ଗାଢ଼କଳା ଅକ୍ଷରର ଲିଖିତ ଶୀର୍ଷକଟିରେ କବିତାର ମୁହଁ ନ ଦିଶୁଥାଇପାରେ, ମାତ୍ର ସବାଶେଷ ଧାଡ଼ିଟିରେ ମୁହଁଛପା ଦେଇ, ‘ଲୁଚିଚି ନା ଗୋଡ଼ ଦି’ଟା ଦିଶୁଚି’ ପରି ଅସ୍ତିତ୍ୱ ସୂଚାଉଥାଏ ତାର ଅଲିଖିତ ଅସଲ ଶୀର୍ଷକ !

 

ଅନେକ ବର୍ଷ ତଳର ବହୁ ବ୍ୟକ୍ତିଗତ ଅନୁଭୂତି କବିତାରେ କେଉଁ ଶୂନ୍ୟପୁରୁଷର ପାଦଚିହ୍ନ ପରି ଛାପ ଛାଡ଼ିଯାଉଥିବାବେଳେ ବ୍ୟବହୃତ ଭାଷା କ୍ଷେତ୍ରରେ ଧ୍ୱନି ଓ ଶବ୍ଦ ମଧ୍ୟରେ ସୃଷ୍ଟି ହୋଇଥାଏ ଏକ ଶୂନ୍ୟସ୍ଥଳ । ସେଇ ଶୂନ୍ୟସ୍ଥଳ କବିତାର ବ୍ରହ୍ମସ୍ଥଳ - ଏବଂ ଖୋଦ୍‌ କବିତାଟି ଏ ନିର୍ଗୁଣ ଶୂନ୍ୟପୁରୁଷର ଏକ ନବକଳେବର ।

 

ଏକ ପକ୍ଷରେ କବିତାର ବହୁବିଧ ପ୍ରସଂଗ ଏଯାବତ୍‌ ବଜାୟ ରହିଆସିଥିବା ସତ୍ତ୍ୱେ ଅପରପକ୍ଷରେ ଅନେକ ସାର୍ଥକ କବିତାର ଭିତ୍ତି - ପ୍ରସଂଗହୀନତା । ପ୍ରଥମରୁ ମନେହେବ, କିଛି ନାହିଁ - ଅଥଚ ଅକ୍ଷରର ଉପସ୍ଥାନ ଅଛି, ଶବ୍ଦର ସଂସ୍ଥାନ ଅଛି, ଆଉ ଅଛି ଅନୁମେୟ ଅଧିଚେତନାର ଅବଗୁଂଠିତ ଅବସ୍ଥାନ । ଏଇ ‘କିଛି ନାହିଁ’ କିଂତୁ ଏଠି ପ୍ରସଂଗହୀନତାର ପ୍ରଥମ ପ୍ରାପ୍ତିସ୍ୱୀକାର । ଅର୍ଥାତ୍‌ ଏ କ୍ଷେତ୍ରରେ ପ୍ରସଂଗହୀନତା ହିଁ ପ୍ରମୁଖ ପ୍ରସଂଗ । ଜାପାନୀ ହାଇକୁ କବିତାସବୁ ପଢୁଥିବାବେଳେ ଅଧିକାଂଶ ଏଇଭଳି ଲାଗୁଥାଏ ପ୍ରଥମରୁ । ତା’ପରେ ଦି’ଥର, ତିନିଥର, ଚାରିଥର, ପାଂଚଥର ପଢ଼ିସାରିବା ପରେ ହିଁ କିଛିଟା ଛୁଇଁଆସୁଆସୁ ଧୀରେ ଧୀରେ ଏକ ପ୍ରତ୍ୟୟ ଜନ୍ମେ ଯେ ଏଇ ପ୍ରସଂଗହୀନତାର ମଧ୍ୟ ଅଛି ଏକ ପ୍ରଚ୍ଛନ୍ନ ପ୍ରଗାଢ଼ତା - ଯାହାର ଆବେଦନ ଆମର ଷଷ୍ଠେଂଦ୍ରିୟ ପ୍ରତି । ଆଗଧାଡ଼ି, ପଛ ଧାଡ଼ି, ପରଧାଡ଼ି - କାହାର କାହା ସହିତ ମେଳ ନାହିଁ ମୋଟେ - ଭଉଁରି ଭିତରେ ଖେଳଟାଏ କିଂତୁ ଚାଲିଥିବ ଚୁପ୍‌ଚାପ୍‌ - ସଗୁଣ ବସ୍ତୁପୁଂଜ ସହ ନିର୍ଗୁଣ ଚେତନାର ଚୋରାପ୍ରୀତିମାର୍କା ଲୁଚକାଳି ଖେଳ । ପ୍ରଥମରୁ ପ୍ରସ୍ତପ୍ରସ୍ତ ପ୍ରହେଳିକା ପରି ପ୍ରତେ ହେଉଥିବା ‘କିଛି ନାହିଁ’, ଅବବୋଧର ଅଂତିମାବସ୍ଥାରେ କୁହେଳିକା କାଟି ପାଲଟିଯାଇଥାଏ - ‘କିଛି ଛାଇ’ ! ଏଇ ଦୃଷ୍ଟିରୁ ପ୍ରସଂଗହୀନତାକୁ ଉପଜୀବ୍ୟ କରିଥିବା ଅନେକ କବିତାକୁ କୁହାଯାଇପାରେ : ଅଧିଚେତନାର ଉପଚ୍ଛାୟା । ଏଭଳି କବିତାରେ ପଙ‌୍‍କ୍ତିର ପରିମିତି ସ୍ୱଳ୍ପ, ଭାଷାର ଗତି ରୈଖିକ, ଭାବର ଭଂଗୀ ତିର୍ଯକ୍‌ । ସମାବିଷ୍ଟ ଶବ୍ଦପୁଂଜ ସର୍ଜିଥାଏ ସଂକେତ-ସଂଚାରୀ ଏକ ସଚିତ୍ରତା ...ଚିତ୍ତାକର୍ଷୀ ଚିତ୍ରବୀଥିଟିଏ - କବିତାର ‘ଗହନକାନନବନ’ ଅଭିମୁଖୀ ଅଭିସାର ଉଦ୍ଦେଶ୍ୟରେ ।

 

କବିତାର ମଣିଷଟି ଗୃହସ୍ଥ ଯାଯାବର ।

ତା ଜିନ୍‌ରେ ଜିଉଁଥାଏ ଜିଦ୍‌ଖୋର୍‌ ଜିପ୍‌ସୀଟେ । କୁହୁକଦର୍ପଣ ପରି ତା କବିତା - ଯା’ କାଚକଳ୍ପରେ ଘୂରୁଥାଏ ଘୁମଂତ ବିଶ୍ୱର ବୈଚିତ୍ର୍ୟ, ସଜାଗ ସ୍ୱପ୍ନର ସାରାଂଶ, ସପ୍ତପୁରୁଷର ସ୍ମୃତିଚିତ୍ର, ବିଚ୍ଛୁରିତ ବିଭିନ୍ନବର୍ଣର ବାସ୍ତବତା, ଆତ୍ମସ୍ଥ ଅଂଧକାରର ଆଲୋକଚିତ୍ର, ଆସନ୍ନ ଆଶାର ଅଭିଲେଖ ଆଉ ଅବିଶ୍ରାଂତ ସମୟର ଅଭିଜ୍ଞାନ । ଏସବୁ ଅବବୋଧ ରଚନାକର୍ମରେ ରଂଗ ଆଉ ରୂପରେଖ ଘେନୁଥିବାବେଳେ କବିତାର ମଣିଷ ସାମ୍ନାରେ ଉଭା ହୋଇଥାଏ ଏକ ଇଂଦ୍ରଜାଲ । ସେଥିପାଇଁ କାବ୍ୟଭାଷା ଇଚ୍ଛିଥାଏ ଇଂଦ୍ରିୟାନୁକୂଳ ଭୂମିଟିଏ - ଏପରି ସ୍ଥିତିରେ ଶବ୍ଦଚୟନରୁ ଶବ୍ଦବୟନର ପ୍ରସାରିତ ପର୍ଯାୟ ପର୍ଯଂତ ତାର ଦ୍ବୈତଭୂମିକାଟି ସ୍ପଷ୍ଟ - ଏକାଧାରରେ କୃଷିକାର ଆଉ ବୁଣାକାର । ଶବ୍ଦ ଏକପକ୍ଷରେ ଭାବକୁ ଶସ୍ୟରେ ପରିଣତ କରିଥାଏ ତ ଅପରପକ୍ଷରେ ଭାଷାକୁ ବସ୍ତ୍ରରେ । ଭାବବପନ ଉଦ୍ଦେଶ୍ୟରେ କାବ୍ୟଭାଷା ଦ୍ୱାରା ଅନୁକୂଳ କ୍ଷେତ୍ରପ୍ରସ୍ତୁତିର ପ୍ରକ୍ରିୟାଟି ଏଇଭଳି କୃଷି ଓ କୃଷ୍ଟିର କାୟୋମାନସିକ କାରୁକର୍ମ - ଶ୍ରମ ଓ ସଂସ୍କୃତିର ସଂଗତ ସଂଗମ ।

 

କବିତାର ଘରଟିଏ ଶବ୍ଦଘର । ଆଉଟିକେ ଲଂବାଇ କହିଲେ ମାଟିପାଣିପବନରୁ ପାଛୋଟି ଅଣାହୋଇଥିବା ଯଥୋଚିତ ଶବ୍ଦମାନଂକର ଏକ ଜାଦୁଘର । ଦୈର୍ଘ୍ୟ-ପ୍ରସ୍ଥ-ଉଚ୍ଚତାସଂପନ୍ନ ଏଇ ଶବ୍ଦଘରଟିର ନିଅଁ ତଳେ ତଥା ଗୁପ୍ତ ଗଭୀରତାର ଗହନ ସ୍ତରରେ ହିଁ ମହଜୁଦ ଥାଏ ଅର୍ଥ, ଅଥାର୍ଂତର - ମାଟି ତଳେ ପୋତାଧନ ପରି ।

 

କବିତାର କଳାପକ୍ଷ ଓ ବିଜ୍ଞାନପକ୍ଷ ତଥା ମନସ୍ତତ୍ତ୍ୱ ଓ ଶରୀରତତ୍ତ୍ୱ ସଂପର୍କରେ ନାନାମତ/ନାନାପଥ । ମାତ୍ର ମନେରଖିବାର କଥା ଯେ କୌଣସି କାବ୍ୟତତ୍ତ୍ୱ କେବେ ବି ଜରୁରି ନୁହେଁ କବିତାର ଭାବସତ୍ତ୍ୱ ପାଇଁ । କାବ୍ୟତତ୍ତ୍ୱ ପଢ଼ି କବି ହୁଏନି କେହି - ଯେମିତି କାମସୂତ୍ର ପଢ଼ି ପ୍ରେମିକ କି ବୈରାଗ୍ୟଶତକ ପଢ଼ି ଯୋଗୀ !

 

ଭାବପୁଂଜ ହେଉଚି ଭସାମେଘ ପରି ଏବଂ ଚୁଂବକରେ କହିଲେ, କାବ୍ୟଭାଷା ହେଉଛି ଏଇ ଭସାମେଘର ଭାଷା । ବର୍ଷିପାରେ ଏଠି କେଉଁ ହୃଦୟର ହରପ୍‌ପାରେ କି ସେଠି କେଉଁ ମନର ମହେଂଜୋଦାରୋରେ - ନ ହେଲେ କେଉଁଠିନାକେଉଁଠି କେଉଁ ଚେତନାର ଚେରାପୁଂଜିରେ !

 

। ୩।

ଦୀପଆଲୁଅରୁ ଡିବିଆଲୁଅ, ମହମବତିର ଆଲୁଅରୁ ଲଂଠଣ ଆଲୁଅ, ଏପରିକି ଜାଦୁକାରୀ ଜହ୍ନଆଲୁଅରୁ ଜଳଂତା ମଶାଲ୍‌ ଆଲୁଅ ପାଖେ ପହଂଚିଥିଲା ଆସି ମଧ୍ୟରାତ୍ରିର କବିତା । ମନେଅଛି, କଟକର କେତୋଟି ଛକରେ ମଧ୍ୟରାତ୍ର କବିତା ପାଠୋତ୍ସବର ସେ ପ୍ରୋତ୍ସାହନପୂର୍ଣ ପର୍ବସବୁ । କୈଶୋର କୁହୁଳୁଥିଲା ପାଉଁଶ ତଳର ନିଆଁ ପରି । ତାରୁଣ୍ୟ ତରଳୁଥିଲା ତରଂଗିତ ତରାଆଲୁଅରେ । କବିତାର ମୋହନମାୟାରେ ସେ ଗାଢ଼ରାତିଗୁଡ଼ିକ କେତେବେଳେ ନିଦାଘ ନିଶୀଥର ସ୍ୱପ୍ନ ଥିଲା ତ ଆଉକେତେବେଳେ ଶ୍ରାବଣୀ ରାତିର ସ୍ମୃତି। କେବେ ପୁଣି ଥିଲା ଶୀତରାତିର ସାନ୍ନିଧ୍ୟ ତ ଆଉକେବେ ବାଂସତୀରାତିର ବେପଥୁ । ଅଂଧାର ରଂଗର ଅକ୍ଷର ଭିତରୁ ଉଂକିମାରୁଥିଲା ଭସ୍ମବିଭୂଷିତ ବର୍ଣମାଳା । କବିତାର ରାତି ପାହୁଥିଲା ଅନତିଦୂର ଷ୍ଟେସନ୍‌ରୁ ବିଦାୟ ନେଇଯାଉଥିବା ଟ୍ରେନ୍‌ଚକର ଛୁକ୍‌ଛୁକ୍‌ ଧାତବ ଧ୍ୱନିରେ, ନହେଲେ ଭୋର୍‌ ଭାଂଗୁଥିଲା ନାମହୀନ ନିଶାଚର ପକ୍ଷୀର ଡାଳପାରି ଡେଲିଂଗି ଡେଣାର ଡେଂଗୁରାରେ!

 

ସେଇସବୁ ଦିନ ବି ଥିଲା ଯେମିତି କେଉଁ କୁହୁକଦ୍ୱୀପର ଦ୍ୱିପ୍ରହର ! ସଂପର୍କଗୁଡ଼ିକ ବାରଘୂରା ବେରିଂଚିଠି ନ ଥିଲା, ବରଂ ଥିଲା ଆର ଦୁଆରର ଅମାୟିକ ଆମଂତ୍ରଣ ।

 

ଆରଂଭର ନାନା ନାବାଳକୀ ବର୍ଷ, - ଦୁଇଟି ଦରଦୀ ଗାଁ ଆଉ ଗୋଟିଏ ସ୍ନେହୀ ସହରର ସ୍ପର୍ଶରେ ସ୍ପଂଦିତ । ଗାଆଁଦୁଇଟିରୁ ଗୋଟିଏ ମାମୁଘର ଗାଁ, ଯେଉଁଠି ମୋ ଜନ୍ମ - ଆରଟି ନିଜ ଗାଁ, ଯେଉଁଠି ମୋ ଅବଧୂତ ଅଳ୍ପବୟସର ବିଚରଣ । ଯଥାକ୍ରମେ ନାରଗୋଦା ଆଉ ବାଜପୁର । କ୍ଷୁରଧାର ଖୋରଧାର ଦି’ଗଡ଼ ଦିଂଗତ ମୋ ଦୃଷ୍ଟିରେ । ଖଂଡଗିରି ପାଖେ ନାରଗୋଦା। ବରୁଣେଇ ବାଟେ ବାଜପୁର । ଏ ଦି’ ପାହାଡ଼କୁ ଅନାଇଲେ ମୋ ଭିତରେ ଯୋଡ଼ିହୋଇଯାଏ କିଂବଦଂତୀ ଆଉ ଇତିହାସ। କୈଶୋରର କବିତାରେ ମାମୁଘର ଗାଁ ଯଶୋଦା ଆଉ ନିଜ ଗାଁ ଦେବକୀ ବୋଲି ଘୋଷଣା କରିଚି ମୁଁ । ଛୋଟବେଳର କେତେ ଖରାଛୁଟି, କେତେ ଶାରଦୀୟ ଅବସର ମୁଁ କଟାଇଦେଇଥିବି ଏ ଗାଆଁଯୋଡ଼ିକରେ । ତା’ପରେ କିଂତୁ ବରାବର ବାହୁଡ଼ିଆସିଚି ହଜାର ବର୍ଷର ଗୋଟିଏ ଗ୍ରାମୀଣ ସହରକୁ - ସେଦିନର ସେଇ ତାରକସୀ ତୀର୍ଥ ଏଇ କଟକକୁ । ସେଇସବୁ ଚହଲାଦିନର ଚଲାସୁଅରେ କଟକ ବି କାଗଜଡଂଗାରେ ଭାସିଆସିଚି ମୋ କତିକୁ କାକର-ହକଳା କାର୍ତିକଟେ ହୋଇ - କାହିଁ କେତେଥର । ହେତୁ ପାଇବା ଆଗରୁ ସଂପର୍କର ସେତୁଟିଏ ଗଢ଼ାହୋଇସାରିଚି ମୋ ପାଇଁ, ସ୍ମୃତି ସହ ଶବ୍ଦକୁ ସଂଯୋଜିତ କରି, କବିତାର କୁଆଁକୁଆଁ କୁଆପଥରରେ ! ବର୍ଷବର୍ଷ ଧରି ମତେ ଅଯାଚିତ ଅନ୍ୟମନସ୍କତା ଉପହାର ଦେଇଆସିଥିବା ସେଇ ଉଦାସ ଗାଆଁଦୁଇଟି ଆଉ ଏଇ ଉଦାର ସହର ଗୋଟିକର ଅଣଲେଉଟା ମୁହୂର୍ତମାନ ମୋ କବିତାର ମଧୁର ମଧ୍ୟାଂତର ! ଶେଷପର୍ଯଂତ ଏଥିପାଇଁ କୃତଜ୍ଞ ରହିଥିବି ମୁଁ ।

 

ଦି’ଗାଆଁରେ ଦେଖିଥିଲି, ଯୋର, ଝର, ଗଡ଼ିଆ, ପୋଖରୀ, ଗହୀରିଆ କୂଅସବୁ । ତୁଠ ଦେଖିଥିଲେ ବି, ଘାଟ ଦେଖିନଥିଲି କିଂତୁ । କଟକକୁ ଆସି ଘାଟ ଦେଖିଲି ମୁଁ । ଦର୍ଶନ କଲି ଯୋଡ଼ିଏ ନଈର ଯୋଡ଼ିଯାଉଁଳୀ ଯୋଗମାୟାରୂପ ! ମହାନଦୀ, କାଠଯୋଡ଼ୀ କ୍ରମେ କବିତାର ଶିରାପ୍ରଶିରା ପରି ମନେହୋଇଛଂତି ମତେ । ଗୋଟିଏ କେନାଲ୍‌ ତାଳଦଂଡା ବି କିଛି କମ୍‌ ଆପଣାର ମନେହେଇନି ସେଇ ସାନଦିନଗୁଡ଼ିକରେ ।

 

ଦି’ଗାଆଁ : ଅବଚେତନର ଅବତଳରୁ ଅବତରିଆସୁଥିବା ଗୋଟେ ନିଛାଟିଆ ନିଦବାଉଳାର ଏକରଏକର ଏ-କର, ସେ-କର !

 

ଝୁଲଣ-ମେଲଣ, ଯାନିଯାତ୍ରା, ବାରବ୍ରତ-ତେରଓଷା, ଖଂଡାପୂଜା, ଗୋପାଳଂକ ଓଗାଳଠୁ ମାଣବସା ମାହାତ୍ମ୍ୟର ସେ ମୂର୍ଛନା-ମୁଖର ମୁଲକ ଦୁଇଟିରେ ଦେଖିଥିଲି କେତେ ଜେମାଦେଈ, କେତେ ଶଶିଦେଈ, କେତେ ତଅପୋଈ, କେତେ କାଳିଜାଈ, କେତେ ଖୁଲଣାସୁଂଦରୀ ! ଖେଳପଡ଼ିଆର ପବନରେ ଗ୍ରାମ୍ୟ ଗାୟକବର୍ଗ ସୌଜନ୍ୟରୁ ପରିବେଷିତ ପୁରାଣପାଠର ପ୍ରଥମ ପ୍ରତିଧ୍ୱନିଠାରୁ ଆରଂଭକରି ଅଭିଆଡ଼ୀ ଦଳ ଆନୁକୂଲ୍ୟରୁ ଆୟୋଜିତ କାଂଦଣାଲହରୀର ଶେଷ ଘୋଷାପଦଟି ପର୍ଯଂତ - ପିଟିହେଉଥିଲା ନାନା ଜୁଆର, ନାନା ଝଂକାର । ଏପରିକି ହିଡ଼ ଡେଇଁ ହୁଡ଼ା ପାଖେ ପହଂଚୁପହଂଚୁ କାନ ଟେକି ଦଂଡେ ଛିଡ଼ା ହୋଇଯାଉଥିଲେ ଗୁହାଳବାହୁଡ଼ା ଗାଈଗୋରୁମାନେ । ସେମାନଂକୁ ଅଡ଼ା ଏପଟକୁ ଅଡ଼ାଇଆଣିବା ପାଇଁ ମୁହଁସଂଜରେ ବଇଁଶୀ ବଜାଉ ନ ଥିଲା ଗାଈଆଳ - କାଳେ କେଉଁ କାକବଂଧ୍ୟା ଖାଡ଼ାଉପାସ ରହିଯିବ ରାତିସାରା ! ପଂଚୁଆତିଠାରୁ ପଂଚାୟତିଯାଏଁ - କେତେ ଦୃଶ୍ୟପଟ ! ତା’ଛଡ଼ା ତଅପୋଈ ତୋଟାରେ ଆଖୁପେଡ଼ା, ଗୁଡ଼ରଂଧା, ଦେଉଳ ଭିତରେ ଭୋଗଖିଆ; କଦଳୀପତ୍ରରେ ପଂଗତର ଭୋଜିଭାତ ତ ଦେଖିଚି - ପଥରପାଚେରିଘେରା ମୁଂଡିଆବାରିରେ କେତେ ‘ଜଂତାଳ’ ବି । ଗୋଟିଏ ଅନନ୍ୟ ଅନ୍ନମୟ କୋଷର ଆପ୍ରାଣ ଆନଂଦମୟ ଅନୁଭବରେ ଏକାତ୍ମ ସମସ୍ତେ । କେଇଦିନର କୁଣିଆଂକୁ ନେଇ ତାସ୍‌ର ଆସର ଆଉ ମାତବର ମହଲର ପଶାଖେଳ ସାଂଗେ ଦେଖିଚି ବି ଗାଁ ଚାଂଦିନିର ଚଟାଣରେ କଣଘରୀ ଝିଅମାନଂକର ପଣକରା ପୁଚିଖେଳ। କୋଳିବଣରୁ ଭାସିଆସୁଥିବା କିସ୍‌ମିସ୍‌ଜିଣା କିଶୋରୀକଂଠର ଦୋଳିଗୀତ ଆଉ ଦେଉଳରୁ ବାହାରି ଦୁଆରୁଦୁଆର ବୁଲୁଥିବା ଦୋଳବିମାନଯାତ୍ରାର ଭଜନ-କୀର୍ତନସବୁ, ମନେହୁଏ, କେଉଁ ଚାରଣ-ସଂସ୍କୃତିର ଚାରାରୁଆଟିଏ ଥିଲା ଯେମିତି ! ତା’ଛଡ଼ା ଥିଲା ଆହୁରି ଅନେକ ସାଂଗୀତିକ ସାଂସ୍କୃତିକତାର ସୁଶୀତଳ ସ୍ପର୍ଶ - ଅଷ୍ଟପ୍ରହର, ଆଖଡ଼ା, ନାଟ, ପାଲା, ଦାସକାଠିଆ, ସୁଆଂଗର ସୁଅସବୁ ।

 

ଖରାଛୁଟିର କଟକରେ କିଂତୁ ଅପେରା ବା ଯାତ୍ରା ଦେଖିଥିଲି କେତେଥର - ଛଅସାତ ସାଲ୍‌ ଉମରବେଳୁ । ସାରା ରାତି ଚାଲୁଥିଲା ଯାତ୍ରା। ପେଂଡାଲ୍‌ ଉପରେ ପେଟ୍ରୋମାକ୍‌ସ୍‌ ଆଲୋକଛଟା ସହିତ ଇଂଦ୍ରଧନୁ ରଂଗର ଆଲୋକସଜ୍ଜା ମିଶିଯାଇ ସୃଷ୍ଟି କରୁଥିଲା ଏକ ମନୋରମ ମାୟାଲୋକ ।

 

ଏଇ କୈଶୋରକାଳୀନ ଯାତ୍ରାନୁଭୂତିର ଏକ ଅନୁଚ୍ଚାରିତ ଅଂଶବିଶେଷ ଉଲ୍ଲେଖ କରିବାକୁ ଇଚ୍ଛା ହେଉଚି ଏଇଠି ।

 

ସେଇ ମାୟାଲୋକରେ ଥରେ କାଂଚନକାୟା ଧରି ଅପୂର୍ବ ରୂପସୀ ରାଜକନ୍ୟା ଆସି ଉଭା ହେଲା ଆଖି ଆଗେ । ମୋଟେ ପଲକ ପଡ଼ିଲାନି ମୋର । ଏଭଳି ଦୁର୍ଲଭ ଦିବ୍ୟସୁଂଦରୀଟିଏ ଦେଖିବା ସେଇ ପ୍ରଥମ । ସେତେବେଳକୁ ବୟସ ମତେ ହୋଇଥିବ ଆଠବର୍ଷ । ଏଇ ବୟସରେ ବି ମୋର ସେଇ ହଳେ କୌତୂହଳୀ କିଶୋର ଆଖି ଆଗରେ ଉଦ୍‌ଭାସିତ ଭୁବନମୋହିନୀଜଣକର କଲିଜାକୁ କୋରିଦେଉଥିବା ଭଳି କମନୀୟ କୋମଳ କଟାକ୍ଷ ଆଉ ଉତ୍କର୍ଣ ଶ୍ରବଣେଂଦ୍ରିୟରେ ପତିତ କଳକଳ କଂଠସ୍ୱରରେ ମୁଁ ସେତେବେଳକୁ ବିଲକୁଲ୍‌ ବାୟା ।

 

ଯାତ୍ରା ସରୁସରୁ ପ୍ରାୟ ଭୋର୍‌ । ମୁଁ କିଂତୁ ଘରକୁ ନ ଆସେ ଆଉ । ରୂପବତୀଟିକୁ ତଲାସ୍‌ କରି ତା ସହ କଥା କେଇପଦ ହେବା ପାଇଁ ଛକି ବସିଥାଏ ସେଠି । ଗଲା କୁଆଡ଼େ ସେ ? ମୃଦୁ କୋଳାହଳ ଶୁଣି ମୁଁ ଯାଇ ପଶିଲି ଗୋଟିଏ ପାଖଘରେ । ସେଇଠି ରାତିସାରା ଜନତାର ମନୋବିନୋଦନ କରିଆସିଥିବା ରାଜାରାଣୀ, ମଂତ୍ରୀ-ସେନାପତି, ମାଲ୍ୟାଣୀ, ମୁଦୁସୁଲୀ, ଶବର-ଶବରୁଣୀ, ରାକ୍ଷସ-ରାକ୍ଷସୀ, ବାମନ, ବିଦୂଷକ ଇତ୍ୟାଦି ସମସ୍ତେ ସମବେତ । କିଏ ଘୁମେଇ ପଡ଼ିଚି ବାକ୍‌ସଗଦା ପାଖରେ ତ କିଏ ମସିଣା ଉପରେ ପଡ଼ିଚି ଲଂବ ହୋଇ । ଆଉ କେତେଜଣ ଗୋଟାଗୋଟି କରି ଗୋଟାଏ ଜାଗାରେ ସଜାଡ଼ିରଖୁଥାଂତି ଖଂଡା-ଢାଲ-ଧନୁ-ତୀର-ବର୍ଛା-ଗଦାଗୁଡ଼ା ସହ ସାଂଜୁ-ଶିରସ୍ତ୍ରାଣ-ମୁକୁଟ-ପଗଡ଼ି-ପରଚୂଳା-ପାଦୁକାଗୁଡ଼ାକ । ହେଲେ ଗତରାତ୍ରିରେ ଜଣେ ଆଠବର୍ଷର କିଶୋର ମନରେ ନିଆଁ ଲଗାଇଦେଇଥିବା ସେ ଲାବଣ୍ୟବତୀ ରାଜକୁମାରୀଟି କାହିଁ ? ଖୋଲା ଖିଡ଼ିକି ବାଟେ ହଠାତ୍‌ ନଜର ପଡ଼ିଗଲା ଘର ପଛପଟ ବାଡ଼ିର ଗୋଟାଏ ପିଜୁଳିଗଛର ଗଂଡିରେ ହାତ ଥାପି ଛିଡ଼ା ହୋଇଚି ସେ ରକ୍ତବସନା ସୁଂଦରୀ ! ତା ପାଖରେ ଗଲାରାତିର ବାମନ ବି ବସିପଡ଼ିଚି ଗଛମୂଳେ ।

 

ଭୋର୍‌ର ଅଂଧାର ଆଡ଼େଇ ସେତେବେଳକୁ ଲାଲ୍‌ସୂର୍ଯ ଅଧେ ଉଁ’ ଛଂତି ମାତ୍ର । ଲକ୍ଷ୍ୟ କଲି, କଅଁଳ କିରଣରୁ କେରାଏ ଆସି କେଶଚୁଂବନ କରୁଚି ଲାସ୍ୟମୟୀ ରାଜକନ୍ୟାଟିର । ବେରସିକ ବାମନଟା ଏ ଦୁର୍ଲଭ ଦୃଶ୍ୟକୁ ଉପେକ୍ଷା କରି ମୁହଁ ପୂରାଇ ରଖିଚି ଦି’ ଆଂଠୁ ସଂଧିରେ । ଅନିଂଦ୍ୟ ସୌଂଦର୍ଯର କି ଅକ୍ଷମଣୀୟ ଅବମାନନା ! ଘର ପଛପଟକୁ ଯାଇ ବାମନଟାର ଗାଲରେ ଠୋ’କିନା ଗୋଟାଏ ଶକ୍ତ ଚଟକଣା କଷିଦେବାକୁ ଇଚ୍ଛା ହେଲା ମୋର । ମାତ୍ର ନା, ରାଜକନ୍ୟାର ସେ ଲଳିତ ଲବଂଗଲତା ଠାଣିର ତୁଳନାହୀନ ତନ୍ମୟତାକୁ ତିଳାର୍ଧ ବି ନଷ୍ଟ କରିଦେବାକୁ ଚାହୁନଥିଲି ମୁଁ । ତା ଛଡ଼ା ଯାତ୍ରା ଆଉ ଦି’ରାତି ହେବାର ଅଛି ଜାଣି ମନେମନେ ପାଂଚିଲି ଯେ ରାଜକନ୍ୟା ସହ ପରେ ଆସି କଥା ହେବି ଏକାଂତରେ। ସେତେବେଳେ କେହି ନ ଥିବେ - କେବଳ ଥିବି ମୁଁ, ଥିବ ରାଜକନ୍ୟା, ଆଉ ଜ୍ୟୈଷ୍ଠଯାମିନୀର ଜଉଜଳା ଜହ୍ନ।

 

ତା ଆଖି ପଡ଼ିଗଲା ମୋ ଉପରେ ହଠାତ୍‌ । ମତେ ଚାହିଁ ସେ ବି ହସିଦେଲା ଟିକେ। ସେତିକିରେ ମୁଁ ଘାରି ହେଉହେଉ ଘାଇଲା - ସେତେବେଳେ ସମୁଦାୟ ସ୍ଥିତିଟା ମୋର ସଂପୂର୍ଣ ସଂକଟାପନ୍ନ !

 

ଅଲୋକସାମାନ୍ୟ ରୂପର ଏ ଆକସ୍ମିକ ଆବିଷ୍କାର ଆଠବର୍ଷ ବୟସର ଜଣେ କିଶୋରକୁ କି ଉନ୍ମତ୍ତ କରିଥିଲା ସେଦିନ ! ଏ ଘଟନାର ଶେଷ କିଂତୁ ଥିଲା ତା ପାଇଁ ଏକ ଅନନୁଚିଂତିତ ଅଘଟଣ। ସେଇ କଥାଟି କହିଦିଏଁ ଏବେ।

 

ରାତିସାରା ଆଖିର ପତାକୁ ପୂରାପୂରି ମେଲା ରଖିଥିଲେ ମଧ୍ୟ ଘଡ଼ିଏ ଦି’ଘଡ଼ି କାହିଁକି ଗୋଟାଏ ମିନିଟ୍‌ ବି ଆସନ୍ନ ନିଦ୍ରାକୁ ପ୍ରଶ୍ରୟ ଦେଇପାରୁନଥିଲି ମୁଁ, ସକାଳ ପହରସାରା । ଘରେ ପହଂଚୁ ପହଂଚୁ ସକାଳ ସାଢ଼େ ପାଂଚ୍‌ । ମୋ ସାଂଗେ ଯାଇଥିବା ମଂଗୁଳିଆ ମତେ ନ ପାଇ ଏକାଏକା ଘରକୁ ଫେରିଚି ବୋଲି ଗାଳି ଶୁଣୁଥାଏ ଛିଡ଼ା ହୋଇ । ଷୋହଳ/ସତର ବର୍ଷ ବୟସର ମଂଗୁଳିଆ ମାମୁଘର ଗାଁ ପିଲା । ଆମ ଘରେ ବଜାରସଉଦା ଆଉ ଘରକାମ ଥିଲା ତାର ଦାୟିତ୍ୱ । ମତେ ଦେଖି ଦଂଭ ପାଇଲା ସେ ଏବେ । ଯାହା ହେଉ, କାହାକୁ କିଛି ନ କହି ଘର ଭିତରକୁ ଚାଲିଲି ମୁଁ । ନିଦକୁ ତ ନାକଚ କରିଚି, ଏଇନେ ଶୋଇବି କାହିଁକି ଆଉ ? ହେଲେ ବିଛଣାରେ ଗଡ଼ିପଡ଼ି ଶୋଇବାର ଅଭିନୟ କଲି ଟିକେ । ଅଭିନୟ କରୁକରୁ ମିଠାମିଠା ଅଠାମାଠିଆରେ ଉବୁଟୁବୁ ଅଦିନିଆ ସ୍ୱପ୍ନ ସହ ଆଖି ଲାଖିଆସୁଥିଲାବେଳେ ରାତିର ରାଜକନ୍ୟା ଯେମିତି ଝର୍କାର ପର୍ଦା ଠେଲି ଦିନର ହାବୁକାଏ ହାୱା ପାଲଟିଯାଇ ଆଠବର୍ଷକୁ ଆଖିପିଛୁଳାକେ କରିଦେଲା ଅଠରବର୍ଷ ! ଯାତ୍ରାର ଗୁମାନୀ ଗୁଂଜନଭରା ସୁମିଷ୍ଟ ସଂଳାପ ପରି ମତେ ଶୁଣାଯାଉଥିଲା ଧୀରେ - ‘ତରୁଣ ରାଜକୁମାର, ପାସୋରିଗଲ କି ପ୍ରିୟ କିଶୋରୀ ସାଥୀର ସ୍ମୃତି’ ? ମନେମନେ ତାକୁ କଥା ଦେଇଆସିଥିଲି ପିଜୁଳିବାଡ଼ିରେ - ‘ଆସିବି ସୁଂଦରୀ, ଆସିବି ତୋ ବଗିଚାକୁ । ତୁ ଫୁଲ ହୋଇ ଫୁଟିଥିବୁ, ମୁଁ ଆସିବି ଉଡ଼ିଉଡ଼ି, ତୋ ପ୍ରତିଟି ସୁନେଲି ସ୍ୱପ୍ନର ପ୍ରଜାପତି’ ।

 

ଏସବୁ କଥା କିଏ ଶିଖାଇଥିଲା ମତେ ? ନାରଗୋଦାର କଚେରି ଘରେ ପଢ଼ିଥିବା ଥାକଥାକ ପୁରାଣପତ୍ର ନା ବିଭିନ୍ନ ବ୍ରତକଥା, ବତ୍ରିଶ ସିଂହାସନ କଥା, ସାଧବକଥା, ଲୋକକାହାଣୀ, ପରୀକାହାଣୀ, ଉତ୍କଳକାହାଣୀ, ‘ପାରସ୍ୟକାହାଣୀ’ ? କିଏ ବତାଇଥିଲା ଅଳ୍ପ ବୟସରେ ବି ଅନାବନା ସ୍ୱପ୍ନଆଡ଼କୁ ଆଗେଇଯିବାର ଅଚିହ୍ନା ଅଜଣା ବାଟ ? ବାଜପୁର ଘରକାଂଥରେ ଟଂଗା ହୋଇଥିବା କଲିକତୀ କ୍ୟାଲେଂଡରଗୁଡ଼ାକର ସେଇସବୁ ଅନଂତଯୌବନା ଅପ୍‌ସରାଂକ ଚିତ୍ତଚହଲା ଚାରୁଚିତ୍ର ନା ଅଦୂରବର୍ତୀ ଲଟାବଣରୁ ଭାସିଆସୁଥିବା ଲଳିତମଧୁର ଗାୟକ-ପକ୍ଷୀମାନଂକର କୋମଳଗାଂଧାର ? ସେସବୁ ଦିନରେ ମାମୁଲି ମନଟାକୁ ଗୋଟାଏ ମାୟାମୟ ମୋହାଚ୍ଛନ୍ନତାରେ ମାତାଲ୍‌ କରିରଖିଥିଲା କିଏ ? କଟକର ହିଂଦ୍‌-ସିନେମାହଲ୍‌ରେ ପଡ଼ୁଥିବା ‘ଉଡ଼ନ୍‌ଖଟୌଲା’, ‘ପରଶମଣି’ କି ‘ସୂରଯ୍‌’ ପରି ହିଟ୍‌ଗୀତର ହିଂଦୀଫିଲ୍‌ମ୍‌ସବୁ ନା ଫୁଟ୍‌ପାଥ୍‌କଡ଼େ ଅଧାଦରରେ କିଣିବାକୁ ମିଳୁଥିବା ପୁରୁଣା ନାଟକ, ନଭେଲ୍‌, କବିତା, ଅନୁବାଦର ବାସିବହିବିଡ଼ା ?

 

ସେ ଯା’ହେଉ, ସେତେବେଳେ ମନଟା ସବାର୍‌ ହେଉଥିଲା ମନପବନ ଘୋଡ଼ାପିଠିରେ; ହାତରେ ଅଦେଖା କୁହୁକଦୀପଟା ଦିକିଦିକି ଜଳୁଥିବାବେଳେ ପାଦକୁ ଅଥୟ କରୁଥିଲା ଦି’ଆଂଗୁଳ ଦୂରତାର ଶୂନ୍ୟତାରେ ପିଂଧା କୁହୁକ କଠଉ । ଗୋଟାଏ ଜାଗାରେ ବସିଗଲେ ମନେପଡୁଥିଲା ଆରଜାଗା ।

 

ହଠାତ୍‌ ମନେପଡ଼ିଗଲା ରାଜକନ୍ୟାର କରପଲ୍ଲବସ୍ପର୍ଶରେ କୃତାର୍ଥ ହୋଇସାରିଥିବା ପରମ ଭାଗ୍ୟବଂତ ପିଜୁଳିଗଛଟାର କଥା । ବାଜିସାରିଲାଣି ସକାଳ ନଅଟା । କାହାକୁ କିଛି ନ କହି, ଲୁଚିଛପି, ରୁମ୍‌ରୁ ବାହାରି ମୁଁ ଚାଲିଆସିଲି ରାସ୍ତା ଉପରକୁ ସିଧା । କଟକର ଭୀମା ବରଫକଳ/ବଂବେ ହୋଟେଲ୍‌ ସନ୍ନିକଟବର୍ତୀ ସେଇ ହୋମ୍‌ ପାଇପ୍‌ କଂପାନୀକଡ଼ ଆମ ହଳଦିଆ ରଂଗର ଛ’ସାତବଖରାବିଶିଷ୍ଟ ଭଡ଼ାଘର ସାମ୍ନାରେ ପ୍ରଶସ୍ତ ପିଚୁରାସ୍ତା । କଲେଜଛକ ଡାକଘର ଦେଇ ରେଭନ୍‌ସା କଲେଜଆଡୁ ଆସି - ଲଂବିଯାଇଚି ଯୋବ୍ରା ଆନିକଟ ଆଉ ମହାନଦୀ ପଥରବଂଧଆଡ଼େ । ସେଇ ରାସ୍ତାରୁ ବିଭିନ୍ନ ସରୁସରୁ ଗଳିରାସ୍ତା ମୁହାଁଇଯାଇଚି ଭିନ୍ନଭିନ୍ନ ବସତିକୁ-- ରାତିର ଅପେରାକ୍ଷେତ୍ର ବା ଯାତ୍ରାସ୍ଥଳ କିଂତୁ ଥିଲା ଏସିଆନ୍‌ ହୋଟେଲ୍‌ ସାମ୍ନା ସଡ଼କ ପାଖରେ, ତାଳଦଂଡା କେନାଲ୍‌କୁ ଲାଗି । ସେଠାକୁ ଯିବାକୁ ହେଲେ ଆମ ଭଡ଼ାଘର କଡ଼ଦେଇ ଗୋଟେ ଗଳିରାସ୍ତା ଧରିବାକୁ ହେବ କେନାଲ୍‌ ରାସ୍ତାରେ ପହଂଚିବା ପାଇଁ । ଚାଲିଚାଲି ଗଲେ ସାତଆଠ ମିନିଟ୍‌ର ବାଟ ମାତ୍ର । ସେଦିନର ସେଇ ସାତଆଠ ମିନିଟ୍‌ ମତେ କିଂତୁ ଲାଗୁଥାଏ ସାତଆଠ ଘଡ଼ି-। ଖରାଦିନ ସକାଳଟାରେ ବି ମନରେ ଘୋଟିଆସୁଥାଏ ମେଘଅଂଧାର - ସେଇ ପିଜୁଳିଗଛଟି ପାଖେ ମତେ ଅପେକ୍ଷା କରିଥିବ ତ ଅବଂତୀ ରାଜକୁମାରୀ ? ମାତ୍ର ଚାରିଘଂଟା ତଳେ ତ ତାର ଏ ଅକିଂଚନ ରୂପଲୋଲୁପ କିଶୋର ପ୍ରେମିକଟିକୁ ସେ ଉପହାର ଦେଇସାରିଚି ମନଲାଖି ମିଠାହସଖଂଡେ - ତା ପୁଣି ଅଯାଚିତ ଭାବରେ !

 

ସ୍ଥିର କରିନେଲି ଯେ ମୁଂଡ ଉପରେ ଜଳିତରଳି ଖଂଡଖଂଡ ହୋଇ ଛିଂଡିପଡୁ ପଛେ ଜ୍ୟୈଷ୍ଠଆକାଶ, ମୁଁ କିଂତୁ ରାଜକନ୍ୟାକୁ ସେ ବାମନ ଦେହରକ୍ଷୀଠୁ ଛଡ଼ାଇଆଣି ଉଡ଼ାଇନେବି କାହିଁ କୁଆଡ଼େ । ଦରକାର ପଡ଼ିଲେ କଟକ ଛାଡ଼ି ତାକୁ ନେଇ ପଳାଇବି କାଉଁରୀ କାମାକ୍ଷାଦେଶ ! ସେତେବେଳକୁ କାଳିଶି ଲାଗିଲା ପରି ସଂଗିନ୍‌ ଅବସ୍ଥା ମୋର । ମତେ କବଳିତ କରିସାରିଲାଣି କେମିତି ଗୋଟାଏ ଅହେତୁକ ଅଦ୍ଭୁତ ଅନୁଭବ - ମୋ ଭିତରେ ଯେମିତି ନିତ୍ୟକୁସୁମିତ କଳ୍ପଲୋକର କେଉଁ କରୁଣାମୟ କାପାଳିକ କର୍ତୃକ ଏଇମାତ୍ର ସଂପନ୍ନ ହୋଇସାରିଚି ଶତସହସ୍ର ସୁକୁମାରୀଂକ ସ୍ୱପ୍ନକୁମାର ତଥା କୋଟିକଂଠକୀର୍ତିତ କଳିଂଗ ରାଜକୁମାରଂକର କାମଦେବନିଂଦୀ କାୟାପ୍ରବେଶ !

 

ମାତ୍ର ଅସଲ ଜାଗାରେ ପହଂଚିଲାବେଳକୁ ସବୁ ଓଲଟପାଲଟ । ସେ ନିରୋଳା ପିଜୁଳିଗଛଟାର ଗୋଟାଏ ଖତରା ଡାଳକୁ ଖୁଂପିବାରେ ଲାଗିପଡ଼ିଛଂତି କୋତରା କାଉ ଦି’ଟା । ଘରଟାର ଦରଜା ଦି’ଟା ଉପରେ ବି ବଡ଼ ହୃଦୟବିଦାରକ ଭାବରେ ନିଜର ଅସ୍ପୃହଣୀୟ ଉପସ୍ଥିତି ଘୋଷଣା କରୁଚି ଗୋଟାଏ ବିରାଟ ଆଲିଗଡ଼ ତାଲା ! ମୁଂଡରେ ହାତ ଦେଇ ବସିପଡ଼ିଲି ସେଇଠି । କ’ଣ କଲି ମୁଁ ଚଂଡାଳ ? କାହିଁକି ରତିପ୍ରତିମା ରାଜକନ୍ୟାର ପ୍ରତ୍ୟକ୍ଷ ପାଣିପ୍ରାର୍ଥୀ ନ ହୋଇ ଭୀରୁପ୍ରେମିକ ପରି ଘରକୁ ଚାଲିଆସିଲି ମୁହଁ ଦେଖାଇବାକୁ ? ଆଜି ଦିନଟା କ’ଣ ମାରାହୋଇଯାଇଥାଂତା ଘରକୁ ନ ଯାଇ ? ଉଡ଼ଂତା କୈଶୋରକୁ ଅଟକବଂଦୀ କରିରଖିବାକୁ ଚାହୁଥିବା ଦୁନିଆର ସବୁ ଘର ଉଦ୍ଦେଶ୍ୟରେ ବଦ୍ଧମୁଷ୍ଟି ଉତ୍ତୋଳନ କରି ମନେମନେ ଜେହାଦ୍‌ ଘୋଷଣା କଲି ମୁଁ । ରାଜକନ୍ୟା ପ୍ରତି ଅଘୋଷିତ ପ୍ରେମରେ ଉନ୍ମତ୍ତ ଆଠବର୍ଷର ଜଣେ କିଶୋର ହାତରେ ଭାଗ୍ୟକୁ ହତିଆର ଖଂଡେ ନ ଥିଲା ସେଦିନ । ଥିଲେ ହୁଏତ କଳିଂଗ ରାଜକୁମାରଂକ ତରଫରୁ ଆଗେ ସେ ହତିଆରଟାକୁ ହିଁ ଦିଆଯାଇଥାଂତା ସେଇ ଘୋର ଅଶୁଭ ପିଜୁଳିଗଛଟା ପ୍ରତି ଏକ ମିନିଟ୍‌ରେ ମୁଂଡକାଟର ହୁକୁମ୍‌ ! ରାସ୍ତାରୁ ଢେଲାଟାଏ ଉଠାଇ ସଜୋରେ ନିକ୍ଷେପ କଲି ଗଛଟାର ଗୋଟାଏ ଦୁର୍ବଳପାତଳ ଡାଳଆଡ଼କୁ । କୁଆ ଦି’ଟା ଅତର୍ଛରେ ଉଡ଼ିଗଲେ କେନାଲ୍‌ ରାସ୍ତା ଟପି ।

 

ମରିଗଲା ମନଟା । ଘରକୁ ଫେରିବାକୁ ଇଚ୍ଛା ହେଲାନି ଆଉ । ସେଇଠୁ ଏକମୁହାଁ ଚାଲିଲି ତାଳଦଂଡା କେନାଲ୍‌ କଡ଼େକଡ଼େ । ଖଂଡେଦୂର ଯାଇଚି କି ନାଇଁ, ଚାଉଁକିନା ଚମକିପଡ଼ିଲି ହଠାତ୍‌ ! ପଛରୁ ଦେଖିଲି, ଗଜଗମନା ରାଜନଂଦିନୀ ଦୋଳାୟିତ ଭଂଗୀରେ ପଦଯାତ୍ରା ପୂର୍ବକ କୋଟିବ୍ରହ୍ମାଂଡସୁଂଦରୀର କଳ୍ପନାତୀତ ଶୋଭାସଂଭାର ସୃଷ୍ଟି କରି ଚତୁଃପାର୍ଶ୍ୱକୁ ହତଚକିତ କରୁନାହିଁ କେବଳ, ନିଟୋଳ ନିତଂବଚୁଂବୀ ନିଜ ସଯତ୍ନବିନ୍ୟସ୍ତ ବିଶାଳ ବେଣୀରୁ ଗୋଟିଏ ଗୋଟିଏ ଫୁଲ ଫିଂଗିବା ଆଳରେ ମମତାମଦିର ଦୟା ବର୍ଷଣ ମଧ୍ୟ କରିଚାଲୁଚି କଟକର କେନାଲ୍‌ରୋଡ଼୍‌ ଉପରେ-! ଆଉ ସେ ବାମନ ? ରାଜକନ୍ୟାଟିର ପ୍ରସାରିତ କରକମଳକୁ ଅବଲଂବନ କରି ସିଏ ବି ଆରାମ୍‌ରେ ଆଗେଇଚାଲିଚି ପାଦେପାଦେ।

 

ବାମନ ହୋଇ ଚଂଦ୍ରକୁ ହାତ ବଢ଼ାଇବାର ସ୍ପର୍ଧା ପ୍ରକଟ କରୁଚି ପାମର ? ଖରତର ହୋଇଉଠିଲା ମୋର ନିଃଶ୍ୱାସପ୍ରଶ୍ୱାସ। ଦ୍ରୁତଗତିରେ ଉଭୟଂକୁ ଅନୁସରଣ କଲି ମୁଁ। ସେମାନଂକ ପାଖରେ ଯାଇ ଜୁଟିବା ଆଗରୁ ଲକ୍ଷ୍ୟ କଲି, ରାସ୍ତାଧାରରୁ ତାଳଦଂଡା କେନାଲ୍‌ଗଡ଼ାକୁ ମନୋହାରିଣୀ ମଦାଳସା ଭଂଗିମାରେ ଅବତରଣ କଲା ରାଜତନୟା ଆଉ ପ୍ରାୟ କାଖେଇବା ଶୈଳୀରେ ତୋଳିନେଲା ବାମନଟାକୁ! ଶକ୍ତ ଆଘାତ ଅନୁଭବ କଲା, ରକ୍ତଚାଂଚଲ୍ୟରେ ଅସ୍ଥିର ଆତ୍ମସତ୍ତା ମୋର। ଜଣେ ରାଜପୁତ୍ରୀ - ଯିଏ ସୁଗଂଧିତ ଗୋଲାପଜଳରେ ଶତପ୍ରତିଶତ ଆପଣାର ମାଦକୀୟ ତନୁଲତାଟିକୁ ମାଜଣା କରିବାର କଥା, ମୋ ଗରିବ କଟକ ସହର ତା ପାଇଁ ବଂଦୋବସ୍ତ କରିଚି ତୁଚ୍ଛ ତାଳଦଂଡା କେନାଲ୍‌ର ଏଇ ଶିଉଳିରଂଗର ପାଣି? ନିଃସ୍ୱ, ନିଃସଂବଳ କଟକର ନିରୁପାୟ ଦାରିଦ୍ର୍ର୍ୟକୁ ମନେମନେ ଉଦାରଚିତ୍ତରେ ମୁଁ କ୍ଷମା କରିଦେଲି ସେଦିନ । ଠିକ୍‌ ଅଛି, କଟକକୁ କାଲି କରିଦେବି ଉଜ୍ଜୟିନୀ ମୁଁ। ଆଜି କିଂତୁ ସର୍ବାଂଗସୁଂଦରୀ ଅବଂତୀ ରାଜଜେମା ଏ ସହରରେ ସ୍ନାନାର୍ଥିନୀ। ତା ସର୍ବାଂଗୀଣ ସୁରକ୍ଷାର ଭାର ମୋ ଉପରେ।

 

ସେଇଠି ମୁଁ ବସିରହିଲି ଚୁପ୍‌ଚାପ୍‌ - ଦାୟବଦ୍ଧ ଭାବୀଦୟିତର ଗୁରୁଗଂଭୀର ମୁଦ୍ରାରେ।

ତା ପରେ ?

ସେ ଏକ ଅଚିଂତନୀୟ ଦୃଶ୍ୟ ।

 

କେନାଲ୍‌ଗଡ଼ାରୁ ଓହ୍ଲାଇ ପାଣିରେ ପଶିବା ଆଗରୁ ଗୋଟାଏ ଚଉକୋଣୀ ପଥରଖଂଡ ଉପରେ ରାଜଜେମା ଗୋଟିଗୋଟି କରି ଉତାରି ରଖୁଚି ତାର ଅଷ୍ଟ ଅଳଂକାର - ମଥାର ମଣି, ନାସାର ବସଣି, କର୍ଣର କାଂଚନକୁଂଡଳ, ବାହୁର ବାଜୁବଂଧ, କଂଠର ଚଂଦ୍ରହାର, ହସ୍ତର ହେମକଂକଣ, ଅଂଗୁଳିର ହୀରକ ଅଂଗୁରୀୟ, କଟୀର କିଂକିଣୀ । ସବାଶେଷରେ ସ୍ଥଳଚ୍ୟୁତ ହେଲା ଦୁଇ ପଦ୍ମ-ପାଦରୁ ପାଉଁଜିଯୋଡ଼ିକ ବି ।

 

‘ଅବାକ୍‌ ମୁଁ ଲକ୍ଷ୍ୟ କଲି’, ଅଦୂରରେ ଉପଗତ ଆଉ ଏକ ଲୋଭନୀୟତାର ଲଗ୍ନ ... ଏସବୁ ଅମୂଲ୍ୟ ଆଭୂଷଣର ଆତିଶଯ୍ୟରୁ ମୁକ୍ତ ହେବା ପରେ ଏବେ ଅଭିଜାତ ଅଂଗବସନର ଅନୁଶାସନରୁ ମଧ୍ୟ ଉନ୍ମୁକ୍ତ ହେବାର ଅଭିଯାନ ସୁରୁ କରିଦେଇଚି ‘ଏ ମା - ଏ ମା’ କଥକିନୀ ସେ ରମଣୀରତନ ଜେମାମଣି ।

 

ହାୟ ! ଚାହୁଁଚାହୁଁ ଆଜାନୁଲଂବିତ ସେଇ ସଯତ୍ନବିନ୍ୟସ୍ତ ସୁଡୌଲ ସୁଘଟଣ ବେଣୀଯୁଗଳ ପରିଣତ ହେଲା ଗୋଛାଏ ନକଲି ଚଉଁରୀରେ ! ମାତ୍ର ମହାର୍ଘ ଝିନବସନରୁ ମୁକୁଳି ଅବଂତୀର ରାଜଜେମା ଯେତେବେଳେ ନିଜ ପୂର୍ଣଯୌବନୋଚ୍ଛଳ ବକ୍ଷବାସର ନିବଂଧିତ ନିର୍ଯାତନାରୁ ନିସ୍ତାର ଲାଭ କଲା, ମୋ ଭିତରେ ସେଯାବତ କାୟାପ୍ରବେଶମଂତ୍ର ବଳରେ ବିଦ୍ୟମାନ ଥିବା ଲକ୍ଷେ ମହାରଥୀଂକ ମଉଡ଼ମଣି କଳିଂଗ ରାଜକୁମାରଂକର ସେତେବେଳେ ଏକାବେଳକେ ମୂର୍ଛା ଓ ପତନାବସ୍ଥା । ବୋଧହୁଏ ସେଇଠି ସେଇଦିନର ଠିକ୍‌ ସେଇ ମୁମୂଷୁର୍ ମୁହୂର୍ତରେ ହିଁ ସ୍ୱୟଂ ବିଧାତାପୁରୁଷଂକୁ ସୀମାତିକ୍ରାଂତ ଶୋକସାଗରରେ ଭସାଇଦେଇ ସେ ଶେଷନିଃଶ୍ୱାସ ତ୍ୟାଗ କଲେ ହୁଦସ୍ତ ହୃଦ୍‌ଘାତରେ - ଲୋକଲୋଚନର ଅଗୋଚରରେ - ମୋ ଅଂତରର ଅଗମ୍ୟ ଅଂତଃସ୍ଥଳରେ-! ଏକ ଉଦୀୟମାନ ଉଦ୍ଦୀପନାର ଅକାଳ ଅପମୃତ୍ୟୁ ! ନଗଣ୍ୟ ତାଳଦଂଡା କେନାଲ୍‌ଟା ଯେ ଜଣେ ପ୍ରତୀକ୍ଷମାଣ କିଶୋର ପ୍ରେମିକ ପାଇଁ ଜଘନ୍ୟ ‘ଶୋକସାଗର’ ପାଲଟିଯାଇପାରେ - ଏ ଦୃଶ୍ୟପଟର ପରଦା ପଡ଼ିବା ଆଗରୁ ଖୋଦ୍‌ ବିଧାତାପୁରୁଷଂକୁ ବି କ’ଣ ମାଲୁମ୍‌ ଥିବ ଏ ମାମଲା ?

 

ଏଇଠି ଏ ଘର୍ମାକ୍ତ ଘଟନାର ଘନଘଟାମୟ ଘଟାଂତର - ଗୋଟାଏ ଅସ୍ଫୁଟ ଆର୍ତନାଦ - ଗୋଟାଏ ହତଭଂଭ ହାୟହାୟକାର - ଗୋଟାଏ ହେମାଳ ହାହାକାର ! ସେଦିନ ଗୋଟିଏ ରୂପସୀ ରାଜବାଳାକୁ ଦେଖିଲି ସତର କି ଅଠର ବର୍ଷର ଗଜାଟୋକା ହୋଇ ତାଳଦଂଡା କେନାଲ୍‌ର ଗୋଳିଆପାଣିକୁ ଚିତିପହଁରାରେ ଦି’ଫାଳ କରିଦେଇଥିବାର ଦୁର୍ବିଷହ ଦୃଶ୍ୟ !

 

ପ୍ରେମ କୁଆଡ଼େ ମିଶିଗଲା ମଲାମୂଷାରଣଭଣ ମାଦଳମାଟିରେ, ଆଶା କୁଆଡ଼େ ଡୁବିଗଲା ପୋକଜୋକସଣସଣ ପଂକୁଆ ପାଣିରେ, ସ୍ୱପ୍ନ କୁଆଡ଼େ ମିଳେଇଗଲା ମଶାମାଛିଭଣଭଣ ଫାଂକା ପବନରେ ! ଆଠବର୍ଷର ନିଃସଂଗ କିଶୋରଟି ତା ନିହତ ନିରୀହତାର ନିର୍ଜନ କବର ଉପରେ ଦଂଡେ ଛିଡ଼ାହୋଇ ଏ ଦୁଃଖକୁ ଶେଷରେ ଟଂଗାଇଦେଇଆସିଥିଲା ସେଇ ଢେଲାଖିଆ ପିଜୁଳିଗଛର ଡାଳଅଗିଲାରେ !

 

ଜଣେ କଥାକାରବଂଧୁଂକୁ କେଉଁଦିନ ମୁଁ କହିଥିଲି, ମୋ କୈତବମୁକ୍ତ କୈଶୋରର ଏ ଅଂଗେନିଭା କଥା । ଏ ଘଟନାକୁ ଗଳ୍ପରୂପ ଦେଇଛଂତି କାଳେ ସେ । ପଢ଼ିନି କିଂତୁ ମୁଁ ।

 

ରୂପ ଏକ ଭ୍ରମ ।

ଏ ଭ୍ରମରେ ପ୍ରମତ୍ତ-ପ୍ରେମର ଚଉଘଡ଼ି ଚକ୍ଷୁବଂଧନ ମାତ୍ର।

ତୃଷ୍ଣା ଏକ ତାଡ଼ନା।

ଏ ତାଡ଼ନାରେ କାମଳ-କାମନାର କ୍ଷଣିକ କାକସ୍ନାନ କେବଳ ।

 

ମାତ୍ର ରୂପ ଓ ତୃଷ୍ଣାର ପ୍ରତାରିତ ପର୍ଯାୟ ପରେ, ବିନା ବିଜ୍ଞପ୍ତିରେ ଯେଉଁ ନିଃଶବ୍ଦ ବେଦନା ଆସି ଚିହ୍ନାଇଦିଏ ପ୍ରାଣାଧିକ ପ୍ରିୟ କ୍ଷତଚିହ୍ନଟିକୁ, ତାହା ହିଁ ଜଣେ ଦରଦୀ ଯୋଦ୍ଧାର ଦରପୋଡ଼ା ସ୍ମୃତି - ମରମୀ ସନ୍ନ୍ୟାସୀର ଧୁନିଜଳା ସ୍ୱପ୍ନ - ଏବଂ ତାହା ସଂଭବତଃ ଭଲପାଇବାର ବିରଳ ବିରହ-!

 

ଏ କଥା କ’ଣ ସେଦିନ ହେଜିପାରିବାର ସାମାନ୍ୟତମ ବୌଦ୍ଧିକ ସାମର୍ଥ୍ୟ ଥିଲା ଆଠବର୍ଷର ସେଇ ନାବାଳକ ନାୟକଟି ପକ୍ଷରେ ? ତା ଆଗରେ ଉଭା ହୋଇଥିବା ଶାଣିତ ସୌଂଦର୍ଯର ସାଜଶୃଂଗାରରେ ସେଦିନ ସୂତାଖିଅକର ସତ୍ୟ ବି ନ ଥିଲା, ବରଂ ଥିଲା ବସନଭୂଷଣାବୃତ ଏକ ବିଡଂବନାମୟ ବିକଳ୍ପନା ... ଅଥବା ଆତ୍ମଭର୍ତ୍ସନାଦାୟକ ଏକ ଭ୍ରମସଂଶୋଧନ !

 

ଯା’ହେଉ, ସେତେବେଳେ ଆସିଯାଇଥିଲା ଚୀନ୍‌-ଭାରତ ଯୁଦ୍ଧର ସଂଦିଗ୍ଧ ସମୟ ।

ପ୍ରେମ ଓ ଯୁଦ୍ଧର ଦୋଛକିରେ ମୋର କ୍ଷତାକ୍ତ କୈଶୋର କିଂତୁ ସଂତ୍ରସ୍ତ ଶରଣାର୍ଥୀର ସୁରକ୍ଷିତ ଶିବିର ନୁହେଁ, ଖୋଜୁଥିଲା କେଉଁ ବୈରାଗୀ ବୋଧିଦ୍ରୁମର ଛଳପାଶୋରା ଛାୟାଂଚଳ । ଅଧା ଖରାଛୁଟିର କଟକରୁ ମୁଁ ଚାଲିଆସିଥିଲି କିଛିଦିନ ପାଇଁ ବାଜପୁର ।

 

ନିଜ ଗାଆଁ ବାଜପୁର ବଡ଼ଗାଆଁଟିଏ । ଏଠି ଦେଖିଥିଲି ହାଟପାଳି । ଗୋଟିଏ ହାଟରେ ହାତଗୋଡ଼ ଜାକିଜୁକିଦେଇ ଜମିଯାଉଥିଲା ଛତିଶ ପାଟକର ଗାଁ । ରୋଶଣି ଜଳୁଥିଲା ରାତିର ବିଳଂବିତ ପ୍ରହର ପର୍ଯଂତ ।

 

ସେ ବଡ଼ ଗାଆଁରେ ହାଟର ହଟଚମଟ ଦେଖି ହଡ଼ବଡ଼େଇ ଯାଇନି କେବେ, ହେଲେ ଏ ସାନସହରରେ ପ୍ରଥମେ ବଜାର ଦେଖିଲା ଦିନ ତାଜୁବ୍‌ ହୋଇଥିଲି ବେଶ୍‌ । ମନେଅଛି, ମଳିଚିଆ ଗେଂଜିପିଂଧା ଜଣେ ମଜୁରିଆଟିକୁ ବିଚ୍‌ବଜାରରେ ବିଧାଗୋଇଠା ମରାହେଉଥାଏ ନିର୍ଧୂମ୍‌ । ମାଡ଼ମରାଳିଂକ ପାଖେ ଜୁଟିଯାଇ କେତେଜଣ ଚିଲଉଥାଂତି - ‘ଚୋର, ଚୋର’ ! ବିଚରାଟି ଯେତେ କାକୁତିମିନତି କରୁଥିଲେ ବି ଶୁଣୁଚି କିଏ ? ପରେ କିଂତୁ ଦି’ଜଣ ନାଲିପଗଡ଼ିଆ ଆସି ତନଖି କରିବାରୁ ଜଣାପଡ଼ିଲା ଯେ ସେ ଚୋରି କରିନି କିଛି ବି! ଯେଉଁ ଜିନିଷସବୁ ଚୋରି କରିଚି ବୋଲି କୁହାଯାଉଥିଲା, ସେସବୁ ଅଣେଇହୋଇପଡ଼ି ଛପିରହିଥିଲା ଆଉଗଦାଏ ଜିନିଷ ତଳେ !

 

ହାଟର ହୋ-ହାଲ୍ଲାରେ ମୁଁ ଗାଉଁଲି ଗହଳି ଉପଭୋଗ କରିଥିଲି, ଉଠାଦୋକାନୀ ଆଉ ପକାଗରାଖ ଦେଖିଥିଲି, କିଂତୁ ବଜାରର ବ୍ୟସ୍ତ ବିକାଳି ଆଉ ବିବ୍ରତ କିଣାଳିଂକ ନିର୍ଘାତ ଦର-କଷାକଷିର ଦୁନିଆଦାରିରେ ଆବିଷ୍କାର କରିଥିଲି ଆଉଏକ ଅନାଥ ଅସ୍ତିତ୍ୱ - ମାଡ଼ଖିଆ ମାମୁଲି ମଣିଷ - ଯିଏ ଚୋରି ନ କରି ସୁଦ୍ଧା ‘ଚୋର’ !

 

ହାଟ ଆଉ ବଜାର ଭିତରେ ଏଇ ହେଉଚି ଫରକ।

ବେଳେବେଳେ ଭାବେଁ ଯେ ଆମ କବିତା ଯେତେଦିନଯାଏଁ ହାଟର ବାଟରେ ଚାଲୁଥିଲା, ସେତେଦିନଯାଏଁ ତାର ସହଜସ୍ୱଚ୍ଛଂଦ ସାବଲୀଳ ଗତି ଥିଲା ଏକ ଶୋଭନୀୟ ଶୁଭଯାତ୍ରା । ମାତ୍ର ଯେଉଁଦିନ ବଜାରର ବାଟ ଧରିଲା, ସେଦିନ ସେ ହେଲା ଏକ ଶୂନ୍ୟତାମୁଖୀ ଶୋଭାଯାତ୍ରାର ଶୀତଳ ଶିକାର୍‌ ! ଆତ୍ମୀୟତାର ଉପଭୋଗ କୁଆଡ଼େ ଗଲା-- ଆସିଗଲା ଆତ୍ମଂଭରିତାର ଉପଦ୍ରବ-!

କଟକର ବଜାରଭିଡ଼ ସହିତ ମୋର ପ୍ରଥମ ପରିଚୟ ହୁଏତ ଗୋଟେ ଦୁର୍ଯୋଗ, ଗୋଟେ ଦୁର୍ଘଟଣା । ତଥାପି ଏ ସାନ ସହରରେ ବହୁବାର ମତେ ଦାନ ସୂତ୍ରରେ ବା ବିନା ମୂଲ୍ୟରେ ମିଳିଚି ମସ୍ତବଡ଼ ହୃଦୟସବୁ ! ତା ମରହଟ୍ଟୀ ମଣିଷମାନଂକ ମହତ୍ତର ମନର ମୁଖଶାଳା ମୋ ଆଖିରେ ଇଂଚଟାଏ ସୁଦ୍ଧା ଊଣା ନୁହେଁ, - କୌଣସି ନାମୀ ମଂଦିରର ଦାମୀ ଐତିହାସିକ ଉଚ୍ଚତାଠାରୁ ବି !

 

ବୋଲ ମାନୁ ନ ଥିବା ମୋର ଅଳ୍ପବୟସର ବର୍ଷସବୁ ଶିଝୁଥିଲା-ଭିଜୁଥିଲା ସେଇ ସାନସହରଟିର ଖଇରାତୀ ଖରାବର୍ଷାରେ । କେବେ ତାପରେ ତା ତନ୍ୱୀ ତରୁଚ୍ଛାୟା ତଳେ ମୁଁ ତରୁଣ ହେଲି ମନେନାହିଁ, କିଂତୁ ଦୀର୍ଘକାଳ ଏକ କଳ୍ପନାଶ୍ରୟୀ କୈଶୋର ଅଟକିରହିଗଲା ମୋ ଭିତରେ । କିଏ ଅଟକାଇ ରଖିଥିଲା ତାକୁ ? ଯେତେଦୂର ସଂଭବ, ସ୍ମୃତି ସହ ସଂପର୍କିତ ସେଇ ସ୍ପର୍ଶକାତର ଶବ୍ଦସବୁ - ଛଂଦର ଛାୟାପଥରେ ମତେ ଚାଲି ଶିଖାଉଥିବା ସେଇ ସାନଦିନର ସହଯାତ୍ରିଣୀ - କାଲିର କବିତା ।

 

ମନେହୁଏ, ଆଜି ବି ପାକଳ ବୟସର ପୋଷାକ ପିଂଧି, ସଭ୍ୟତାର ଶିଶୁ ମେଷପାଳକଟି ପରି, ସେଇ ପାଗଳ ପିଲାଦିନ ପୁଣିଥରେ ଚାଲିଶିଖିବାକୁ ଚାହେ, ପଛରେ ଛାଡ଼ିଆସିଥିବା ପଡ଼ା-ପଡ଼ିଆ-ପଠା-ପଟିଆର ପୁରାତନୀ ପୃଥିବୀରେ ।

 

ଦି’ ଗାଆଁର ତୁଠ, ତୋଟା, ବାଗବଗିଚା, କ୍ଷେତ, ଖଣି, ଗୋଚର, ଗୋହିରି, ପଟିଆ, ପଡ଼ିଆ, ପଥୁରିଆ ପାହି, ପାହାଡ଼ିଆ ପଦା - କାହିଁ କେଉଁ ପିଛିଲା ତାରିଖସବୁର ପୋଥିଚିତ୍ର ପରି ଚିରିଯାଇଥିବା ଚିତ୍ରକଳ୍ପ ।

 

ସେଦିନର ଗାଆଁସବୁ ଗୋଟେଗୋଟେ ଗୋପନୀୟ ଗୋପ... ଗୋଲାପରଂଗର ଗୋଧୂଳି-ଗୋଲୋକ । ଧୂଳିସଂଜ, ଧୂପସଂଜ, ମୁହଁସଂଜ, ମାଈସଂଜ, ଛାଇସଂଜ - ଖରାଲେଉଟାଣି ବେଳବୁଡ଼ଟିର ଏମିତି ଅନେକ ଅବଧାରିତ ଅବତାର । ସଂଜବତି ନିଭିଗଲା ପରେ ବୁଢ଼ା ବରଗଛଟାର ଓହଳରୁ ଓହ୍ଲାଇଆସି ଅଳସ ଅଂଧାର ବିଛାଇଦିଏ ରଂଗବତୀ ରାତିସବୁ । କଢ଼ିଫୁଟା ବଡିଭୋର୍‌ଗୁଡ଼ିକର ସଜ ଆକାଶରେ କଜଳଗାର ପରି ଅଂକାହୋଇଥାଏ ‘କାଳିଅଂଧାର’ଟା । ସୁଂଦର-ସତେଜ ସୂର୍ଯକିରଣର ଗାଆଁ ସବୁ ଶାବନାସାବଜା ସରହଦ - ସ୍ୱରମୟ, ଶବ୍ଦମୟ । ଚହଟଚିକଣ ଚଂଦ୍ରକିରଣର ଗାଆଁ ଲାଗେ ଗମାତିଆ ଗପଗୁଜବର ଗୁହାଳ ଆଉ ଗୁଣୁଗୁଣୁ ଗୀତଗୁଂଜନର ଗୁପ୍ତଗୁହା - ତାରି ଭିତରେ ବାଟ ଖୋଜେ ବାଳୁତ ବେଳର ବାଉଳା ବୟସ ।

 

ବହୁରୂପୀ, ବାଉଁଶରାଣୀ, ବାଘ ବାହାଦୁର୍‌, ସାପୁଆକେଳାଠୁ ଆରଂଭ କରି ଘୋଡ଼ାନାଚ, ଭାଲୁନାଚ, ମାଂକଡ଼ନାଚ ପର୍ଯଂତ ସେ ଗୋଟାଏ ସଚିତ୍ର ସଂସାର ସତରେ ! କାହିଁକି କେଜାଣି ଖୁବ୍‌ ପିଲାଦିନେ ଥିଲା ଅଜବ ଧାରଣା ସବୁ । ତା ଭିତରୁ ଗୋଟିଏ ଧାରଣା ହେଉଛି - ତାଂତ୍ରିକ ଗୁଣିଆମାନେ ଗାଆଁରେ ଘୁମେଇପଡ଼ିଥିବାବେଳେ ସୁଂଦରୀ ଡାହାଣୀମାନେ କାଳେ ଅଧାକେଶ କାଟି ବୁଲୁଥାଂତି ସହରରେ !

 

ଗାଆଁର ଅରୁଆ ଅଂଧାର କିଂତୁ କେମିତି ଘରପୋଡ଼ିର ଅରଣା ଆଲୁଅରେ ଡହଳବିକଳ ହୋଇଥାଏ, ମୋ ପିଲାଦିନେ ଦି’ ତିନିଥର ଦେଖିଥିଲି ଏ ଦାରୁଣ ଦୃଶ୍ୟ । ଏପରିକି ବାଜପୁର ମୁଂଡିଆବାରିର ପଥର ପାଚେରି ଉପରେ ଚଢ଼ି ଦିନେ ଅନୁଭବ କରିଥିଲି, ରାତିର ମଂଦାରବସ୍ତ ଜଳିଯାଉଥିବାର ଜମାଟଫଟା ଜ୍ୱାଳା !

 

ଧୁ ଧୁ ଧୂଳିଝଡ଼, ଘୁ ଘୁ ବତାସୀ ବର୍ଷା, କୁହୁକୁହୁ କୁହୁକଟାପୁର କୁହୁଡ଼ି, କାଆକାଆ କାଉଁରୀ କାନନର କାକରଠାରୁ ଆରଂଭ କରି ଡେଂଗାଡେଂଗା ଦେବଦାରୁ ଗଛର ଦାତବ୍ୟ ଦରୱାନିରେ ଦୋରସ୍ତ ସେଇସବୁ ସାନବଡ଼ ସଡ଼କର ଏକ୍‌ଲା ପ୍ରଭାତଫେରି ଆଉ କୋଇଲାର କଳାଧୂଆଁରେ କୋଚଟ ସେଦିନର ସେଇ ସକରୁଣ କଟକ ଷ୍ଟେସନ୍‌ହତାର ମଉଳା ସଂଜସୁମାରି - ମହାନଦୀ ପୋଲପାରି, କାଠଯୋଡ଼ୀ ନଈବାଲିର ପାହିପାହି ପାଆଚାରି - ତାଳଦଂଡାରୁ ତୁଳସୀପୁର, କଲେଜ ଛକରୁ କ୍ୟାଂଟନ୍‌ମେଂଟ୍‌, ଚମଡ଼ାଗୋଦାମରୁ ଚଂଡୀମଂଦିର, ମାଲଗୋଦାମରୁ ମେଡିକାଲ୍‌ ରୋଡ଼୍‌, ଚାଉଳିଆଗଂଜରୁ ଚାଂଦିନୀଚୌକ୍‌, ବଣିଆସାହିରୁ ବକ୍‌ସିବଜାର, ବିଶିନାବରରୁ ବାରବାଟୀ, ବଜ୍ରକବାଟିରୁ ବିଡ଼ାନାସୀ, ରାଣୀହାଟରୁ ରାଜାବଗିଚା, ଗୋଲେଇଛକରୁ ଗଡ଼ଗଡ଼ିଆ, ଶଗଡ଼ିଆ ସାହିରୁ ଶେଖବଜାର, ଗୋପାଳସାହିରୁ ଗୋଶାଳା ରୋଡ଼୍‌, ସାଆଂତ ସାହିରୁ ସୂତାହାଟ, ପଟାପୋଲରୁ ପୁରୀଘାଟ, ମଂଗଳାବାଗରୁ ମାତାମଠ, ପାଟରାସାହିରୁ ପଥୁରିଆ ସାହି, ନୂଆବଜାରରୁ ନିମସାହି, ଦରଖାପାଟଣାରୁ ଦର୍ଜିସାହି, ଖପୁରିଆରୁ ଖଟବିନ୍‌ ସାହି, ଶଂକରପୁରରୁ ଶିକରପୁର, ଗଂଡରପୁରରୁ ଗୋପାଳପୁର, ବାଦାମବାଡ଼ିରୁ ବିହାରୀବାଗ, ଅଂଦରପୁରରୁ ଅଲିଶାବଜାର, କାଠଗୋଲାରୁ କାଫ୍‌ଲା ବଜାର, ମୁରାଦ ଖାଁ ପାଟଣାରୁ ମସ୍‌ଜିଦ୍‌ ଗଳି, ମଧୁପାଟଣାରୁ ମେରିଆବଜାର, ଷ୍ଟୁଆର୍ଟ୍‌ ପାଟଣାରୁ ଲ୍ପୋନିରୋଡ଼୍‌, ପ୍ରଫେସରପଡ଼ାରୁ ପିଠାପୁର, ନୂଆପଡ଼ାରୁ ନରାଜ, କାଳିଗଳିରୁ କାଳିଆବୋଦା, ସମାଧିପାଟଣାରୁ ସତୀଚଉରା ସରହଦ ପର୍ଯଂତ-- ସାଇବସ୍ତିର ସେଇସବୁ ସିଲୁୱେଟ୍‌ରେ ଆଜି ଆଉ ଖୋଜିବସିଲେ ବି କ’ଣ ମିଳିପାରେ କେବେ କେଉଁ ସାନପ୍ରେମିକର ମିଳେଇ ଯାଇଥିବା ମହୁମାସ, ମହକା ମସିହାମାନ ? ଗୋଟେ ରଂଗଛଡ଼ା ରାଲେ ସାଇକେଲ୍‌ରେ ବାହାରିପଡ଼େ ସେ - ମେଘଅଂଧାର ମହୁରତ୍‌ରେ - ବେଖାତିର୍‌ କରି ବର୍ଷାବିଜୁଳି - କାଟିକାଟି ସୁଅମୁହଁର ତୋଡ଼ - ଥଂଡାପବନର ଥୋଡ଼ ।

 

ଗୋଟିଏ ଗ୍ରାମୀଣ ସହରର ଭଡ଼ାଘରେ କଟିଥିଲା ସେଇ ସାନପ୍ରେମିକର ଶେଷକୈଶୋର । ତା ହାଫ୍‌ପ୍ୟାଂଟ୍‌ର କଣାପକେଟ୍‌ରେ କଟକ ଥିଲା ଯେମିତି ଚିରୁଡ଼ା ଚିରୁଡ଼ା ଚିରାକାଗଜର କଟାଛଟା କେଇଟି ଅକ୍ଷର । ତାକୁ କ’ଣ କହିବା - ଉଇଁଆସୁଥିବା ଅରୁଂଧତୀର ଅ’, ଆ’ ନା ଅଂକୁରିଉଠୁଥିବା ଆକାଶକୁସୁମର କ, ଖ ? ପଦର ପଦ୍ମବେଶ ନା ଛଂଦର ଛଦ୍ମବେଶ ? କବିତା ଯେ କାଳିକଲମରେ ଲେଖାଯାଏନି, ଆଳିମାଳିକା ଅକ୍ଷରରେ ଅଂକାଯାଏ - ଏଇ ମରମକଥାଟି ମୁଁ ଅନୁଭବ କରିବାକୁ ଆରଂଭ କରିଥିଲି ସେଇ ଅଳ୍ପବୟସରେ ।

 

ମନେପଡ଼େ, ପଚାଶ ବର୍ଷ ତଳେ ଦେଖିଥିବା ସେଇସବୁ ସଶ୍ରଦ୍ଧ ସତୀର୍ଥଂକ ସମୁଜ୍ଜ୍ୱଳ ସ୍ମିତହାସ । ଯୁଆଡ଼େ ଯାଅ, ବେପରବାୟ ! ରାସ୍ତା ଯେତିକି ଯେତିକି ଦୂର ଲଂବିଲଂବି ଚାଲିଥିବ, ସେତିକି ସେତିକି ନିକଟତର ମନେହେଉଥିବ ସେଦିନର କଟକ । ବସ୍ତାନିବଂଧା ସ୍କୁଲ୍‌ଦିନଗୁଡ଼ିକର ବାହୁଡ଼ାବେଳରେ ଯେତେଥର ସାଂଗମାନଂକର ଘରେ ଘଡ଼ିଏ ଦି’ଘଡ଼ି ବସିପଡ଼ିଥାଉ, ସବୁ ଘରେ ବୋଉ ବଦଳରେ ଜଣେ ଜଣେ ମାଆ ! ଗୁଜରାତୀ ହୁଅଂତୁ କି ମାରୱାଡ଼ୀ, ବିହାରୀ ହୁଅଂତୁ କି ବଂଗାଳୀ, ମରାଠୀ ହୁଅନ୍ତୁ କି ମାଲୟାଲୀ, କ୍ରିଶ୍ଚିଆନ୍‌ ହୁଅଂତୁ କି ମୁସ୍‌ଲିମ୍‌ - ସବୁ ଭାଷା, ସବୁ ଧର୍ମ, ସବୁ ସଂପ୍ରଦାୟର ସମୂର୍ଧ୍ବରେ ରକ୍ତମାଂସର ଗୋଟିଏ ସ୍ନେହସଜଳ ସଂସ୍କୃତି ପରି ଏଇ ମାଆମାନେ ମୋର ସେଦିନର ! ଭୁଲିପାରିନି, କୋଠାବାଡ଼ିର କଂକ୍ରିଟ୍‌ କଟକ ତଳେ ଆଜି ଭାଂଗିରୁଜି ହଜିସାରିଥିବା ସେଇସବୁ ଭଡ଼ାଘରର ଭର୍‌ପୂର୍‌ ଭଲପାଇବା ! ଭୁଲିପାବିନି, ଏବର ଏ ବହୁଗୁଣା ବଢ଼ତି ତଳେ କେବଠୁ ଆଖି ବୁଜିସାରିଥିବା ସେ ବସ୍ତିବତ୍ସଳ ସହରର ବାଇମୁଂଡିଆ ବୁନିଆଦି !

 

ଏଇ ପ୍ରିୟ ପ୍ରାଚୀନ ସହରର ପରିବର୍ତିତ ପଟଭୂମିକୁ ମୁଁ କିଂତୁ ଦିନେ ଦେଖିବାକୁ ପାଇଥିଲି ଗୋଟିଏ ଧୂସର ଗଳିର ଧୂଳିସଂଜରେ - ମୋର ଶେଷକୈଶୋରରେ । ଦେଖିଥିଲି, ଗୋଟିଏ ଅଂଧାରୁଆ ଝୁପୁଡ଼ି ଆଗରେ ଅରାଏ ଘାସର ପଡ଼ିଆ - ରୋଗିଣା ଘୋଡ଼ାଟେ ଶୁଖିଲା ଘାସରେ ମୁହଁ ମାରି ଶୂନ୍ୟତାର ସ୍ୱାଦ ବାରୁଚି ବୋଧେ - ତା ପାଖରେ ବସିପଡ଼ିଚି କଟକର ଷ୍ଟେସନ୍‌ ରୋଡ଼୍‌ରୁ କେତେ ଛକ, କେତେ ବଜାର, କେତେ ଗଳିରାସ୍ତା ଯାଏଁ ଏକଦା ନିଷ୍ଠାପର ସାରଥି ଦାୟିତ୍ୱ ତୁଲାଇ ଆସିଥିବା ସେଇ ବୁଢ଼ା ମୁସ୍‌ଲିମ୍‌ କଚୁଆନ୍‌,- ଗୋଟାଏ ଭଂଗା ଘୋଡ଼ାଗାଡ଼ିର ବିକଳ ଅବଶିଷ୍ଟାଂଶକୁ ଆଉଜି ... ଖତରା ଚକରୁ ଖଂଡେ ଯାଇ ଛିଟିକିପଡ଼ିଚି ଛଅସାତହାତ ଦୂର ଛାଇଆଲୁଅରେ ! ସେଦିନ ଆଉ ବୁଝିବାକୁ ବାକି ନ ଥିଲା ଯେ ତାର ଦି’ ଘୋଡ଼ା ଭିତରୁ ଗୋଟିଏ ସେତେବେଳକୁ ନେଇସାରିଲାଣି ଚିରବିଦାୟ । ଫେରିଲାବେଳେ, ମତେ ଲାଗୁଥିଲା, ଶିଆଳୀଲଟାର ଶେଯରେ ମୁଁ ଯେମିତି ଏଇମାତ୍ର ଶେଷନିଦ୍ରାରେ ଶୋଇବାର ଦେଖିଆସିଚି - ଭଗ୍ନସ୍ୱପ୍ନ ମହାଭାରତର ଭୂତପୂର୍ବ ମହାସାରଥି ଶ୍ରୀକୃଷ୍ଣଂକୁ ! ଘୋଡ଼ାଗାଡ଼ିର କଟକ ତା କରୁଣ କଚାରାସ୍ତାଠୁ ସେଦିନ ମେଲାଣି ମାଗିନେଇଥିଲା ମୋ ଆଖି ଆଗରେ - ମୋ ଉଦ୍‌ବାର୍ଯ ଅତୀତର ଏକ ଅସୁସ୍ଥ ଅପରାହ୍‌ଣରେ !

 

କାହିଁକି କେଜାଣି ମୁଁ ଉଦାସ ହୋଇଆସୁଥିଲି କ୍ରମେ । ଖୋଜୁଥିଲି, ଖରାରେ ଝାଳେଇଯାଇଥିବା କଟକର ସେଇ ଝାଟିମାଟିର ବାସ୍‌ନା... ଯାହା ଆଉ ସୁଲଭ ନ ଥିଲା ସେତେବେଳକୁ ।

 

କେଉଁଠିନାକେଉଁଠି ମୁଁ କେବେ କହିଚି : ନିଃସଂଗତା ଓ ନିର୍ଜନତା ... ମୋ କାର୍ତିକର କାଠଯୋଡ଼ି ଆଉ ମାଘର ମହାନଦୀ !

 

। ୪।

ସବୁ ସାକ୍ଷାତକାରରେ ଗୋଟିଏ ସମାନ ପ୍ରଶ୍ନ ସହିତ ବରାବର ଧକ୍‌କା ହୋଇଥାଏ ମୋର । ପ୍ରଶ୍ନଟି ମୁଖ୍ୟତଃ ଅଭିଯୋଗମୂଳକ । ସେ ଅଭିଯୋଗ ହେଉଛି, କବିତାରେ ମାତ୍ରାଧିକ ଭାବରେ ମୁଁ କାହିଁକି ଏତେ ସ୍ପର୍ଶକାତର ଭାବରେ ଶବ୍ଦପ୍ରବଣ !

 

ଏହାର ଉତ୍ତରରେ ଥରେ ଶ୍ଳେଷ ପ୍ରକାଶ କରି କହିଥିଲି ଯେ ପୂର୍ବଜନ୍ମରେ ମୁଁ ମୂକ ଥିବି ନିଶ୍ଚୟ । ସେଥିପାଇଁ କବିତାରେ ଏ ଜନ୍ମର କଥା କହିବାକୁ ଗଲାବେଳେ ଗତଜନ୍ମର ଅନେକ ଅକୁହା କଥା ମଧ୍ୟ ଏକାସାଂଗେ ପଶିଆସୁଥିବ ଏଇସବୁ ଶବ୍ଦର ଫାଂକବାଟେ ! ଶବ୍ଦକୁ ଛାଡ଼ି ନିରବତାକୁ ନାରା କରିବାର ନିଆରା ବାଟଟିଏ ବା କାହିଁ ଆଉ ? ବିନାଶବ୍ଦର କବିତା ମତେ ମାଲୁମ୍‌ ନାହିଁ ମୋଟେ । କବିତା ମୋ ପାଇଁ ବରଂ ଦ୍ରୁତବିଳଂବିତ ଶବ୍ଦର ଦୁରଂତ ଝଡ଼, ଦିଗ୍‌ବଳୟର ଏ ପାଖରେ !

 

କଥାଟା ଏଠି ନାହିଁ କିଂତୁ । ଅଛି ଶବ୍ଦଭେଦରେ । ଯଦି କବିତା ଆଡ଼କୁ ଶବ୍ଦ ବାଟ କଢ଼େଇ ନେଇ ନ ପାରିଲା, ତା’ହେଲେ ବି କ୍ଷୟକ୍ଷତି ନାହିଁ କିଛି । କାରଣ ଶବ୍ଦସବୁ ଗଦ୍ୟ ପାଇଁ ଯାହା, କବିତା ପାଇଁ ତାହା ନୁହେଁ - ଏ ପ୍ରାକ୍‌ଧାରଣା ଅଂତତଃ ପ୍ରଥମରୁ ହିଁ ରହିଥିବା ଦରକାର । କବିତାର ଶବ୍ଦସବୁ ସୁନାହରିଣ । ‘ହରିଣ ନ ଦିଏ ଧରା, ଦଉଡ଼ନା ବଡ଼ ଖରା’ - ‘ବର୍ଣବୋଧ’ର ଏ ହରିଣ ଆମ ପିଲାଦିନକୁ ନେଇ ଯେଉଁଠି ପହଂଚାଇଥିଲା, ସେଠି ଖୁବ୍‌ ବେଶି ହେଲେ ‘ପଦ୍ୟ’ର ପ୍ରମାଣପତ୍ରଟିଏ ମିଳୁଥିଲା; ମାତ୍ର କବିତାର କେରାଏ ଦୂବପତ୍ର ବା କଅଁଳୁଥିଲା କେଉଁଠି ?

 

ଶବ୍ଦର ସୁନାହରିଣ କିଂତୁ ଆମକୁ ନେଇ ଛାଡ଼ିଦେଇଥାଏ କବିତାଠୁ ଖଂଡେ ଦୂରରେ । ଏଇଠୁ କବିତା ଆଡ଼କୁ ଆଗେଇଯିବାର ଏକ୍‌ଲା ଚଲାବାଟଟି ଆମର ହିଁ ଏକମାତ୍ର ଉଠାଣିଟିଏ କେବଳ। ଯେତେବେଳେ ଆମେ କବିତା ପାଖରେ ପହଂଚୁ ଆଉ କବିତା ଆମକୁ ଛୁଏଁ, ସେତେବେଳେ ଶବ୍ଦର ମୃତ୍ୟୁ ! ହଁ, ସେତେବେଳେ ଶବ୍ଦସବୁ ନ ଥାଏ ଆଉ - ଯାହା ଥାଏ, ତା କବିତାର ଅଶ୍ରୁତପୂର୍ବ ଅଂତଃସ୍ୱରଟି କେବଳ। ଗୋଟିଏ ଗୋଟିଏ ଅପୂର୍ବ କବିତାର ଅମରତ୍ୱ ପାଇଁ ଅନେକସମୟରେ ଏମିତି ସହିଦ୍‌ ହେବାକୁ ପଡ଼ିଥାଏ ଶବ୍ଦସବୁକୁ।

 

ଅନେକ ସମୟରେ ଭାବସତ୍ତ୍ୱ ନିଜେ ବାଛିନେଇଥାଏ ବ୍ୟବହାର୍ଯର୍ ବର୍ଣମାଳା । ନିଜେ ବି ଭିଆଉଥାଏ ନିଜର ଭିନ୍ନତାବ୍ୟଂଜକ ଭଂଗୀ । ଯେଉଁ ଭାବ ଯେତେ ସୂକ୍ଷ୍ମ, ଯେତେ ସଂଚରଣଶୀଳ - ସେଇ ଅନୁପାତରେ ଭାବାନୁଗ ଶବ୍ଦସବୁ ମଧ୍ୟ ସେତେ ସ୍ପର୍ଶକାତର ଓ ସ୍ପଂଦନଶୀଳ ହେବାକୁ ବାଧ୍ୟ । ଏଇଠି କେବଳ ଆଉଗୋଟିଏ କଥା - ବ୍ୟକ୍ତିତ୍ୱଭେଦ । ଭିନ୍ନ ଭିନ୍ନ କାବ୍ୟବ୍ୟକ୍ତିତ୍ୱ ଭିତ୍ତିରେ ସମବିଷୟୀ ଭାବଟିଏ ବି ସୃଷ୍ଟି କରିଥାଏ ଭିନ୍ନଭିନ୍ନ ଅଭିବ୍ୟକ୍ତି । ଏଇ ଭଂଗୀଭେଦ ହିଁ ବ୍ୟକ୍ତିତ୍ୱଭେଦ-- ଶୈଳୀପ୍ରକରଣର ପୂର୍ବାପର ପ୍ରସ୍ତୁତି ମଧ୍ୟରେ ବିଭିନ୍ନ କବିତା ହେଉଛଂତି ଭିନ୍ନ ଭିନ୍ନ କାବ୍ୟମାନସର ଏକ ଏକ ସ୍ୱୟଂନିର୍ବାଚିତ ଶବ୍ଦସୂଚୀ ।

 

ଭାବ-ତରଂଗ ଏତେ ତୀବ୍ର ଏବଂ ଅବାଧ୍ୟ ଯେ ସେ ଆସେ ଯେତେବେଳେ, ମନେହୋଇଥାଏ - ଏ ଗୋଲାକାର ଗ୍ରହଟିର ସର୍ବାଧିକ ଭୟଂକର ଆକ୍ରମଣକାରୀ ଆଗେଇଆସୁଛି ଅବା ଆତ୍ମସତ୍ତାକୁ ଅବିଳଂବେ ଅଧିକାର କରିନେବା ପାଇଁ ! ଚେତନ-ସତ୍ତା ଉପରେ ତାର ଚଢ଼ଉ ପୁଣି ଏତେ ଅତର୍କିତ ଓ ଅପ୍ରତ୍ୟାଶିତ ଯେ ସେତେବେଳେ କଠିଣ କଠୋର ଶବ୍ଦପୁଂଜ ବି ଥରହର ତାକୁ ସାମ୍ନା କରିବାରେ । ପରାସ୍ତ ଶବ୍ଦମାନଂକର ଶବସ୍ତୂପ ଉପରେ ଭାବସତ୍ତ୍ୱ ତାର ଯତ୍‌କିଂଚିତ୍‌ ପାଦଚିହ୍ନ ଛାଡ଼ିଦେଇ ଚାଲିଯାଇଥାଏ ଚୁପ୍‌ଚାପ୍‌ । ବର୍ତିଯାଇଥିବା ଶରଣାର୍ଥୀ ଶବ୍ଦସମୂହ କେବଳ ରହିଯାଇଥାଂତି ଚିତ୍ରାର୍ପିତ ଭଂଗିମାରେ, ଭାଷାତୀତ ଭାବର କରଦ-ରାଜ୍ୟ ରୂପେ ମାନସିକ ମାନଚିତ୍ରଟେ ମେଲିଦେଇ ! ଭାବର ଜବରଦଖଲରୁ ନିସ୍ତରିସାରିଲା ପରେ କବିତା ଖୋଦ୍‌ ପାଲଟିଯାଇଥାଏ ଭାବାଂତର !

 

ପ୍ରତ୍ୟେକ କବିବ୍ୟକ୍ତିତ୍ୱ : ଏକ ଏକ ପୃଥକ୍‌ ଏକକ ।

ଭାଷା, ଭଂଗୀ, ଶୈଳୀ, ଶବ୍ଦପ୍ରୟୋଗ, ଧ୍ୱନିପ୍ରକ୍ରିୟା - ଏସବୁ ସହିତ ଅଂତରୀଣ ଅବସ୍ଥାରେ ଅବିଭାଜ୍ୟ ଏଇ ‘ଏକକତା’ । କବିତା ପଛରେ ବରାବର ବିଲ୍ଫୋରିତ ହେଉଥିବା ନିଷ୍ଠାପର ନୀରବତାଟିକୁ ସଂକ୍ଷେପରେ କୁହାଯାଇପାରେ ‘ମୌନ ମୁଖରତା’ ମଧ୍ୟ । ବ୍ୟକ୍ତି ଓ ଐତିହ୍ୟ - କବିତାର ବିଂଦୁ ଓ ସିଂଧୁ, କବି କେବଳ ଉଭୟର ସ୍ୱୟଂସଂଚାଳିତ ସଂଯୋଜକଟିଏ ।

 

କବିତାର ଗଣତଂତ୍ର ନାହିଁ, ରାଷ୍ଟ୍ର ନାହିଁ, ଧ୍ୱଜା ନାହିଁ - ଅଛି କିଂତୁ ସୀମାଂତରହିତ ସ୍ୱାଧୀନତା । ଏକ ସାକ୍ଷାତକାରରେ ଥରେ କହିଥିଲି ଯେ - କବିତା ମୋ ଆଚଂବିତ ଆତ୍ମପୁରୁଷର ଅଗଣତାଂତ୍ରିକ ଅଧିକାର । ମୋ ଅଶ୍ରାବ୍ୟ ଆଶାର ଅଳଂକୃତ ଅଷ୍ଟବିକାର । ମୋ ଅବାଧ୍ୟ ଅବୈଧତାର ଅବାକ୍‌ ଅଂଗୀକାର ।

 

ଜାଣେଁ ଯେ କବିତା କାଳଧର୍ମର ମୋଡ଼ବଦଳରେ ନିଜେ ବଦଳିଯାଉଚି, କିଂତୁ ବଦଳାଇପାରୁନି ତା ପ୍ରଦକ୍ଷିତ ପୃଥିବୀକୁ, ତା ପ୍ରତୀକ୍ଷିତ ପ୍ରତ୍ୟକ୍ଷଦର୍ଶୀମାନଂକୁ । ସନ୍ନ୍ୟାସୀମାନଂକୁ ସସ୍ମିତ କି ସମ୍ରାଟ୍‌ମାନଂକୁ ବିସ୍ମିତ କରାଇପାରୁନି କାଣିଚାଏ । ଦି’ପଦରେ ଦୂରେଇପାରୁନି ବିପଦକୁ-। ନୁଆଇଁ ପାରୁନି ନିର୍ଦୟ ନରହଂତାର ନଜର୍‌, ଗୁଂଡାରାଜର ଗୁପ୍ତି, ବାଘନଖୀ ବଂଧୁତ୍ୱର ବଂଧୁକନଳି । କବିତା ହାଜର ହେଲେ ବି ଦୋକାନରେ ବଢ଼ିଯାଉନି ଦୁଷ୍ପ୍ରାପ୍ୟ ସ୍ୱପ୍ନର ଦରଦାମ୍‌ ... ବଜାରରେ ଥମିଯାଉନି ଝିଅବୋହୂଂକ ବଦନାମ୍‌... ରାସ୍ତାରେ କମିଯାଉନି ଦୁର୍ଘଟଣାପରର ଟ୍ରାଫିକ୍‌ ଜାମ୍‌ । ଦୁଃଖସୁଖର ଦୋସମାଳିରେ ଏପରି ଅଜସ୍ର ଅକ୍ଷମତା କବିତାର ଅଂଗେନିଭା କଥା । କିଂତୁ ଏଇ କଥା କ’ଣ ଗଦ୍ୟ କହିଥାଏ କେବେ ? କହିଥାଏ କବିତା - ସ୍ୱଗତୋକ୍ତିରେ, ସ୍ୱୀକାରୋକ୍ତିରେ, ସତ୍ୟପାଠରେ ।

 

ଏଇ କାରଣରୁ କବିତା - ଅଗଦ୍ୟ !

ଗଦ୍ୟ ପରି ତୈଳାକ୍ତ ମାଂସପେଶୀର ତିଳାର୍ଧ ସ୍ପର୍ଧା ସୁଦ୍ଧା ପ୍ରଦର୍ଶନ କରେନି ସେ । ବରଂ ସୂଚାଇଦେଇଥାଏ ନିଜ ଉତ୍ତପ୍ତ ରକ୍ତକୋଷର ଅବଶିଷ୍ଟ ଅବଶୋଷ, ଭଲପାଇବାର ଭୋକଶୋଷ, ଆଜନ୍ମ ଉପବାସ, ଆମରଣ ଆବେଶ ।

ଧ୍ୱନି : ତା ଧ୍ୟାନସ୍ଥ ନୀରବତାର ନୀଳ ଓଁକାର ।

 

ଅକ୍ଷର : ତା ଆଖିତଳର କଳାଗାର ।

ଶବ୍ଦ : ତା ଶୋକର ଶୁଭ୍ରଧାର ।

 

। ୫।

କବିତା ନୁହେଁ, କବି ହିଁ ବୟସ୍କ ହୋଇଥାଏ କେବଳ ।

ବଗିଚାର ଚଂପାଗଛ ବୁଢ଼ୀ ହୋଇଯାଏ ଦିନେ । ଚଂପାଫୁଲଟି କିଂତୁ ଚିରକୁମାରୀଟି ପରି ମହକୁଥାଏ ସେମିତି କବିତାରେ ।

 

ଲୋକକାହାଣୀର କଥକ ମହାଶୟ କେଡ଼େ ନିର୍ବିକାର ଭଂଗୀରେ କହିଦେଇ ପାରଂତି - ‘ମୋ କଥାଟି ସରିଲା, ଫୁଲଗଛଟି ମରିଲା’ - କବିତାରେ କିଂତୁ ମରିଯାଇଥିବା ଫୁଲଗଛ ପ୍ରାଣ ପାଏ ରୂପାଂତର ମାଧ୍ୟମରେ - ପ୍ରତୀକୀକରଣ ପ୍ରକ୍ରିୟାରେ - ତନୁରୁ ‘ଅତନୁ’ - ଚେତନାରେ ବିବର୍ତିତ ହୁଏ ବସ୍ତୁ । ତୃତୀୟ ଚକ୍ଷୁର ସ୍ଫୁଲିଂଗରେ ଫୁଲଧନୁ ଧରିଥିବା କାମଦେବତାଂକ ଦେହ ସିନା ଜଳିଯାଇସାରିଥାଏ ଗୋଟାପଣେ, କିଂତୁ ରତିବିଳାପର ଉଚ୍ଛ୍ୱସିତ ଆବେଦନ ହେତୁ ଫୁଲର ପାଉଁଶ ଭିତରୁ ପୁଣିଥରେ ପୃଥିବୀକୁ ଫେରିପାରେ ପ୍ରେମ । ଦେହଦାହ ପରେ ରୂପ ରହେନାହିଁ, ମାତ୍ର ରହିଯାଏ ତୃଷ୍ଣା ପରବର୍ତୀ ଅନଂତ ବେଦନା - ମନର କଥାସବୁ ମୌନମର୍ମର ... ମରେନି କେବେ ବି । କବିତା ଏଇ ମନର କଥା - ମରମକଥା - ଯାହା ଗଲାକାଲି ସରିଯାଇନି କି ସରିବନି ଆସଂତାକାଲି - ଫୁଲଗଛ ତେଣୁ ମରିବ କେମିତି କବିତାର ଅସୁମାରି ଅସରା କଥାରେ ?

 

କବିତା ତ କୁମାରୀମାତୃତ୍ୱ ! ତା କରୁଣାରେ କବିତ୍ୱକୁ ପ୍ରାପ୍ତ ହୋଇଥାଏ ପିତୃତ୍ୱର ପରିଚିତି । ଚାରଣକ୍ଷେତ୍ରରୁ ଚିତ୍ରକୂଟ, କୃଷିକ୍ଷେତ୍ରରୁ କୁରୁକ୍ଷେତ୍ର, ଜେତବନରୁ ଜେରୁଜେଲମ୍‌, ଜେଲ୍‌ଖାନାରୁ ଜାହାନ୍ନାମ୍‌, ପିରାମିଡ଼୍‌ରୁ ପେଶାୱର୍‌ଯାଏଁ - ଏ ଜଗତ ଏକ ଜର୍ଜରିତ ଯଜ୍ଞଭୂମି । ମାତ୍ର ତା କଲ୍ୟାଣ ଲଭିଲେ ଜଣେ ଜଣେ ସତ୍ୟକାମ, ଜଣେ ଜଣେ କର୍ଣ, ଜଣେ ଜଣେ ଯୀଶୁ ମଧ୍ୟ ଜନ୍ମାଂତର ନେଇପାରିବାର ସଂଭାବନା ଅଛି ପରବର୍ତୀ ପ୍ରହରରେ । କବି ପାଇଁ ତନ୍ମୟତା ସେତେବେଳେ ତୁରୀୟତା ।

 

ବିଷାଦ, ପ୍ରେମ, ଯୁଦ୍ଧ, ସ୍ମୃତି, ସଂପର୍କ, ସ୍ୱପ୍ନ, ସଂଶୟ, ସ୍ୱବିରୋଧ, ସାମାଜିକ ସଚେତନତା, ବ୍ୟଂଗ, ବିଦ୍ରୋହ, ବିସ୍ଥାପନ, ବିଚ୍ଛିନ୍ନତା, ବ୍ୟୈକ୍ତିକତା, ନିଃସଂଗତା ଇତ୍ୟାଦି ପରି ବୟସ୍କତା ଓ ମୃତ୍ୟୁସଜାଗତା ମଧ୍ୟ ଦୁଇଟି ପ୍ରମୁଖ କାବ୍ୟପ୍ରସଂଗ । ଏପରିକି ସ୍ୱୟଂ କବି ସୁଦ୍ଧା କବିତାର ବିଷୟାଧୀନ । କୋଡ଼ିଏ ବର୍ଷ ବୟସର କବିତା ଓ ଷାଠିଏ ବର୍ଷ ବୟସର କବିତାକୁ ଯଦି ପାଖାପାଖି ଛିଡ଼ା କରିଦିଆଯାଏ, ତା’ହେଲେ ମନେହେବ ଯେ ପ୍ରଥମଟି ଯେପରି ନିକଟତମ ଦୂରତ୍ୱ ଏବଂ ଦ୍ୱିତୀୟଟି ଯେପରି ସୁଦୂରତମ ନୈକଟ୍ୟ !

 

କବି କେବଳ ଏଇ ସଂଚରଣଶୀଳ ସମୟବୋଧର ସକରୁଣ ସାକ୍ଷୀ ମାତ୍ର । ନିଜ ସମୟର ସବୁ ସସେମିରା ଆଉ ସବୁ ସାୟୋନାରା ତା ପକ୍ଷରେ ସାରାଜୀବନର ଇସାରା !

 

କବିତା ଏକ ଅନ୍ୟମୁଦ୍ରାର ଅନନ୍ୟମନସ୍କତା । ସେ ମୁଦ୍ରା କେତେବେଳେ ଧ୍ୱନିର ଧ୍ୟାନମୁଦ୍ରା ତ ଆଉକେତେବେଳେ ମଂତ୍ରର ମୌନମୁଦ୍ରା । ଅକ୍ଷର, ସ୍ୱର, ବ୍ୟଂଜନ, ମାତ୍ରା, ଛେଦ, ବିଂଦୁ, ବିସର୍ଗାଦିର ବାଚନିକ ବାସ୍ତବତାଠାରୁ ବିଚ୍ଛିନ୍ନ ହୋଇ ଯେଉଁ ଅନାବିଷ୍କୃତ ଅଲୌକିକ ଅଂତର୍ଲୋକ ପାରମାର୍ଥିକ ପାର୍ଥିବତାର ସ୍ପର୍ଶଲାଭ ଅପେକ୍ଷାରେ ଥାଏ, କବିତା ତା ଆଡ଼କୁ ବାଟ କଢ଼େଇନେବାକୁ କଟାଳ କରୁଥାଏ କାବ୍ୟପୁରୁଷକୁ । କେଉଁଠି କବି ଅଧବାଟରେ ଅଟକିଯାଇଥାଏ ତ ଆଉକେଉଁଠି ଝୁଂଟିପଡ଼ି ଫେରିଆସିଥାଏ ପଛକୁ ।

 

***

‘କାଲିର କବିତା’ ପ୍ରକାଶ ପାଇବାର ଛଅବର୍ଷ ପରେ ‘କ୍ରୌଂଚମିଥୁନ’ (୧୯୮୨) - ଏହା ପରେ ଦୀର୍ଘନିଷ୍କୃତି ନେଇଥିଲି କବିତା କ୍ଷେତ୍ରରୁ। କଟକ ଛାଡ଼ି ମୁଁ ଚାଲିଯାଇଥିଲି ଭୁବନେଶ୍ୱର - କିଛିବର୍ଷ । ପ୍ରଚୁର ପୁରୁଣା କବିତା କିଂତୁ ପଡ଼ିରହିଥିଲା ଛାଡ଼ିଆସିଥିବା ପଢ଼ାଘରେ - କଲେଜବେଳର, ଏପରିକି ସ୍କୁଲ୍‌ବେଳର ବି। ସେସବୁ ପ୍ରେମକବିତା। ସେ ପ୍ରେମ, ସେ ସମୟ। ସେ କବିତା, ସେ ହଳଦିଆ ସକାଳର ହସ୍ତାକ୍ଷର। ସ୍ୱଗତର ସ୍ୱର। ‘କ୍ରୌଂଚମିଥୁନ’ ପ୍ରକାଶ ପାଇବାର ଠିକ୍‌ କୋଡ଼ିଏ ବର୍ଷ ପରେ ଛାପା ହେଲା କିଛି - ‘ଡାଇରିର ଶାଇରୀ’ (୨୦୦୨) ନାଆଁରେ। ତା’ ପରେପରେ ପ୍ରକାଶ ପାଇଲା ୧୦୪ ଚଉଦାଳିର ଚୟନିକାଟିଏ - ‘ତୃଷ୍ଣାତର୍ପଣ’ (୨୦୦୪) - ମୋ ତପ୍ତତାରୁଣ୍ୟର ତିଳତର୍ପଣ। ପ୍ରେମର ଆଲୋକ ଓ ଉତ୍ତାପ ସହିତ ତନୁତାପ ଓ ଅନୁତାପର ଅଗ୍ନି, ଅଂଗାର ଆଉ ଅଂଗୀକାର ଏକାଠି ଏଇଠି ।

 

ପ୍ରଥମ କବିତାବହି ପ୍ରକାଶ ପାଇବାର ପଚିଶ ବର୍ଷ ପରେ, ଯେତେବେଳେ ଆଉଥରେ କବିତାକୁ ଲେଉଟିଲି, ସେତେବେଳକୁ ପଇଁଚାଳିଶ୍‌ ପାର୍‌ ମତେ। ଏହା ମୋର ଦ୍ୱିତୀୟ ପର୍ଯାୟ - ଦୀର୍ଘ ବିରତି ପରେ।

 

ଧୂମାଳ ପ୍ରତ୍ୟାବର୍ତନର ଏଇ ଧୂଳିଧୂସର କବିତାସବୁରେ, କ୍ରମେ ଅନୁଭବ କରିଥିଲି, କିପରି ଏକ ତୁମୂଳ ପରିବର୍ତନର ପ୍ରଖରତା। ପ୍ରେମ ନ ଥିଲା, ଥିଲା ପାଉଁଶ। ସେ ସମୟ ନ ଥିଲା, ଥିଲା ମାସମାସ ସମା-ସମାସ। କ୍ରମେ ମୋ ରକ୍ତକୋଷର ସ୍ୱତଃସ୍ୱଗତଭାଷରୁ ନିର୍ଗତ କବିତାସବୁ, କେମିତି କେଜାଣି ଆପେଆପେ ହେବାକୁ ଆରଂଭ କଲା ଏକୈକ ଉପକବିତା ଓ ଅଧାକବିତା ! ଏସବୁର ଅବଶ୍ୟଂଭାବୀ ଅବତାର ରୂପରେ ଏହାପରର କବିତାସବୁ ହୋଇଉଠେ ସଫେଦ୍‌ ସନେଟ୍‌ର ସିଲୁୱେଟ୍‌ - ମୋ ସ୍ଥଗିତ ସ୍ୱପ୍ନର ଶୁନ୍‌ଶାନ୍‌ ଶ୍ମଶାନରେ ସମବେତ ଶବ୍ଦମାନଂକର ସ୍ଥିର ଶୋଭାଯାତ୍ରା !

 

ଏହାପରେ ଆଉ କେତେ ବର୍ଷ ? କେତେ ସ୍ପର୍ଶ ? ଅପରାପର ଅପେକ୍ଷାର ଆଉ କେତେ ବା ଆକର୍ଷ ?

 

ନା, ଅବଗଣନାର ଏଇ ଆବହରେ ସଂଖ୍ୟା ନ ଗଣୁ କେବେ କାବ୍ୟପୁରୁଷ - ଡାଳର ଫୁଲ ଗଣେନି ଯେମିତି ମାଳୀ, ଗଛର ପତ୍ର ଗଣେନି ଯେମିତି ଚଢ଼ାଳି, ବଣର ଫଳ ଗଣେନି ଯେମିତି ବାଟୁଆଳି, ବିଲର ଧାନ ଗଣେନି ଯେମିତି ଭାଗୁଆଳି, ବରଜର ପାନ ଗଣେନି ଯେମିତି ଜଗୁଆଳି, ପୋଖରୀର ମାଛ ଗଣେନି ଯେମିତି ପହଁରାଳି, ନଈପଠାର କୋଳି ଗଣେନି ଯେମିତି ଦଉଡ଼ାଳି, ସମୁଦ୍ରର ଢେଉ ଗଣେନି ଯେମିତି ବୁଡ଼ାଳି, ଆକାଶର ତାରା ଗଣେନି ଯେମିତି ଉଡ଼ାଳି !

 

ଜହ୍ନର କଳଂକ ନ ଗଣୁ ଦର୍ଶକ।

ଦେହର କ୍ଷତ ନ ଗଣୁ ସୈନିକ।

ଓଠର ଚୁଂବନ ନ ଗଣୁ ପ୍ରେମିକ।

 

ଏବେ ‘କାବ୍ୟପୁରୁଷ’କୁ ନେଇ ଅଂତିମ ଅଭିଳାଷର ଏ ଅଭିଧାନରେ - ଏଇଭଳି କିଛି ଇଷ୍ଟସୁମରଣାଶ୍ରିତ ଅସ୍ଫୁଟ ଉଚ୍ଚାରଣ ହିଁ କେବଳ ଏତିକ ... ଏଇଟିକକ।